ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
azadi ka amrit mahotsav

ଟୋଲ୍ ପ୍ଲାଜା ନିକଟବର୍ତ୍ତୀ ବାସିନ୍ଦାଙ୍କ ପାଇଁ ରିହାତି ଦରରେ ଲୋକାଲ୍ ପାସ୍


ଟୋଲ୍ ପ୍ଲାଜାର ୨୦ କିମି ପରିଧିରେ ରହୁଥିବା ଯୋଗ୍ୟ ଗାଡ଼ି ମାଲିକଙ୍କୁ ବାର୍ଷିକ ୧,୫୦୦ ଟଙ୍କାରେ ଲୋକାଲ୍ ପାସ୍

ସହରାଞ୍ଚଳର ଟୋଲ୍ ପ୍ଲାଜା ପାଇଁ ବାର୍ଷିକ ୩,୦୦୦ ଟଙ୍କାରେ ରିହାତି ଲୋକାଲ୍ ପାସ୍

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2026 5:51PM by PIB Bhubaneswar

୨୭.୧୦.୨୦୨୬: ଜାତୀୟ ରାଜପଥର ଟୋଲ୍ ପ୍ଲାଜା ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ନାଗରିକଙ୍କ ଜୀବନଧାରଣକୁ ଅଧିକ ସହଜ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଭାରତ ସରକାର ‘ରିହାତି ଲୋକାଲ୍ ପାସ୍’ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଜାତୀୟ ରାଜପଥର ଟୋଲ୍ ପ୍ଲାଜାଠୁ ୨୦ କିଲୋମିଟର ପରିଧି ମଧ୍ୟରେ ବସବାସ କରୁଥିବା ଯୋଗ୍ୟ ଅଣ-ବ୍ୟବସାୟିକ ଯାନ ମାଲିକମାନେ ଏହି ସୁବିଧା ପାଇପାରିବେ। ଏହି ନୂତନ ବ୍ୟବସ୍ଥା ୨୦୨୬ ନଭେମ୍ବର ୧ ତାରିଖରୁ ଲାଗୁ ହେବ।

ମ୍ୟୁନିସିପାଲିଟି କିମ୍ବା ସ୍ଥାନୀୟ ସହରାଞ୍ଚଳ ସୀମା ବାହାରେ ଅବସ୍ଥିତ ଟୋଲ୍ ପ୍ଲାଜାଗୁଡ଼ିକ ପାଇଁ ଏହି ରିହାତିଯୁକ୍ତ ଲୋକାଲ୍‌ ପାସ୍ ର ବାର୍ଷିକ ଶୁଳ୍କ ୧,୫୦୦ ଟଙ୍କା ରହିବ ଏବଂ ଉକ୍ତ ସୀମା ମଧ୍ୟରେ ଥିବା ଟୋଲ୍ ପ୍ଲାଜାଗୁଡ଼ିକ ପାଇଁ ଏହି ଶୁଳ୍କ ୩,୦୦୦ ଟଙ୍କା ହେବ।

ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ୨୦ କିଲୋମିଟର ପରିସର ମଧ୍ୟରେ ରହୁଥିବା ଏବଂ ଏକ ବୈଧ ତଥା କାର୍ଯ୍ୟକ୍ଷମ ଫାଷ୍ଟ୍ୟାଗ୍ ଥିବା ଯୋଗ୍ୟ ଅଣ-ବ୍ୟବସାୟିକ ଯାନ ମାଲିକମାନେ, ନିର୍ଦ୍ଦିଷ୍ଟ ଟୋଲ୍ ପ୍ଲାଜା ଦେଇ ଯାତାୟାତ କରିବା ପାଇଁ ପୂର୍ବରୁ ଥିବା ମାସିକ ପାସ୍ କିମ୍ବା ଏହି ନୂତନ ରିହାତିଯୁକ୍ତ ସ୍ଥାନୀୟ ପାସ୍ ମଧ୍ୟରୁ ଯେକୌଣସି ଗୋଟିଏକୁ ବାଛିପାରିବେ। ଏହି ପାସ୍ କେବଳ ସେହି ନିର୍ଦ୍ଦିଷ୍ଟ ଟୋଲ୍ ପ୍ଲାଜା ପାଇଁ ବୈଧ ହେବ ଏବଂ ଅନ୍ୟ କୌଣସି ଟୋଲ୍ ପ୍ଲାଜାରେ ଏହା ବ୍ୟବହାର କରାଯାଇପାରିବ ନାହିଁ।

ଯେଉଁ ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସୱେରେ କ୍ଲୋଜଡ୍ ୟୁଜର୍-ଫି ବ୍ୟବସ୍ଥା ମାଧ୍ୟମରେ ଟୋଲ୍ ଶୁଳ୍କ ଆଦାୟ କରାଯାଏ, ସେଠାରେ ରିହାତିଯୁକ୍ତ ଲୋକାଲ୍ ପାସ୍ ଉପଲବ୍ଧ ହେବ ନାହିଁ। ଏହା ବ୍ୟତୀତ, ଯେଉଁ ସ୍ଥାନରେ ଯାତ୍ରୀମାନଙ୍କ ପାଇଁ ସର୍ଭିସ୍ ରୋଡ୍ କିମ୍ବା ଅନ୍ୟ କୌଣସି ବିକଳ୍ପ ରାସ୍ତା ଉପଲବ୍ଧ ଅଛି, ସେଠାରେ ମଧ୍ୟ ଏହି ପାସ୍ ଜାରି କରାଯିବ ନାହିଁ।

ଯୋଗ୍ୟ ଟୋଲ୍ ପ୍ଲାଜାଗୁଡ଼ିକରେ ୦୧.୧୧.୨୦୨୬ ତାରିଖରୁ ବାର୍ଷିକ ଲୋକାଲ୍ ପାସ୍ ଉପଲବ୍ଧ ହେବ। ଏହା ସହିତ, ୦୧.୧୨.୨୦୨୬ ତାରିଖରୁ ରାଜମାର୍ଗଯାତ୍ରା ଆପ୍ ମାଧ୍ୟମରେ ମଧ୍ୟ ଏହି ପାସ୍ ପାଇହେବ।

ନ୍ୟାସନାଲ୍ ହାଇୱେ ଆକ୍ଟ, ୧୯୫୬ ଅଧୀନରେ ପ୍ରଦତ୍ତ କ୍ଷମତା ବଳରେ, 'ନ୍ୟାସନାଲ୍ ହାଇୱେଜ୍ ଫି (ଡିଟର୍ମିନେସନ୍ ଅଫ୍ ରେଟ୍ସ ଆଣ୍ଡ କଲେକ୍ସନ୍) (ପଞ୍ଚମ ସଂଶୋଧନ) ରୁଲ୍ସ, ୨୦୨୬' ମାଧ୍ୟମରେ ଏହି ସଂଶୋଧନ ବିଷୟରେ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦ୍ର ସରକାର ପ୍ରତିବର୍ଷ ଏହି ଶୁଳ୍କ ହାରରେ ପରିବର୍ତ୍ତନ କରିପାରିବେ ଏବଂ ଏହି ପରିବର୍ତ୍ତନଗୁଡ଼ିକ ପ୍ରତିବର୍ଷ ୧ ଅପ୍ରେଲରୁ ଲାଗୁ ହେବ।

ଦେଶବ୍ୟାପୀ ୧୩ କୋଟିରୁ ଅଧିକ ଫାଷ୍ଟ୍ୟାଗ୍ ଜାରି କରାଯାଇଥିବା ବେଳେ, ଏହି ନୂତନ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଟୋଲ୍ ପ୍ଲାଜା ନିକଟରେ ରହୁଥିବା ଯୋଗ୍ୟ ବାସିନ୍ଦାମାନଙ୍କ ପାଇଁ ଯାତ୍ରାକୁ ଅଧିକ ସୁଲଭ କରିବା ଏବଂ ସ୍ଥାନୀୟ ଲୋକଙ୍କ ଯାତାୟାତକୁ ଅଧିକ ସୁବିଧାଜନକ କରିବା।

***


(ରିଲିଜ ଆଡି: 2329223) ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Tamil