Rural Prosperity
ବିକଶିତ ଭାରତ - ଜି ରାମଜୀ ବିଲ୍ ୨୦୨୫
"ଏକ ବିକଶିତ ଭାରତ ପାଇଁ ମନରେଗାରେ ସଂସ୍କାର"
Posted On:
18 DEC 2025 11:54AM
ମୁଖ୍ୟାଂଶ
- ବିକଶିତ ଭାରତ - ଜି ରାମଜୀ ବିଲ୍, ୨୦୨୫ ବିକଶିତ ଭାରତ ୨୦୪୭ ସହିତ ସଂଯୁକ୍ତ ଏକ ନୂତନ ବୈଧାନିକ ଢାଞ୍ଚା ସହିତ ମନରେଗାର ରୁପାନ୍ତରଣ କରିବ।
- ପ୍ରତି ଗ୍ରାମୀଣ ପରିବାର ପାଇଁ ନିଯୁକ୍ତି ଗ୍ୟାରେଣ୍ଟିକୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି, ଯାହା ଆୟ ସୁରକ୍ଷାକୁ ସୁଦୃଢ଼ କରିଥାଏ।
- ଚାରୋଟି ପ୍ରାଥମିକତା ବର୍ଗରେ ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ସହିତ ମଜୁରୀ ଭିତ୍ତିକ ନିଯୁକ୍ତିକୁ ସଂଯୁକ୍ତ କରିଥାଏ।
- ଏହା ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ମାଧ୍ୟମରେ ବିକେନ୍ଦ୍ରୀକୃତ ଯୋଜନାକୁ ମଜବୁତ କରିବ ଏବଂ ଏହାକୁ ବିକଶିତ ଭାରତ ଜାତୀୟ ଗ୍ରାମ୍ୟ ଭିତ୍ତିଭୂମି ଷ୍ଟାକ୍ ମାଧ୍ୟମରେ ଜାତୀୟ ସ୍ତରରେ ଏକୀକୃତ କରାଯିବ।
- ମାନକ-ଭିତ୍ତିକ ପାଣ୍ଠି ଏବଂ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଗଠନକୁ ସ୍ଥାନାନ୍ତରିତ ହେବା ଦ୍ଵାରା ପୂର୍ବାନୁମାନ, ଦାୟିତ୍ୱ ଏବଂ କେନ୍ଦ୍ର-ରାଜ୍ୟ ସହଭାଗୀତାରେ ଉନ୍ନତି ଆସିବ।
ଉପକ୍ରମ
ଗ୍ରାମୀଣ ନିଯୁକ୍ତି ପ୍ରାୟ ଦୁଇ ଦଶନ୍ଧି ଧରି ଭାରତର ସାମାଜିକ ସୁରକ୍ଷା ଢାଞ୍ଚାର ଏକ ମୂଳଦୁଆ ହୋଇଆସିଛି। ୨୦୦୫ରେ କାର୍ଯ୍ୟକାରୀ ହେବା ପରଠାରୁ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା) ମଜୁରୀ ଭିତ୍ତିକ ନିଯୁକ୍ତି ପ୍ରଦାନ, ଗ୍ରାମୀଣ ସ୍ଥିର ଆୟ ଏବଂ ମୌଳିକ ଭିତ୍ତିଭୂମି ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତଥାପି, ସମୟର ପ୍ରବାହ ସହିତ, ଗ୍ରାମୀଣ ଭାରତର ଗଠନ ଏବଂ ଉଦ୍ଦେଶ୍ୟଗୁଡ଼ିକ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ବୃଦ୍ଧି ପାଉଥିବା ଆୟ, ବୃଦ୍ଧି ସଂଯୋଗୀକରଣ, ବ୍ୟାପକ ଡିଜିଟାଲ୍ ପ୍ରବେଶ ଏବଂ ବିବିଧ ଜୀବିକା ଗ୍ରାମୀଣ ନିଯୁକ୍ତି ଆବଶ୍ୟକତାର ପ୍ରକୃତିକୁ ବଦଳାଇଦେଇଛି।

ଏହି ପୃଷ୍ଠଭୂମିରେ, ସରକାର ବିକଶିତ ଭାରତ - ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ବିଲ୍, ୨୦୨୫ ପ୍ରସ୍ତାବ ଦେଇଛନ୍ତି, ଯାହାକୁ ବିକାଶ ଭାରତ - ଜୀ ରାମ ଜୀ ବିଲ୍, ୨୦୨୫ ମଧ୍ୟ କୁହାଯାଏ। ଏହି ବିଲ୍ ଏମଏନଆରରଇଜିଏର ଏକ ବ୍ୟାପକ ବୈଧାନିକ ପରିବର୍ତ୍ତନକୁ ଦର୍ଶାଏ, ବିକଶିତ ଭାରତ ୨୦୪୭ର ଦୀର୍ଘକାଳୀନ ଦୂରଦୃଷ୍ଟି ସହିତ ଗ୍ରାମୀଣ ନିଯୁକ୍ତିକୁ ସମନ୍ୱିତ କରେ ଏବଂ ଦାୟିତ୍ୱ, ଭିତ୍ତିଭୂମି ଫଳାଫଳ ଏବଂ ଆୟ ସୁରକ୍ଷାକୁ ସୁଦୃଢ଼ କରେ।
ଭାରତରେ ଗ୍ରାମୀଣ ନିଯୁକ୍ତି ଏବଂ ବିକାଶ ନୀତିର ପୃଷ୍ଠଭୂମି
ସ୍ୱାଧୀନତା ପରଠାରୁ, ଭାରତରେ ଗ୍ରାମୀଣ ବିକାଶ ନୀତିଗୁଡ଼ିକ ଦାରିଦ୍ର୍ୟ ହ୍ରାସ, କୃଷି ଉତ୍ପାଦନରେ ଉନ୍ନତି ଏବଂ ଅତିରିକ୍ତ ଏବଂ ଅତ୍ୟଧିକ ବେକାର ଗ୍ରାମୀଣ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ ଦିଆଯାଇଆସୁଛି। ମଜୁରୀଭିତ୍ତିକ ନିଯୁକ୍ତି କାର୍ଯ୍ୟକ୍ରମଗୁଡ଼ିକ ଧୀରେ ଧୀରେ ଗ୍ରାମୀଣ ନିଯୁକ୍ତିକୁ ସମର୍ଥନ କରିବାର ପ୍ରାଥମିକ ମାଧ୍ୟମ ପାଲଟିଛି, ଏବଂ ମୌଳିକ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିଛି। ସମୟ ସହିତ, ପରିବର୍ତ୍ତନଶୀଳ ସାମାଜିକ-ଆର୍ଥିକ ପରିସ୍ଥିତିର ପ୍ରତିକ୍ରିୟାରେ ପଦ୍ଧତିଗୁଡ଼ିକ ବିକଶିତ ହୋଇଛି।
ଭାରତର ମଜୁରୀ ନିଯୁକ୍ତି ପଦକ୍ଷେପଗୁଡ଼ିକ ବିଭିନ୍ନ ପର୍ଯ୍ୟାୟ ଦେଇ ଅଗ୍ରଗତି କରିଥିଲା, ଯାହା ଗ୍ରାମୀଣ କାର୍ଯ୍ୟବଳ କାର୍ଯ୍ୟକ୍ରମ (୧୯୬୦ ଦଶକ) ଏବଂ ଗ୍ରାମୀଣ ନିଯୁକ୍ତି ପାଇଁ କ୍ରାସ୍ ଯୋଜନା (୧୯୭୧) ଭଳି ପ୍ରାରମ୍ଭିକ କାର୍ଯ୍ୟକ୍ରମ ସହିତ ଆରମ୍ଭ ହୋଇଥିଲା। ଏହା ପରେ ୧୯୮୦ ଏବଂ ୧୯୯୦ ଦଶକରେ ଅଧିକ ସଂଗଠିତ ପ୍ରୟାସ କରାଯାଇଥିଲା, ଯେଉଁଥିରେ ଜାତୀୟ ଗ୍ରାମୀଣ ନିଯୁକ୍ତି କାର୍ଯ୍ୟକ୍ରମ ଏବଂ ଗ୍ରାମୀଣ ଭୂମିହୀନ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା, ଯାହାକୁ ପରେ ଜବାହାର ରୋଜଗାର ଯୋଜନା (୧୯୯୩) ରେ ମିଶ୍ରଣ କରାଯାଇଥିଲା। ୧୯୯୯ ମସିହାରେ, ଏଗୁଡ଼ିକୁ ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନାରେ ଏକୀକୃତ କରାଯାଇଥିଲା, ଯାହାର ଲକ୍ଷ୍ୟ କଭରେଜ୍ ଏବଂ ସମନ୍ୱୟକୁ ଉନ୍ନତ କରିବା। କର୍ମନିଯୁକ୍ତି ନିଶ୍ଚିତକରଣ ଯୋଜନା ଏବଂ କାମ ପାଇଁ ଖାଦ୍ୟ କାର୍ଯ୍ୟକ୍ରମ ଭଳି ପରିପୂରକ ଯୋଜନାଗୁଡ଼ିକ ଋତୁକାଳୀନ ବେକାରୀ ଏବଂ ଖାଦ୍ୟ ସୁରକ୍ଷାକୁ ସମାଧାନ କରିଥିଲା। ୧୯୭୭ ମସିହାର ମହାରାଷ୍ଟ୍ର ନିଯୁକ୍ତି ଗ୍ୟାରେଣ୍ଟି ଆଇନ ସହିତ ଏକ ବଡ଼ ପରିବର୍ତ୍ତନ ଆସିଥିଲା, ଯାହା କାର୍ଯ୍ୟ କରିବାର ଏକ ବୈଧାନିକ ଅଧିକାରର ଧାରଣାକୁ ପ୍ରଚଳନ କରିଥିଲା। ଏହି ଅଭିଜ୍ଞତାଗୁଡ଼ିକୁ ମିଶାଇ ୨୦୦୫ ମସିହାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା) ପ୍ରଣୟନ ହୋଇଥିଲା।
ମନରେଗାର ବିକାଶ ଏବଂ ବର୍ଦ୍ଧିତ ସଂସ୍କାରର ସୀମା
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତତା ଆଇନ (ମନରେଗା) ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା ଯାହାର ଲକ୍ଷ୍ୟ ଥିଲା ଅଣକୁଶଳୀ କାମ କରିବାକୁ ଇଚ୍ଛୁକ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ଅତି କମରେ ୧୦୦ ଦିନର ନିଶ୍ଚିତ କାମ ପ୍ରଦାନ କରି ଜୀବିକା ସୁରକ୍ଷା ବୃଦ୍ଧି କରିବା ଥିଲା । ଗତ କିଛି ବର୍ଷ ମଧ୍ୟରେ, ଅନେକ ପ୍ରଶାସନିକ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍କାର ଏହାର କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିଛି, ଅଂଶଗ୍ରହଣ, ସ୍ୱଚ୍ଛତା ଏବଂ ଡିଜିଟାଲ୍ ଶାସନରେ ଉଲ୍ଲେଖନୀୟ ଉନ୍ନତି ଆଣିଛି। ଆର୍ଥିକ ବର୍ଷ ୨୦୧୩-୧୪ ଏବଂ ୨୦୨୫-୨୬ ମଧ୍ୟରେ, ମହିଳାମାନଙ୍କ ଅଂଶଗ୍ରହଣ ସ୍ଥିର ଭାବରେ ୪୮ ପ୍ରତିଶତରୁ ୫୮.୧୫ ପ୍ରତିଶତକୁ ବୃଦ୍ଧି ପାଇଛି, ଆଧାର ସିଡିଂ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଆଧାର-ଆଧାରିତ ଦେୟ ବ୍ୟବସ୍ଥା ବ୍ୟାପକ ଭାବରେ ଗ୍ରହଣ କରାଯାଇଛି, ଏବଂ ଇଲେକ୍ଟ୍ରୋନିକ୍ ମଜୁରୀ ଦେୟ ପ୍ରାୟ ସାର୍ବଜନୀନ ହୋଇଯାଇଛି। କାର୍ଯ୍ୟ ତଦାରଖରେ ମଧ୍ୟ ଉନ୍ନତି ଆସିଛି, ଜିଓ-ଟ୍ୟାଗ୍ ହୋଇଥିବା ସମ୍ପତ୍ତି ଯଥେଷ୍ଟ ବୃଦ୍ଧି ପାଇଛି, ଏବଂ ପରିବାର-ସ୍ତରୀୟ ସମ୍ପତ୍ତିର ଅଂଶ ବୃଦ୍ଧି ପାଇଛି।
ତଥାପି, ଏହି ସୁବିଧା ସହିତ, ଗଭୀର ଢାଞ୍ଚାଗତ ସମସ୍ୟାଗୁଡ଼ିକ ଜାରି ରହିଛି। ଅନେକ ରାଜ୍ୟରେ ତଦାରଖ କରିବାରୁ ଜଣାପଡ଼ିଛି ଯେ ଭୂମି ସ୍ତରରେ କାମ ମିଳୁନାହିଁ, ଖର୍ଚ୍ଚ ପ୍ରକୃତ ପ୍ରଗତି ସହିତ ମେଳ ଖାଉନାହିଁ, ଶ୍ରମ-ସଙ୍ଘନଶୀଳ କାର୍ଯ୍ୟ ପାଇଁ ମେସିନ ବ୍ୟବହାର କରାଯାଉଛି ଏବଂ ଡିଜିଟାଲ୍ ଉପସ୍ଥିତି ବ୍ୟବସ୍ଥାର ବାରମ୍ବାର ଉଲ୍ଲଂଘନ କରାଯାଉଛି। ସମୟ ସହିତ, ଅପବ୍ୟବହାର ବୃଦ୍ଧି ପାଇଛି, ଏବଂ ମହାମାରୀ ପରବର୍ତ୍ତୀ ସମୟରେ, କେବଳ ଅଳ୍ପ କିଛି ପରିବାର ହିଁ ସମ୍ପୂର୍ଣ୍ଣ ୧୦୦ ଦିନର କାମ କରିଛନ୍ତି। ଏହି ଧାରାଗୁଡ଼ିକ ଦର୍ଶାଇଛି ଯେ ବିତରଣ ବ୍ୟବସ୍ଥାରେ ଉନ୍ନତି ହୋଇଥିଲେ ମଧ୍ୟ, ମନରେଗାର ସାମଗ୍ରିକ ଗଠନ ପ୍ରାୟ ଭୁଶୁଡ଼ି ପଡ଼ିଥିଲା।
ବିକଶିତ ଭାରତ - ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ବିଲ୍, ୨୦୨୫ ଏକ ସାମଗ୍ରିକ ବ୍ୟବସ୍ଥାଗତ ପରିବର୍ତ୍ତନ ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଯାଉଛି । ଏହା ପ୍ରଶାସନିକ ବ୍ୟୟ ସୀମାକୁ ୬ ପ୍ରତିଶତରୁ ୯ ପ୍ରତିଶତକୁ ବୃଦ୍ଧି କରି କାର୍ଯ୍ୟାନ୍ୱୟନ ଢାଞ୍ଚାକୁ ସୁଦୃଢ଼ କରିବ, କର୍ମଚାରୀ ନିଯୁକ୍ତି, ପାରିଶ୍ରମିକ, ତାଲିମ ଏବଂ ବୈଷୟିକ ଦକ୍ଷତା ନିର୍ମାଣ ପାଇଁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ କରିବ।
ଏକ ନୂତନ ଆଇନଗତ ଢାଞ୍ଚାର ଆବଶ୍ୟକତା
ମନରେଗା ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା, କିନ୍ତୁ ଗ୍ରାମୀଣ ଭାରତ ଏବେ ପରିବର୍ତ୍ତନ ହେଉଛି। ବର୍ଦ୍ଧିତ ଉପଭୋଗ, ବିଭିନ୍ନ ଆର୍ଥିକ ସେବାର ସୁଲଭତା ଏବଂ ସଂପ୍ରସାରିତ କଲ୍ୟାଣ ଯୋଜନାଗୁଡ଼ିକ ଫଳରେ ଦେଶରେ ଦାରିଦ୍ର୍ୟ ସ୍ତର ୨୦୧୧-୧୨ ମସିହାରେ ୨୭.୧ ପ୍ରତିଶତରୁ ହ୍ରାସ ପାଇ ୨୦୨୨-୨୩ ମସିହାରେ ୫.୩ ପ୍ରତିଶତକୁ ପହଞ୍ଚିଛି। ଗ୍ରାମୀଣ ଜୀବିକା ଅଧିକ ବିବିଧ ଏବଂ ଡିଜିଟାଲ୍ ଭାବରେ ସମନ୍ୱିତ ହେବା ବେଳେ ମନରେଗାର ବ୍ୟାପକ ଏବଂ ଚାହିଦା-ଚାଳିତ ଗଠନ ଆଜିର ଗ୍ରାମୀଣ ବାସ୍ତବତା ସହିତ ସମ୍ପୂର୍ଣ୍ଣ ମେଳ ଖାଉନାହିଁ। ବିକଶିତ ଭାରତ - ଜୀ ରାମ ଜୀ ବିଲ୍-୨୦୨୫ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନକୁ ଆଧୁନିକୀକରଣ କରି, ଉତ୍ତରଦାୟିତ୍ୱକୁ ସୁଦୃଢ଼ କରି ଏବଂ ଦୀର୍ଘକାଳୀନ ଭିତ୍ତିଭୂମି ଏବଂ ଜଳବାୟୁ ସ୍ଥିରତା ଲକ୍ଷ୍ୟ ସହିତ ନିଯୁକ୍ତି ସୃଷ୍ଟିକୁ ସମନ୍ୱିତ କରି ଏହି ବ୍ୟବଧାନ ଦୂର କରିବ।
ବିକଶିତ ଭାରତ - ଜୀ ରାମ ଜୀ ବିଲ୍-୨୦୨୫ର ପ୍ରମୁଖ ବୈଶିଷ୍ଟ୍ୟ

ଏହି ବିଲ୍ ପ୍ରତ୍ୟେକ ଆର୍ଥିକ ବର୍ଷରେ ପ୍ରତି ଗ୍ରାମୀଣ ପରିବାର ପାଇଁ ୧୨୫ ଦିନର ମଜୁରୀଭିତ୍ତିକ ନିଯୁକ୍ତି ସୁନିଶ୍ଚିତ କରେ, ଯେଉଁ ପରିବାରର ବୟସ୍କ ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବରେ ଅଣକୁଶଳୀ ହସ୍ତଗତ କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି । ଏହା ପୂର୍ବ ୧୦୦ ଦିନର ଅଧିକାର ବ୍ୟତୀତ ଆୟ ସୁରକ୍ଷାରେ ଯୋଗଦାନ ଦେଇଥାଏ, ଏବଂ ସର୍ବାଧିକ ଫସଲ ବୁଣା ଏବଂ ଅମଳ ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ମୋଟ ୬୦ ଦିନର କାର୍ଯ୍ୟମୁକ୍ତ ଅବଧି ପ୍ରଦାନ କରିଥାଏ। ଶ୍ରମିକମାନେ ବାକି ୩୦୫ ଦିନ ମଧ୍ୟରେ ୧୨୫ ଦିନର ନିଶ୍ଚିତ ନିଯୁକ୍ତି ପାଇବା ଜାରି ରଖିବେ, ଯାହା ଚାଷୀ ଏବଂ ଶ୍ରମିକ ଉଭୟଙ୍କୁ ଲାଭଦାୟକ କରିବ। ଯେକୌଣସି ପରିସ୍ଥିତିରେ ଦୈନିକ ମଜୁରୀ ସପ୍ତାହିକ କିମ୍ବା କାମ ତାରିଖରୁ ୧୫ ଦିନ ମଧ୍ୟରେ ବଣ୍ଟନ କରାଯିବ। ଚାରୋଟି ପ୍ରାଥମିକତା କ୍ଷେତ୍ର ମାଧ୍ୟମରେ ନିଯୁକ୍ତି ସୃଷ୍ଟିକୁ ଭିତ୍ତିଭୂମି ବିକାଶ ସହିତ ଯୋଡ଼ାଯାଉଛି। ଏହି ୪ଟି ବର୍ଗ ହେଲା.. ଜଳ-ସମ୍ବନ୍ଧୀୟ କାର୍ଯ୍ୟ ମାଧ୍ୟମରେ ଜଳ ସୁରକ୍ଷା, ମୂଳ ଗ୍ରାମାଞ୍ଚଳ ଭିତ୍ତିଭୂମି, ଜୀବିକା-ସମ୍ବନ୍ଧୀୟ ଭିତ୍ତିଭୂମି ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ।

ସୃଷ୍ଟି ହୋଇଥିବା ସମସ୍ତ ପରିସମ୍ପତ୍ତି ବିକାଶ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକରେ ଅନ୍ତର୍ଭୁକ୍ତ ହେବ, ଯାହା ଏକ ସମନ୍ୱିତ ଜାତୀୟ ବିକାଶ ରଣନୀତି ସୁନିଶ୍ଚିତ କରିବ। ଯୋଜନାଗୁଡ଼ିକ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ମାଧ୍ୟମରେ ବିକେନ୍ଦ୍ରୀକରଣ କରାଯିବ, ଯାହାକି ସ୍ଥାନୀୟ ଭାବରେ ପ୍ରଣୟନ କରାଯିବ ଏବଂ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଭଳି ଜାତୀୟ ବ୍ୟବସ୍ଥା ସହିତ ସ୍ଥାନୀୟ ଭାବରେ ସମନ୍ୱିତ ହେବ।
ମନରେଗା ବନାମ ବିକଶିତ ଭାରତ – ଜୀ ରାମଜୀ ବିଲ୍, ୨୦୨୫

ନୂତନ ବିଲ୍ ମନରେଗାର ଏକ ପ୍ରମୁଖ ସଂସ୍କାରକୁ ଦର୍ଶାଉଛି, ଯାହା ନିଯୁକ୍ତି, ସ୍ୱଚ୍ଛତା, ଯୋଜନା ଏବଂ ଦାୟିତ୍ୱ ବୃଦ୍ଧି କରିବା ସହିତ ଢାଞ୍ଚଗତ ତ୍ରୁଟିକୁ ଦୂର କରୁଛି।
ଆର୍ଥିକ ଢାଞ୍ଚା
କେନ୍ଦ୍ରୀୟ କ୍ଷେତ୍ର ଯୋଜନାରୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ପରିବର୍ତ୍ତନ ଗ୍ରାମୀଣ ନିଯୁକ୍ତି ଏବଂ ସମ୍ପତ୍ତି ସୃଷ୍ଟିର ଅନ୍ତର୍ନିହିତ ସ୍ଥାନୀୟ ପ୍ରକୃତିକୁ ପ୍ରତିଫଳିତ କରେ। ନୂତନ ପରିବର୍ତ୍ତନ ଅନୁଯାୟୀ, ରାଜ୍ୟଗୁଡ଼ିକ ଏକ ମାନକ ଆବଣ୍ଟନ ଢାଞ୍ଚା ମାଧ୍ୟମରେ ଖର୍ଚ୍ଚ ଏବଂ ଦାୟିତ୍ୱ ଉଭୟକୁ ବାଣ୍ଟି ନିଅନ୍ତି, ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ଉତ୍ସାହିତ କରନ୍ତି ଏବଂ ଅପବ୍ୟବହାରକୁ ରୋକିବା। ଏହି ଯୋଜନାଟି ଗ୍ରାମ ପଞ୍ଚାୟତ ଯୋଜନାରେ ପ୍ରତିଫଳିତ ଆଞ୍ଚଳିକ ଆବଶ୍ୟକତା ଉପରେ ଆଧାରିତ। ଏହା ବ୍ୟତୀତ, କେନ୍ଦ୍ର ମାନଦଣ୍ଡ ସ୍ଥିର କରେ, ଯେତେବେଳେ ରାଜ୍ୟଗୁଡ଼ିକ ଦାୟିତ୍ୱ ସହିତ କାର୍ଯ୍ୟାନ୍ୱୟନ କରେ, ଯାହା ଫଳରେ ଏକ ସହଯୋଗ ସହଭାଗୀତା ସୃଷ୍ଟି ହୁଏ ଯାହା ଦକ୍ଷତାକୁ ଉନ୍ନତ କରେ ଏବଂ ବାସ୍ତବ ଫଳାଫଳ ପ୍ରଦାନ କରେ।
ମଜୁରୀ, ସାମଗ୍ରୀ ଏବଂ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ମୋଟ ବାର୍ଷିକ ପାଣ୍ଠି ଆବଶ୍ୟକତା ରାଜ୍ୟମାନଙ୍କ ଭାଗକୁ ମିଶାଇ ୧,୫୧,୨୮୨ କୋଟି ଟଙ୍କା ହେବ ବୋଲି ଅଟକଳ କରାଯାଇଛି । ଏଥିମଧ୍ୟରୁ, କେନ୍ଦ୍ରୀୟ ଭାଗ ୯୫,୬୯୨.୩୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ପରିବର୍ତ୍ତନ ରାଜ୍ୟଗୁଡ଼ିକ ଉପରେ କୌଣସି ଅନୁଚିତ ଆର୍ଥିକ ବୋଝ ଲଦିବ ନାହିଁ। ପାଣ୍ଠି ଗଠନ ରାଜ୍ୟ କ୍ଷମତା ଅନୁସାରେ ପ୍ରସ୍ତୁତ କରାଯାଇଛି। ଏଥିରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ୬୦:୪୦ ର ମାନକ ଖର୍ଚ୍ଚ-ବଣ୍ଟନ ଅନୁପାତ, ଉତ୍ତର-ପୂର୍ବ ଏବଂ ହିମାଳୟ ରାଜ୍ୟଗୁଡ଼ିକ ପାଇଁ ବର୍ଦ୍ଧିତ ୯୦:୧୦ ଅନୁପାତ ଏବଂ ବିଧାନସଭା ନଥିବା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ୧୦୦ ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଅନ୍ତର୍ଭୁକ୍ତ।
ବିକଶିତ ଭାରତ – ଜୀ ରାମଜୀ ବିଲ୍, ୨୦୨୫ ର ଲାଭ
ଏହି ବିଲ୍ ଗ୍ରାମୀଣ ଅର୍ଥନୀତିକୁ ଉତ୍ପାଦନଶୀଳ ସମ୍ପତ୍ତି ସୃଷ୍ଟି ସହିତ ସଂଯୋଗ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିଥାଏ, ଯାହାଦ୍ୱାରା ପରିବାରର ଆୟ ବୃଦ୍ଧି ହୁଏ ଏବଂ ଅନୁକୂଳନ କ୍ଷମତା ଉନ୍ନତ ହୁଏ। ଜଳ-ସମ୍ବନ୍ଧୀୟ କାର୍ଯ୍ୟ, କୃଷି ଏବଂ ଭୂତଳ ଜଳ ସ୍ତର ଉନ୍ନତ କରିବାକୁ ପ୍ରାଥମିକତା ଦିଆଯାଏ। ରାସ୍ତା ଏବଂ ସଂଯୋଗୀକରଣ ଭଳି ମୁଖ୍ୟ ଗ୍ରାମୀଣ ଭିତ୍ତିଭୂମିରେ ନିବେଶ ବଜାର ପ୍ରବେଶକୁ ସହଜ କରିଥାଏ, ଯେତେବେଳେ ସଂରକ୍ଷଣ, ବଜାର ଏବଂ ଉତ୍ପାଦନ ସମ୍ପତ୍ତି ସମେତ ଜୀବିକା ଭିତ୍ତିଭୂମି ଆୟ ବିବିଧତାକୁ ସକ୍ଷମ କରିଥାଏ। ଜଳ ଅମଳ, ବନ୍ୟା ନିଷ୍କାସନ ଏବଂ ମୃତ୍ତିକା ସଂରକ୍ଷଣ ଉପରେ କେନ୍ଦ୍ରିତ କାର୍ଯ୍ୟ ମାଧ୍ୟମରେ ଜଳବାୟୁ ସ୍ଥିରତାକୁ ସୁଦୃଢ଼ କରାଯାଇଥାଏ। ୧୨୫ ଦିନିଆ ନିଯୁକ୍ତି ଗ୍ୟାରେଣ୍ଟି ପରିବାରର ଆୟ ବୃଦ୍ଧି କରେ, ଗ୍ରାମ-ସ୍ତରୀୟ ବ୍ୟବହାରକୁ ଉତ୍ସାହିତ କରେ ଏବଂ ଡିଜିଟାଲ୍ ଉପସ୍ଥିତି, ମଜୁରୀ ପ୍ରଦାନ ଏବଂ ତଥ୍ୟ-ଚାଳିତ ଯୋଜନା ମାଧ୍ୟମରେ ପ୍ରବାସକୁ ହ୍ରାସ କରିବାରେ ସାହାଯ୍ୟ କରେ। ଏହି ବିଲ୍ ଦ୍ବାରା ଉଭୟ କୃଷକ ଓ ଶ୍ରମିକମାନେ ଉପକୃତ ହେବେ ।
କାର୍ଯ୍ୟାନ୍ୱୟନ ଏବଂ ତଦାରଖ ପ୍ରାଧିକରଣ
ଏହି ବିଲ୍ ଜାତୀୟ, ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ସ୍ତରରେ ମିଶନର ସମନ୍ୱିତ, ଉତ୍ତରଦାୟୀ ଏବଂ ସ୍ୱଚ୍ଛ କାର୍ଯ୍ୟାନ୍ୱୟନ ପାଇଁ ଏକ ସ୍ପଷ୍ଟ ସାଂସ୍ଥାଗତ ଢାଞ୍ଚା ସୃଷ୍ଟି କରେ।
• କେନ୍ଦ୍ର ଏବଂ ରାଜ୍ୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦ ନୀତି ମାର୍ଗଦର୍ଶନ, ସମୀକ୍ଷା କାର୍ଯ୍ୟାନ୍ୱୟନ ଏବଂ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରେ।
• ଜାତୀୟ ଏବଂ ରାଜ୍ୟ ପରିଚାଳନା କମିଟିଗୁଡ଼ିକ ରଣନୈତିକ ଦିଗଦର୍ଶନ, ସମନ୍ୱୟ ପ୍ରଦାନ କରନ୍ତି ଏବଂ କାର୍ଯ୍ୟଦକ୍ଷତା ସମୀକ୍ଷା କରନ୍ତି।
• ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ଯୋଜନା ଏବଂ କାର୍ଯ୍ୟାନ୍ୱୟନର ନେତୃତ୍ୱ ନିଅନ୍ତି, ଗ୍ରାମ ପଞ୍ଚାୟତଗୁଡ଼ିକ ଅତି କମରେ ଅଧା ଖର୍ଚ୍ଚ ବହନ କରନ୍ତି।
• ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଏବଂ କାର୍ଯ୍ୟକ୍ରମ ଅଧିକାରୀମାନେ ଯୋଜନା, ଅନୁପାଳନ, ଦେୟ ଏବଂ ସାମାଜିକ ଅଡିଟ୍ ପରିଚାଳନା କରନ୍ତି।
• ଗ୍ରାମସଭାଗୁଡ଼ିକ ସାମାଜିକ ଅଡିଟ୍ ପରିଚାଳନା କରିବାରେ ଏବଂ ସମସ୍ତ ରେକର୍ଡର ପ୍ରବେଶ ମାଧ୍ୟମରେ ସ୍ୱଚ୍ଛତା ସୁନିଶ୍ଚିତ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
ସ୍ୱଚ୍ଛତା, ଦାୟିତ୍ୱ ଏବଂ ସାମାଜିକ ସୁରକ୍ଷା
ଏହି ବିଲ୍ କେନ୍ଦ୍ର ସରକାରଙ୍କୁ ସାର୍ବଜନୀନ ପାଣ୍ଠିର ଅନୁପାଳନ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ପଷ୍ଟ କାର୍ଯ୍ୟକାରୀ କ୍ଷମତା ପ୍ରଦାନ କରେ। ଏହା କେନ୍ଦ୍ର ସରକାରଙ୍କୁ କାର୍ଯ୍ୟାନ୍ୱୟନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ତଦନ୍ତ କରିବାକୁ, ଗୁରୁତର ଅନିୟମିତତା ଚିହ୍ନଟ ହେଲେ ପାଣ୍ଠି ପ୍ରକାଶନକୁ ସ୍ଥଗିତ ରଖିବାକୁ ଏବଂ ତ୍ରୁଟି ଦୂର କରିବା ପାଇଁ ସଂଶୋଧନାତ୍ମକ କିମ୍ବା ପ୍ରତିକାରାତ୍ମକ ପଦକ୍ଷେପ ନେବାକୁ କ୍ଷମତା ପ୍ରଦାନ କରେ। ଏହି ବ୍ୟବସ୍ଥାଗୁଡ଼ିକ ସମଗ୍ର ବ୍ୟବସ୍ଥାରେ ଦାୟିତ୍ୱକୁ ସୁଦୃଢ଼ କରେ, ଆର୍ଥିକ ଶୃଙ୍ଖଳା ବଜାୟ ରଖେ ଏବଂ ଅପବ୍ୟବହାର ରୋକିବା ପାଇଁ ସମୟୋଚିତ ହସ୍ତକ୍ଷେପକୁ ସକ୍ଷମ କରେ।
ଉପସଂହାର
ବିକଶିତ ଭାରତ - ନିଯୁକ୍ତି ଗ୍ୟାରେଣ୍ଟି ଏବଂ ଜୀବିକା ମିଶନ (ଗ୍ରାମୀଣ) ବିଲ୍, ୨୦୨୫, ଭାରତର ଗ୍ରାମୀଣ ନିଯୁକ୍ତି ନୀତିରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରେ। ଯଦିଓ ସମୟ ସହିତ ନରେଗା ଅଂଶଗ୍ରହଣ, ଡିଜିଟାଇଜେସନ୍ ଏବଂ ସ୍ୱଚ୍ଛତାରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛି, ତଥାପି ନିରନ୍ତର ଢାଞ୍ଚାଗତ ଦୁର୍ବଳତା ଏହାର ପ୍ରଭାବକୁ ସୀମିତ କରିଛି। ଏହି ନୂଆ ବିଲ୍ଟି ପୂର୍ବରୁ ହୋଇଥିବା ସୁଧାରଗୁଡ଼ିକୁ ଭିତ୍ତିକରି ଗଢ଼ାଯାଇଛି ଏବଂ ପୂର୍ବରୁ ଥିବା ଅଭାବଗୁଡ଼ିକ ଦୂର କରିବା ପାଇଁ ଏକ ଆଧୁନିକ, ଦାୟିତ୍ୱଶୀଳ ଏବଂ ପୂର୍ବାଧାର କେନ୍ଦ୍ରିତ ଢାଞ୍ଚା ପ୍ରଦାନ କରୁଛି।

ନିଯୁକ୍ତି ଗ୍ୟାରେଣ୍ଟିକୁ ବିସ୍ତାର କରି, ଏକ ଦୃଢ଼ ଡିଜିଟାଲ୍ ଶାସନକୁ ଅନ୍ତର୍ଭୁକ୍ତ କରି ଏବଂ ଏହାକୁ ଜାତୀୟ ବିକାଶ ପ୍ରାଥମିକତା ଓ କାର୍ଯ୍ୟ ସହିତ ସମନ୍ୱିତ କରି, ଏହି ବିଲ୍ ଗ୍ରାମୀଣ ନିଯୁକ୍ତିକୁ ସ୍ଥାୟୀ ବିକାଶ ଏବଂ ଉତ୍ତମ ଜୀବିକା ପାଇଁ ଏକ ରଣନୈତିକ ଉପକରଣ ଭାବରେ ପ୍ରତିଷ୍ଠା କରେ, ଯାହା ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ସହିତ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ।
TKM
(Backgrounder ID: 156568)
आगंतुक पटल : 99
Provide suggestions / comments