• Skip to Content
  • Sitemap
  • Advance Search
Social Welfare

ରାଷ୍ଟ୍ରୀୟ ଏକତା ଦିବସ : ଜାତୀୟ ଏକତାର ଏକ ସ୍ତମ୍ଭ

Posted On: 30 OCT 2025 11:48AM

ମୁଖ୍ୟାଂଶ

  • ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ଜାତୀୟ ଏକତା ଦିବସ ପାଳନ କରାଯାଏ । ଏହା  ଦେଶକୁ ଏକତ୍ର କରିବାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଐତିହ୍ୟକୁ ସମ୍ମାନ ଜଣାଇ, ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନ ମଧ୍ୟର ବିବିଧତା ମଧ୍ୟରେ ଏକତାକୁ ପ୍ରୋତ୍ସାହିତ କରେ ।
  • ୨୦୨୫ରେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି।
  • ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଭାଡିଆର ଏକତା ନଗରରେ ଆୟୋଜିତ ଜାତୀୟ ଏକତା ଦିବସ ସମାରୋହରେ ଯୋଗଦେବେ।
  • ରନ ଫର ୟୁନିଟ୍ ଏବଂ ୟୁନିଟ୍ ମାର୍ଚ୍ଚ ଭଳି ବାର୍ଷିକ କାର୍ଯ୍ୟକ୍ରମ ନାଗରିକମାନଙ୍କୁ, ବିଶେଷକରି ଯୁବପିଢ଼ିଙ୍କୁ ଦେଶପ୍ରେମ ଏବଂ ସାମାଜିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବାରେ ନିୟୋଜିତ କରିଥାଏ ।

ଉପକ୍ରମ

ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ଜାତୀୟ ଏକତା ଦିବସ ପାଳନ କରାଯାଏ । ଏହି ଦିନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀକୁ ମନେପକେଇବା ଓ ଏବଂ ଭାରତରେ ଜାତୀୟ ଏବଂ ରାଜନୈତିକ ଏକତା ଏବଂ ଏକୀକତାକୁ ପ୍ରୋତ୍ସାହିତ କରିବାରେ ତାଙ୍କର ପ୍ରମୁଖ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ପାଳନ କରାଯାଏ। ଏହି ଦିବସଟି ଦେଶର ସାର୍ବଭୌମତ୍ୱ, ଶାନ୍ତି ଏବଂ ଅଖଣ୍ଡତା ବଜାୟ ରଖିବାର ଗୁରୁତ୍ୱକୁ ରେଖାଙ୍କିତ କରେ, ନାଗରିକମାନଙ୍କୁ ବିବିଧତା ମଧ୍ୟରେ ଏକତା ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପ୍ରତିପାଦନ କରିବାକୁ ଉତ୍ସାହିତ କରେ।

ଦେଶ ନିର୍ମାଣରେ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇବା ଏବଂ ପାଳନ କରିବା ପାଇଁ ଭାରତ ସରକାରଙ୍କ ଘୋଷଣା ପରେ, ୨୦୧୪ ମସିହାରେ ଏହି ଦିବସଟି ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ, ୩୧ ଅକ୍ଟୋବର ୨୦୧୫ରେ ଅନୁଷ୍ଠିତ ଜାତୀୟ ଏକତା ଦିବସ ପାଳନ ସମୟରେ, ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ପାରସ୍ପରିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ନିରନ୍ତର ଏବଂ ଢାଞ୍ଚାଗତ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ "ଏକ ଭାରତ ଶ୍ରେଷ୍ଠ ଭାରତ" ପଦକ୍ଷେପ ଘୋଷଣା କରିଥିଲେ। ସେବେଠାରୁ, ଦଶରୁ ଅଧିକ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର, ସ୍କୁଲ, କଲେଜ ଏବଂ ଯୁବ ସଂଗଠନ ଦେଶର ବିଭିନ୍ନ ଅଂଚଳର ଲୋକଙ୍କ ମଧ୍ୟରେ ଏପରି ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଏହାକୁ ପାଳନ କରିଆସୁଛନ୍ତି। ଚଳିତ ବର୍ଷର ଜାତୀୟ ଏକତା ଦିବସଟି ସ୍ୱତନ୍ତ୍ର କାରଣ ଏଥର ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି।

ମୂଳଦୁଆର ଐତିହ୍ୟ

୧୯୪୭ରେ ସ୍ୱାଧୀନତା ପରେ ଜାତୀୟ ମିଶ୍ରଣ ପ୍ରକ୍ରିୟାରେ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ୫୬୦ରୁ ଅଧିକ ଗଡ଼ଜାତ ରାଜ୍ୟ - ଭାରତର ପ୍ରାୟ ୪୦ ପ୍ରତିଶତ କ୍ଷେତ୍ର ଏବଂ ଜନସଂଖ୍ୟା - ଭାରତୀୟ ସଂଘରେ ମିଶ୍ରଣ କରିବାର ଦାୟିତ୍ୱ ଦିଆଯାଇଥିଲା। ଭାରତୀୟ ସ୍ୱାଧୀନତା ଆଇନ ଅନୁଯାୟୀ, ଗଡ଼ଜାତ ରାଜ୍ୟଗୁଡ଼ିକର ଶାସକମାନଙ୍କୁ ଭାରତ କିମ୍ବା ପାକିସ୍ତାନରେ ଯୋଗଦେବା ନିଷ୍ପତ୍ତି ନେବାର ବିକଳ୍ପ ଦିଆଯାଇଥିଲା। ସର୍ଦ୍ଦାର ପଟେଲ ବିଭାଜନକୁ ରୋକିବା ପାଇଁ କୂଟନୈତିକ ଆଲୋଚନା, ପ୍ରେରଣା ଏବଂ ଆବଶ୍ୟକସ୍ଥଳେ ଦୃଢ଼ ପ୍ରଶାସନିକ ପଦକ୍ଷେପର ମିଶ୍ରଣ ବ୍ୟବହାର କରିଥିଲେ। ତାଙ୍କ ନେତୃତ୍ୱରେ ରାଜ୍ୟ ବିଭାଗ ମାଧ୍ୟମରେ, ସର୍ଦ୍ଦାର ପଟେଲ ୧୯୪୭ ଅଗଷ୍ଟ ୧୫ ସୁଦ୍ଧା କିମ୍ବା ତା'ପରେ ଏହି ରାଜ୍ୟଗୁଡ଼ିକୁ ସଫଳତାର ସହିତ ମିଶ୍ରଣ କରିଥିଲେ, ଯାହା ଆଧୁନିକ ଭାରତର କ୍ଷେତ୍ରୀୟ ଅଖଣ୍ଡତାକୁ ସୁନିଶ୍ଚିତ କରିଥିଲା। ତାଙ୍କ ପ୍ରୟାସ ଏକ ସମ୍ଭାବ୍ୟ ବିଭାଜନକୁ ଏଡ଼ାଇ ଦେଇଥିଲା ଏବଂ ଏକ ସଂଯୁକ୍ତ ଗଣତାନ୍ତ୍ରିକ ଗଣରାଜ୍ୟର ମୂଳଦୁଆ ସ୍ଥାପନ କରିଥିଲା। "ଲୌହ ମାନବ" ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନିର୍ଣ୍ଣାୟକ ନେତୃତ୍ୱ ଯୋଗୁଁ ଦେଶର ବିଭାଜନର ଅଶାନ୍ତ ସମୟରେ ଆଭ୍ୟନ୍ତରୀଣ ସ୍ଥିରତା ସୁନିଶ୍ଚିତ ହୋଇଥିଲା। ସେ ସର୍ବଭାରତୀୟ ସେବାକୁ 'ଏକ ଇସ୍ପାତ ଢାଞ୍ଚା' ଭାବରେ ସୃଷ୍ଟି କରିଥିଲେ ଯାହା  ସେବେଠାରୁ ଦେଶର ଏକତା ଏବଂ ଅଖଣ୍ଡତାକୁ ରକ୍ଷା କରିଥିଚାଲିଛି ।

ଏକ ଭାରତ ଶ୍ରେଷ୍ଠ ଭାରତ : ସର୍ଦ୍ଦାର ପଟେଲଙ୍କ ଐତିହ୍ୟକୁ ଆଗେନେବା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅକ୍ଟୋବର ୩୧, ୨୦୧୫ ମସିହାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୦ ତମ ଜନ୍ମବାର୍ଷିକୀ ଅବସରରେ ଘୋଷଣା କରାଯାଇଥିବା "ଏକ ଭାରତ ଶ୍ରେଷ୍ଠ ଭାରତ" ପ୍ରୟାସ, ସର୍ଦ୍ଦାର ପଟେଲଙ୍କ ଏକ ଅଖଣ୍ଡ ଭାରତର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ଏହା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ଏବଂ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରେ ଏବଂ ପାରସ୍ପରିକ କ୍ରିୟା ଏବଂ ପାରସ୍ପରିକ ସମ୍ପର୍କ ମାଧ୍ୟମରେ ଭାରତର ବିବିଧତାକୁ ପାଳନ କରେ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି:

•          ନାଗରିକମାନଙ୍କ ମଧ୍ୟରେ ଭାବନାତ୍ମକ ବନ୍ଧନକୁ ସୁଦୃଢ଼ କରିବା

•          ଏକ ସଂଗଠିତ ଆନ୍ତଃରାଜ୍ୟ ସହଯୋଗ ମାଧ୍ୟମରେ ଜାତୀୟ ସଂହତିକୁ ପ୍ରୋତ୍ସାହିତ କରିବା

•          ଭାରତର ବିବିଧ ସଂସ୍କୃତିକୁ ପ୍ରଦର୍ଶନ ଏବଂ ସମ୍ମାନ କରିବା

•          ସ୍ଥାୟୀ ସହଭାଗିତାର ନିର୍ମାଣ, ଏବଂ

•          ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ଶିକ୍ଷା ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବାଣ୍ଟିବା

 

ଏକ ଭାରତ ଶ୍ରେଷ୍ଠ ଭାରତ (ଇବିଏସବି) ପ୍ରୟାସ ଭାଷାଗତ, ସାଂସ୍କୃତିକ ଏବଂ ଶିକ୍ଷାଗତ ଆଦାନପ୍ରଦାନ ମାଧ୍ୟମରେ ଭାବନାତ୍ମକ  ବନ୍ଧନକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସଂଯୋଗ କରେ ଓ ଏହା ମାଧ୍ୟମରେ "ବିବିଧତାରେ ଏକତା" ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ। ଏହି କାର୍ଯ୍ୟକଳାପଗୁଡ଼ିକ ଜାତୀୟ ଏକତା ଦିବସର ବାର୍ତ୍ତାର ପ୍ରସାର କରେ ଏବଂ ଏହାକୁ ଜାତୀୟ ସଂହତି ପାଇଁ ଏକ ନିରନ୍ତର ଆନ୍ଦୋଳନରେ ପରିଣତ କରେ।

ଏକତା ଦିବସ ଦ୍ୱାରା ଅନୁପ୍ରାଣିତ ଇବିଏସବି କାର୍ଯ୍ୟକ୍ରମ ଏବଂ ପଦକ୍ଷେପ ମଧ୍ୟରେ ରହିଛି ଭାଷା ସଙ୍ଗମ ଆପ୍, ସାଂସ୍କୃତିକ ପ୍ରଦର୍ଶନୀ ଏବଂ ଖାଦ୍ୟ ଉତ୍ସବ, ଛାତ୍ର ବିନିମୟ କାର୍ଯ୍ୟକ୍ରମ,  କାଶୀ ତାମିଲ ସଙ୍ଗମମ, ଡିଜିଟାଲ୍ ଏବଂ ପ୍ରସାର ଅଭିଯାନ ଇତ୍ୟାଦି ।

ଇବିଏସବି ପୋର୍ଟାଲ ଜାତୀୟ ଏକତା ଦିବସ ଦୃଷ୍ଟିକୋଣ ପଛର ଏକ ଡିଜିଟାଲ୍ ରୂପ ଭାବରେ କାର୍ଯ୍ୟ କରେ, ଯାହା ଜାତୀୟ ଏକତାକୁ ସୁଦୃଢ଼ କରୁଥିବା ପଦକ୍ଷେପଗୁଡ଼ିକୁ ଡକ୍ୟୁମେଣ୍ଟେସନ୍ ଏବଂ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରେ। ଏହା ଏକ ଭାରତ ଶ୍ରେଷ୍ଠ ଭାରତ ବ୍ୟାନର ଅଧୀନରେ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଆନ୍ତଃରାଜ୍ୟ ସାଂସ୍କୃତିକ ବିନିମୟ, ଯୁବ କାର୍ଯ୍ୟକଳାପ ଏବଂ ଅଭିଯାନ ସମେତ ଏକତା ଦିବସରେ ଆରମ୍ଭ ହୋଇଥିବା ପଦକ୍ଷେପଗୁଡ଼ିକର ରିପୋର୍ଟ ଉପସ୍ଥାପନ କରେ।

ବର୍ଷ ୨୦୨୫ର ଗୁରୁତ୍ୱ: ୧୫୦ ତମ ଜନ୍ମବାର୍ଷିକୀ

ଏହି ଅବସରକୁ ଏକ ବର୍ଷ ବ୍ୟାପୀ ଦେଶବ୍ୟାପୀ ସ୍ମୃତିଚାରଣ ଭାବରେ କଳ୍ପନା କରାଯାଇଛି। ଏହି ସଫଳତା ସମସାମୟିକ ଭାରତରେ ସର୍ଦ୍ଦାର ପଟେଲଙ୍କ ସ୍ଥାୟୀ ପ୍ରାସଙ୍ଗିକତାକୁ ଉଜ୍ଜ୍ୱଳ କରିଥାଏ । ବିଶେଷକରି ସାମ୍ପ୍ରତିକ ବିଶ୍ୱ ଆହ୍ବାନ ମଧ୍ୟରେ ଏକତା ଏବଂ ସାମାଜିକ ସଂହତି ପାଇଁ ସର୍ଦ୍ଦାରଜୀଙ୍କ ପ୍ରାସଙ୍ଗିକତା ବୃଦ୍ଧି ପାଇଛି। ଜାତୀୟ ଏକତା ଦିବସର ଆତ୍ମା ଏକ ଭାରତ ଶ୍ରେଷ୍ଠ ଭାରତ (ଇବିଏସବି) ନୀତି ସହିତ ମଧ୍ୟ ଗଭୀର ଭାବରେ ଜଡିତ, ଯାହା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ, ଭାଷା ଏବଂ ପାରସ୍ପରିକ ବୁଝାମଣା ମାଧ୍ୟମରେ ନାଗରିକମାନଙ୍କ ମଧ୍ୟରେ ଭାବନାତ୍ମକ ବନ୍ଧନକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖିଛି। ଏକତ୍ର, ଏହି ପଦକ୍ଷେପଗୁଡ଼ିକ ବିବିଧତାରେ ଏକତାର ଧାରଣାକୁ ସୁଦୃଢ଼ କରନ୍ତି ଏବଂ ଏହିପରି ଜାତୀୟ ସଂହତିକୁ ଏକ ସ୍ଥାୟୀ ଗଣ ଆନ୍ଦୋଳନରେ ପରିଣତ କରନ୍ତି।

୩୧ ଅକ୍ଟୋବର, ସକାଳ ପ୍ରାୟ ୮ ଟାରେ, ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିବେ, ତା’ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ପାଇଁ ଜାତୀୟ ଏକତା ଦିବସ ପାଳନ କରାଯିବ।

ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଇଁ ନିମ୍ନଲିଖିତ କାର୍ଯ୍ୟକ୍ରମ ରହିଛି :

 

 

ଭାରତୀୟ ପ୍ରଜାତିର କୁକୁରମାନଙ୍କର ଏକ ସ୍ବତନ୍ତ୍ର ମାର୍ଚ୍ଚିଂ ଦଳ

୨୦୨୫ ମସିହାରେ ଜାତୀୟ ଏକତା ଦିବସ ପରେଡରେ ଭାରତୀୟ ପ୍ରଜାତିର କୁକୁରମାନଙ୍କର ଏକ ସ୍ବତନ୍ତ୍ର ମାର୍ଚ୍ଚିଂ ଦଳ ଅଂଶଗ୍ରହଣ କରିବ । ଏଥିରେ ବିଶେଷକରି ସୀମା ସୁରକ୍ଷା ବଳ (ବିଏସଏଫ)ର ରାମପୁର ହାଉଣ୍ଡ ଏବଂ ମୁଧୋଲ ହାଉଣ୍ଡ ପ୍ରଜାତିର କୁକୁରମାନେ ପ୍ରଦର୍ଶନ କରିବେ, ଯେଉଁମାନେ ଅପରେସନ ସମୟରେ ସୁରକ୍ଷା ବାହିନୀକୁ ସଶକ୍ତ କରିବାରେ ସେମାନଙ୍କର ଭୂମିକା ପ୍ରଦର୍ଶନ କରିବେ। ଏକ ଆତ୍ମନିର୍ଭରଶୀଳ ଭାରତର ଭାବନାକୁ ପ୍ରତିପାଦନ କରି, ଏହି ସ୍ୱଦେଶୀ ପ୍ରଜାତିର କୁକୁରମାନେ ସେମାନଙ୍କର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିବେ । ଅଖିଳ ଭାରତୀୟ ପୋଲିସ କୁକୁର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା  ମୁଧୋଲ ହାଉଣ୍ଡ କୁକୁର "ରିଆ"  ଏହି ଦଳର ନେତୃତ୍ୱ ନେବେ।

ସର୍ଦ୍ଦାର@୧୫୦ ୟୁନିଟି ମାର୍ଚ୍ଚ

କେନ୍ଦ୍ରୀୟ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, "ଏକ ଭାରତ, ଆତ୍ମନିର୍ଭର ଭାରତ" ନୀତି ଅନୁଯାୟୀ ଯୁବପିଢ଼ିଙ୍କ ମଧ୍ୟରେ ଏକତା, ଦେଶପ୍ରେମ ଏବଂ ନାଗରିକ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ "ମାଇଁ ଭାରତ" ପ୍ଲାଟଫର୍ମ ମାଧ୍ୟମରେ ଏକ ଦେଶବ୍ୟାପୀ ଏକତା ମାର୍ଚ୍ଚ (ଯାତ୍ରା) ଆୟୋଜନ କରୁଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଙ୍କ ଦ୍ୱାରା ଅକ୍ଟୋବର ୬, ୨୦୨୫ରେ ମାଇଁ ଭାରତ ପୋର୍ଟାଲରେ ଆରମ୍ଭ କରାଯାଇଥିବା ଏହି ପଦକ୍ଷେପରେ ଏକ ସୋସିଆଲ ମିଡିଆ ରିଲ୍ ପ୍ରତିଯୋଗିତା, ଏକ ପ୍ରବନ୍ଧ ପ୍ରତିଯୋଗିତା ଏବଂ ସର୍ଦ୍ଦାର@୧୫୦ ଯୁବ ନେତା କାର୍ଯ୍ୟକ୍ରମ ଭଳି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏସବୁ ପ୍ରତିଯୋଗିତାର ୧୫୦ ଜଣ ବିଜେତା ଜାତୀୟ ମାର୍ଚ୍ଚରେ ଅଂଶଗ୍ରହଣ କରିବେ।

 

ଏହି ୟୁନିଟି ମାର୍ଚ୍ଚ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବ। ପ୍ରଥମ ପର୍ଯ୍ୟାୟରେ, ଅକ୍ଟୋବର ୩୧ ରୁ ନଭେମ୍ବର ୨୫, ୨୦୨୫ ପର୍ଯ୍ୟନ୍ତ, ପ୍ରତ୍ୟେକ ସଂସଦୀୟ ନିର୍ବାଚନମଣ୍ଡଳୀର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପଦଯାତ୍ରା ଅନ୍ତର୍ଭୁକ୍ତ ହେବ।  ସେହିପରି ଦ୍ବିତୀୟ ପର୍ଯ୍ୟାୟ ୨୬ ନଭେମ୍ବରରୁ ୬ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ  ଅନୁଷ୍ଠିତ ହେବ । ଏହି ଜାତୀୟ ପଦଯାତ୍ରା କରମସଦ (ଗୁଜରାଟରେ ସର୍ଦ୍ଦାର ପଟେଲଙ୍କ ଜନ୍ମସ୍ଥାନ) ରୁ କେଭାଡିଆରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ୧୫୨ କିଲୋମିଟର ଦୂରତା ଅତିକ୍ରମ କରିବ, ଯେଉଁଥିରେ ଏନଏସଏସ ଛାତ୍ର, ଏନସିସି କ୍ୟାଡେଟ୍, ମାଇ ଭାରତ ସ୍ୱେଚ୍ଛାସେବକ ଏବଂ ଯୁବ ନେତାମାନେ ଅଂଶଗ୍ରହଣ କରିବେ। ଏହା ସହିତ, ଭାରତର ବିବିଧ ସଂସ୍କୃତି ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନୀକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ।

ଜାତୀୟ ଏକତା ଦିବସ ପାଇଁ ସରକାରଙ୍କ ଦ୍ବାରା ଆୟୋଜିତ ଅଭିଯାନ ମଧ୍ୟରେ "ଏକତା ପାଇଁ ଦୌଡ଼" ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହା ଏକ ଦେଶବ୍ୟାପୀ ମାରାଥନ କାର୍ଯ୍ୟକ୍ରମ ଯାହା ଜାତୀୟ ଏକତା ପ୍ରତି ସାମୂହିକ ପ୍ରୟାସର ପ୍ରତୀକ। "ଏକତା ପାଇଁ ଦୌଡ଼" ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ୩୧ ଅକ୍ଟୋବର, ୨୦୨୫ ରେ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରମୁଖ ସହରଗୁଡ଼ିକରେ ହଜାର ହଜାର ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏଥିରେ କେନ୍ଦ୍ର ମନ୍ତ୍ରୀମାନଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ ଏକ ପତାକା ଉତ୍ତୋଳନ ସମାରୋହ ମଧ୍ୟ ଅନ୍ତର୍ଭୁକ୍ତ ହେବ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ପାଇଁ ଆୟୋଜିତ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଦେଶର ନାଗରିକଙ୍କୁ ଆହ୍ୱାନ କରିଛନ୍ତି।

ଉପସଂହାର

ଜାତୀୟ ଏକତା ଦିବସ ହେଉଛି ବିବିଧ ଗଡ଼ଜାତ ରାଜ୍ୟରୁ ଏକ ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱର ଏକ କାଳଜୟୀ ସ୍ମରଣ । ଏହା ଏପରି ଏକ ଭିତ୍ତିଭୂମି ଯାହା ଦେଶର ପ୍ରଗତିର ମୂଳଦୁଆ ପକାଇଥିଲା। ଶପଥ, ପଦଯାତ୍ରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଐତିହାସିକ ଶ୍ରଦ୍ଧାକୁ ସମସାମୟିକ କାର୍ଯ୍ୟ ସହିତ ମିଶ୍ରଣ କରୁଥିବା ଏହି ଉତ୍ସବ କେବଳ ଅତୀତର ବିଜୟକୁ ମନେ ପକାଇଥାଏ ନାହିଁ ବରଂ ସକ୍ରିୟ ଭାବରେ ନୂତନ ବିଭାଜନକାରୀ ଶକ୍ତିକୁ ମୁକାବିଲା କରିଥାଏ ଏବଂ "ଏକ ଭାରତ, ଶ୍ରେଷ୍ଠ ଭାରତ" ର ନୀତିକୁ ଦୃଢ଼ କରିଥାଏ।

 

TKM

 

 

 

(Backgrounder ID: 155836) Visitor Counter : 1
Provide suggestions / comments
Link mygov.in
National Portal Of India
STQC Certificate