ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଆସନ୍ତାକାଲି ଏଚଏଏଲ, କୋରାପୁଟରେ ୨,୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 OCT 2026 4:35PM by PIB Bhubaneswar

 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି ହିନ୍ଦୁସ୍ତାନ ଏରୋନଟିକ ଲିମିଟେଡ୍‌ (ଏଚଏଏଲ)ର କୋରାପୁଟ ଡିଭିଜନ ଠାରେ ୨,୦୦୦ତମ ଏରୋ ଇଞ୍ଜିନ ହସ୍ତାନ୍ତର ସମାରୋହରେ ଯୋଗଦେବେ । ଏଚଏଏଲ, କୋରାପୁଟ ଦୀର୍ଘ ଛଅ ଦଶନ୍ଧି ଧରି ଭାରତର ଏରୋସ୍ପେସ୍‌ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଆସୁଛି । ଏହି ପ୍ରତିଷ୍ଠାନ ସେନାବାହିନୀର ପରିଚାଳନାଗତ ପ୍ରସ୍ତୁତିରେ ମଧ୍ୟ ସହାୟକ ହେଉଛି । ଆସନ୍ତାକାଲିର କାର୍ଯ୍ୟକ୍ରମ ଏଚଏଏଲ, କୋରାପୁଟର ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ଏହି କାର୍ଯ୍ୟକ୍ରମ ଅବସରରେ ୨୧୮ କୋଟି ଟଙ୍କାର ନିବେଶ ସହିତ ଶକ୍ତି ଇଞ୍ଜିନର ଦ୍ୱିତୀୟ ନିର୍ମାଣ ଲାଇନର ଶୁଭାରମ୍ଭ କରାଯିବ । ଏହି ଅତିରିକ୍ତ କ୍ଷମତା ଧ୍ରୁବ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଏବଂ ପ୍ରଚଣ୍ଡ ହାଲୁକା ଯୁଦ୍ଧ ହେଲିକପ୍ଟର ସମେତ ବିଭିନ୍ନ ସ୍ୱଦେଶୀ ହେଲିକପ୍ଟର ନିର୍ମାଣର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବ ।

ଭାରତକୁ ଏକ ପ୍ରତିରକ୍ଷା ଉପକରଣ ଆମଦାନିକାରୀରୁ ବିଭିନ୍ନ ପ୍ରତିରକ୍ଷା ପ୍ରଣାଳୀର ଡିଜାଇନର, ଡେଭଲପର ଏବଂ ଉତ୍ପାଦନକାରୀ ଭାବେ ବିକଶିତ କରିବା ଲାଗି କେନ୍ଦ୍ର ସରକାର ଦୂରଦୃଷ୍ଟିପୂର୍ଣ୍ଣ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ପ୍ରପଲ୍‌ସନ୍‌ ବା ସଞ୍ଚାଳନ ପ୍ରଣାଳୀର ରଣନୀତିକ ମହତ୍ୱ ଏବଂ ବୈଷୟିକ ଜଟିଳତାକୁ ଧ୍ୟାନରେ ରଖି ସ୍ୱଦେଶୀ ଏରୋ-ଇଞ୍ଜିନ୍‌ କ୍ଷମତା ବିକାଶ କରିବା ଏହି ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ।

ଆସନ୍ତାକାଲିର କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ଉତ୍ପାଦନ ସଚିବ ସଞ୍ଜୀବ କୁମାର, ଏଚଏଏଲର ସିଏମଡି ରବି କେ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

****

PS/Swadhin/Manoj


(ରିଲିଜ ଆଡି: 2319363) ପରିଦର୍ଶକ କାଉଣ୍ଟର : 19
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Gujarati , Tamil