ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭିଡିଓ କନଫରେନ୍ସିଂ ଜରିଆରେ ୨୦ତମ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 19 SEP 2026 1:59PM by PIB Bhubaneswar

ମୋର ପ୍ରିୟ ଯୁବ ବନ୍ଧୁଗଣ,

 

ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହି ଉତ୍ସବମୟ ପରିବେଶ ମଧ୍ୟରେ ଆଜି ହଜାର ହଜାର ପରିବାରର ଜୀବନରେ ଏକ ନୂଆ ଖୁସିର ଆଗମନ ହୋଇଛି। ଆଜି ଦେଶର ୫୧ ହଜାରରୁ ଅଧିକ ଯୁବକ-ଯୁବତୀ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ଗ୍ରହଣ କରୁଛନ୍ତି। ଆଜି ଆପଣମାନେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ପଛରେ କେବଳ ଆପଣମାନଙ୍କର କଠିନ ପରିଶ୍ରମ ନୁହେଁ, ବରଂ ଆପଣମାନଙ୍କର ପିତାମାତା ଓ ପରିବାର ସଦସ୍ୟଙ୍କର ନିଷ୍ଠା ଏବଂ ତ୍ୟାଗ ମଧ୍ୟ ରହିଛି। ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ଏବଂ ଆପଣମାନଙ୍କ ପରିବାରବର୍ଗଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଜୀବନର ଏହି ନୂତନ ଅଧ୍ୟାୟ ପାଇଁ ଆପଣ ସମସ୍ତଙ୍କୁ ମୋର ଶୁଭକାମନା।

 

ବନ୍ଧୁଗଣ,

 

ଆଜି ଆପଣମାନେ ଏପରି ଏକ ସମୟରେ ଭାରତ ସରକାରଙ୍କ ସହ ଯୋଡ଼ି ହେଉଛନ୍ତି, ଯେତେବେଳେ ଦେଶ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଏକ ବିଶାଳ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି । ଏହି ଲକ୍ଷ୍ୟ ହାସଲ କରିବାରେ ଆପଣମାନଙ୍କ ଭଳି ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରୀ ସେବାରେ ରହି ଆପଣମାନେ ଏପରି ପ୍ରତ୍ୟେକ ନିଷ୍ପତ୍ତି ନେବା ଉଚିତ, ଯାହା ବିକଶିତ ଭାରତ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ଆହୁରି ସୁଦୃଢ଼ କରିବ। ଯୁବକ ଭାବରେ, ଆପଣଙ୍କର ଅନ୍ୟ ଯୁବକମାନଙ୍କ ପ୍ରତି ଏକ ବିଶେଷ ଦାୟିତ୍ୱ ଅଛି। ଆପଣ ଦେଖୁଛନ୍ତି  ଯେ ଆମ ଯୁବପିଢ଼ିଙ୍କ ପ୍ରତିଭା ଓ ଦକ୍ଷତା କିପରି ସମଗ୍ର ବିଶ୍ୱର ଆସ୍ଥା ଓ ବିଶ୍ୱାସ ଜିତିପାରିଛି। ଆମର ଉଦ୍ଭାବକ, ଉଦ୍ୟୋଗୀ ଏବଂ ଯୁବ ଶକ୍ତିଠାରୁ ବିଶ୍ୱର ବହୁତ ଆଶା ଅଛି। କିଛି ଦିନ ପୂର୍ବରୁ, ବ୍ରିକ୍ସ ଶିଖର ସମ୍ମିଳନୀ ଶେଷ ହୋଇଛି। ଭାରତର ପ୍ରୟାସ ରହିଛି ଯେ, ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗ କେବଳ ସରକାରୀ ସ୍ତରରେ ସୀମିତ ନ ରହୁ। ଆମର ଉଦ୍ୟୋଗୀ, କୃଷକ, ମହିଳା, ଯୁବକ, ସମସ୍ତେ ଏହି ସହଭାଗୀତାରେ ସକ୍ରିୟ ଅଂଶଗ୍ରହଣକାରୀ ହୁଅନ୍ତୁ। ଏହି ଦୃଷ୍ଟିକୋଣ ସହିତ, ବ୍ରିକ୍ସ କନେକ୍ଟ ଏବଂ ବ୍ରିକ୍ସ ଏମଏସଏମଇ ସହଯୋଗ ପୋର୍ଟାଲ୍ ଭଳି ପଦକ୍ଷେପ ଆରମ୍ଭ କରାଯାଇଛି।

ବନ୍ଧୁଗଣ,

 

ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତ ପ୍ରାୟ ୪୦ଟି ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଆମ ଯୁବପିଢ଼ି ପାଇଁ ସୁଯୋଗର ନୂତନ ଦ୍ୱାର ଖୋଲି ଦେଉଛି। ଏପରି ବାଣିଜ୍ୟ ଚୁକ୍ତିନାମା ଆମ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ସହଭାଗୀତା ସୃଷ୍ଟି କରେ, ନୂତନ ବଜାର ଖୋଲିଥାଏ ଏବଂ ଆମ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗର ସମ୍ଭାବନା ସୃଷ୍ଟି କରେ।

 

ବନ୍ଧୁଗଣ,

 

ବିଗତ କିଛି ବର୍ଷ ଧରି ଭାରତ ସରକାର ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ନିରନ୍ତର ଗୁରୁତ୍ୱ ଦେଇଆସୁଛନ୍ତି। ଜାତୀୟ ଶିକ୍ଷା ନୀତି, ସ୍କିଲ୍ ଇଣ୍ଡିଆ ମିଶନ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଏବଂ ଆପ୍ରେଣ୍ଟିସ୍‌ସିପ୍   କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ଭଳି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ହେଉଛି, ପରିବର୍ତ୍ତିତ ଅର୍ଥନୀତିର ଆବଶ୍ୟକତା ଅନୁଯାୟୀ ଆମ ଯୁବପିଢ଼ିଙ୍କ ଶିକ୍ଷା ଓ ଦକ୍ଷତାର ବିକାଶ କରିବା। ଏହାର ଏକ ଉଦାହରଣ ହେଉଛି ପିଏମ-ସେତୁ  ଯୋଜନା। ଏହି ଯୋଜନା ଅଧୀନରେ ୬୦ ହଜାର କୋଟି ଟଙ୍କାର ନିବେଶ ଜରିଆରେ ୧,୦୦୦ଟି ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଆଧୁନିକୀକରଣ କରାଯାଉଛି। ଏଥିରେ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତ୍ୟକ୍ଷ ଅଂଶଗ୍ରହଣ ସୁନିଶ୍ଚିତ କରାଯାଇଛି।

 

ବନ୍ଧୁଗଣ,

 

ଆମର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଭାରତର ଯୁବପିଢ଼ିଙ୍କ ଶକ୍ତିର ଆଉ ଏକ ଚିତ୍ର ଦୃଶ୍ୟମାନ ହେଉଛି। ଆଜି ଭାରତ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ।  ଭାରତର ଷ୍ଟାର୍ଟଅପ୍ କାହାଣୀ ଆଉ କେବଳ ବଡ଼ ସହରଗୁଡ଼ିକ ବିଷୟରେ ନୁହେଁ। ଆଜି, ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍‌ଗୁଡ଼ିକର ପ୍ରାୟ ଟାଇର-ଟୁ ଏବଂ ଟାଇର-ଥ୍ରୀ ଶ୍ରେଣୀର ସହରରେ ଅଛନ୍ତି। ଏହାର ଅର୍ଥ ହେଉଛି ଗ୍ରାମ, ସହର ଏବଂ ଛୋଟ ସହରରୁ ଯୁବକମାନେ ମଧ୍ୟ ଭାରତର ନୂତନ ଅର୍ଥନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରୁଛନ୍ତି। ଛୋଟ ସହରରୁ ଆମର ଯୁବକମାନେ ସେମାନଙ୍କର ଚିନ୍ତାଧାରା ଉପରେ କାମ କରୁଛନ୍ତି, ନୂତନ କମ୍ପାନୀ ନିର୍ମାଣ କରୁଛନ୍ତି ଏବଂ ଅନ୍ୟ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି।

 

ବନ୍ଧୁଗଣ,

 

ଆମର ପ୍ରୟାସ ହେଉଛି ଯେ ଘରୋଇ କ୍ଷେତ୍ରରେ ମଧ୍ୟ ନୂତନ ନିଯୁକ୍ତି ସୁଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉ। ଏହି ଦୃଷ୍ଟିକୋଣ ସହିତ, ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହାର ସହାୟତାରେ, ପ୍ରାୟ ୨୦ ନିୟୁତ ଯୁବକ ପ୍ରଥମ ଥର ପାଇଁ କର୍ମଶକ୍ତିରେ ଯୋଗଦେବାର ସୁଯୋଗ ପାଇବେ। ଏହି ଯୋଜନା ଅଧୀନରେ, ସରକାର ପ୍ରଥମ ଚାକିରି ପାଉଥିବା ଯୁବକମାନଙ୍କୁ୧୫,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେଉଛନ୍ତି। ନୂତନ ଚାକିରି ସୃଷ୍ଟି କରୁଥିବା ନିଯୁକ୍ତିଦାତାମାନଙ୍କୁ ମଧ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଉଛି। ଏହାର ଅର୍ଥ ହେଉଛି ଦେଶରେ ନିଯୁକ୍ତି ବୃଦ୍ଧି କରିବା ପାଇଁ ସରକାର ପ୍ରତ୍ୟେକ କ୍ଷେତ୍ରରେ କାମ କରୁଛନ୍ତି।

ବନ୍ଧୁଗଣ,

 

ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ କେବଳ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ଦେଶର ଅର୍ଥନୀତି ବିକାଶ ଲାଭ କରେ, ନିବେଶ ବୃଦ୍ଧି ପାଏ, ନୂତନ ଶିଳ୍ପ ସ୍ଥାପିତ ହୁଏ ଏବଂ ନୂତନ କ୍ଷେତ୍ରଗୁଡ଼ିକର ସମ୍ପ୍ରସାରଣ ଘଟେ। ଆଜି ଭାରତ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଅଟେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିଥିଲା। ନିବେଶ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇଛି। ବିଭିନ୍ନ ରେଟିଂ ଏଜେନ୍ସିଗୁଡ଼ିକ ଭାରତର ରେଟିଂରେ ଉନ୍ନତି ଆଣୁଛନ୍ତି।  ଏହି ଅଗ୍ରଗତି ଏପରି ଏକ ସମୟରେ ଘଟୁଛି ଯେତେବେଳେ ସମଗ୍ର ବିଶ୍ୱ ଅନେକ ଅନିଶ୍ଚିତତା ଦେଇ ଗତି କରୁଛି। ଭାରତର ଏହି ଅଭିବୃଦ୍ଧି ପଛରେ ଗତ କିଛି ବର୍ଷ ମଧ୍ୟରେ କରାଯାଇଥିବା ସଂସ୍କାରଗୁଡ଼ିକର ମୁଖ୍ୟ ଅବଦାନ ରହିଛି। ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ, ଆପଣଙ୍କୁ ଏହି ସଂସ୍କାର ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ। ତାହା କର  ଓ ଅନୁପାଳନ  ପ୍ରକ୍ରିୟାକୁ ସରଳ କରିବା ହେଉ, ବ୍ୟବସାୟ କରିବାକୁ ସହଜ କରିବା  ହେଉ, ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସଂସ୍କାର ହେଉ, ନବସୃଜନ ପାଇଁ ନୂତନ କ୍ଷେତ୍ର ଉନ୍ମୁକ୍ତ କରିବା ହେଉ କିମ୍ବା ଜୀବନଧାରଣକୁ ସହଜ କରିବା  ହେଉ - ପ୍ରତ୍ୟେକ ସ୍ତରରେ ଏହି 'ସଂସ୍କାର ଅଭିଯାନ'  ପୂର୍ଣ୍ଣ ବେଗରେ ଆଗକୁ ବଢ଼ିବା ଆବଶ୍ୟକ। ଏବଂ ସରକାରୀ କର୍ମଚାରୀ ଭାବରେ, ବର୍ତ୍ତମାନ ତଥା ଆଗାମୀ ବର୍ଷଗୁଡ଼ିକରେ ଏଥିରେ ଆପଣଙ୍କର ଏକ ବଡ଼ ଭୂମିକା ରହିବ।

 

ବନ୍ଧୁଗଣ,

 

ମୁଁ କିଛି ଦିନ ପୂର୍ବେ କହିଥିଲି ଯେ  ସୂର୍ଯ୍ୟ ଆମର ହେବା ଉଚିତ୍, ସମୁଦ୍ର ମଧ୍ୟ ଆମର ହେବା ଉଚିତ୍। ଡଙ୍ଗା ଆମର ହେବା ଉଚିତ୍ ଏବଂ ନାବିକ ମଧ୍ୟ ଆମର ହେବା ଉଚିତ୍। ସମୁଦ୍ର ଲହରୀ ଉପରେ ବିଜୟ ଲେଖିବାର ସାହସ ଆମର ହେବା ଉଚିତ୍। ଆଜି ଭାରତର ଯୁବପିଢ଼ି ଏହି ସାହସ ଓ ଆତ୍ମବିଶ୍ୱାସ ନେଇ ଆଗକୁ ବଢ଼ୁଛନ୍ତି। ଏବେ ଭାରତ ସରକାରଙ୍କ ସେବାରେ ଯୋଗଦେବା ପରେ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷାକୁ ବୁଝିବା ଏବଂ ସେହି ଅନୁଯାୟୀ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଆପଣମାନଙ୍କର ଦାୟିତ୍ୱ। ମୁଁ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଆପଣମାନେ ନେଉଥିବା ପ୍ରତ୍ୟେକ ନିଷ୍ପତ୍ତି ଏବଂ ଫାଇଲ୍‌ରେ କରୁଥିବା ପ୍ରତ୍ୟେକ ଦସ୍ତଖତ ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ ଦିଗରେ ସହାୟକ ହେବା ଉଚିତ। ଆପଣମାନଙ୍କ କାର୍ଯ୍ୟକାଳରେ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ଯୁବପିଢ଼ିଙ୍କ ପଥରେ ଥିବା ସମସ୍ତ ପ୍ରତିବନ୍ଧକ ଦୂର ହେଉ, ସେମାନଙ୍କ ନୂତନ ଚିନ୍ତାଧାରାକୁ ଆଗକୁ ବଢ଼ିବାର ସୁଯୋଗ ମିଳୁ, ନବସୃଜନ ଦ୍ୱାରା ନିବେଶ ବୃଦ୍ଧି ପାଉ ଏବଂ ନିବେଶ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ।

 

ବନ୍ଧୁଗଣ,

 

ଏବେ ଆପଣମାନେ ନିଜେ ସରକାରୀ ବ୍ୟବସ୍ଥାର ଏକ ଅଂଶ ହେବାକୁ ଯାଉଛନ୍ତି। ତେଣୁ ଆପଣମାନଙ୍କର ପ୍ରୟାସ ଏପରି ହେବା ଉଚିତ ଯେ, ଆପଣମାନେ ନିଜେ କିମ୍ବା ଆପଣମାନଙ୍କ ପିତାମାତା ଯେଉଁସବୁ ଅସୁବିଧା ଓ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ଅନ୍ୟ ଯୁବପିଢ଼ିଙ୍କୁ ଯେପରି ସେହି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡ଼େ। ଆପଣମାନଙ୍କ ପିତାମାତା ଯେଉଁ କଷ୍ଟ ସହିଛନ୍ତି, ଆପଣମାନେ ନିଜେ ଯେଉଁ ଅସୁବିଧା ଭୋଗିଛନ୍ତି, ଆମ ଦେଶର କୌଣସି ନାଗରିକଙ୍କୁ ଆଉ ଯେପରି ସେହିଭଳି କଷ୍ଟ ଓ ଦୁର୍ଦ୍ଦଶା ଭୋଗିବାକୁ ନ ପଡ଼େ। ସରକାରୀ ବ୍ୟବସ୍ଥାରେ ଯୋଗଦେବା ମାତ୍ରେ ଆପଣମାନଙ୍କୁ ଏହି ଦିଗରେ କାର୍ଯ୍ୟ କରିବାକୁ ହେବ। ଆଜି ଦେଶର ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଛି। ଆପଣମାନେ ନିରନ୍ତର ଶିକ୍ଷା ଓ ଅଧ୍ୟୟନ ଜାରି ରଖି ଏହି ସଫଳତା ହାସଲ କରିଛନ୍ତି। ଏବେ ଏଠାରୁ ନିରନ୍ତର ଶିକ୍ଷା ଓ ଦକ୍ଷତା ବିକାଶର ଏକ ନୂତନ ଯାତ୍ରା ଆରମ୍ଭ ହେଉଛି। ଆପଣମାନଙ୍କୁ ନିଜର ଦକ୍ଷତାର ନିରନ୍ତର ଉନ୍ନତି କରିବାକୁ ହେବ। ନୂତନ ପ୍ରଯୁକ୍ତିବିଦ୍ୟା ଓ ଆଧୁନିକ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ହେବ। ଏହି ଉଦ୍ଦେଶ୍ୟ ପୂରଣ ଦିଗରେ ମିଶନ କର୍ମଯୋଗୀ ଆପଣମାନଙ୍କୁ ସହାୟତା କରୁଛି। ଆଜି ୧ କୋଟି ୭୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଆଇଜିଓଟି  କର୍ମଯୋଗୀ ପ୍ଲାଟଫର୍ମ ସହ ଯୋଡ଼ି ହୋଇଛନ୍ତି। ଆପଣମାନଙ୍କ ଭଳି ନୂତନ ସାଥୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ 'କର୍ମଯୋଗୀ ପ୍ରାରମ୍ଭ' ପ୍ରସ୍ତୁତ କରାଯାଇଛି। ଆପଣମାନେ ନିଜକୁ ଯେତେ ଅଧିକ ଦକ୍ଷ ଓ କୁଶଳୀ କରିବେ, ଦେଶର ନାଗରିକମାନଙ୍କୁ ସେତେ ଉନ୍ନତ ଓ ଉତ୍ତମ ସେବା ଯୋଗାଇ ପାରିବେ।

 

ବନ୍ଧୁଗଣ,

 

ଆପଣମାନଙ୍କୁ ଆଉ ଏକ କଥା ସର୍ବଦା ମନେ ରଖିବାକୁ ହେବ। ସରକାରଙ୍କ ପ୍ରକୃତ ଶକ୍ତି ହେଉଛି ଦେଶର ନାଗରିକମାନଙ୍କ ବିଶ୍ୱାସ। ଆପଣ ଯେଉଁ ମନ୍ତ୍ରଣାଳୟରେ ଥାଆନ୍ତୁ କିମ୍ବା ଯେଉଁ ବିଭାଗରେ କାର୍ଯ୍ୟ କରନ୍ତୁ, ଆପଣଙ୍କ କାର୍ଯ୍ୟ କୌଣସି ନା କୌଣସି ଭାବେ ସାଧାରଣ ନାଗରିକଙ୍କ ଜୀବନକୁ ସ୍ପର୍ଶ କରିବ। ଆପଣଙ୍କ କାର୍ଯ୍ୟ ଯୋଗୁଁ ଜଣେ ବୟସ୍କ ବ୍ୟକ୍ତିଙ୍କ ପେନସନ୍ ମଞ୍ଜୁର ହୋଇପାରେ। ଜଣେ ଛାତ୍ରଙ୍କ ଛାତ୍ରବୃତ୍ତି ଆପଣଙ୍କ ଦାୟିତ୍ୱ ଉପରେ ନିର୍ଭର କରିପାରେ। ଆପଣଙ୍କ ବିଭାଗ ଜରିଆରେ ଜଣେ କୃଷକଙ୍କୁ ଆବଶ୍ୟକ ସୁବିଧା ମିଳିପାରେ। କୌଣସି ନାଗରିକଙ୍କ ପାଇଁ ଆପଣ ହିଁ ସରକାରଙ୍କ ପ୍ରତିନିଧି ବା ମୁଖ ହୋଇପାରନ୍ତି। ଆପଣଙ୍କ ବ୍ୟବହାର, ସମ୍ବେଦନଶୀଳତା, କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା ହିଁ ନିର୍ଣ୍ଣୟ କରିବ ଯେ, ଜଣେ ନାଗରିକ ସରକାରୀ ବ୍ୟବସ୍ଥାରୁ କିପରି ଅନୁଭୂତି ହାସଲ କରୁଛନ୍ତି।

 

ବନ୍ଧୁଗଣ,

 

ସରକାରୀ ସେବାରେ ଆମର ମୂଳମନ୍ତ୍ର ହେବା ଉଚିତ୍‌- “ନାଗରିକ ଦେବୋ ଭବ, ନାଗରିକ ଦେବୋ ଭବ।”

ନାଗରିକଙ୍କ ସେବା ହିଁ ରାଷ୍ଟ୍ରର ସେବା। ଆପଣମାନଙ୍କ କାର୍ଯ୍ୟ ଯେତେବେଳେ ଜଣେ ନାଗରିକଙ୍କ ଜୀବନକୁ ସହଜ ଓ ସୁଗମ କରିବ, ସେତେବେଳେ ଆପଣମାନଙ୍କ ସଫଳତା ଆହୁରି ସାର୍ଥକ ହେବ। ମୋର ଦୃଢ଼ ବିଶ୍ୱାସ ଯେ, ଆପଣମାନେ ଯେଉଁଠାରେ ଏବଂ ଯେଉଁ ବିଭାଗରେ କାର୍ଯ୍ୟ କରନ୍ତୁ ନା କାହିଁକି, ପୂର୍ଣ୍ଣ ନିଷ୍ଠା ଓ ସେବା ମନୋଭାବର ସହିତ ନିଜ ନିଜର ଦାୟିତ୍ୱ ନିର୍ବାହ କରିଚାଲିବେ।

 

ଆପଣ ସମସ୍ତଙ୍କୁ ପୁଣିଥରେ ମୋର ହାର୍ଦ୍ଦିକ ଅଭିନନ୍ଦନ।

 

ବହୁତ ବହୁତ ଧନ୍ୟବାଦ।

*****

SPD


(ରିଲିଜ ଆଡି: 2334237) ପରିଦର୍ଶକ କାଉଣ୍ଟର : 14