କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ
୩ ରାଜ୍ୟରେ ସ୍ୱତନ୍ତ୍ର ଆଇଟିଆଇ କ୍ଲଷ୍ଟର ଲାଗି କେନ୍ଦ୍ରର ୧,୧୯୪.୯୨ କୋଟି ଟଙ୍କା ଅନୁମୋଦନ
ପିଏମ୍ ସେତୁ ଅଧୀନରେ ବିକଶିତ ହେବ ଓଡ଼ିଶାର ୫ ଆଇଟିଆଇ; କଟକ ସରକାରୀ ଆଇଟିଆଇ ହେବ କ୍ଲଷ୍ଟର ମୁଖ୍ୟକେନ୍ଦ୍ର
ଓଡ଼ିଶାକୁ ମିଳିବ ୨୪୦ କୋଟି, ଢେଙ୍କାନାଳ, ଚୌଦ୍ୱାର, ଯାଜପୁର, ପାରାଦୀପର ସରକାରୀ ଆଇଟିଆଇକୁ ମିଳିବ ସହାୟତା
ପୋଷ୍ଟ କରାଯିବା ଦିନାଙ୍କ:
16 OCT 2026 3:25PM by PIB Bhubaneswar
ରାଜ୍ୟର ୫ ଆଇଟିଆଇ ପାଇଁ ଉତ୍ସାହଜନକ ଖବର ଦେଇଛନ୍ତି ପିଏମ୍-ସେତୁ ଅଧୀନସ୍ଥ ଜାତୀୟ ଷ୍ଟିୟରିଂ କମିଟି। କମିଟିର ନିଷ୍ପତ୍ତି ଅନୁସାରେ ରାଜ୍ୟରେ ସରକାର ୫ ଆଇଟିଆଇର ବିକାଶ ଓ ସମୟୋପଯୋଗୀ ଦକ୍ଷତା ବିକାଶ ଶିକ୍ଷା ଲାଗି ୨୪୦ କୋଟି ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ। ଏହି ଅର୍ଥକୁ କଟକ ସରକାରୀ ଆଇଟିଆଇ ସମେତ ଚୌଦ୍ୱାରସ୍ଥିତ ମଧୁସୂଦନ ସରକାରୀ ଆଇଟିଆଇ ଏବଂ ପାରାଦୀପ, ଯାଜପୁର ଓ ଢେଙ୍କାନାଳସ୍ଥିତ ସରକାରୀ ଆଇଟିଆଇର ଉନ୍ନତୀକରଣ ପାଇଁ ଖର୍ଚ୍ଚ କରାଯିବ। ଷ୍ଟିୟରିଂ କମିଟିର ଅନୁମୋଦନ ଅନୁସାରେ କଟକ ସରକାରୀ ଆଇଟିଆଇ ଏହି କାର୍ଯ୍ୟକ୍ରମରେ ମୁଖ୍ୟକେନ୍ଦ୍ର ଭାବେ ପରିଚିତ ହେବାକୁ ଥିବା ବେଳେ ଅନ୍ୟ ୪ ଆଇଟିଆଇ ଶାଖା କେନ୍ଦ୍ର ଭାବରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଭାଗୀତାରେ ଏହି କାର୍ଯ୍ୟକ୍ରମ ରୂପାୟନ କରାଯିବ।
ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଭିତ୍ତିଭୂମିକୁ ସୁଦୃଢ଼ କରିବା, ନୂତନ ଯୁଗର ତାଲିମ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବା ଏବଂ ସମ୍ପୃକ୍ତ ଅଞ୍ଚଳର ଉଦୀୟମାନ କୌଶଳ ଆବଶ୍ୟକତାକୁ ପୂରଣ କରିବା ପାଇଁ ଶିଳ୍ପ ସଂଯୋଗକୁ ବୃଦ୍ଧି କରିବା।
ଆଜି 'ପ୍ରଧାନମନ୍ତ୍ରୀ- ଉନ୍ନୀନ ଆଇଟିଆ ମାଧ୍ୟମରେ ଦକ୍ଷତା ଓ ରୋଜଗାରର ରୂପାନ୍ତରଣ ବା ପିଏମ୍ ସେତୁ କାର୍ଯ୍ୟକ୍ରମର ୬ଷ୍ଠ ଜାତୀୟ ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ଦେବଶ୍ରୀ ମୁଖାର୍ଜୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଏହି ଯୋଜନା ପ୍ରଗତିର ସମୀକ୍ଷା କରାଯିବା ସହ ମହାରାଷ୍ଟ୍ର, ଓଡ଼ିଶା ଏବଂ ଜମ୍ମୁ ଓ କାଶ୍ମୀରର ଆଇଟିଆଇ କ୍ଲଷ୍ଟରଗୁଡ଼ିକ ପାଇଁ ୧,୧୯୪.୯୨ କୋଟି ମୂଲ୍ୟର ପାଞ୍ଚଟି ରଣନୀତିକ ପୁଞ୍ଜି ନିବେଶ ଯୋଜନାକୁ ଅନୁମୋଦନ କରାଯାଇଛି।
ସୂଚନା ଅନୁସାରେ ପିଏମ୍-ସେତୁ ଅଧୀନରେ ଅନୁମୋଦିତ ମୋଟ ନିବେଶ ଆଜି ସୁଦ୍ଧା ୩,୬୮୭ କୋଟି ଟଙ୍କା ରହିଛି। ଅର୍ଥାତ୍ କମିଟିର ନିଷ୍ପତ୍ତି ଅନୁସାରେ ଆଜିର ନିବେଶ ଯୋଜନା ସବୁ ରେକର୍ଡକୁ ଭାଙ୍ଗି ସର୍ବାଗ୍ରେ ରହିଛି। ଏହାକୁ ସ୍ୱତନ୍ତ୍ର ରଣନୀତିକ ନିବେଶ ଯୋଜନା ଭାବେ ଗ୍ରହଣ କରାଯାଇଛି। ଶିଳ୍ପ ତାଲିମ ସଂସ୍ଥାନ ବା ଆଇଟିଆଇଗୁଡ଼ିକୁ ଆଧୁନିକ, ଉଦ୍ୟୋଗ-ଉପଯୋଗୀ ଏବଂ ଭବିଷ୍ୟତ-ପ୍ରସ୍ତୁତ କୌଶଳ ଅନୁଷ୍ଠାନରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ଜାରି ରହିଛି। ଏବେ ଏହି ତିନୋଟି ରାଜ୍ୟର ଆଇଟିଆଇ ପାଇଁ ସ୍ୱତନ୍ତ୍ର ନିବେଶ ଯୋଜନା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ଏହି ବୈଠକରେ କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଅତିରିକ୍ତ ସଚିବ ଶ୍ରୀ ନିରଞ୍ଜନ କୁମାର ସୁଧାଂଶୁ ଏବଂ ଯୁଗ୍ମ ସଚିବ ଶ୍ରୀମତୀ ମାନସୀ ସହାୟ ଠାକୁରଙ୍କ ସମେତ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଟ୍ରେନିଂ, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ, ଶିଳ୍ପ ସହଭାଗୀ, ବହୁପାକ୍ଷିକ ବିକାଶ ବ୍ୟାଙ୍କ ଏବଂ ପିଏମ୍ ସେତୁର କାର୍ଯ୍ୟାନ୍ୱୟନ ସହିତ ଜଡ଼ିତ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ ସଚିବ ଶ୍ରୀମତୀ ଦେବଶ୍ରୀ ମୁଖାର୍ଜୀ କହିଛନ୍ତି, “ଜାତୀୟ ଷ୍ଟିଅରିଂ କମିଟି ଦ୍ୱାରା ଦିଆଯାଇଥିବା ଅନୁମୋଦନଗୁଡ଼ିକ ପିଏମ୍ ସେତୁର କାର୍ଯ୍ୟାନ୍ୱୟନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଗୁଡ଼ିକ ଆଇଯିଆଇଗୁଡ଼ିକୁ ସୁଦୃଢ଼ କରିବା, ତାଲିମରେ ସୁଧାର ଆଣିବା ଏବଂ ଶିଳ୍ପକ୍ଷେତ୍ରର ଭାଗିଦାରୀ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଆମେ କ୍ଲଷ୍ଟରଗୁଡ଼ିକୁ ଭାରତୀୟ ମାନକ ସଂସ୍ଥା (ଆଇଏସ୍ଓ) ପ୍ରମାଣପତ୍ର ହାସଲ କରିବା ଦିଗରେ କାର୍ଯ୍ୟ କରିବାକୁ ଏବଂ ସେମାନଙ୍କ ଅନୁମୋଦିତ କାର୍ଯ୍ୟାନ୍ୱୟନ ଯୋଜନାରେ ଅନ୍ତତଃ ଗୋଟିଏ 'ୱାର୍ଲ୍ଡସ୍କିଲ୍ସ' -ସଂଲଗ୍ନ ଟ୍ରେଡ୍ କିମ୍ବା ଦକ୍ଷତା କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବାକୁ ଉତ୍ସାହିତ କରୁଛୁ। ଆମର ଲକ୍ଷ୍ୟ ହେଉଛି ତାଲିମର ଗୁଣବତ୍ତା ସୁଧାରିବା ଏବଂ ଯୁବକଯୁବତୀମାନଙ୍କୁ ଏପରି କୌଶଳ ହାସଲ କରିବାରେ ସାହାଯ୍ୟ କରିବା ଯାହା ସେମାନଙ୍କୁ ଉନ୍ନତ ରୋଜଗାର ସୁଯୋଗ ପ୍ରଦାନ କରିବ। ଜମ୍ମୁ ଓ କଶ୍ମୀର ଦ୍ୱାରା କରାଯାଇଥିବା ଅଗ୍ରଗତି ଉତ୍ସାହଜନକ ଏବଂ ଏହା ଏହି ଅଞ୍ଚଳର ଯୁବକଯୁବତୀମାନଙ୍କ ପାଇଁ କୌଶଳ ବୃଦ୍ଧି ଓ ସୁଯୋଗର ସମ୍ପ୍ରସାରଣ ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି।”
ଅନୁମୋଦିତ ନିବେଶ ଯୋଜନାଗୁଡ଼ିକ ପିଏମ୍-ସେତୁ ଢାଞ୍ଚା ଅଧୀନରେ ରାଜ୍ୟ ସରକାର, ଶିଳ୍ପ ସହଭାଗୀ ଏବଂ ଅଂଶଗ୍ରହଣକାରୀ ଆଇଟିଆଇଗୁଡ଼ିକ ମଧ୍ୟରେ ସହଭାଗିତା ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମିର ଆଧୁନିକୀକରଣ, ଉଦ୍ୟୋଗ-ଉପଯୋଗୀ ପାଠ୍ୟକ୍ରମର ପ୍ରବର୍ତ୍ତନ, ପ୍ରଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି, ଶିଳ୍ପ ସଂଯୋଗର ସୁଦୃଢ଼ୀକରଣ ଏବଂ ଯୁବକଯୁବତୀମାନଙ୍କ ପାଇଁ ରୋଜଗାରକ୍ଷମତା ଫଳାଫଳର ସୁଧାର ଉପରେ ଧ୍ୟାନ ଦେବ।
ଏହି ବୈଠକରେ ଓଡ଼ିଶା ସମେତ ୩ ରାଜ୍ୟୃର ୫ଟି କ୍ଲଷ୍ଟରକୁ ଅନୁମୋଦନ କରାଯାଇଛି। ଏହି ତାଲିକାରେ ମହାରାଷ୍ଟ୍ରର ପୁନେ ଆଇଟିଆଇ କ୍ଲଷ୍ଟର, ଛତ୍ରପତି ସମ୍ଭାଜୀନଗର ଆଇଟିଆଇ କ୍ଲଷ୍ଟର ସାମିଲ ରହିଛି। ସେହିପରି ଜମ୍ମୁ ଓ କଶ୍ମୀର ରାଜ୍ୟର ଜମ୍ମୁ ଆଇଟିଆଇ କ୍ଲଷ୍ଟର ଓ ଶ୍ରୀନଗର ଆଇଟିଆଇ କ୍ଲଷ୍ଟରକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।
ଜାତୀୟ ଷ୍ଟିଅରିଂ କମିଟି ମହାରାଷ୍ଟ୍ରର ପୁଣେ ଆଇଟିଆଇ କ୍ଲଷ୍ଟର ପାଇଁ ୨୪୧ କୋଟି ଟଙ୍କା ମୂଲ୍ୟର ଷ୍ଟ୍ରାଟେଜିକ୍ ଇନଭେଷ୍ଟମେଣ୍ଟ ପ୍ଲାନକୁ ଅନୁମୋଦନ କରିଛନ୍ତି, ଯାହା ବିଭିଜି ଫାଉଣ୍ଡେସନ୍ ସହିତ କନସୋର୍ଟିୟମ୍ରେ ବିଭିଜି ଇଣ୍ଡିଆ ଲିମିଟେଡ୍ ଦ୍ୱାରା କାର୍ଯ୍ୟକାରୀ ହେବ। ଏହି କ୍ଲଷ୍ଟରରେ ମୁଖ୍ୟ କେନ୍ଦ୍ର ଭାବେ ପୁଣେ ଆଇଟିଆଇ କାର୍ଯ୍ୟ କରିବ। ଔନ୍ଧ ସରକାରୀ ଆଇଟିଆଇ, ଔନ୍ଧ ମହିଳା ସରକାରୀ ଆଇଟିଆଇ, ଖେଡ୍ ସରକାରୀ ଆଇଟିଆଇ (ରାଜଗୁରୁନଗର) ଏବଂ ମୁଳସୀ ସରକାରୀ ଆଇଟିଆଇ ଶାଖା କେନ୍ଦ୍ର ଭାବରେ ଅନ୍ତର୍ଭୁକ୍ତ ରହିଛନ୍ତି।
ସେହିପରି, କମିଟି ବେଲରାଇଜ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସହଭାଗିତାରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଆଇଟିଆଇ କ୍ଲଷ୍ଟର ପାଇଁ ₹୨୩୮.୦୧ କୋଟି ମୂଲ୍ୟର ଷ୍ଟ୍ରାଟେଜିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ କୁ ଅନୁମୋଦନ କରିଛନ୍ତି। ଏହି କ୍ଲଷ୍ଟରରେ ସରକାରୀ ଆଇଟିଆଇ ଛତ୍ରପତି ସମ୍ଭାଜୀନଗର ମୁଖ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ସରକାରୀ ଆଇଟିଆଇ ପୈଠାଣ, ସରକାରୀ ଆଇଟିଆଇ ଖୁଲତାବାଦ, ସରକାରୀ ଆଇଟିଆଇ ଫୁଲମ୍ବ୍ରୀ ଏବଂ ସରକାରୀ ଆଇଟିଆଇ ଗଙ୍ଗାପୁର ଶାଖା କେନ୍ଦ୍ର ଭାବରେ ଅନ୍ତର୍ଭୁକ୍ତ ହେବେ।
ଜାତୀୟ ଷ୍ଟିୟରିଂ କମିଟି ଇଗଲ୍ ଇନଫ୍ରା ଇଣ୍ଡିଆ ଲିମିଟେଡ୍ ସହଭାଗିତାରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରର ଜମ୍ମୁ ଆଇଟିଆଇ କ୍ଲଷ୍ଟର ପାଇଁ ୨୪୦ କୋଟି ଟଙ୍କା ମୂଲ୍ୟର ଷ୍ଟ୍ରାଟେଜିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ କୁ ଅନୁମୋଦନ କରିଛନ୍ତି। ଏହି କ୍ଲଷ୍ଟରରେ ସରକାରୀ ଆଇଟିଆଇ ଜମ୍ମୁ ମୁଖ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ସରକାରୀ ଆଇଟିଆଇ ଆର୍.ଏସ୍. ପୁରା, ସରକାରୀ ଆଇଟିଆଇ ନୌସେରା, ସରକାରୀ ଆଇଟିଆଇ ସାମ୍ବା ଏବଂ ସରକାରୀ ଆଇଟିଆଇ କଠୁଆ ଶାଖା କେନ୍ଦ୍ର ଭାବରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ଜାତୀୟ ଷ୍ଟିଅରିଂ କମିଟି ଇନ୍ଦରଦୀପ୍ ଇନ୍ଫ୍ରା ଇଣ୍ଡିଆ ଲିମିଟେଡ୍ ସହଭାଗିତାରେ ଜମ୍ମୁ ଓ କାଶ୍ମୀରର ଶ୍ରୀନଗର ଆଇଟିଆଇ କ୍ଲଷ୍ଟର ପାଇଁ ୨୩୫.୪୧ କୋଟି ଟଙ୍କା ମୂଲ୍ୟର ଷ୍ଟ୍ରାଟେଜିକ୍ ଇନଭେଷ୍ଟମେଣ୍ଟ ପ୍ଲାନକୁ ମଧ୍ୟ ଅନୁମୋଦନ କରିଛନ୍ତି।
ଏହି କ୍ଲଷ୍ଟରରେ ସରକାରୀ ଆଇଟିଆଇ ଶ୍ରୀନଗର ମୁଖ୍ୟ କେନ୍ଦ୍ର ଭାବରେ ଏବଂ ସରକାରୀ ଆଇଟିଆଇ ଗାନ୍ଦରବଲ୍, ସରକାରୀ ଆଇଟିଆଇ କଙ୍ଗନ୍, ସରକାରୀ ଆଇଟିଆଇ ବଡ଼ଗାମ୍ ଏବଂ ସରକାରୀ ଆଇଟିଆଇ ଚରାର୍-ଇ-ଶରୀଫ୍ ଶାଖା କେନ୍ଦ୍ର ଭାବରେ ଅନ୍ତର୍ଭୁକ୍ତ ହେବେ।
ଜାତୀୟ ଷ୍ଟିଅରିଂ କମିଟି ସେତୁ ଯୋଜନାର ଉପାଦାନ-୨ ଅଧୀନରେ ଟ୍ରେନର୍ମାନଙ୍କ ତାଲିମର ପ୍ରଗତି ସମୀକ୍ଷା କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ସାମ୍ପ୍ରତିକ ବୈଷୟିକ ଏବଂ ପେଡାଗୋଜିକାଲ୍ ଦକ୍ଷତାରେ ସମୃଦ୍ଧ ଶିଳ୍ପ-ଉପଯୋଗୀ ପ୍ରଶିକ୍ଷକମାନଙ୍କର ଏକ ସୁଦୃଢ଼ ପୁଲ୍ ଗଠନ କରିବା। ଅକ୍ଟୋବର ୨୦୨୬ ସୁଦ୍ଧା, ଜାତୀୟ କୌଶଳ ତାଲିମ ସଂସ୍ଥାନ (ଏନ୍ଏସ୍ଟିଆଇ) ଗୁଡ଼ିକ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅଧୀନରେ ୩,୭୪୪ ଜଣ ଟ୍ରେନର୍ଙ୍କୁ ତାଲିମ ଦିଆଯାଇଥିବା କୁହାଯାଇଛି।
--
/HP
(ରିଲିଜ ଆଡି: 2324565)
ପରିଦର୍ଶକ କାଉଣ୍ଟର : 10