ପୋଷ୍ଟ କରାଯିବା ଦିନାଙ୍କ:
31 OCT 2026 9:34PM by PIB Bhubaneswar
ମୁଁ କହିବି, “ସର୍ଦ୍ଦାର ପଟେଲ”, ଆପଣମାନେ ସମସ୍ତେ ଉତ୍ତର ଦେବେ, “ଅମର ରହେ, ଅମର ରହେ।”
ସର୍ଦ୍ଦାର ପଟେଲ – ଅମର ରହେ, ଅମର ରହେ।
ସର୍ଦ୍ଦାର ପଟେଲ – ଅମର ରହେ, ଅମର ରହେ।
ସର୍ଦ୍ଦାର ପଟେଲ – ଅମର ରହେ, ଅମର ରହେ।
ମୋର ପ୍ରିୟ ଦେଶବାସୀଗଣ,
ଆଜିର ଏହି କାର୍ଯ୍ୟକ୍ରମ କିଛିଟା ଭିନ୍ନ । ଏ ପର୍ଯ୍ୟନ୍ତ ଆମେ ସବୁବେଳେ ଏକତା ଦିବସର ଏହି କାର୍ଯ୍ୟକ୍ରମ ସକାଳେ ଆୟୋଜନ କରିଆସିଛୁ । କିନ୍ତୁ ଏଥର ସାମାନ୍ୟ ପରିବର୍ତ୍ତନ ହୋଇଛି । ଆମେ ସମସ୍ତେ ସନ୍ଧ୍ୟାରେ ଏକାଠି ହୋଇଛୁ। ସକାଳେ ଲକ୍ଷ ଲକ୍ଷ ଦେଶବାସୀ ଜାତୀୟ ଏକତାର ସଂକଳ୍ପ ନେଇ ‘ରନ୍ ଫର୍ ୟୁନିଟି’ରେ ଭାଗ ନେଇଥିଲେ। ଏହି ଦୌଡ଼ରେ ଲୋକମାନଙ୍କ ଉତ୍ସାହ ଆମେ ଦେଖିଛୁ। ଗତକାଲି ସନ୍ଧ୍ୟାରେ ମୁଁ ଭାରତ ପର୍ବ ପାଭିଲିୟନରେ ଚମତ୍କାର ପ୍ରଦର୍ଶନ ଦେଖିଥିଲି। ଆଉ ଏବେ ଏହି ଜାତୀୟ ଅବସରରେ ଆମେ ସର୍ଦ୍ଦାର ପଟେଲଙ୍କ ପାଦପଦ୍ମରେ ଉପସ୍ଥିତ ଅଛୁ।
ବନ୍ଧୁଗଣ,
ଏହା ହେଉଛି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି, ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ । ଏହାର ନିର୍ମାଣରେ ସମଗ୍ର ଦେଶର ଅଂଶଗ୍ରହଣ, ଏହି ସ୍ଥାନର ଅନନ୍ୟ ଆଭା ଏବଂ ଏକତା ଦିବସର ଅସାଧାରଣ ଶକ୍ତି ଓ ପ୍ରେରଣା ଏଠାକୁ ଆସିଲେ ହୃଦୟକୁ ଗର୍ବ ଓ କୃତଜ୍ଞତାରେ ଭରିଦିଏ । ଏହି ମହାନ ରାଷ୍ଟ୍ରର ନାଗରିକ ହୋଇଥିବାରୁ ଗର୍ବ ଅନୁଭବ ହୁଏ ଏବଂ ସ୍ୱାଧୀନତା ପରେ ୫୫୦ରୁ ଅଧିକ ଦେଶୀୟ ରାଜ୍ୟକୁ ଏକତ୍ରିତ କରିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ହୃଦୟରେ କୃତଜ୍ଞତା ଜାଗ୍ରତ ହୁଏ । ତାଙ୍କର ଲୌହ ଦୃଢ଼ ସଂକଳ୍ପ ବଳରେ ସେ ଏହି ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିଲେ ।
ବନ୍ଧୁଗଣ,
ଯେକୌଣସି ରାଷ୍ଟ୍ର ପାଇଁ ସ୍ୱାଧୀନତା ଅତ୍ୟନ୍ତ ଆବଶ୍ୟକ। ଯେତେବେଳେ ଏକ ରାଷ୍ଟ୍ର ସ୍ୱାଧୀନ ହୁଏ, ସେତେବେଳେ ତାହା ନିଜର ଭବିଷ୍ୟତ ନିଜେ ନିର୍ଦ୍ଧାରଣ କରିଥାଏ। କିନ୍ତୁ ଏକ ସାଧାରଣତନ୍ତ୍ର ହିଁ ସ୍ୱାଧୀନତାକୁ ସଠିକ୍ ଦିଗ ପ୍ରଦାନ କରେ। ସମ୍ବିଧାନର ପରିଧି ମଧ୍ୟରେ ରହି କିପରି ନିଷ୍ପତ୍ତି ନେବାକୁ ହୁଏ, ତାହା ଆମକୁ ସାଧାରଣତନ୍ତ୍ର ଶିଖାଏ। ସମ୍ବିଧାନ ଆମକୁ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ କରିଥାଏ । ଆଉ ଏକତା ଆମକୁ ଗୋଟିଏ ରାଷ୍ଟ୍ର ଭାବେ ଆଗକୁ ବଢ଼ିବାର ଶକ୍ତି ଦିଏ । ସେଥିପାଇଁ ଆମ ଦେଶରେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଏବଂ ଏକତା ଦିବସକୁ ମହାନ ଜାତୀୟ ପର୍ବ ଭାବେ ବିପୁଳ ଉତ୍ସାହର ସହ ପାଳନ କରାଯାଏ।
ବନ୍ଧୁଗଣ,
ଆଜି ପୁଣି ଥରେ ଏକତା ନଗରରେ ଆମେ ଭାରତର ଏକତାର ଭବ୍ୟ ରୂପ ଦେଖିବାକୁ ପାଇଛୁ। ଏବର୍ଷର ଜାତୀୟ ଏକତା ପରେଡ୍ ମଧ୍ୟ ଅତ୍ୟନ୍ତ ଅସାଧାରଣ ରହିଛି। ଏହି ପରେଡ୍ ଆମର ପୋଲିସ ଓ ସୁରକ୍ଷା ବାହିନୀର ସାହସ ଏବଂ ବୀରତ୍ୱକୁ ସମର୍ପିତ। ପ୍ରଜ୍ଞାପନ ମେଢ଼ଗୁଡ଼ିକ ମାଧ୍ୟମରେ ଦେଶର ଐତିହ୍ୟ ଓ ଆକାଂକ୍ଷାକୁ ଉପସ୍ଥାପନ କରାଯାଇଛି। ତେଣୁ ଏକତା ଦିବସ ଆଉ କେବଳ ସରକାରୀ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ହୋଇ ରହିନାହିଁ । ଜନସାଧାରଣଙ୍କ ଅଂଶଗ୍ରହଣ ଯୋଗୁଁ ଏହା ଜାତୀୟ ଗର୍ବର ଏକ ମହାନ ଉତ୍ସବରେ ପରିଣତ ହୋଇଛି । ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶୁଭେଚ୍ଛା ଜଣାଉଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପାଦପଦ୍ମରେ ମୁଁ ଗଭୀର ଶ୍ରଦ୍ଧାର ସହ ପ୍ରଣାମ କରୁଛି।
ବନ୍ଧୁଗଣ,
ସର୍ଦ୍ଦାର ପଟେଲ ଭାରତର ଇତିହାସର ଏପରି ଜଣେ ମହାନ ବ୍ୟକ୍ତିତ୍ୱ, ଯାହାଙ୍କ ବିନା ଆଜିର ଭାରତକୁ କଳ୍ପନା କରିବା ମଧ୍ୟ କଷ୍ଟକର । ଆଜି ଆମେ ଯେଉଁ ଭାରତକୁ ଦେଖୁଛୁ, ତାହାର ରୂପରେଖ ପ୍ରସ୍ତୁତ କରିଥିଲେ ସର୍ଦ୍ଦାର ପଟେଲ । ବିଭାଜନ ପରେ ମଧ୍ୟ ଯିଏ ହିମାଳୟଠାରୁ ଭାରତ ମହାସାଗର ପର୍ଯ୍ୟନ୍ତ ଭାରତକୁ ସୁରକ୍ଷିତ ରଖିଥିଲେ, ସେ ହେଉଛନ୍ତି ସର୍ଦ୍ଦାର ପଟେଲ।
ବନ୍ଧୁଗଣ,
ସର୍ଦ୍ଦାର ପଟେଲ ଏହା କରିପାରିଥିଲେ, କାରଣ ସେ ଭାରତର ସ୍ୱଭାବ ଓ ଚେତନାକୁ ବୁଝିଥିଲେ। ସେ ଜାଣିଥିଲେ ଯେ ଭାରତର ବିବିଧତା ଏହାର ଦୁର୍ବଳତା ନୁହେଁ । ସେ ଜାଣିଥିଲେ ଯେ ଭାରତର ବିବିଧତା ହିଁ ପ୍ରକୃତରେ ଏହାର ଏକତାର ମୂଳଦୁଆ । ହଜାର ହଜାର ବର୍ଷ ଧରି ଆମେ ଏହିପରି ଭାବେ ଏକାଠି ବସବାସ କରିଆସିଛୁ । ଏହି ଶକ୍ତି ବଳରେ ହିଁ ଆମେ ପ୍ରଗତି ଓ ସମୃଦ୍ଧିର ଶୀର୍ଷରେ ପହଞ୍ଚିଥିଲୁ।
ବନ୍ଧୁଗଣ,
ସର୍ଦ୍ଦାର ପଟେଲ ପୁଣି ଥରେ ସେହି ଭାରତର ମୂଳଦୁଆ ସ୍ଥାପନ କରିଥିଲେ । ସେ କେବଳ ଦେଶର ଭୌଗୋଳିକ ସୀମାକୁ ଆକାର ଦେଇନଥିଲେ, ବରଂ ଭାବନାତ୍ମକ ଏକତା ମାଧ୍ୟମରେ ମଧ୍ୟ ଦେଶକୁ ଏକତ୍ରିତ କରିଥିଲେ । ଗୁଜରାଟର ସୋମନାଥ ମନ୍ଦିରର ପୁନର୍ନିର୍ମାଣ ମାଧ୍ୟମରେ ସେ ଦେଶର ସାଂସ୍କୃତିକ ପୁନର୍ଜାଗରଣର ମଧ୍ୟ ଶୁଭାରମ୍ଭ କରିଥିଲେ।
ବନ୍ଧୁଗଣ,
ଏବର୍ଷ ସେହି ମହାନ କାର୍ଯ୍ୟର ୭୫ତମ ବାର୍ଷିକୀ ମଧ୍ୟ ପାଳନ କରାଯାଉଛି । ଆକ୍ରମଣକାରୀମାନେ ବାରମ୍ବାର ଧ୍ୱଂସ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଯେପରି ସୋମନାଥ ମନ୍ଦିରର ଧ୍ୱଜା ହଜାର ବର୍ଷ ଧରି ଗର୍ବର ସହ ଉଡ଼ିଆସିଛି, ସେହି ଆତ୍ମସମ୍ମାନର ଭାବନା ଆମକୁ ‘ସୋମନାଥ ସ୍ୱାଭିମାନ ପର୍ବ’ ପାଳନ କରିବାକୁ ପ୍ରେରଣା ଦେଇଛି । ଏ ବର୍ଷ ସମଗ୍ର ଦେଶ ସେହି ଅବସରକୁ ସମାନ ଉତ୍ସାହର ସହ ପାଳନ କରୁଛି।
ମୋର ପ୍ରିୟ ଦେଶବାସୀଗଣ,
ଆଜି ଜାତୀୟ ଏକତାର ଏହି ମହାନ ଆୟୋଜନ, ବିଶ୍ୱ ମଞ୍ଚରେ ଭାରତର ବଢ଼ୁଥିବା ପ୍ରତିଷ୍ଠା, ଆମର ଦ୍ରୁତ ଅର୍ଥନୈତିକ ପ୍ରଗତି ଏବଂ କାଶୀ ବିଶ୍ୱନାଥଙ୍କଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଆମର ପବିତ୍ର ଧାର୍ମିକ କେନ୍ଦ୍ରଗୁଡ଼ିକର ପୁନରୁଦ୍ଧାର—ଏସବୁ ଭାରତ କେଉଁ ଦିଗରେ ଆଗକୁ ବଢ଼ୁଛି, ତାହାର ସଙ୍କେତ ଦେଉଛି । ଏହା ସେହି ପଥ, ଯାହା ଆମକୁ ସର୍ଦ୍ଦାର ପଟେଲ ଦେଖାଇଥିଲେ । ଏଥିପାଇଁ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ହୋଇ ରହିବ ।
ବନ୍ଧୁଗଣ,
ଗତବର୍ଷ ଆମେ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିଲୁ । ଦୁଇ ବର୍ଷ ଧରି ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବ ଆୟୋଜନ କରାଯାଇଥିଲା । ଆମେ ଦେଶ ପାଇଁ କେତେକ ବଡ଼ ସଂକଳ୍ପ ନେଇଥିଲୁ ଏବଂ ସେଗୁଡ଼ିକୁ ପୂରଣ କରିବାର ଶପଥ ନେଇଥିଲୁ । ଆଜି ତାଙ୍କର ୧୫୧ତମ ଜୟନ୍ତୀ ପାଳନ କରିବା ସମୟରେ ଆମେ ସନ୍ତୋଷର ସହ କହିପାରିବା ଯେ ଦେଶ ଅତି କମ୍ ସମୟ ମଧ୍ୟରେ ସେହି ସଂକଳ୍ପଗୁଡ଼ିକୁ ପୂରଣ କରିଛି । ଏହି ଦୁଇ ବର୍ଷ ମଧ୍ୟରେ ଦେଶ ଅନେକ ଅଭୂତପୂର୍ବ ସଫଳତା ହାସଲ କରିଛି ।
ବନ୍ଧୁଗଣ,
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏଠାରେ ତାଙ୍କ ପାଦପଦ୍ମରେ ଠିଆ ହୋଇ ମୁଁ କହିଥିଲି, ‘ଯେ ପର୍ଯ୍ୟନ୍ତ ଦେଶ ନକ୍ସଲବାଦ ଏବଂ ମାଓବାଦୀ ଆତଙ୍କରୁ ସମ୍ପୂର୍ଣ୍ଣ ମୁକ୍ତ ନହୋଇଛି, ସେ ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ ।‘ ଠିକ୍ ଏକ ବର୍ଷ ପରେ, ଆଜି ଆମେ ଏଠାରେ ଉପସ୍ଥିତ ଥିବାବେଳେ ସେହି ଜାତୀୟ ସଂକଳ୍ପ ପୂରଣ ହୋଇଛି । ଆଜି ଦେଶରେ ନକ୍ସଲବାଦର ମେରୁଦଣ୍ଡ ଭାଙ୍ଗିଯାଇଛି।
୨୦୧୫ ମସିହାରେ ଦେଶର ୧୨୬ଟି ଜିଲ୍ଲା ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଥିଲା । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରେ ଗୋଟିଏ ମଧ୍ୟ ଜିଲ୍ଲା ନକ୍ସଲବାଦ ଦ୍ୱାରା ପ୍ରଭାବିତ ରହିନାହିଁ । ଦଶନ୍ଧି ଦଶନ୍ଧି ଧରି ହିଂସା ଓ ରକ୍ତପାତର ଶିକାର ହୋଇଥିବା ଏହି ଅଞ୍ଚଳଗୁଡ଼ିକ ଏବେ ବିକାଶର ମୁଖ୍ୟଧାରାରେ ସାମିଲ ହେଉଛନ୍ତି । ଆଜି ଏହି ଅଞ୍ଚଳ ଗୁଡ଼ିକରେ ରାସ୍ତାଘାଟର ସମ୍ପ୍ରସାରଣ ହେଉଛି । ଲୋକମାନଙ୍କ ପାଖରେ ମୋବାଇଲ୍ ନେଟୱର୍କ ପହଞ୍ଚୁଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସୁବିଧା ବଢ଼ୁଛି । ଯେଉଁ ଯୁବକମାନେ ଦିନେ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଥିଲେ, ସେମାନଙ୍କ ପାଇଁ ଆଜି ଶିକ୍ଷା, ନିଯୁକ୍ତି ଓ ପ୍ରଗତିର ନୂଆ ସୁଯୋଗ ସୃଷ୍ଟି ହେଉଛି ।
ବନ୍ଧୁଗଣ,
ଏଥର ଏକତା ଦିବସର ଏହି ଉତ୍ସବରେ ନକ୍ସଲ ପ୍ରଭାବିତ ଅଞ୍ଚଳର କେତେକ ପରିବାର ଆମର ବିଶେଷ ଅତିଥି ଭାବେ ଯୋଗ ଦେଇଛନ୍ତି । ମୁଁ ସେମାନଙ୍କ ସମସ୍ତଙ୍କୁ ସ୍ୱାଗତ କରୁଛି ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ଆଜି ମୁଁ ଦେଶର ଏହି ଅଞ୍ଚଳ ଗୁଡ଼ିକରେ ଶାନ୍ତି ପ୍ରତିଷ୍ଠା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ସାହସୀ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଉଛି।
ବନ୍ଧୁଗଣ,
ଆଜି ଭାରତ ପୂର୍ବାପେକ୍ଷା ଅଧିକ ସୁରକ୍ଷିତ । ଆଜି ଭାରତ ପୂର୍ବାପେକ୍ଷା ଅଧିକ ଦୃଢ଼ ସଂକଳ୍ପବଦ୍ଧ । ଏହାର ଏକ ପ୍ରମୁଖ କାରଣ ହେଉଛି ଆମ ନାଗରିକମାନଙ୍କ ମଧ୍ୟରେ ବଢ଼ିଥିବା ଆତ୍ମବିଶ୍ୱାସ । ସଫଳତାରୁ ଆତ୍ମବିଶ୍ୱାସ ଆସେ । ସରକାର ଓ ବ୍ୟବସ୍ଥାର ସମ୍ବେଦନଶୀଳତାରୁ ମଧ୍ୟ ଆତ୍ମବିଶ୍ୱାସ ଆସେ । ଆଜି ମୁଁ ନିଶ୍ଚିତ ଭାବେ ଦେଶର ଏପରି ଏକ ବଡ଼ ସଫଳତା ବିଷୟରେ କହିବାକୁ ଚାହେଁ।
ବନ୍ଧୁଗଣ,
ସ୍ୱାଧୀନତା ପରଠାରୁ ଭାରତରୁ ଦାରିଦ୍ର୍ୟ ଦୂର କରିବା ନେଇ ଅନେକ ଆଲୋଚନା ହୋଇଆସିଛି । ଦାରିଦ୍ର୍ୟ ଦୂର କରିବାର ନାମରେ ଭୋଟ୍ ମଗାଯାଇଛି । କିନ୍ତୁ ଦେଶରେ ଦାରିଦ୍ର୍ୟର ପ୍ରକୃତ ସ୍ଥିତି କ’ଣ ଥିଲା, ତାହା ଆମେ ସମସ୍ତେ ଜାଣୁ । ଯେଉଁମାନେ ଦାରିଦ୍ର୍ୟ ଦୂର କରିବାର ସ୍ଲୋଗାନ ଦେଉଥିଲେ, ସେମାନେ ନିଜେ ଅଧିକ ଧନୀ ହୋଇଚାଲିଥିଲେ ।
ନିକଟ ଅତୀତରେ ପରିସ୍ଥିତିରେ ପରିବର୍ତ୍ତନ ଆସିବା ଆରମ୍ଭ ହୋଇଥିଲା । ମାତ୍ର କିଛି ଦିନ ପୂର୍ବରୁ ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ୨୦୨୪ ପୂର୍ବରୁ ଦଶରୁ ବାର ବର୍ଷ ମଧ୍ୟରେ ଭାରତର ୫୦ କୋଟି ଲୋକ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି । ଅର୍ଥାତ୍ ପୂର୍ବରୁ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୨୭ ଜଣ, ଅର୍ଥାତ୍ ଏକ ଚତୁର୍ଥାଂଶରୁ ଅଧିକ ଲୋକ ଯେଉଁମାନେ ଅତ୍ୟଧିକ ଦାରିଦ୍ର୍ୟରେ ରହୁଥିଲେ, ଆଜି ସେହି ସଂଖ୍ୟା ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୩ ଜଣରୁ ମଧ୍ୟ କମ୍ ହୋଇଯାଇଛି ।
ବନ୍ଧୁଗଣ,
ସମଗ୍ର ବିଶ୍ୱ ଏହାକୁ ଏକ ବଡ଼ ସଫଳତା ଭାବେ ସ୍ୱୀକାର କରୁଛି । କିନ୍ତୁ ଏହା କିପରି ସମ୍ଭବ ହେଲା ? ଏହା ସମ୍ଭବ ହୋଇଛି, କାରଣ ଗତ ବାର ବର୍ଷ ଧରି ଦେଶ ଗରିବଙ୍କ କଲ୍ୟାଣ ଓ ସଶକ୍ତୀକରଣକୁ ପ୍ରାଥମିକତା ଦେଇଆସିଛି ।
ଏହି ବାର ବର୍ଷ ମଧ୍ୟରେ ଦେଶରେ ଏକ ଛିଦ୍ରହୀନ ବ୍ୟବସ୍ଥା ଗଠନ ହୋଇଛି । ଡିବିଟି ମାଧ୍ୟମରେ ଦିଲ୍ଲୀରୁ ପଠାଯାଉଥିବା ପ୍ରତ୍ୟେକ ଟଙ୍କା ସିଧାସଳଖ ଗରିବଙ୍କ ପାଖରେ ପହଞ୍ଚିଛି । ମାଗଣା ରାସନ ଓ ମାଗଣା ସ୍ୱାସ୍ଥ୍ୟସେବା ଗରିବ ପରିବାରଗୁଡ଼ିକୁ ଅର୍ଥ ସଞ୍ଚୟ କରିବାରେ ସାହାଯ୍ୟ କରିଛି । କୋଟି କୋଟି ପକ୍କା ଘର, କୋଟି କୋଟି ଶୌଚାଳୟ ଏବଂ ଧୂଆଁମୁକ୍ତ ରୋଷେଇ ଘର ଗରିବଙ୍କ ଜୀବନକୁ ସହଜ କରିଛି । କୋଟି କୋଟି ଲୋକ ବୀମା ସୁରକ୍ଷା ପାଇଛନ୍ତି, ଯାହା ସଙ୍କଟ ସମୟରେ ସେମାନଙ୍କ ପାଇଁ ସହାୟକ ହୋଇଛି ।
୨୦୧୪ ପୂର୍ବରୁ ଦେଶର ୨୫ କୋଟି ଲୋକଙ୍କ ପାଖରେ ମଧ୍ୟ କୌଣସି ସାମାଜିକ ସୁରକ୍ଷା କଭରେଜ୍ ନଥିଲା । ଆଜି ଦେଶର ପ୍ରାୟ ୧୦୦ କୋଟି ଲୋକଙ୍କୁ ସାମାଜିକ ସୁରକ୍ଷାର ଜାଲ ମଧ୍ୟରେ ସାମିଲ କରାଯାଇଛି।
ବନ୍ଧୁଗଣ,
ଆଜି ଯେତେବେଳେ ସମଗ୍ର ଦେଶ ସର୍ଦ୍ଦାର ସାହେବଙ୍କୁ ସ୍ମରଣ କରୁଛି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି, ସେତେବେଳେ ତାଙ୍କର ଆତ୍ମା ନିଶ୍ଚିତ ଭାବେ ଆମକୁ ଆଶୀର୍ବାଦ କରୁଥିବେ । ଏପରି ପ୍ରୟାସ ମାଧ୍ୟମରେ ଆମେ ଦେଶରୁ ଦାରିଦ୍ର୍ୟ ଦୂର କରିବା ଏବଂ ଏକ ବିକଶିତ ଭାରତ ଗଠନ କରିବା ।
ବନ୍ଧୁଗଣ,
ଜାତୀୟ ଏକତା ଏକ ରାଷ୍ଟ୍ରର ସ୍ଥିରତା ଓ ସଫଳତାର ଗ୍ୟାରେଣ୍ଟି ଏବଂ ବର୍ତ୍ତମାନର ଏହି ବିଶ୍ୱବ୍ୟାପୀ ଅସ୍ଥିରତା ସମୟରେ ଏକତାର ଗୁରୁତ୍ୱ ଆହୁରି ବଢ଼ିଯାଇଛି । ଆପଣମାନେ ସମସ୍ତେ ଜାଣନ୍ତି ଯେ ଆଜି ସମଗ୍ର ବିଶ୍ୱ ଅଶାନ୍ତିର ନିଆଁରେ ଜଳୁଛି । ଗତ କିଛି ଦଶନ୍ଧି ମଧ୍ୟରେ ଏହା ଅନ୍ୟତମ କଠିନ ସମୟ । ବିଶ୍ୱର ଅନେକ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ବଡ଼ ବଡ଼ ଅର୍ଥନୀତିଗୁଡ଼ିକ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ସମ୍ବଳର ସଙ୍କଟ ବଢ଼ିଚାଲିଛି । ବିଶ୍ୱର ଯୋଗାଣ ଶୃଙ୍ଖଳା ବିଭକ୍ତ ହେବାରେ ଲାଗିଛି । ଏପରି ସମୟରେ ଭାରତର ଏକତା ଏବଂ ସମସ୍ତ ଭାରତୀୟଙ୍କ ଏକତା ହେଉଛି ଆମର ସବୁଠାରୁ ବଡ଼ ଶକ୍ତି । କାରଣ ଏହି ଏକତା ହିଁ ଆମକୁ ପ୍ରତ୍ୟେକ ଝଡ଼ରୁ ମୁକାବିଲା କରି ବାହାରିବାରେ ସାହାଯ୍ୟ କରିବ ।
ଭାଇ ଓ ଭଉଣୀମାନେ,
ଗତ କିଛି ମାସ ମଧ୍ୟରେ ଆମେ ବିଶ୍ୱକୁ ଏକ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଥିବା ଦେଖିଛୁ । କେତେକ ଦେଶରେ ପେଟ୍ରୋଲ ଓ ଡିଜେଲ କିଣିବା ଉପରେ ମଧ୍ୟ ସୀମା ନିର୍ଦ୍ଧାରଣ କରାଯାଇଥିଲା । କୁହାଯାଉଥିଲା ଯେ ଭାରତର ଜନସଂଖ୍ୟା ଏତେ ବିଶାଳ ଏବଂ ଦେଶରେ ପର୍ଯ୍ୟାପ୍ତ ପେଟ୍ରୋଲିୟମ୍ ଉତ୍ପାଦନ ହେଉନଥିବାରୁ ଭାରତ ସବୁଠାରୁ ବଡ଼ ସଙ୍କଟର ସମ୍ମୁଖୀନ ହେବ । ଏହି ଚିନ୍ତା ମଧ୍ୟରେ ଭାରତ ବିରୋଧୀ ଶକ୍ତିଗୁଡ଼ିକ ମଧ୍ୟ ସକ୍ରିୟ ହୋଇଉଠିଥିଲେ ।
କିନ୍ତୁ ବନ୍ଧୁଗଣ,
ଏହା ହେଉଛି ଭାରତର ଶକ୍ତି । ଆମେ ଏହି ବିଶ୍ୱବ୍ୟାପୀ ଶକ୍ତି ସଙ୍କଟର ପ୍ରଭାବ ଆମ ନାଗରିକମାନଙ୍କ ଉପରେ ପଡ଼ିବାକୁ ଦେଇନାହୁଁ । ଏହା ନିଶ୍ଚିତ ଭାବେ ଦେଶର ଏକ କୂଟନୈତିକ ଓ ରଣନୈତିକ ସଫଳତା, କିନ୍ତୁ ଆମ ଦେଶବାସୀଙ୍କ ଏକତା ଓ ସାମୂହିକ ସହଯୋଗ ମଧ୍ୟ ଏଥିରେ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।
ଯେତେବେଳେ ଦେଶ ବାହ୍ୟ ଆହ୍ୱାନଗୁଡ଼ିକର ସମାଧାନ ଖୋଜୁଥିଲା, ସେତେବେଳେ ଦେଶ ଭିତରେ କେତେକ ଶକ୍ତି ମିଥ୍ୟା ଓ ଗୁଜବ ପ୍ରଚାର କରି ଅସ୍ଥିରତା ସୃଷ୍ଟି କରିବାରେ ବ୍ୟସ୍ତ ଥିଲେ । କିନ୍ତୁ ଭାରତର ଲୋକମାନେ ଦେଶ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଥିଲେ । ଏହା ହିଁ ଏହି ଦେଶର ସବୁଠାରୁ ବଡ଼ ଶକ୍ତି । ଏହା ହିଁ ଆମ ଆତ୍ମବିଶ୍ୱାସର ସବୁଠାରୁ ଦୃଢ଼ ଆଧାର ।
ବନ୍ଧୁଗଣ,
ଯେତେବେଳେ ସର୍ଦ୍ଦାର ପଟେଲ ଏବଂ ବାବାସାହେବ ଆମ୍ବେଦକରଙ୍କ ପରି ମହାନ ନେତାମାନେ ଭାରତୀୟ ସମ୍ବିଧାନ ରଚନା କରିଥିଲେ, ସେତେବେଳେ ସେମାନେ ଶାସକ ଦଳ ଓ ବିରୋଧୀ ଦଳର ବ୍ୟବସ୍ଥା ସ୍ଥାପନ କରିଥିଲେ । ଏହି ବ୍ୟବସ୍ଥାର ଗୁରୁତ୍ୱ ମଧ୍ୟ ସେମାନେ ବୁଝାଇଥିଲେ ।
ଗଣତନ୍ତ୍ରରେ ବିରୋଧୀ ଦଳର ଦାୟିତ୍ୱ ହେଉଛି ସରକାରଙ୍କ ନୀତିଗୁଡ଼ିକୁ ବିରୋଧ କରିବା । କିନ୍ତୁ ଦୁର୍ଭାଗ୍ୟବଶତଃ ଆଜିର ଭାରତରେ ବିରୋଧୀ ଦଳ ନିଜର କର୍ତ୍ତବ୍ୟ ତ୍ୟାଗ କରି ବିରୋଧୀ ଦଳରୁ ବାଧା ସୃଷ୍ଟିକାରୀ ଦଳରେ ପରିଣତ ହୋଇଛି । ନିଜର ହତାଶା ଓ ନିରାଶାରେ ସେମାନେ ଦେଶର ବିକାଶ ପଥରେ ବାଧା ସୃଷ୍ଟି କରିବାକୁ ଲାଗିଛନ୍ତି । ଏହା ବିରୋଧ ନୁହେଁ, ଏହା ହେଉଛି ବାଧା ସୃଷ୍ଟି କରିବା । ସେମାନେ ଏହାକୁ ନିଜ ରାଜନୀତିର ଆଧାର କରିନେଇଛନ୍ତି । ସେମାନେ ସମ୍ବିଧାନର ମର୍ୟ୍ୟାଦା ଓ ମୂଳ ଭାବନାକୁ ନଷ୍ଟ କରିବାରେ ଲାଗିଛନ୍ତି।
ବନ୍ଧୁଗଣ,
ଏହି ଶକ୍ତିଗୁଡ଼ିକ ଦେଶକୁ ବିଭାଜିତ କରିବା ପାଇଁ ନିରନ୍ତର ଷଡ଼ଯନ୍ତ୍ର କରୁଛନ୍ତି । ଭାରତ ମାତାର ସନ୍ତାନମାନଙ୍କୁ ପରସ୍ପରଠାରୁ ଅଲଗା କରିବା ଏବଂ ସେମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବାର ପ୍ରୟାସ ହେଉଛି । ଏକ ଦଶନ୍ଧିରୁ ଅଧିକ ସମୟର ହତାଶା ଓ ନିରାଶା କାରଣରୁ ଏହି ଲୋକମାନେ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି ।
କିଏ ବିଦେଶରେ ଗୁପ୍ତ ଭାବେ କାହା ସହିତ ସାକ୍ଷାତ କରୁଛି, କେଉଁ ଭାରତ ବିରୋଧୀ ଶକ୍ତି କାହାକୁ ସମର୍ଥନ କରୁଛନ୍ତି ଏବଂ କିଏ ଭାରତର ଶତ୍ରୁମାନଙ୍କ ଭାଷା କହୁଛି, ତାହା ଆମକୁ ଚିହ୍ନିବାକୁ ହେବ । ଆମକୁ ଏହି ଧାରାଗୁଡ଼ିକୁ ବୁଝିବାକୁ ହେବ । ଏକଜୁଟ ହୋଇ ଏହାର ମୁକାବିଲା କରିବାକୁ ହେବ ।
ବିଶେଷ କରି ସାମାଜିକ ଗଣମାଧ୍ୟମକୁ ଯେପରି ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି, ଯେପରି ଗୁଜବ ପ୍ରଚାର କରାଯାଉଛି ଏବଂ ଭାରତର ଛବିକୁ କ୍ଷତି ପହଞ୍ଚାଇବା ପାଇଁ ଯେଉଁ ପ୍ରୟାସ ହେଉଛି, ସେହି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସମସ୍ତ ନାଗରିକଙ୍କୁ ଏକାଠି ହେବାକୁ ପଡ଼ିବ ।
ଆମେ ଦୁର୍ଗମ ଅଞ୍ଚଳରୁ ନକ୍ସଲବାଦକୁ ଶେଷ କରିଛୁ । କିନ୍ତୁ ବୌଦ୍ଧିକ ନକ୍ସଲବାଦର ବିପଦ ଏ ପର୍ଯ୍ୟନ୍ତ ଦେଶରୁ ଦୂର ହୋଇନାହିଁ । ଏହି ବୌଦ୍ଧିକ ନକ୍ସଲମାନଙ୍କ ପ୍ରତି ଦେଶକୁ ସର୍ବଦା ସତର୍କ ରହିବାକୁ ପଡ଼ିବ ।
ବନ୍ଧୁଗଣ,
ପରିସ୍ଥିତି ଯେତେ କଠିନ ହେଉନା କାହିଁକି, ଜାତୀୟ ଏକତାର ଏହି ମହାନ ଅଭିଯାନ ଏବଂ ଏକ ଶକ୍ତିଶାଳୀ ଓ ସକ୍ଷମ ଭାରତ ଗଠନର ଏହି ଯାତ୍ରାକୁ ଆମେ ଅଟକିବାକୁ ଦେବା ନାହିଁ । ଏବେ ଆମକୁ ପରବର୍ତ୍ତୀ ବଡ଼ ଲକ୍ଷ୍ୟଗୁଡ଼ିକ ଦିଗରେ କାମ କରିବାକୁ ହେବ ।
ଆମକୁ ଦେଶର ସୀମାଗୁଡ଼ିକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବାକୁ ହେବ । ଅନୁପ୍ରବେଶ ଏବଂ ତାହା ଯୋଗୁଁ ସୃଷ୍ଟି ହେଉଥିବା ଜନସାଂଖ୍ୟିକ ପରିବର୍ତ୍ତନକୁ ରୋକିବାକୁ ହେବ । ଏହା ସହିତ ଆମକୁ ଏକ ‘ଧର୍ମନିରପେକ୍ଷ ନାଗରିକ ସଂହିତା’ ଆଡ଼କୁ ମଧ୍ୟ ଆଗକୁ ବଢ଼ିବାକୁ ହେବ ।
ବନ୍ଧୁଗଣ,
ଯେତେବେଳେ କୌଣସି ରାଷ୍ଟ୍ର ବଡ଼ ସଂକଳ୍ପ ନିଏ, ଯେତେବେଳେ ବଡ଼ ବଡ଼ ନିଷ୍ପତ୍ତି ନେଇଥାଏ, ସେତେବେଳେ ବାଧା ଆସିବ, ସମସ୍ୟା ଦେଖାଦେବ ଏବଂ ଅନେକ ଝଡ଼ର ସାମ୍ନା କରିବାକୁ ପଡ଼ିବ । କିନ୍ତୁ ଭାରତ ଆଉ ଅଟକିବାକୁ ଯାଉନାହିଁ ।
‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମନ୍ତ୍ର ଏବଂ ବିକଶିତ ଭାରତର ଲକ୍ଷ୍ୟ ଏବେ ଭାରତର ଅଟଳ ସଂକଳ୍ପରେ ପରିଣତ ହୋଇଛି । ଆମେ ନିଜକୁ କଠିନ ପରିଶ୍ରମର ସର୍ବୋଚ୍ଚ ସୀମା ପର୍ଯ୍ୟନ୍ତ ନେଇଯିବୁ । ପ୍ରତ୍ୟେକ ଝଡ଼ର ସାହସର ସହ ମୁକାବିଲା କରିବୁ । କିନ୍ତୁ ଆମର ନଜର କେବଳ ଗୋଟିଏ ଲକ୍ଷ୍ୟ ଉପରେ ରହିବ—୨୦୪୭ ମସିହା ସୁଦ୍ଧା ଏକ ଶକ୍ତିଶାଳୀ, ସକ୍ଷମ ଓ ବିକଶିତ ଭାରତ ଗଠନ କରିବା । ସେହି ବର୍ଷ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ ।
ଆମର ପ୍ରତ୍ୟେକ ପ୍ରୟାସରେ ଏହି ଉତ୍ସାହ ରହିବା ଆବଶ୍ୟକ । ଆମର ପ୍ରତ୍ୟେକ ନିଶ୍ୱାସରେ ଏହି ସଂକଳ୍ପ ରହିବା ଦରକାର । ଆମ ହୃଦୟର ପ୍ରତ୍ୟେକ ସ୍ପନ୍ଦନରେ ଏହି ଭାବନା ପ୍ରତିଧ୍ୱନିତ ହେବା ଆବଶ୍ୟକ ।
ଏହି ସଂକଳ୍ପ ସହିତ ମୁଁ ପୁଣି ଥରେ ଆପଣମାନଙ୍କ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ବନ୍ଦେ ମାତରମ୍।
ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।
*******