ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
ଲକଡାଉନ ସମୟରେ ଦେଶର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ରୀୟ ଭଣ୍ଡାରରେ 751.69 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ମହଜୁଦ ଅଛି: ଖାଦ୍ୟ ଓ ଯୋଗାଣମନ୍ତ୍ରୀ
• ଏଯାଏ 3530 ରେଲରେକ ଦ୍ୱାରା 98 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ରାଜ୍ୟ ସମୂହ ଉଠାଇଛନ୍ତି: ରାମବିଳାସ ପାସୱାନ
• କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ଏକ ବର୍ଷ ପୂର୍ତ୍ତି ଅବସରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରଣାଳୟର ସଫଳତା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା
Posted On:
29 MAY 2020 5:46PM by PIB Bhubaneshwar
ଲକଡାଉନ କାଳରେ ଦେଶର ଆବଶ୍ୟକତା ପୂରଣ ପାଇଁ ଭାରତୀୟ ଖାଦ୍ୟ ନିଗମର ବିଭିନ୍ନ ଭଣ୍ଡାରରେ ଏବେ ପ୍ରଚୁର ପରିମାଣର ଖାଦ୍ୟଶସ୍ୟ ମହଜୁଦ ଅଛି । ମେ 28 ତାରିଖ ସୁଦ୍ଧା କେନ୍ଦ୍ରୀୟ ଭଣ୍ଡାରରେ ମହଜୁଦ ଥିବା ଖାଦ୍ୟଶସ୍ୟ ପରିମାଣ 751.69 ଲକ୍ଷ ମେଟ୍ରିକ ଟନ । ଏହା ଲକଡାଉନ କାଳୀନ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ । ଇତି ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର 3530 ରେକ ମାଧ୍ୟମରେ 98 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ନିଜର ଆବଶ୍ୟକତା ପୂରଣ ପାଇଁ ଖାଦ୍ୟ ନିଗମ ଗୋଦାମ ଗୁଡିକରୁ ଉଠାଇଛନ୍ତି ବୋଲି କେନ୍ଦ୍ର ଖାଦ୍ୟ ଓ ଯୋଗାଣମନ୍ତ୍ରୀ ରାମବିଳାସ ପାସୱାନ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଭିଡିଓ କନ୍ଫରେନ୍ସରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ପାସୱାନ ତାଙ୍କ ମନ୍ତ୍ରଣାଳୟର ସଫଳତା ସଂପର୍କରେ କହିବା ଅବସରରେ ଦର୍ଶାଇଛନ୍ତି ଯେ, ମହାମାରୀକାଳୀନ ଆବଶ୍ୟକତା ପୂରଣ ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ମହଜୁଦ ଅଛି । ସେ କହିଛନ୍ତି ଯେ, କରୋନା ମହାମାରୀ କାଳରେ ସବୁ ଖାଉଟି କାର୍ଡଧାରୀ ଓ ଅନ୍ୟାନ୍ୟ ନାଗରିକଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଚାଉଳ, ଗହମ, ଡାଲି ଭଳି ଆବଶ୍ୟକ ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ତାଙ୍କ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି । ଏଥିରେ ପ୍ରବାସୀ ଶ୍ରମିକ ଏବଂ ଯେଉଁମାନେ କୌଣସି ଯୋଗାଣ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ନୁହଁନ୍ତି ସେମାନଙ୍କ ଆବଶ୍ୟକତା ମଧ୍ୟ ପୂରଣ କରାଯାଉଛି । ରାଜ୍ୟ ସରକାରମାନଙ୍କ ସହ ନିୟମିତ ଯୋଗସୂତ୍ର ରକ୍ଷା କରାଯାଇ ସେମାନଙ୍କ ଆବଶ୍ୟକତା ଅନୁସାରେ ଅବିଳମ୍ବେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆତ୍ମନିର୍ଭରଶୀଳ ଭାରତ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଅନ୍ୟାନ୍ୟ ଯୋଜନାରେ ରାଜ୍ୟମାନଙ୍କୁ ଯୋଗାଇ ନିଆଯାଉଥିବା ଖାଦ୍ୟଶସ୍ୟ ପ୍ରକ୍ରିୟା ମୋଟାମୋଟି ସନ୍ତୋଷଜନକ ରହିଛି । ଅଳ୍ପ କେତେକ ରାଜ୍ୟରେ ଏଥିରେ ବଂଚିତ ସମସ୍ୟା ରହିଛି ଓ ତାହାକୁ ତୁରନ୍ତ ଦୂର କରିବାକୁ ଉଦ୍ୟମ ଚାଳିଛି । ରାସନ କାର୍ଡକୁ ଆଧାରକାର୍ଡ ସହ ଶତପ୍ରତିଶତ ସଂଯୁକ୍ତ କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି । ଜାନୁୟାରୀ 2021 ସୁଦ୍ଧା ସାରା ଭାରତରେ ଗୋଟିଏ ଦେଶ, ଗୋଟିଏ ଆଧାର କାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଜୋରସୋର କାମ ଚାଲିଛି ।
ଶ୍ରୀ ପାସୱାନ କହିଛନ୍ତି ଯେ, ଏବେ ଭାରତୀୟ ଖାଦ୍ୟ ନିଗମ ପାଖରେ 272.29 ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ 479.40 ଲକ୍ଷ ମେଟ୍ରିକ ଟନ ଗହମ ମହଜୁଦ ଅଛି । ତେଣୁ ମୋଟ 751.69 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ମହଜୁଦ ରହିଛି । ଏହା ବ୍ୟତୀତ ଏବେ ସରକାର ଯେଉଁ ଚାଉଳ ଓ ଗହମ ସଂଗ୍ରହ କରୁଛନ୍ତି ତାହା ଗୋଦାମରେ ଏଯାଏ ପହଁଚି ନାହିଁ ।
ମାର୍ଚ୍ଚ 24 ତାରିଖରେ ଲକଡାଉନ ସମଗ୍ର ଦେଶରେ ଲାଗୁହେବା ପରଠାରୁ ରାଜ୍ୟମାନେ ନିଜ ଆବଶ୍ୟକତା ଅନୁସାରେ ଖାଦ୍ୟ ନିଗମ କେନ୍ଦ୍ରୀୟ ଭଣ୍ଡାରରୁ ଚାଉଳ ଓ ଗହମ ଆଦି ଉଠାଉଛନ୍ତି । ରେଳ ସଡକ ଓ ଜଳ ପଥରେ ଏସବୁ ଖାଦ୍ୟଶସ୍ୟ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଉଛି ।
ଏହି ଅବସରରେ ଶ୍ରୀ ପାସୱାନ ତାଙ୍କ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଇଥାନଲ ଉତ୍ପାଦନ, ଚାଉଳର ଭିଟାମିନ ଉପାଦାନ ବୃଦ୍ଧି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । 2019-2020 ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ସର୍ବାଧିକ 1710 କୋଟି ଟଙ୍କାର କାରବାର କରିଥିବା ସେ କହିଛନ୍ତି ।
***********
(Release ID: 1627918)
Visitor Counter : 286