ପୋଷ୍ଟ କରାଯିବା ଦିନାଙ୍କ:
15 OCT 2026 2:41PM by PIB Bhubaneswar
କାର୍ଯ୍ୟକ୍ରମରେ ଉପସ୍ଥିତ ଏଲ୍ ଜି ଶ୍ରୀ ଭି.କେ. ସକ୍ସେନା ଜୀ, ବିଆରଓ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସମସ୍ତ ବରିଷ୍ଠ ଅଧିକାରୀଗଣ, କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଅଧିକାରୀଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମୋର ପ୍ରିୟ ଭାଇ ଓ ଭଉଣୀମାନେ।
ଲଦାଖ ସି ମି-ମଗ୍ନସ୍ କୁନ୍ଲା, ଜୁଲେ!"
ଆଜି ଲଦାଖର ପ୍ରଗତି ଏବଂ ବିକାଶରେ ଆଉ ଏକ ଅଧ୍ୟାୟ ଯୋଡା ହେଉଛି। ମୋତେ ଖୁସି ଲାଗୁଛି ଯେ, ମୁଁ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହି ଅବସରରେ ସାମିଲ ହୋଇପାରିଛି । ଆଜି ଲଦାଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଅନେକ ଲୋକଙ୍କ ପାଇଁ ଯାତ୍ରାକୁ ସହଜ କରିବ, ବିଦ୍ୟୁତ ସୁବିଧାରେ ଉନ୍ନତି ଆଣିବ, ଜଳ ଉପଲବ୍ଧତା ବୃଦ୍ଧି କରିବ ଏବଂ ଆମର ପ୍ରାଚୀନ ଐତିହ୍ୟର ସଂରକ୍ଷଣକୁ ମଧ୍ୟ ନୂତନ ପ୍ରେରଣା ଦେବ। ବର୍ତ୍ତମାନ ମୁଁ ଜାନ୍ସକାରରେ ତୁଷାରପାତ ହେଉଥିବା ଦେଖୁଥିଲି, ଜାନ୍ସକାର ଲୋକଙ୍କ ମଧ୍ୟରେ ଉତ୍ସାହ, ତୁଷାରପାତ ସମୟରେ ତ୍ରିରଙ୍ଗା ଲହରାଇବା ପାଇଁ ସେମାନଙ୍କ ମଧ୍ୟରେ ଥିବା ଉଦ୍ଦିପନା ଏବଂ ଉତ୍କଣ୍ଠାକୁ ମଧ୍ୟ ଦେଖିପାରୁଥିଲି।
ବନ୍ଧୁଗଣ,
ଏହା ମୋର ଲେହ, ଲଦାଖ। ମୁଁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଲଦାଖର ସମସ୍ତ ଲୋକଙ୍କୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି। ମୁଁ ଏହି ପ୍ରକଳ୍ପଗୁଡ଼ିକରେ ସାମିଲ ହୋଇଥିବା ସମସ୍ତ ଇଞ୍ଜିନିୟର, ଶ୍ରମିକ ଏବଂ ସ୍ଥାନୀୟ ସହକର୍ମୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ମୁଁ ବିଆରଓ ସହକର୍ମୀମାନଙ୍କୁ ମଧ୍ୟ ବିଶେଷ ଭାବରେ କୃତଜ୍ଞତା ଜଣାଉଛି।
ବନ୍ଧୁଗଣ,
କିଛି ସମୟ ପୂର୍ବରୁ, ମୁଁ ଲେହର କୁଶୋକ ବକୁଲା ରିନପୋଛେ ବିମାନବନ୍ଦର, ଟର୍ମିନାଲ କୋଠା ପାଇଁ ଶିଳାନ୍ୟାସ କରିଥିଲି। ଏବଂ ଏହା ମୋର ସୌଭାଗ୍ୟ ଯେ, ଆଜି ମୋତେ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଉଦଘାଟନ କରିବାର ସୁଯୋଗ ମିଳିଛି। ପ୍ରାୟ ସାଢେ ଛଅ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟର୍ମିନାଲ , ଏହି ବିମାନବନ୍ଦରରେ ବାର୍ଷିକ ଯାତ୍ରୀ କ୍ଷମତା, ଦଶ ଲକ୍ଷରୁ ବୃଦ୍ଧି ଘଟି ଏହା ୩୫ ଲକ୍ଷକୁ ବୃଦ୍ଧି ହେବ। ଏଠାରେ ଉଡ଼ାଣ ସଂଖ୍ୟା ମଧ୍ୟ ତିନି ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବ। ଏହି ଟର୍ମିନାଲର ଆଉ ଏକ ବିଶେଷ ବିଶେଷତା ଅଛି। ଲଦାଖର କଠୋର ଜଳବାୟୁକୁ ଧ୍ୟାନରେ ରଖି, ଏଥିରେ ଜିୟୋଥର୍ମଲ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। ସୌରଶକ୍ତି ମଧ୍ୟ ଏଥିରେ ବ୍ୟବହାର କରାଯାଇଛି। ଏହା ଭାରତର ପ୍ରଥମ ବିମାନବନ୍ଦର ଟର୍ମିନାଲ ଯାହା ଭୂତାପୀୟ ଗରମ ସୁବିଧା ପ୍ରଦାନ କରିବ। ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ। ଆମର ପ୍ରୟାସ ହେଉଛି ଲଦାଖରେ ଆଧୁନିକ ଭିତ୍ତିଭୂମି ବିକାଶ କରିବା ଏବଂ ପରିବେଶର ସମ୍ପୂର୍ଣ୍ଣ ଯତ୍ନ ନେବା। ଏହି ବିମାନବନ୍ଦର ଟର୍ମିନାଲ ଲଦାଖର ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ନୂତନ ଶକ୍ତି ପ୍ରବେଶ କରାଇବ। ମୁଁ ଏହି ଆଧୁନିକ ବିମାନବନ୍ଦର ଟର୍ମିନାଲ ପାଇଁ ଲଦାଖର ସମସ୍ତ ଭାଇ ଏବଂ ଭଉଣୀମାନଙ୍କୁ ହୃଦୟରୁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଆଜି ଯେଉଁ ଅନ୍ୟ ପ୍ରକଳ୍ପଗୁଡ଼ିକ ଉଦଘାଟନ କରାଯାଇଛି, ସେଗୁଡ଼ିକ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଜି, ନିମ୍ମୁ-ପଦୁମ-ଦାରଚା ରାସ୍ତା, ଲଦାଖର ଲୋକଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଏଥିପାଇଁ ପ୍ରାୟ ଅଢେଇ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଯେଉଁ ଯାତ୍ରା ପାଇଁ ପୂର୍ବରୁ ପ୍ରାୟ ବାର ଘଣ୍ଟା ଲାଗୁଥିଲା , ବର୍ତ୍ତମାନ ଏହି ଯାତ୍ରା ପ୍ରାୟ ତିନି ଘଣ୍ଟାରେ ଶେଷ ହୋଇପାରିବ। ଅର୍ଥାତ୍ , ଏଥିରେ ଯାତ୍ରାର ସମୟ କେବଳ ସଞ୍ଚୟ ହେବ ନାହିଁ, ବରଂ ଏହି ରାସ୍ତା ଦ୍ବାରା ବାଣିଜ୍ୟ ଏବଂ ବ୍ୟବସାୟକୁ ମଧ୍ୟ ବହୁତ ସୁବିଧା ମିଳିବ।
ବନ୍ଧୁଗଣ,
ପୂର୍ବରୁ, ମୋତେ ଶ୍ରୀନଗରରୁ ଲେହକୁ ସଂଯୋଗ କରୁଥିବା ବିଦ୍ୟୁତ୍ ପରିବହନ ଲାଇନର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଥିଲା। ଆଜି, ହାନୁର ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ଏହା ସହିତ ଜଡିତ ପରିବହନ ଲାଇନର ମଧ୍ୟ ଉଦଘାଟନ କରାଯାଇଛି। ଆମେ ସମସ୍ତେ ଜାଣୁ ଯେ , ବିଦ୍ୟୁତ୍ର ନିର୍ଭରଯୋଗ୍ୟ ବ୍ୟବସ୍ଥା ଦ୍ବାରା ଆଲୋକ ଆସିଥାଏ, କିନ୍ତୁ ଆଲୋକ ଦ୍ବାରା କେବଳ ଘର ନୁହେଁ, ଜୀବନ ମଧ୍ୟ ଆଲୋକିତ ହୋଇଥାଏ, ଯାହା ଜୀବନରେ ଏକ ଗଭୀର ପରିବର୍ତ୍ତନ ଆଣିଥାଏ। ଗାଁରେ ଅନେକ ନୂତନ କାର୍ଯ୍ୟ ସମ୍ଭବ ହୋଇଯାଇଥାଏ । ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ସ୍ଥାନୀୟ ଲୋକମାନଙ୍କର ଛୋଟ-ଛୋଟ ବ୍ୟବସାୟ, ପ୍ରତ୍ୟେକ କ୍ଷେତ୍ର ଏହାଦ୍ବାରା ଲାଭବାନ ହେବେ । ପୁଗା ଉପତ୍ୟକାରେ ମଧ୍ୟ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରିବା ପାଇଁ ଏକ ପ୍ରକଳ୍ପ ଉପରେ ମଧ୍ୟ କାର୍ଯ୍ୟ ଚାଲିଛି।
ବନ୍ଧୁଗଣ,
ଆଜି ପ୍ରକଳ୍ପ ଅମୃତ ହିମ ସରୋବର ଅଧୀନରେ ନିର୍ମିତ ଚାଳିଶଟି ଜଳାଶୟ ମଧ୍ୟ ଲଦାଖର ଲୋକଙ୍କ ପାଇଁ ସମର୍ପିତ କରାଯାଇଛି। ଏଥିରୁ ଚାଷୀଙ୍କୁ ଆବଶ୍ୟକ ସମୟରେ ଜଳସେଚନ ପାଇଁ ପାଣି ପାଇବାରେ ସାହାଯ୍ୟ ମିଳିବ।
ବନ୍ଧୁଗଣ,
ସର୍ବଦା କୁହାଯାଏ ଯେ, ଲଦାଖରେ ପ୍ରକୃତି ହେତୁ ଜୀବନ ବହୁତ କଷ୍ଟକର ହୋଇଥାଏ । ପ୍ରାକୃତିକ ବାତାବରଣରେ ନିଜସ୍ବ ଚ୍ୟାଲେଞ୍ଜ ରହିଥାଏ, କିନ୍ତୁ ଦୁର୍ଭାଗ୍ୟବଶତଃ ଏପରି ପରିସ୍ଥିତି ସତ୍ତ୍ୱେ, ପୂର୍ବ ସରକାରଗୁଡ଼ିକ ଲଦାଖର ବିକାଶକୁ ପ୍ରାଥମିକତା ଦେଇ ନଥିଲେ। କିନ୍ତୁ ଆଜି, କେନ୍ଦ୍ର ସରକାରଙ୍କ ପାଇଁ ଲଦାଖର ବିକାଶ ଏକ ବହୁତ ବଡ଼ ପ୍ରାଥମିକତା ହୋଇ ରହିଛି । କେନ୍ଦ୍ରଶାସିତ ଅଞ୍ଚଳ ହେବା ପରଠାରୁ, ଏହାର ବିକାଶର ଆବଶ୍ୟକତା ପ୍ରତି ଆହୁରି ଅଧିକ ଧ୍ୟାନ ଦିଆଯାଇଛି। ୨୦୧୯ ପର୍ଯ୍ୟନ୍ତ ଲଦାଖରେ ପ୍ରାୟ ୧୮୦୦କିଲୋମିଟର ରାସ୍ତାର ନେଟୱାର୍କ ଥିଲା, ଆଜି ଏଥିରେ ବୃଦ୍ଧି ଘଟି ୪୦୦୦ କିଲୋମିଟରରୁ ଅଧିକ ବିସ୍ତାରିତ ହୋଇଯାଇଛି। ପୂର୍ବରୁ ଏଠାରେ କେବଳ ୨୯ଟି ପ୍ରମୁଖ ସେତୁଥିଲା, କିନ୍ତୁ ଆଜି, ଏହାର ସଂଖ୍ୟା ପ୍ରାୟ ୭୫ରେ ପହଞ୍ଚିଛି। ହେଲିପ୍ୟାଡ୍ର ସଂଖ୍ୟା ମଧ୍ୟ ସାତରୁ ବୃଦ୍ଧି ଘଟି ଚାଳିଶରୁ ଅଧିକ ହୋଇଯାଇଛି। ପୂର୍ବରୁ, ଲଦାଖରେ କେବଳ ସାଢେ ତିନି ପ୍ରତିଶତ ପରିବାର ଟ୍ୟାପ୍ରୁ ପାଣି ପାଇପାରୁଥିଲେ,ଆଜି,ପ୍ରାୟ ୯୯ ପ୍ରତିଶତ ପରିବାର ଟ୍ୟାପ୍ରୁ ପାଣି ପାଇପାରୁଛନ୍ତି। ଲଦାଖର ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି। ଏହା ସହିତ, ଜୋଜିଲା ଟନେଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ଏହା ଶେଷ ହେବାଦ୍ବରା ଲଦାଖକୁ ଦେଶର ଅନ୍ୟ ଅଂଶରୁ ବର୍ଷସାରା ଉନ୍ନତ ସଂଯୋଗ ମିଳିବ।
ବନ୍ଧୁଗଣ,
କେନ୍ଦ୍ର ସରକାର ଲଦାଖର ସମୃଦ୍ଧି ପାଇଁ ନୂତନ ସମ୍ଭାବନା ବିକଶିତ କରିବା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି। ଆଜି ଲଦାଖରେ ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଉଛି। ଶୀତକାଳୀନ ପର୍ଯ୍ୟଟନ ଏବଂ ଦୁଃସାହସିକ ପର୍ଯ୍ୟଟନକୁ ଏଠାରେ ପ୍ରୋତ୍ସାହିତ କରାଯାଉଛି। କେନ୍ଦ୍ର ସରକାରଙ୍କ ଭାଇବ୍ରାଣ୍ଟ ଗ୍ରାମ ଅଭିଯାନ ଅଧୀନରେ,ଲଦାଖରେ ୪୦ରୁ ଅଧିକ ସୀମାନ୍ତ ଗ୍ରାମଗୁଡ଼ିକୁ ବିକଶିତ କରାଯାଉଛି ଏବଂ ଆମେ ଏହାକୁ ପ୍ରଥମ ଗ୍ରାମ ବୋଲି କହୁଛୁ। ଏହା ସୁଦୂରରେ ଥିବା ଗ୍ରାମଗୁଡ଼ିକରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି।
ବନ୍ଧୁଗଣ,
ପୂର୍ବରୁ, ଲଦାଖରେ କେବଳ ଦେଢଶହଟି ହୋମଷ୍ଟେ ଥିଲା, କିନ୍ତୁ ଆଜି ସେମାନଙ୍କର ସଂଖ୍ୟା ତିନି ହଜାରକୁ ବୃଦ୍ଧି ପାଇଛି। ଲଦାଖରେ ସବୁଜଗୃହ ଚାଷକୁ ମଧ୍ୟ ନିରନ୍ତର ପ୍ରୋତ୍ସାହିତ କରାଯାଇଛି। ଆଜି ଲଦାଖରେ ଏଗାର ହଜାର ସବୁଜଗୃହ ରହିଛି । ଏହା ଚାଷୀଙ୍କ ଆୟ ବୃଦ୍ଧି ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି।
ବନ୍ଧୁଗଣ,
ଲଦାଖରେ ଏକ ହାଇକୋର୍ଟ ବେଞ୍ଚ ପାଇଁ ଦୀର୍ଘ ଦିନରୁ ଦାବି କରାଯାଇ ଆସୁଥିଲା। ଯାହାକୁ ଆମ ସରକାର ପୂରଣ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟରେ, ଲଦାଖରେ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଥିଲା। ଏହା ପ୍ରଶାସନ ଏବଂ ନ୍ୟାୟିକ ବ୍ୟବସ୍ଥା ଉଭୟକୁ ସୁଗମ କରିବ।
ବନ୍ଧୁଗଣ,
ଆଜି ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଦ୍ବାରା ମଧ୍ୟ ଅନେକ ନୂତନ ସୁଯୋଗ ବାଟ ଖୋଲି ଦେଉଛି। ହୋଟେଲ, ରେଷ୍ଟୁରାଣ୍ଟ, ହୋମଷ୍ଟେ କିମ୍ବା ସ୍ଥାନୀୟ ଉତ୍ପାଦ ହେଉ, ଆଜି ଅନଲାଇନ୍ ମାଧ୍ୟମରେ ବ୍ୟବସାୟ ଆୟର ନୂତନ ରାସ୍ତା ଖୋଲି ଦେଉଛି। ସେଥିପାଇଁ, ଆମେ ଲଦାଖ ଏବଂ ଦୂର-ଦୂରାନ୍ତ ଅଞ୍ଚଳରେ ଭାରତ ନେଟ୍ ଏବଂ ହାଇ-ସ୍ପିଡ୍ ଇଣ୍ଟରନେଟ୍ର ସଂଯୋଗକୁ ବିସ୍ତାର କରିଛୁ। ସରକାରୀ ସେବାଗୁଡ଼ିକରେ ପ୍ରବେଶ ସହଜ ହେଉ , ଯୁବପିଢ଼ି ଅନଲାଇନରେ ଅଧ୍ୟୟନ କରିବାକୁ ସକ୍ଷମ ହୁଅନ୍ତୁ ଏବଂ ସ୍ଥାନୀୟ ଉଦ୍ୟୋଗୀମାନେ ଦେଶ-ଦୁନିଆ ବଜାର ସହିତ ଯୋଡ଼ି ହୋଇପାରନ୍ତୁ, ଏଥିପାଇଁ ନିରନ୍ତର କାର୍ଯ୍ୟ ଚାଲିଛି।
ବନ୍ଧୁଗଣ,
ଆମର ବିଶେଷ ଧ୍ୟାନ ଲଦାଖର ନୂତନ ପିଢ଼ି ଉପରେ ରହିଛି । ଏଠାକାର ଯୁବକମାନଙ୍କୁ ଭଲ ଶିକ୍ଷା ମିଳୁ , ନୂତନ ପ୍ରଯୁକ୍ତିବିଦ୍ୟା ଶିଖିବାର ସୁଯୋଗ ମିଳୁ ଏବଂ ସେମାନଙ୍କୁ ଅନ୍ୟସହର ଉପରେ ନିର୍ଭର କରିବାକୁ ନ’ପଡ଼ୁ,। ସେଥିପାଇଁ, ଲେହରେ ଏକ ବଡ଼ ସେଣ୍ଟର ଅଫ୍ ଏକ୍ସିଲେନ୍ସ୍ କେନ୍ଦ୍ର ନିର୍ମାଣ କରାଯାଉଛି। ଆଇଆଇଟି ଜମ୍ମୁ ଏବଂ ଆଇଆଇଏମ୍ ଜମ୍ମୁର ସାଟେଲାଇଟ୍ କ୍ୟାମ୍ପସ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ମଧ୍ୟ ଆଗକୁ ଜାରି ରହିଛି । ଏହାଦ୍ବାରା ଲଦାଖର ଯୁବକମାନଙ୍କୁ ସେମାନଙ୍କ ନିଜ ଅଞ୍ଚଳରେ ଉଚ୍ଚଶିକ୍ଷା, ଗବେଷଣା ଏବଂ ନୂତନ ଦକ୍ଷତା ପାଇଁ ଉତ୍ତମ ସୁଯୋଗ ମିଳିପାରିବ।
ବନ୍ଧୁଗଣ,
ଲଦାଖରେ କ୍ରୀଡା ପାଇଁ ମଧ୍ୟ ଅପାର ସମ୍ଭାବନା ଅଛି। ଏଠାକାର ଯୁବକମାନେ ଆଇସ୍ ହକି, ଶୀତକାଳୀନ କ୍ରୀଡା ଏବଂ ପର୍ବତାରୋହଣ ଭଳି କ୍ଷେତ୍ରରେ ଏକ ବିଶେଷ ପରିଚୟ ସୃଷ୍ଟି କରିଛନ୍ତି। ମୁଁ ଖୁସି ଯେ ନୂତନ କ୍ରୀଡା ନୀତି ମାଧ୍ୟମରେ ଲଦାଖରେ ଥିବା କ୍ରୀଡା ପ୍ରତିଭଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ କରାଯାଉଛି। ଆମର ପ୍ରୟାସ ହେଉଛି ଏଠାକାର ଯୁବକମାନଙ୍କୁ ଉତ୍ତମ ତାଲିମ ଏବଂ ସୁବିଧା ମିଳୁ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନୂତନ ସଫଳତା ହାସଲ କରନ୍ତୁ।
ବନ୍ଧୁଗଣ,
ଆପଣମାନେ ସମସ୍ତେ ଆପଣଙ୍କ ନିଜର କଠିନ ପରିଶ୍ରମ ଦ୍ୱାରା ଲଦାଖରେ ଯେଉଁ ଉତ୍ପାଦ ସୃଷ୍ଟି କରୁଛନ୍ତି, ତାହା ଅତି ଉନ୍ନତମାନର । ଆପଣମାନେ ଜାଣନ୍ତି ଯେ, ଯେତେବେଳେ ମୁଁ ବିଦେଶୀ ଅତିଥିମାନଙ୍କୁ ଭେଟେ, ମୁଁ ପ୍ରାୟତଃ ସେମାନଙ୍କୁ ଲଦାଖରେ ତିଆରି ଜିନିଷ ଉପହାର ସ୍ବରୁପ ତାଙ୍କୁ ଦେଇଥାଏ ଏବଂ ମୁଁ ସବୁବେଳେ ସେମାନଙ୍କୁ ଆପଣଙ୍କ ବିଷୟରେ କହିଥାଏ। ମୁଁ ଜର୍ମାନୀର ଚାନ୍ସେଲର, ସ୍ୱିଡେନର ପ୍ରଧାନମନ୍ତ୍ରୀ ଏବଂ କିର୍ଗିଜସ୍ତାନର ରାଷ୍ଟ୍ରପତିଙ୍କୁ ଲଦାଖରେ ତିଆରି ଉତ୍ପାଦ ଉପହାର ଦେଇଛି। ଏଠିକାର ପଶ୍ମିନା, ସମୁଦ୍ର-ବକଥାଁର୍ଣ୍ଣ ଏବଂସ୍ଥାନୀୟ ହସ୍ତଶିଳ୍ପ, ଖୁବାନୀ ଭଳି ଫଳ, ମୁଁ ବାଣିଜ୍ୟ କ୍ଷେତ୍ରରେ ବିଶାଳ ସମ୍ଭାବନାକୁ ଯୋଡ଼ିଛି। ଏବଂ ସେଥିପାଇଁ ଆମେ ଲଦାଖର ଖୁବାନୀକୁ ଜିଆଇ ଟ୍ୟାଗ୍ ପ୍ରଦାନ କରିଛୁ। ଆଜି ଏହାର ଚାହିଦା ବିଶ୍ୱବ୍ୟାପୀ ବଢ଼ୁଛି। ଆମର ପ୍ରୟାସ ହେଉଛି, ଏଠିକାର ଉତ୍ପାଦଗୁଡ଼ିକ ପାଇଁ ନୂତନ ବଜାର ମିଳୁ ,ତାହାର ଉନ୍ନତ ବ୍ରାଣ୍ଡିଂ ହେଉ ଏବଂ ଏହାର ଲାଭ ସିଧାସଳଖ ଉତ୍ପାଦକମାନଙ୍କ ନିକଟରେ ପହଞ୍ଚୁ । ଆମର ଚାଙ୍ଗପା ସମ୍ପ୍ରଦାୟର ପଶୁପାଳକମାନଙ୍କ ଉପରେ ମଧ୍ୟ ବିଶେଷ ଧ୍ୟାନ ରହିଛି । ସେମାନଙ୍କର କଠିନ ପରିଶ୍ରମ ଏବଂ ପାରମ୍ପରିକ ଦକ୍ଷତା ସହିତ ଜଡ଼ିତ ପଶ୍ମିନାର ପରିଚୟକୁ ଆହୁରି ମଜବୁତ କରାଯାଉଛି । ଲଦାଖରେ ଏବେ ଉଚ୍ଚ-ଅଞ୍ଚଳରେ ହେଉଥିବା ଫୁଲକୁ ବ୍ୟବସାୟୀକ ଚାଷ କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି।
ବନ୍ଧୁଗଣ,
ଲଦାଖର ସାଂସ୍କୃତିକ ଐତିହ୍ୟ ଆମ ଦେଶର ଏକ ମୂଲ୍ୟବାନ ସମ୍ପତ୍ତି। ଭବିଷ୍ୟତ ପିଢ଼ି ପାଇଁ ଏଠାରେ ପ୍ରାଚୀନ ମଠ, ବୌଦ୍ଧ ପରମ୍ପରା ଏବଂ ପର୍ବଗୁଡ଼ିକୁ ସଂରକ୍ଷଣ ଏବଂ ସୁରକ୍ଷା କରିବା ଆମର ସାମୂହିକ ଦାୟିତ୍ୱ। ଏହି ଦିଗରେ, ପରମପୂଜ୍ୟ କୁଶୋକ ବକୁଲା ରିନପୋଛେ ଜୀ, ତାଙ୍କ ଅବଦାନ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା। ଆମ ସରକାରଙ୍କ ପ୍ରୟାସ ଯେ, ସାରା ବିଶ୍ୱରଲୋକ ଲଦାଖର ସଂସ୍କୃତି ଏବଂ ପରମ୍ପରା ସହିତ ପରିଚିତ ହେବା ଦରକାର। ଏହି ମିଶନକୁ ଦୃଷ୍ଟିରେ ରଖି ଆଜି ଲେହରେ ଭାରତର ପ୍ରଥମ ପେଟ୍ରୋଗ୍ଲିଫ୍ ସଂରକ୍ଷଣ ପାର୍କ ଉଦଘାଟନ କରାଯାଇଛି। ଏହାଦ୍ବାରା ଲଦାଖର ଏହି ପ୍ରାଚୀନ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ପ୍ରୟାସକୁ ଆହୁରି ଶକ୍ତି ମିଳିବ । ଆମର ଭବିଷ୍ୟତ ପିଢ଼ି ଏହି ଐତିହ୍ୟ ବିଷୟରେ କିଛି ଜାଣିପାରିବେ ଏବଂ ବିଶ୍ୱର ପରିଦର୍ଶକମାନେ ମଧ୍ୟ ଲଦାଖର ସମୃଦ୍ଧ ଇତିହାସ ସହିତ ପରିଚିତ ହୋଇପାରିବେ।
ବନ୍ଧୁଗଣ,
ମୋର ବିଶ୍ବାସ ଅଛି, ଆମେ ସମସ୍ତେ ଏକାଠି ଲଦାଖକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବା। ଏହା ସହିତ, ଆପଣସମସ୍ତଙ୍କୁ ମୁଁ ପୁଣିଥରେ ବିକାଶର ଅନେକ କାର୍ଯ୍ୟଗୁଡ଼ିକ ପାଇଁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି।
ବହୁତ-ବହୁତ ଧନ୍ୟବାଦ। ଜୁଲେ!
*****
NS