ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କରୋନା ସଂପର୍କରେ ମିଛ ଖବର ପ୍ରଚାରକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

Posted On: 02 APR 2020 10:09AM by PIB Bhubaneshwar

କରୋନା ସଂକ୍ରମଣ ସଂପର୍କରେ ଅସତ୍ୟ ଖବର ପ୍ରସାରିତ ଓ ପ୍ରକାଶିତ ହେବାରୁ ଏଥିରେ ଛାନିଆଁ ହୋଇ ପ୍ରବାସୀ ଶ୍ରମିକମାନେ ବହୁ ସଂଖ୍ୟାରେ ଘରମୁହାଁ ହେବାରୁ ଏହି ଘଟଣାକୁ ସୁପ୍ରିମକୋର୍ଟ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ଏ ସଂପର୍କରେ ଦାଖଲ ହୋଇଥିବା ଏକ ରିଟ ପିଟିସନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିବା ସହ ଅସତ୍ୟ ଓ ଭୟ ସଂଚାରକାରୀ ଖବର ପ୍ରସାରଣ ଦ୍ୱାରା ସଂପୃକ୍ତ ଶ୍ରମିକମାନେ  ଅଥକନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବାରୁ ଏଭଳି ଖବର ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଦାଲତଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଶ୍ରୀ ଅଜୟ କୁମାର ଭଲ୍ଲା ମିଛ ଖବର ପ୍ରସାରଣ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରମାନଙ୍କୁ କହିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏ ସଂକ୍ରାନ୍ତ ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ କୌଣସି ଖବର ପ୍ରକାଶ ପାଇବା ମାତ୍ରେ ତାହାର ସତ୍ୟାସତ୍ୟ ପରଖିବା ପାଇଁ ସରକାର ଏକ ୱେବପୋର୍ଟାଲ ତିଆରି କରୁଛନ୍ତି । ଲୋକେ ସେହି ପୋର୍ଟାଲର ତଥ୍ୟକୁ ଦେଖି ପ୍ରକାଶିତ ଖବରର ସତ୍ୟାସତ୍ୟ ତୁରନ୍ତ ଜାଣିପାରିବେ । ରାଜ୍ୟ ସରକାର ସମାନ ଧରଣର ବ୍ୟବସ୍ଥା ଆରମ୍ଭ କରି କରୋନା ସଂକ୍ରାନ୍ତ ଖବରର ସତ୍ୟାସତ୍ୟ ନିର୍ଦ୍ଧାରଣ କରିବାର ସୁବିଧା ଲୋକଙ୍କ ପାଇଁ ଯୋଗାଇ ଦେବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଏହି ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସାମ୍ପ୍ରତିକ କାଳରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ମୁତାବକ ରାଜ୍ୟ ସରକାରମାନେ ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ମୌଳିକ ସୁବିଧା  ସୁଯୋଗ ଯୋଗାଣକୁ ସୁନିଶ୍ଚିତ କରିବା ଉଚିତ । ଶ୍ରମିକମାନଙ୍କୁ ଆଶ୍ରୟ ଶିବିର କିମ୍ବା  ରିଲିଫ କେନ୍ଦ୍ରରେ ରଖି ସେମାନଙ୍କୁ ସୁରକ୍ଷିତ ରଖିବାକୁ ହେବ । କେନ୍ଦ୍ର ସରକାରଙ୍କ ଏ ସଂକ୍ରାନ୍ତ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ।

 

**********

 



(Release ID: 1610506) Visitor Counter : 166