PIB Headquarters

ରାଜସ୍ଥାନର ଝୁନ୍‌ଝୁନ୍‌ରୁ ପଙ୍ଗପାଳ 3 ଦଳ ହୋଇ ହରିୟାଣାର ଗୁରୁଗ୍ରାମ, ପଲୱାଲ ଏବଂ ଉତ୍ତର ପ୍ରଦେଶ ଆଡେ ମୁହାଁଇଲେ

• ରାଜସ୍ଥାନ, ହରିୟାଣା ଓ ଉତ୍ତର ପ୍ରଦେଶରେ ପଙ୍ଗପାଳ ଦମନ ଅଭିଯାନ ଜାରି

Posted On: 27 JUN 2020 4:01PM by PIB Bhubaneshwar

ଜୁନ୍‌ 26 ତାରିଖ ସକାଳେ ରାଜସ୍ଥାନର ଝୁନ୍‌ଝୁନ୍‌ ଅଞ୍ଚଳରୁ ପଙ୍ଗପାଳ ଦଳକୁ ଠାବ କରାଯାଇଥିଲା । ସେମାନଙ୍କୁ ନିପାତ କରିବା ପାଇଁ ନିୟନ୍ତ୍ରଣକାରୀ ଦଳକୁ ନିୟୋଜିତ କରାଯାଇଛି । ଏହି ଅଭିଯାନରୁ ବର୍ତ୍ତି ଯାଇଥିବା ଅସଂଖ୍ୟ ପଙ୍ଗପାଳ ପୁନର୍ବାର ଏକାଠି ହୋଇ ଗୋଟିଏ ଦଳ ଗତକାଲି ସନ୍ଧ୍ୟାରେ ହରିୟାଣାର ରେୱାରିରେ ପହଞ୍ଚିଥିଲା । ତୁରନ୍ତ ସେଠାରେ ଦମନକାରୀ ଦଳ ପହଞ୍ଚି ଆଜି ସକାଳ ପର୍ଯ୍ୟନ୍ତ ଅଭିଯାନ ଚଳାଇଥିଲେ । ଏହା ପରେ ବର୍ତ୍ତିଯାଇଥିବା ପଙ୍ଗପାଳମାନେ ଏକାଠି ହୋଇଥିଲେ । ତିନି ଭାଗରେ ବିଭକ୍ତ ହୋଇ ଏହି ପଙ୍ଗପାଳ ଦଳର ଗୋଟିଏ ଭାଗ ହରିୟାଣାର ଗୁରୁଗ୍ରାମ ଏବଂ ସେଠାରୁ ଫରିଦାବାଦ ଦେଇ ଉତ୍ତରପ୍ରଦେଶ ଆଡେ ମୁହାଁଇଛି । ଆଉ ଏକ ପଙ୍ଗପାଳ ଦଳ ଦିଲ୍ଲୀର ଦ୍ୱାରକା ଆଡେ ମୁହାଁଇବା ପରେ ସେଠାରୁ ଦୌଲତାବାଦ, ଗୁରୁଗ୍ରାମ, ଫରିଦାବାଦ ଅତିକ୍ରମ କରି ଉତ୍ତର ପ୍ରଦେଶରେ ପ୍ରବେଶ କରିଛି । ତୃତୀୟ ପଙ୍ଗପାଳ ଦଳଟିକୁ ହରିୟାଣାର ପଲୱାଲ ଦେଖିବାକୁ ମିଳିଥିଲା । ଏହି ଦଳ ସେଠାରୁ ଉତ୍ତରପ୍ରଦେଶ ଆଡେ ମୁହାଁଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସହରାଞ୍ଚଳରେ ପଙ୍ଗପାଳ ଦଳକୁ ଠାବ କରାଯାଇ ନାହିଁ । କୃଷି ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ପଙ୍ଗପାଳ ଦଳ ଉପରେ ରାଜସ୍ଥାନ, ହରିୟାଣା ଏବଂ ଉତ୍ତର ପ୍ରଦେଶର କୃଷି ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନଜର ରଖାଯାଇ ସେମାନଙ୍କ ଗତିବିଧି ଠାବ କରାଯାଉଛି । କେନ୍ଦ୍ରୀୟ ପଙ୍ଗପାଳ ସର୍ତକତା ପ୍ରତିଷ୍ଠାନର ଅଧିକାରୀମାନେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଯେଉଁଠି ପଙ୍ଗପାଳ ପହଞ୍ଚୁଛନ୍ତି ସେମାନଙ୍କୁ ତୁରନ୍ତ ନିୟନ୍ତ୍ରଣ କରିବାକୁ ଅଭିଯାନ ଚାଲିଛି । ରାଜସ୍ଥାନରୁ ଅଧିକ ପଙ୍ଗପାଳ ଦମନକାରୀ ଦଳ ହରିୟାଣା ଓ ଉତ୍ତର ପ୍ରଦେଶରେ ପହଞ୍ଚି ସେହି ଦୁଇ ରାଜ୍ୟ ସରକାରଙ୍କୁ ସହାୟତା କରୁଛନ୍ତି ।

ପଙ୍ଗପାଳମାନେ ଦିନରେ ଗୋଟିଏ ସ୍ଥାନକୁ ଆଉ ଗୋଟିଏ ସ୍ଥାନକୁ ଦଳ ଦଳ ହୋଇ ଆକାଶମାର୍ଗରେ ଗତି କରନ୍ତି । ସନ୍ଧ୍ୟା ହେଲେ ସେମାନେ ଅବତରଣ କରି ଗଛଲତା ଓ ଫସଲ କିଆରିରେ ପଶି ସେଗୁଡିକ ଖାଇ ନଷ୍ଟ କରିଥାନ୍ତି । ପଙ୍ଗପାଳ ଦମନକାରୀ ଦଳଗୁଡିକ ଏମାନଙ୍କ ଉପରେ ନଜର ରଖିଛନ୍ତି । ରାତିରେ ପଙ୍ଗପାଳ ଦଳ ବିଭିନ୍ନ ସ୍ଥାନରେ ଓହ୍ଲାଇବା ପରେ ସେମାନଙ୍କ ବିରୋଧରେ ଦମନ ଓ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କରାଯିବ । ଉତ୍ତର ପ୍ରଦେଶର ସବୁ ନିୟନ୍ତ୍ରଣକାରୀ ଦଳକୁ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ପାଇଁ ସତର୍କ କରାଇ ଦିଆଯାଇଛି ।

 

**********



(Release ID: 1634825) Visitor Counter : 150