ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନଭେମ୍ବର ୨ରେ ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ



ଶିଖର ସମ୍ମିଳନୀର ବିଷୟବସ୍ତୁ - ‘ନିବେଶ କରନ୍ତୁ, ନବସୃଜନ କରନ୍ତୁ ଓ ପ୍ରେରଣା ଦିଅନ୍ତୁ’

ଏହି ସମ୍ମିଳନୀରେ ୧୩୦ରୁ ଅଧିକ ଦେଶ, ୯ଟି ସହଭାଗୀ ଦେଶ ଏବଂ ୪୦ ଜଣ ମନ୍ତ୍ରୀ ଯୋଗଦେବେ

୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନବୀକରଣୀୟ ଶକ୍ତି କ୍ଷେତ୍ରର ସମ୍ଭାବନା ଓ ନିବେଶ ସୁଯୋଗ ପ୍ରଦର୍ଶନ

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2026 5:43PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨ ତାରିଖ ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍‌ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬କୁ ଉଦ୍‌ଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

 

ଚାରି ଦିନିଆ ଏହି ଶିଖର ସମ୍ମିଳନୀ ୨ ରୁ ୫ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ନିବେଶ କରନ୍ତୁ, ନବସୃଜନ କରନ୍ତୁ ଓ ପ୍ରେରଣା ଦିଅନ୍ତୁ’।

 

ଭାରତ ଆର୍‌ଇ-୨୦୨୬ରେ ୧୩୦ରୁ ଅଧିକ ଦେଶର ପ୍ରତିନିଧି ଯୋଗଦେବେ। ଏଥିରେ ୪୦ରୁ ଅଧିକ ମନ୍ତ୍ରୀଙ୍କ ସମେତ ନୀତି ନିର୍ଦ୍ଧାରକ, ନିବେଶକ, ଆର୍ଥିକ ପ୍ରତିଷ୍ଠାନ ଏବଂ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିବିଶେଷ ସାମିଲ ରହିବେ। ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନିବେଶ, ଶିଳ୍ପ ସହଭାଗିତା ଏବଂ ବୈଷୟିକ ଜ୍ଞାନକୌଶଳର ଆଦାନପ୍ରଦାନ ପାଇଁ ଏହା ଏକ ବିଶ୍ୱସ୍ତରୀୟ ମଞ୍ଚ ଭାବେ କାର୍ଯ୍ୟ କରିବ। ଅଷ୍ଟ୍ରେଲିଆ, ଡେନମାର୍କ, ୟୁରୋପୀୟ ସଂଘ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ନରୱେ, ସ୍ୱିଡେନ ଏବଂ ବ୍ରିଟେନ ସହଭାଗୀ ଦେଶ ଭାବେ ଏଥିରେ ଯୋଗଦେବେ।

 

ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ନିଜର ନବୀକରଣୀୟ ଶକ୍ତି କ୍ଷେତ୍ରର ସମ୍ଭାବନା, ନିବେଶ ସୁଯୋଗ ଏବଂ ଉତ୍ପାଦନ କ୍ଷମତା ପ୍ରଦର୍ଶନ କରିବେ।

 

ଏହି ଶିଖର ସମ୍ମିଳନୀ ସହିତ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସ୍‌ଏ)ର ନବମ ଅଧିବେଶନ ଏବଂ ଚତୁର୍ଥ ଅନ୍ତର୍ଜାତୀୟ ସବୁଜ ହାଇଡ୍ରୋଜେନ୍ ସମ୍ମିଳନୀ (ଆଇସିଜିଏଚ୍‌) ମଧ୍ୟ ଆୟୋଜିତ ହେବ। ଭାରତ ଆର୍‌ଇ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନିବେଶ, ଶିଳ୍ପ ଏବଂ ବୈଷୟିକ ସହଭାଗିତା ଉପରେ ଗୁରୁତ୍ୱ ଦେବ। ଅନ୍ୟପକ୍ଷରେ, ଆଇଏସ୍‌ଏ ଅଧିବେଶନ ସୌର ଶକ୍ତି କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗ, ଆର୍ଥିକ ସହାୟତା ଏବଂ ଅନୁଷ୍ଠାନିକ ଦକ୍ଷତା ବୃଦ୍ଧିକୁ ଆଗକୁ ବଢ଼ାଇବ। ଆଇସିଜିଏଚ୍‌ ସମ୍ମିଳନୀରେ ସବୁଜ ହାଇଡ୍ରୋଜେନ୍ ପ୍ରଯୁକ୍ତି, ନିବେଶ ଏବଂ ଏହାର ବ୍ୟାପକ ପ୍ରସାର ଉପରେ ଆଲୋଚନା ହେବ। ଏହି ତିନୋଟି ମଞ୍ଚ ମିଳିତ ଭାବେ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବା ସହ ସ୍ୱଚ୍ଛ ଶକ୍ତିର ବ୍ୟବହାର ଓ ପ୍ରସାରକୁ ତ୍ୱରାନ୍ୱିତ କରିବ।

 

ଭାରତର ପ୍ରମୁଖ ନବୀକରଣୀୟ ଶକ୍ତି ନିବେଶ ସମ୍ମିଳନୀ ‘ରି-ଇନଭେଷ୍ଟ’ର ସଫଳ ପରମ୍ପରାକୁ ଆଗକୁ ବଢ଼ାଇ ଭାରତ ଆର୍‌ଇ-୨୦୨୬ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଭାଗିତା ପାଇଁ ଏକ ବିସ୍ତାରିତ ମଞ୍ଚ ପ୍ରଦାନ କରିବ। ଏହି ସମ୍ମିଳନୀ ପୁଞ୍ଜିନିବେଶ, ସହଭାଗୀତା ଏବଂ ପ୍ରକଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସାୟ-ରୁ-ବ୍ୟବସାୟ (B2B), ବ୍ୟବସାୟ-ରୁ-ସରକାର (B2G) ଏବଂ ସରକାର-ରୁ-ସରକାର (G2G) ସମ୍ପର୍କ ସହିତ ପୂର୍ଣ୍ଣାଙ୍ଗ ଅଧିବେଶନ, ମନ୍ତ୍ରୀସ୍ତରୀୟ ଆଲୋଚନା, ସିଇଓ ଗୋଲଟେବୁଲ୍ ବୈଠକ ଏବଂ ଦେଶ ଓ ରାଜ୍ୟ ଅଧିବେଶନ ମଧ୍ୟ ଆୟୋଜନ କରିବ। ଏହି ପ୍ରଦର୍ଶନୀରେ ୪୦୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ। ସେମାନେ ଉନ୍ନତ ଜ୍ଞାନକୌଶଳ, ଭାରତୀୟ ଉତ୍ପାଦନ କ୍ଷମତା ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ପ୍ରଦର୍ଶନ କରିବେ। ଏଥିରେ ସୌର ଓ ପବନ ଶକ୍ତି, ସବୁଜ ହାଇଡ୍ରୋଜେନ୍, ଶକ୍ତି ସଂରକ୍ଷଣ ଏବଂ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରର ନୂତନ ଜ୍ଞାନକୌଶଳ ସ୍ଥାନ ପାଇବ।

 

*****

MT


(ରିଲିଜ ଆଡି: 2331345) ପରିଦର୍ଶକ କାଉଣ୍ଟର : 12