ପୋଷ୍ଟ କରାଯିବା ଦିନାଙ୍କ:
28 NOV 2026 3:27PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ନଭେମ୍ବର ୨୦୨୬ ସନ୍ଧ୍ୟା ୬ଟାରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଡ. ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦଯାପନୀ ଉତ୍ସବରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ସମାବେଶକୁ ସମ୍ବୋଧିତ ମଧ୍ୟ କରିବେ।
ଡ. ଭୂପେନ ହଜାରିକା ୮ ସେପ୍ଟେମ୍ବର ୧୯୨୬ରେ ଆସାମର ସଦିୟାରେ ଜନ୍ମଗ୍ରହଣ କରିଥିଲେ। ‘ସୁଧାକଣ୍ଠ’ ଏବଂ ‘ବ୍ରହ୍ମପୁତ୍ରର ଚାରଣକବି’ ଭାବେ ଅତ୍ୟନ୍ତ ସ୍ନେହରେ ସ୍ମରଣୀୟ ହୋଇଥିବା ଡ. ହଜାରିକା ଆସାମ ତଥା ଦେଶର ସାଂସ୍କୃତିକ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଜଣେ କିମ୍ବଦନ୍ତୀ ଗାୟକ, ସଙ୍ଗୀତକାର, ଗୀତିକାର, ଚଳଚ୍ଚିତ୍ର ନିର୍ମାତା ଏବଂ ଲେଖକ ଭାବେ ସେ ନିଜର ସୃଜନଶୀଳ କୃତି ମାଧ୍ୟମରେ ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷା ଏବଂ ଭାବନାକୁ ସ୍ୱର ଦେଇଥିଲେ। ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର ଲୋକ ପରମ୍ପରା ସହ ଜଡ଼ିତ ତାଙ୍କର ସଙ୍ଗୀତ ଭାଷାଗତ ଏବଂ ଭୌଗୋଳିକ ସୀମା ଅତିକ୍ରମ କରି ଏହି ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସମଗ୍ର ଭାରତ ଏବଂ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଥିଲା।
ତାଙ୍କର କଳାତ୍ମକ ଅବଦାନ ବ୍ୟତୀତ ଡ. ହଜାରିକା ଜଣେ ମାନବବାଦୀ ଏବଂ ସମାଜ ଚିନ୍ତକ ମଧ୍ୟ ଥିଲେ। ତାଙ୍କର କୃତୀସବୁ ସମାନତା, ମାନବିକ ମର୍ଯ୍ୟାଦା, ସାମାଜିକ ସଦଭାବନା ଏବଂ ବିଶ୍ୱ ଭ୍ରାତୃତ୍ୱକୁ ପ୍ରୋତ୍ସାହିତ କରିଥିଲା। ସେ ଆସାମର ସାଂସ୍କୃତିକ ପରିଚୟକୁ ସୁଦୃଢ଼ କରିବା ଏବଂ ଭାରତର ବିବିଧ ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବାରେ ମଧ୍ୟ ଯୋଗଦାନ ଦେଇଥିଲେ। ଭାରତୀୟ ସଙ୍ଗୀତ, ସିନେମା ଏବଂ ସଂସ୍କୃତି ପ୍ରତି ତାଙ୍କର ଅସାଧାରଣ ଅବଦାନ ପାଇଁ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ସମେତ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୯ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରାଯାଇଥିଲା।
ଡ. ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ୮ ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହୋଇଥିଲା, ଯାହା ସଙ୍ଗୀତ, ସାହିତ୍ୟ, ସିନେମା ଏବଂ ସମାଜ ପ୍ରତି ତାଙ୍କର ଅବଦାନକୁ ପୁନଃ ଆବିଷ୍କାର ଏବଂ ସ୍ମରଣ କରିବାର ଏକ ସୁଯୋଗ ପ୍ରଦାନ କରିଛି। ଏହି ସମାରୋହ ତାଙ୍କର ଆଦର୍ଶର ପ୍ରାସଙ୍ଗିକତା, ତାଙ୍କର ସୃଜନଶୀଳ ପ୍ରତିଭାର କାଳଜୟୀ ଆକର୍ଷଣ ଏବଂ ମାନବିକତା, ସଦଭାବନା ଓ ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତାକୁ ମଧ୍ୟ ଉଜାଗର କରିଛି।
--