ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା ଓ ଶିଶୁ ବିକାଶ ଉପରେ ବିଭାଗୀୟ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା



ଜନ ଭାଗିଦାରୀକୁ ଗୁରୁତ୍ୱାରୋପ କରି ଅଙ୍ଗନବାଡ଼ି ଗୁଡ଼ିକୁ ସାମୁଦାୟିକ ଅଂଶଗ୍ରହଣର କେନ୍ଦ୍ର ଭାବରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ବିଶ୍ୱବିଦ୍ୟାଳୟଗୁଡ଼ିକ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଦରିବା ସହ ସାମାଜିକ ପ୍ରଭାବ ଅଧ୍ୟୟନ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ମହିଳା ସୁରକ୍ଷା ଉପରେ ବିଭିନ୍ନ ବିଭାଗରେ ପ୍ରଚେଷ୍ଟାର ସମନ୍ୱୟ ମାଧ୍ୟମରେ ପ୍ରତିରୋଧକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ

କିଶୋରୀ ଝିଅ ମାନଙ୍କ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ସାମଗ୍ରିକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2026 9:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁଷମା ସ୍ୱରାଜ ଭବନଠାରେ ମହିଳା ଓ ଶିଶୁ ବିକାଶ ସମ୍ପର୍କିତ ଦୁଇଦିନିଆ ଜାତୀୟ ବିଭାଗୀୟ ସମ୍ମିଳନୀର ଉଦଯାପନୀ ଦିବସରେ ଅଧ୍ୟକ୍ଷତା କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗୀୟ ସମ୍ମିଳନୀ ଗୁଡ଼ିକର ଅଂଶବିଶେଷ ଭାବେ ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଏକାଠି ହୋଇଥିଲେ । ଏଥିରେ ପୁଷ୍ଟିସାଧନ ଓ ପ୍ରାରମ୍ଭିକ ଶିଶୁ ଯତ୍ନ, ଶିଶୁ ସୁରକ୍ଷା, ମହିଳାଙ୍କ ସୁରକ୍ଷା ଓ ସଶକ୍ତୀକରଣ ତଥା ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ମାଧ୍ୟମରେ ସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଏହି ଗଭୀର ଚର୍ଚ୍ଚାକୁ ପ୍ରଶଂସା କରିବା ସହ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମିଳିତ ଭାବେ ନିଷ୍ପତ୍ତି ଗ୍ରହଣ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ ପରାମର୍ଶ ଦେଇଥିଲେ ଯେ ରାଜ୍ୟଗୁଡ଼ିକ ଜିଲ୍ଲା ଓ ମହାନଗର ନିଗମ ସ୍ତରରେ ଏହିପରି ‘ଚିନ୍ତନ ଶିବିର’ ଆୟୋଜନ କରି ଏହି ମଡେଲକୁ ଆଗକୁ ନେଇପାରିବେ । ଏହା ସହିତ ସେ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ‘ଚିନ୍ତନ ଶିବିର’ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ, ଯାହାଦ୍ୱାରା ସେମାନେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା, ନୂତନ ଉଦ୍ଭାବନ ଏବଂ ବ୍ୟାବହାରିକ ସମାଧାନ ସମ୍ପର୍କରେ ପରସ୍ପର ସହ ମତାମତ ଆଦାନପ୍ରଦାନ କରିପାରିବେ ।

ଜନ ଭାଗିଦାରୀକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏକ ଅଙ୍ଗନବାଡ଼ି କେନ୍ଦ୍ର ଏକ ବିଚ୍ଛିନ୍ନ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବା ଅନୁଚିତ ବରଂ ଏକ ସାମୁହିକ ଅଂଶଗ୍ରହଣର କେନ୍ଦ୍ର ହେବା ଉଚିତ । ସେ କହିଥିଲେ ଯେ, ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ରହୁଥିବା ପରିବାରଗୁଡ଼ିକୁ ମଧ୍ୟ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ଖେଳଣା ଏବଂ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ ଜିନିଷ ବଣ୍ଟନ କରି ବିଶେଷ ଅବସରରେ ଯୋଗଦାନ କରିବାକୁ ଉତ୍ସାହିତ କରାଯାଇପାରିବ । 

ପ୍ରଧାନମନ୍ତ୍ରୀ ଅଙ୍ଗନବାଡ଼ି କେନ୍ଦ୍ର ସହିତ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକର ଗଭୀର ସମ୍ପର୍କ ସ୍ଥାପନ ପାଇଁ ଆହ୍ୱାନ ଜଣାଇଥିଲେ । ବିଶ୍ୱବିଦ୍ୟାଳୟଗୁଡ଼ିକ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଆଦରି ପାରିବେ ଏବଂ ସାମାଜିକ ପ୍ରଭାବ ବାବଦରେ ଅଧ୍ୟୟନ କରିପାରିବେ । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଯୋଗଦାନ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ଉପଯୋଗୀ ଅନ୍ତର୍ଦୃଷ୍ଟି ମଧ୍ୟ ସୃଷ୍ଟି ହୋଇପାରିବ । ଡାକ୍ତରୀ ଛାତ୍ର, ଏନଏସଏସ ଏବଂ ଏନସିସି ସ୍ୱେଚ୍ଛାସେବୀମାନେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସାମୁହିକ ପଦକ୍ଷେପ ସହିତ ସମାନ ଭାବେ ଜଡ଼ିତ ହୋଇପାରିବେ ବୋଲି ସେ କହିଥିଲେ । ସେ କିଶୋରୀ ଝିଅମାନଙ୍କ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ସାମଗ୍ରିକ ବିକାଶ ଉପରେ ଅଧିକ ଧ୍ୟାନ ଦେବାକୁ ମଧ୍ୟ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମହିଳା ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରି ମହିଳାଙ୍କ ସୁରକ୍ଷା, ମର୍ଯ୍ୟାଦା ଏବଂ ସଶକ୍ତୀକରଣ ଉପରେ ପିଲାମାନଙ୍କ ପାଇଁ ବୟସ ଉପଯୁକ୍ତ ମଡୁ୍ୟଲ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ । ସେ ବିଭିନ୍ନ ବିଭାଗ ମଧ୍ୟରେ ପ୍ରଚେଷ୍ଟାର ସମନ୍ୱୟ ମାଧ୍ୟମରେ ପ୍ରତିରୋଧକ କାର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।

ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାର ମଧ୍ୟରେ ଘନିଷ୍ଠ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସାରା ଦେଶରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଗୁଡ଼ିକୁ ସ୍ୱଚ୍ଛତା ଅଭିଯାନର ସକ୍ରିୟ ମାଲିକାନା ନେବାକୁ ଆହ୍ୱାନ କରିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭଲ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସ୍ୱଚ୍ଛତା ସହିତ ଆରମ୍ଭ ହୁଏ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଆଖପାଖ ସମ୍ପ୍ରଦାୟ ଏହି ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହୋଇପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହିଳା ସଶକ୍ତୀକରଣ ପାଇଁ ଭୋକାଲ ଫର ଲୋକାଲ ଆଣ୍ଡ ୱାନ ଡିଷ୍ଟ୍ରିକ୍ଟ ୱାନ ଭଳି ପ୍ରଡକ୍ଟ (ଓଡିଓପି) ଜାତୀୟ ଆନେ୍ଦାଳନକୁ ପ୍ରୋତ୍ସାହିତ କରାଯିବା ଉଚିତ । ସେ ଆହୁରି ମଧ୍ୟ କହିଥିଲେ ଯେ, ମହିଳା ଗୋଷ୍ଠୀ ଏବଂ ସମ୍ପ୍ରଦାୟ ଅନୁଷ୍ଠାନ ଗୁଡ଼ିକ ସ୍ଥାନୀୟ ଉତ୍ପାଦ, ଜୀବିକା ଏବଂ ଆର୍ଥିକ ସଶକ୍ତୀକରଣକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରିବେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକରେ ଏହାର ସମକକ୍ଷ ବିଭାଗ ଗୁଡ଼ିକୁ ସମାଜର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବର୍ଗ ଗୁଡ଼ିକ ମଧ୍ୟରୁ ଗୋଟିଏର ଦାୟିତ୍ୱ ଅର୍ପଣ କରାଯାଇଛି । ଆଜି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ପାଳିତ ହେଉଥିବା ପିଲାମାନେ ଯୁବକ ଏବଂ ନାଗରିକ ହେବେ ଯେଉଁମାନେ କି ବିକଶିତ ଭାରତ ନିର୍ମାଣ କରିବେ ।

SR   


(ରିଲିଜ ଆଡି: 2321862) ପରିଦର୍ଶକ କାଉଣ୍ଟର : 7