ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘ଶିଶୁଋଣ’ ହିତାଧିକାରୀଙ୍କ ପାଇଁ 2 ପ୍ରତିଶତ ସୁଧ ରିଆତି

• ଉପଯୁକ୍ତ ସମୟରେ ଋଣ ପରିଶୋଧ କଲେ 12 ମାସ ପାଇଁ ରିହାତି ସୁବିଧା ମିଳିବ: ନିୟମିତ ପରିଶୋଧକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଉଦ୍ୟମ
• କୋଭିଡ-19 ଦ୍ୱାରା ପ୍ରଭାବିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପୁନର୍ବାର କାରବାର ଆରମ୍ଭ କରିବା ପାଇଁ ଏହା ସହାୟକ ହେବ

Posted On: 24 JUN 2020 3:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ଶିଶୁ ଋଣଆକାଉଂଟଧାରୀଙ୍କୁ ନିୟମିତ କିସ୍ତି ପ୍ରଦାନ କ୍ଷେତ୍ରରେ 12 ମାସ ପାଇଁ 2 ଶତାଂଶ ହାରରେ ଋଣ ରିଆତି ଦେବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ଶିଶୁ ଋଣକାର୍ଯ୍ୟକମରେ ଯେଉଁମାନେ ଋଣ ନେଇଛନ୍ତି ଓ ପୁନର୍ବାର ଋଣ ନେବାକୁ ଆଗ୍ରହୀ ସେମାନେ ଯଦି ଠିକ ସମୟରେ ତାହା ପରିଶୋଧ କରିବେ ତେବେ ସେମାନଙ୍କୁ ଏକ ବର୍ଷପାଇଁ 2 ଶତାଂଶ କମ ହାରରେ ସୁଧ ଦେବାକୁ ପଡିବ ।

ସରକାରୀ ନିଷ୍ପତ୍ତି ଅନୁସାରେ ଯେଉଁମାନଙ୍କର ଚଳିତ ବର୍ଷ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଋଣ ବକେୟା ଥିବ ଏବଂ ସେମାନେ ରିଜର୍ଭବ୍ୟାଙ୍କର ନିର୍ଦେଶାବଳୀ ଅନୁସାରେ ସେହି ତାରିଖ ସୁଦ୍ଧା ଏନପିଏ ଶ୍ରେଣୀଭୁକ୍ତ ହୋଇନଥିବେ ସେମାନେ ଏହି ଶିଶୁ ଋଣପାଇପାରିବେ ।

ସେହିଭଳି ଯେଉଁ ଋଣକାରୀଙ୍କ କିସ୍ତି  ବକେୟା ଥିବ ସେମାନଙ୍କ ଆକାଉଂଟ ଯେତେ ମାସ ପାଇଁ ଏନପିଏ ଶ୍ରେଣୀଭୁକ୍ତ ହୋଇନଥିବ ସେମାନଙ୍କୁ ଏହି ସୁଧ ରିଆତି ମିଳିବ ଏବଂ ସେମାନଙ୍କ ଖାତା ପୁନର୍ବାର ସଚଳ ସଂପତିଭାବେ ବିବେଚିତ ହେବ । ଯେଉଁମାନେ ନିୟମିତ ଋଣ ପରିଶୋଧ କରିବାକୁ ଆଗ୍ରହୀ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ଏହି ଯୋଜନାରେ ପ୍ରାୟ 1542 କୋଟି ଟଙ୍କା କେନ୍ଦ୍ର ସରକାର ଋଣ ଆକାରରେ ଯୋଗାଇଦେବେ ।

ପୃଷ୍ଠଭୂମି

ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ସରକାର ଯେଉଁସବୁ ପ୍ରୋତ୍ସାହନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ତାହାର ଏକ ଅଂଶବିଶେଷ । ଏଥିରେ ଅତି ଛୋଟ ଛୋଟ ଉଦ୍ୟୋଗକୁ ଶିଶୁବର୍ଗରେ ରଖାଯାଇ ସେଗୁଡିକୁ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଏହି ଶିଶୁବର୍ଗର ଉଦ୍ୟୋଗଗୁଡିକୁ ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ପାଇଁ ସର୍ବାଧିକ 50 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଏହି ଋଣ ଶିଶୁଋଣଭାବରେ ନାମିତ । ମୁଦ୍ରା ଲିମିଟେଡ ସହିତ ପଞ୍ଜୀକୃତ ହୋଇଥିବା ବିଭିନ୍ନ ଅନୁସୂଚିତ ବ୍ୟାବସାୟୀକ ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀ ଓ ମାଇକ୍ରୋ ଫାଇନାନସିଆଲ ଅନୁଷ୍ଠାନମାନେ ଏହି ମୁଦ୍ରା ଋଣ ଦେବାକୁ ଅଧିକୃତ । ସେମାନଙ୍କ ଜରିଆରେ ସଂପୃକ୍ତ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରିବାର ନିୟମ ରହିଛି । ଶିଶୁ ମୁଦ୍ରା ଋଣ ଯୋଜନାରେ ଅର୍ଥ ନେଇ ବେପାର ବଣିଜ କରୁଥିବା ଅତି କ୍ଷୁଦ୍ର ଓ କ୍ଷୁଦ୍ର ଉଦ୍ୟୋଗଗୁଡିକ କରୋନା ମହାମାରୀ ସ୍ଥିତି ଯୋଗୁଁ ଗୁରୁତରଭାବେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କର କାରବାର ସବୁ ବନ୍ଦ ହୋଇଯାଇଛି । ଏସବୁ ବେପାରୀ ଅଳ୍ପ ଲାଭ କରୁଥିବାରୁ ପାଖରେ ଯଥେଷ୍ଟ ଜମା ବା ପୁଞ୍ଜି ନାହିଁ । ଏକପକ୍ଷରେ ସେମାନେ ବଂଚିବାକୁ ସଂଘର୍ଷ କରୁଥିବାବେଳେ ଅନ୍ୟପଟରେ ଋଣ ସୁଝିବାକୁ ହାତରେ ଧନ ନାହିଁ । ତେଣୁ ଅନେକ ଋଣୀ କିସ୍ତି ଦେଇପାରିନାହାନ୍ତି । ଏହା ଫଳରେ ସେମାନେ ଆଉ ଥରେ ବ୍ୟାଙ୍କରୁ ଋଣ ପାଇବା ସମ୍ଭାବନା ନାହିଁ । ଏଭଳି ସ୍ଥିତିରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

2020 ମାର୍ଚ୍ଚ 31 ସୁଦ୍ଧା ଶିଶୁ ବର୍ଗରେ 9.73 କୋଟି ଋଣ ଆକାଉଂଟ ରହିଛି । ଏହିସବୁ ଖାତାଧାରୀଙ୍କ ଉପରେ 1.62 ଲକ୍ଷ କୋଟି ଟଙ୍କାର ଅନାଦାୟ ଋଣ ରହିଛି ।

କାର୍ଯ୍ୟକାରୀ କରିବାର ରଣନୀତି

ଭାରତୀୟ କ୍ଷୁଦ୍ର ଉଦ୍ୟୋଗ ବିକାଶ ବ୍ୟାଙ୍କ ବା ସିଡ୍‌ବି ଏହି ଋଣ ନୀତିକୁ କାର୍ଯ୍ୟକାରୀ କରିବ । 12 ମାସ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ । ଯେଉଁ ଋଣକାରୀ ରିଜର୍ଭ ବ୍ୟାଙ୍କ କୋଭିଡ ପ୍ୟାକେଜ ଅନୁସାରେ ସେମାନଙ୍କ ଋଣପ୍ରଦାନକାରୀ ସଂସ୍ଥାଦ୍ୱାରା ସ୍ଥଗନାଦେଶ (ମୋରାଟୋରିୟମ) ପାଇଛନ୍ତି ସେମାନେ ତାଙ୍କର ଏହି ମୋରାଟୋରିୟମ କାଳ ଶେଷ ହେବା ପରେ ଏହି 2 ଶତାଂଶ ରିଆତିର ସୁବିଧା ପାଇପାରିବେ । ଅର୍ଥାତ  ସେମାନଙ୍କ ପାଇଁ 2020 ସେପ୍ଟେମ୍ବର ପହିଲାରୁ 2021 ଅଗଷ୍ଟ 31 ଯାଏଁ ଏହି ଯୋଜନା ଲାଗୁହେବ । ଅନ୍ୟ ଋଣକାରୀଙ୍କ ପାଇଁ ଏହା ଚଳିତ ଜୁନ ପହିଲାରୁ ଆସନ୍ତା ବର୍ଷ ମେ 31 ଯାଏଁ ଏହା ଉନ୍ମୁକ୍ତ ରହିବ ।

ପ୍ରମୁଖ ପ୍ରଭାବ

ସାଂପ୍ରତିକ କୋଭିଡ ସଂକଟଦ୍ୱାରା ବେପାର ବଣିଜ କରି ଗୁଜୁରାଣ ମେଂଟାଉଥିବା ଛୋଟ ଛୋଟ ଉଦ୍ୟୋଗୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ଥଇଥାନ ଓ ରୋଜଗାର ବ୍ୟବସ୍ଥା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ସେମାନଙ୍କ ପୂର୍ବ ଋଣବୋଝ ହାଲୁକା କରିବା ସହ ବେପାର ଚଳାଇବା ପାଇଁ ପୁନର୍ବାର ଋଣ ଦେବାକୁ ଏହା ଉଦ୍ଦିଷ୍ଟ । ଏହାଦ୍ୱାରା ଏସବୁ ଉଦ୍ୟୋଗ ପୁନର୍ବାର ଚାଲୁହେବ ଏବଂ କର୍ମଚାରୀ ଛଟେଇ ବା ଆର୍ଥିକ ସଂକଟରୁ ରକ୍ଷା ପାଇବେ ।

ଏହି ଯୋଜନା ଦ୍ୱାରା ସଂପୃକ୍ତ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବା ସହ ଅର୍ଥନୀତି ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ । ଭବିଷ୍ୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଅର୍ଥନୀତିକୁ ସୁଧାରିବାରେ ଏହା ସହାୟକ ହୋଇପାରିବ ।

 

**********

 



(Release ID: 1634072) Visitor Counter : 209