ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୋଷ୍ଟ କରାଯିବା ଦିନାଙ୍କ:
20 OCT 2026 8:33PM by PIB Bhubaneswar
ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ; ଏହା ସତ୍ୟ ଓ ଧର୍ମର ଚିରନ୍ତନ ଶକ୍ତିକୁ ମନେ ପକାଇଥାଏ: ପ୍ରଧାନମନ୍ତ୍ରୀ
ଆମ ପାଇଁ ଏହା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଭାରତର ପ୍ରାଣଶକ୍ତି: ପ୍ରଧାନମନ୍ତ୍ରୀ
ପ୍ରଭୁ ଶ୍ରୀରାମ ଆମକୁ ଏପରି ଆଦର୍ଶ ଦେଇଛନ୍ତି, ଯାହା ମାନବ ଇତିହାସରେ ଅତୁଳନୀୟ: ପ୍ରଧାନମନ୍ତ୍ରୀ
ଗରିବ ଓ ବଞ୍ଚିତଙ୍କ ସେବାକୁ ଆମକୁ ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ହେବ: ପ୍ରଧାନମନ୍ତ୍ରୀ
ଯେତେବେଳେ ଆମେ ସତ୍ୟ ଓ ମାନବିକତାର ପକ୍ଷରେ ଛିଡ଼ା ହେଉ, ଶେଷରେ ବିଜୟ ଆମର ହିଁ ହୁଏ: ପ୍ରଧାନମନ୍ତ୍ରୀ
ଆମ ପରିକଳ୍ପନା ‘ରାମ ସେ ରାଷ୍ଟ୍ର’ ଏବଂ ‘ଦେବ ସେ ଦେଶ’କୁ ଆମେ ନିଶ୍ଚିତ ଭାବେ ସାକାର କରିବୁ: ପ୍ରଧାନମନ୍ତ୍ରୀ
ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ଆୟୋଜିତ ବିଜୟା ଦଶମୀ ଉତ୍ସବରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଏହି ଉତ୍ସବରେ ଉଦ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପବିତ୍ର ପର୍ବର ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, “ମୁଁ ସମସ୍ତ ଦେଶବାସୀଙ୍କୁ ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।”
ଭାରତର ପ୍ରତ୍ୟେକ ଗାଁ ଓ ସହରରେ ରାମଲୀଳା ମଞ୍ଚସ୍ଥ ହେଉଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ଜୀବନ୍ତ ରଖିବା, ଅତ୍ୟାଚାର ଓ ଆତଙ୍କର ଅନ୍ତ ଘଟାଇବା ଏବଂ ଅସତ୍ୟ ଉପରେ ଚିରନ୍ତନ ସତ୍ୟର ବିଜୟକୁ ପ୍ରତିପାଦିତ କରିବା ହେଉଛି ଏହି ପରମ୍ପରାର ମୂଳ ଉଦ୍ଦେଶ୍ୟ। ଅଧର୍ମ ଉପରେ ଧର୍ମର ବିଜୟ ପାଳନ କରୁଥିବା ଦେଶବାସୀଙ୍କୁ ସେ ପ୍ରଭୁ ଶ୍ରୀରାମଙ୍କ ଜୟଗାନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଶ୍ରୀ ମୋଦୀ କହିଥିଲେ, “ଆମ ପାଇଁ ଏହା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଭାରତର ଜୀବନଶକ୍ତି।”
ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭାରତୀୟ ସଂସ୍କୃତି ଓ ଆମ ପୂର୍ବପୁରୁଷଙ୍କର ହଜାର ହଜାର ବର୍ଷର ଭକ୍ତି ଓ ସମର୍ପଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଗଭୀର ଶ୍ରଦ୍ଧା କେବଳ ରାକ୍ଷସରାଜ ରାବଣଙ୍କ ଉପରେ ଶ୍ରୀରାମଙ୍କ ବିଜୟ ମଧ୍ୟରେ ସୀମିତ ନୁହେଁ। ପ୍ରଭୁ ଶ୍ରୀରାମ ଜଗତକୁ ପ୍ରଦାନ କରିଥିବା ଚିରନ୍ତନ ମୂଲ୍ୟବୋଧ ଉପରେ ଭାରତବାସୀଙ୍କ ଅତୁଟ ବିଶ୍ୱାସ ଆଧାରିତ ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ, “ପ୍ରଭୁ ଶ୍ରୀରାମ ଆମକୁ ଏପରି ଆଦର୍ଶ ଦେଇଛନ୍ତି, ଯାହା ମାନବ ଇତିହାସରେ ଅତୁଳନୀୟ।”
ପ୍ରଭୁ ଶ୍ରୀରାମ ଅସୀମ ଦୁଃଖକଷ୍ଟର ସମ୍ମୁଖୀନ ହୋଇଥିଲେ ମଧ୍ୟ କିପରି କେବେ ବି ସତ୍ୟ ଓ ନୈତିକତାର ପଥରୁ ବିଚ୍ୟୁତ ହୋଇନଥିଲେ, ତାହା ସ୍ମରଣ କରି ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ଶ୍ଳୋକ ଉଦ୍ଧୃତ କରିଥିଲେ। ଏହି ଶ୍ଳୋକ ମାଧ୍ୟମରେ ରାଜ୍ୟାଭିଷେକ ଓ ବନବାସ ଭଳି ଦୁଇଟି ବିପରୀତ ପରିସ୍ଥିତିରେ ପ୍ରଭୁ ଶ୍ରୀରାମ କିପରି ସମଭାବ ବଜାୟ ରଖିଥିଲେ, ତାହା ସେ ବୁଝାଇଥିଲେ। ପ୍ରତ୍ୟେକ ସଙ୍କଟ ସମୟରେ ଶ୍ରୀରାମ ଧର୍ମ ଓ ନ୍ୟାୟର ପଥ ଅନୁସରଣ କରିଥିଲେ। ବନବାସ ସମୟରେ ନିଷାଦରାଜଙ୍କୁ ଆଲିଙ୍ଗନ କରିବା ସହ ମାତା ଶବରୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ସେ ଦୟା, କରୁଣା, ପ୍ରେମ ଓ ସଦ୍ଭାବନାର ଆଦର୍ଶ ସ୍ଥାପନ କରିଥିଲେ।”
ପ୍ରଭୁ ଶ୍ରୀରାମ ଅଯୋଧ୍ୟାର ରାଜା ଭାବେ ଫେରିବା ପରେ ରାମରାଜ୍ୟ ପ୍ରତିଷ୍ଠା କରିଥିବା ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାକୁ ନିରପେକ୍ଷ ଶାସନର ସର୍ବୋଚ୍ଚ ଆଦର୍ଶ ବୋଲି ବର୍ଣ୍ଣନା କରିଥିଲେ। ଏଭଳି ଶାସନ ବ୍ୟବସ୍ଥାରେ ସମସ୍ତଙ୍କୁ ନ୍ୟାୟ ଓ ସମାନ ସୁଯୋଗ ମିଳିଥାଏ ଏବଂ କ୍ଷମତା କେବଳ କର୍ତ୍ତୃତ୍ୱ ପ୍ରଦର୍ଶନ ପାଇଁ ନୁହେଁ, ବରଂ ଜନକଲ୍ୟାଣ ପାଇଁ ଉଦ୍ଦିଷ୍ଟ ହୋଇଥାଏ। ଗୋସ୍ୱାମୀ ତୁଳସୀଦାସଙ୍କ ଏହି ପଦରେ ରାମରାଜ୍ୟର ଆଦର୍ଶ ଅମର ହୋଇ ରହିଛି: “ଦୈହିକ ଦୈବିକ ଭୌତିକ ତାପା, ରାମ ରାଜ ନହିଁ କାହୁହି ବ୍ୟାପା।” ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଅନୁସରଣ କରିବା ସହ ‘ନାଗରିକ ଦେବୋ ଭବ’ ମନ୍ତ୍ର ଆଧାରରେ ଜନସାଧାରଣଙ୍କୁ ଈଶ୍ୱରଙ୍କ ସ୍ୱରୂପ ଭାବେ ଦେଖିବାକୁ ପ୍ରଧାନମନ୍ତ୍ରୀ ପ୍ରଶାସନକୁ ଆହ୍ୱାନ ଦେଇଥିଲେ। ଶ୍ରୀ ମୋଦୀ କହିଥିଲେ, “ଗରିବ ଓ ବଞ୍ଚିତଙ୍କ ସେବାକୁ ଆମକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ହେବ।”
ଲଙ୍କା ଅଭିମୁଖେ ସମୁଦ୍ର ପାର ହେବା ପାଇଁ ପ୍ରଭୁ ଶ୍ରୀରାମଙ୍କ ଯାତ୍ରାରୁ ଆତ୍ମନିର୍ଭରଶୀଳତାର ଗଭୀର ଶିକ୍ଷା ମିଳୁଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଙ୍କଟ ସମୟରେ ଅନ୍ୟମାନଙ୍କ ଉପରେ ନିର୍ଭର ନକରି ଶ୍ରୀରାମ ଜନଭାଗିଦାରୀକୁ ଗୁରୁତ୍ୱ ଦେଇଥିଲେ। ଉପଲବ୍ଧ ସମ୍ବଳର ସମୁଚିତ ଉପଯୋଗ କରି ବିଶ୍ୱାସ, ଦକ୍ଷତା ଓ ଅଟଳ ସଂକଳ୍ପ ବଳରେ ଅସମ୍ଭବକୁ ସମ୍ଭବ କରିଥିଲେ। ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବା ସହ ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ ପାଇଁ ପରିଶ୍ରମ ଓ ସମ୍ବଳର ସଦୁପଯୋଗର ଏହି ମୂଳମନ୍ତ୍ର ଆପଣାଇବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ରାସ୍ତାରେ ଆସୁଥିବା ବାଧାବିଘ୍ନ ଆମ ଯାତ୍ରାକୁ ଅଟକାଇ ପାରିବ ନାହିଁ ବୋଲି ପ୍ରଭୁ ଶ୍ରୀରାମ ଆମକୁ ଶିଖାଇଛନ୍ତି।”
ସାଂସ୍କୃତିକ ଐତିହ୍ୟରେ ନିହିତ ଆତ୍ମସମ୍ମାନର ଦୃଢ଼ ଭାବନା ସହ ଦେଶର ପ୍ରଗତିକୁ ଯୋଡ଼ି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସାଂସ୍କୃତିକ ପରିଚୟର ସୁରକ୍ଷା ପାଇଁ ସରକାର ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଗତ ୧୨ ବର୍ଷ ମଧ୍ୟରେ ୬୫୦ରୁ ଅଧିକ ପ୍ରାଚୀନ ମୂର୍ତ୍ତି ଭାରତକୁ ଫେରାଇ ଅଣାଯାଇଥିବା ସେ ଉଲ୍ଲେଖ କରିଥିଲେ। ଏଥିସହ ଭାରତର ସାଂସ୍କୃତିକ କେନ୍ଦ୍ରଗୁଡ଼ିକୁ ବିଶ୍ୱସ୍ତରରେ ମିଳୁଥିବା ସ୍ୱୀକୃତିକୁ ସେ ପ୍ରଶଂସା କରିଥିଲେ। ଦେଶର ଅନେକ ସ୍ଥାନ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ବେଳେ ଗତ ବର୍ଷ କୋଟି କୋଟି ଭାରତୀୟଙ୍କ ସାମୂହିକ ଇଚ୍ଛାଶକ୍ତି ବଳରେ ଦୀପାବଳି ୟୁନେସ୍କୋର ମାନବତାର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ, “ଭବିଷ୍ୟତରେ ମଧ୍ୟ ଆମକୁ ଏହି ସମାନ ସମର୍ପଣ ଭାବନା ସହ କାର୍ଯ୍ୟ ଜାରି ରଖିବାକୁ ହେବ।”
ସତ୍ୟ ଓ ମାନବିକତାର ପକ୍ଷରେ ଛିଡ଼ା ହେଲେ ବିଜୟ ସୁନିଶ୍ଚିତ ବୋଲି ବାର୍ତ୍ତା ଦେଉଥିବା ବିଜୟା ଦଶମୀର ସାହସିକ ଭାବନାର ଅବତାରଣା କରି ପ୍ରଧାନମନ୍ତ୍ରୀ ବୈଦିକ ମନ୍ତ୍ର ‘ସମାନୋ ମନ୍ତ୍ରଃ ସମିତିଃ ସମାନୀ’ ଉଦ୍ଧୃତ କରିଥିଲେ। ଜାତୀୟ ସ୍ୱାର୍ଥ ପାଇଁ ସମସ୍ତ ଜାତୀୟ ଅନୁଷ୍ଠାନ ଓ ରାଜନୈତିକ ଦଳ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ। ଦେଶବାସୀ ‘ରାଷ୍ଟ୍ର ପ୍ରଥମ’ ସଂକଳ୍ପ ଗ୍ରହଣ କରି ଭାରତମାତାର ଶତ୍ରୁମାନଙ୍କୁ ମିଳିତ ଭାବେ ଚିହ୍ନଟ କରିବା ସହ ପରାସ୍ତ କରିବାକୁ ସେ କହିଥିଲେ। ଦେଶର ସମ୍ମାନକୁ କ୍ଷତି ପହଞ୍ଚାଉଥିବା, ସମାଜରେ ବିଭେଦ ସୃଷ୍ଟି କରୁଥିବା ଏବଂ ଭାରତୀୟ ସଂସ୍କୃତି ପ୍ରତି ଘୃଣାଭାବ ରଖୁଥିବା ଶକ୍ତିଗୁଡ଼ିକୁ ସେ ଏହି ପରିପ୍ରେକ୍ଷୀରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ଯେତେବେଳେ ଆମେ ସତ୍ୟ ଓ ମାନବିକତାର ପକ୍ଷରେ ଛିଡ଼ା ହେଉ, ଶେଷରେ ବିଜୟ ଆମର ହିଁ ହୁଏ।”
ନିଜ ଅଭିଭାଷଣର ଶେଷରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ମନ୍ଦିରରେ ପ୍ରାଣପ୍ରତିଷ୍ଠା ଉତ୍ସବ ସମୟରେ ନିଆଯାଇଥିବା ପବିତ୍ର ସଂକଳ୍ପଗୁଡ଼ିକୁ ସ୍ମରଣ କରିଥିଲେ। ‘ଜୟ ସିୟା ରାମ’ ଓ ‘ଭାରତ ମାତା କି ଜୟ’ ଧ୍ୱନି ସହ ସେ ଦେଶବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ। ଦେଶର ଆଧ୍ୟାତ୍ମିକ ଓ ବିକାଶମୂଳକ ଲକ୍ଷ୍ୟ ସାକାର ହେବା ନେଇ ସେ ଦୃଢ଼ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ। ସେ କହିଥିଲେ, “‘ରାମ ସେ ରାଷ୍ଟ୍ର’ ଏବଂ ‘ଦେବ ସେ ଦେଶ’ର ଯେଉଁ ପରିକଳ୍ପନା ଆମେ କରିଛୁ, ତାହାକୁ ଆମେ ନିଶ୍ଚିତ ଭାବେ ସାକାର କରିବୁ।”
***
TKM