ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଉପସ୍ଥିତିରେ ଏନସିଇଆରଟି ଓ ରୋଟାରୀ ଇଣ୍ଡିଆ ମଧ୍ୟରେ ଡିଜିଟାଲ ବୁଝାମଣା ସ୍ୱାକ୍ଷରିତ

• ଏନସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ପ୍ରସାରିତ ହେବ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇ-ଶିକ୍ଷଣ ପାଠ୍ୟକ୍ରମ
• ଏହି ବୁଝାମଣା ଜରିଆରେ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଁଚିବ ଉନ୍ନତ ଶିକ୍ଷାଦାନ ସୁବିଧା : ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’

Posted On: 09 JUN 2020 5:42PM by PIB Bhubaneshwar

ଇ-ଶିକ୍ଷାକୁ ଆହୁରି ଅଧିକ ସୃଜନଶୀଳ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀଠାରେ ଏନସିଇଆରଟି ଓ ରୋଟାରୀ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ ମାଧ୍ୟମରେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ଜରିଆରେ ଏନସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇ-ଶିକ୍ଷଦାନ କାର୍ଯ୍ୟକ୍ରମ ପ୍ରସାରିତ ହେବ । ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଶ୍ରୀମତୀ ଅନିତା କରୱାଲ ମଧ୍ୟ ଏହି ଡିଜିଟାଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ସମୟରେ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଥିଲେ ଯେ ଏନସିଇଆରଟି ଏବଂ ରୋଟାରୀ କ୍ଲବ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷର ସମ୍ପର୍କରେ ଘୋଷଣା କରି ସେ ଆନନ୍ଦିତ । ସେ ଆଶା ବ୍ୟକ୍ତ କରିଥିଲେ ଯେ କୋଭିଡ-19 ମହାମାରୀ ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମାର୍ଗଦର୍ଶନ ଓ ସମର୍ଥନ ଫଳରେ ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ ଓ ଏନସିଇଆରଟିର ସହଯୋଗରେ ଇ-ଶିକ୍ଷା କାର୍ଯ୍ୟକ୍ରମ ସାରା ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଁଚିପାରିବ ।

ବିଦ୍ୟାଦାନ 2.0 ଅନ୍ତର୍ଗତ ରୋଟାରୀ ଇଂଟରନ୍ୟାସନାଲ ପକ୍ଷରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ଲାଗି ଏନସିଇଆରଟିକୁ ହିନ୍ଦୀ ଭାଷାରେ ଇ-କଣ୍ଟେଣ୍ଟ ଯୋଗାଇ ଦେବ । ଏହି ଶିକ୍ଷା ସାମଗ୍ରୀ ଅତ୍ୟନ୍ତ ଉଚ୍ଚ ଗୁଣବତା ସମ୍ପନ୍ନ ଏବଂ ଉଚ୍ଚ ଶ୍ରେଣୀୟ ହୋଇଥିବାରୁ ଆମର ସବୁ ପିଲାମାନେ ଏହାଦ୍ୱାରା ଲାଭାନ୍ୱିତ ହୋଇପାରିବେ ବୋଲି ଶ୍ରୀ ନିଶଙ୍କ କହିଥିଲେ । ସେ ଆହୁରି ସୂଚନା ଦେଇଥିଲେ ଯେ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ମଧ୍ୟ ରୋଟାରୀ ଇଂଟରନ୍ୟାସନାଲ ପକ୍ଷରୁ ଶିକ୍ଷଣ ସାମଗ୍ରୀ ଯୋଗାଇ ଦିଆଯିବ । ଏହା ଶିକ୍ଷକ ପ୍ରଶିକ୍ଷଣ ସାମଗ୍ରୀ ମଧ୍ୟ ଯୋଗାଇ ଦେବ ବୋଲି ଶ୍ରୀ ନିଶଙ୍କ ସୂଚନା ଦେଇଥିଲେ ।

କୋଭିଡ-19 ମହାମାରୀ ଜନିତ ଲକଡାଉନ କାରଣରୁ ଶିକ୍ଷା କ୍ଷେତ୍ର ବ୍ୟାପକ ଭାବେ ପ୍ରଭାବିତ ହୋଇଛି । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ମନ୍ତ୍ରଣାଳୟ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାରେ ପ୍ରଯୁକ୍ତି ଏକତ୍ରୀକରଣ ଦିଗରେ କାମ କରୁଛି । ଅପରେସନ ଡିଜିଟାଲ ବୋର୍ଡ, ଦୀକ୍ଷା, ଇ-ପାଠଶାଳା, ସ୍ୱୟଂ ଏବଂ ସ୍ୱୟଂପ୍ରଭା ଆଦି ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସମସ୍ତଙ୍କ ପାଇଁ ଇ-ଲର୍ଣ୍ଣିଂ, ସଠିକ ଓ ସଦ୍ୟତମ ପଠନ ସାମଗ୍ରୀ ପ୍ରସ୍ତୁତ କରିବା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି । ଆମେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଏକ ରାଷ୍ଟ୍ର ଏକ ଡିଜିଟାଲ ମଂଚକୁ ପୂରଣ କରିବାକୁ ଚାହୁଁଛୁ । ଆମେ ରେଡିଓ ଏବଂ ଟିଭି ମାଧ୍ୟମରେ ଆମ ଛାତ୍ରଛାତ୍ରୀଙ୍କ ନିକଟରେ ପହଁଚିବାକୁ ଚାହୁଁଛୁ ।

ଏନସିଇଆରଟି ଟିଭି ଟାଇ ଅପ : ଏନସିଇଆରଟିର 12ଟି ଜାତୀୟ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ମଡ୍ୟୁଲ ପ୍ରସାରଣ କରାଯିବ, ଯାହାକି ଜୁଲାଇ 2020 ଠାରୁ ଉପଲବ୍ଧ ହେବ । (ଏନସିଇଆରଟି ଦ୍ୱାରା ସେମାନଙ୍କ ପାଠ୍ୟକ୍ରମ ଅନୁସାରେ ପାଠ୍ୟ ସାମଗ୍ରୀକୁ ପରୀକ୍ଷା କରାଯିବ)

ଦୀକ୍ଷା ଆପ ଟାଇ-ଅପ : ଗୋଟିଏ ସମୟରେ ଭାରତ ସରକାରଙ୍କ ଜାତୀୟ ମୋବାଇଲ ଆପ, ଦୀକ୍ଷା ମାଧ୍ୟମରେ ଇ-ଲର୍ଣ୍ଣିଂ ମଡ୍ୟୁଲ ମଧ୍ୟ ଉପଲବ୍ଧ ହେବ ।

ବର୍ତ୍ତମାନ ଏହି ସାମଗ୍ରୀ ହିନ୍ଦୀ ଓ ପଞ୍ଜାବୀରେ ଉପଲବ୍ଧ ରହିଛି । ଏହାକୁ ପାଖାପାଖି 10 କୋଟି ଛାତ୍ରଛାତ୍ରୀଙ୍କ ଲାଗି 12ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ବିଦ୍ୟାଳୟରେ ତୁରନ୍ତ ଲାଗୁ କରାଯିବ । ଏହି ସାମଗ୍ରୀର ବୌଦ୍ଧିକ ଅଧିକାର ରୋଟାରୀ ନିକଟରେ ରହିବ ଏବଂ ଏନସିଇଆରଟିକୁ ଯୋଗାଇ ଦିଆଯିବ । ଯାହାଫଳରେ ଆଗାମୀ କିଛି ମାସ ମଧ୍ୟରେ ଉପଯୁକ୍ତ ସାମଗ୍ରୀକୁ ଏନସିଇଆରଟି ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଏନସିଇଆରଟି ଦ୍ୱାରା ସମସ୍ତ ଆଂଚଳିକ ଭାଷାରେ ଅନୁବାଦ କରାଯାଇପାରିବ ।

ରୋଟାରୀ ଇଂଟରନ୍ୟାସନାଲର ଅଧ୍ୟକ୍ଷ ଶ୍ରୀ ଶେଖର ମେହତା କହିଛନ୍ତି ଯେ ଇ-ଲର୍ଣ୍ଣିଂ କ୍ଷେତ୍ରରେ ଆମର ବ୍ୟାପକ ଅଭିଜ୍ଞତା ରହିଛି । ସାରା ଦେଶରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ବିଭିନ୍ନ ବିଦ୍ୟାଳୟରେ 30 ହଜାରରୁ ଅଧିକ ଇ-ଲର୍ଣ୍ଣିଂ ସଫ୍ଟୱେର/ହାର୍ଡୱେର ପ୍ରତିଷ୍ଠା କରାଯାଇଛି ।

 

**********

 



(Release ID: 1630555) Visitor Counter : 231