ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2026 2:04PM by PIB Bhubaneswar

ଭାରତର ସେମିକଣ୍ଡକ୍ଟର କ୍ଷେତ୍ର ଦ୍ରୁତଗତିରେ ସଂପ୍ରସାରିତ ହେଉଛି; ଏହା ନବସୃଜନ, ନିବେଶ ଓ ଅଭିବୃଦ୍ଧି ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

ଭାରତର ଅର୍ଥନୀତି ବଢ଼ୁଛି; ଭାରତ ପ୍ରତି ବିଶ୍ୱର ବିଶ୍ୱାସ ମଧ୍ୟ ବଢ଼ୁଛି: ପ୍ରଧାନମନ୍ତ୍ରୀ

ଭାରତରେ ଗବେଷଣା କରୁଥିବା ଯୁବ ପ୍ରତିଭାମାନେ ଆଗକୁ ଆସନ୍ତୁ; ବିଦେଶରେ ଗବେଷଣା କରୁଥିବା ଯୁବକ ଯୁବତୀମାନେ ମଧ୍ୟ ଭାରତରେ ଉନ୍ନତ ପ୍ରଯୁକ୍ତିର ବିକାଶରେ ସାମିଲ ହୁଅନ୍ତୁ: ପ୍ରଧାନମନ୍ତ୍ରୀ

ମୁଁ ଶିଳ୍ପ ନେତୃବୃନ୍ଦଙ୍କୁ ଦେଶରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଆଗେଇ ନେବାକୁ ଆହ୍ୱାନ କରୁଛି; ଏହା ଉଭୟଙ୍କ ପାଇଁ ଲାଭଦାୟକ ହେବ, ଶିଳ୍ପ ବିକାଶ ସହିତ ଭାରତର ଯୁବପିଢ଼ିକୁ ମଧ୍ୟ ସଶକ୍ତ କରିବ: ପ୍ରଧାନମନ୍ତ୍ରୀ

ବିଶ୍ୱ ନୂଆ ଓ ବିଶ୍ୱସନୀୟ ଉତ୍ପାଦନସ୍ଥଳୀ ଖୋଜୁଛି; ଏହି ଆବଶ୍ୟକତା ପୂରଣ ପାଇଁ ଭାରତ ନିଜକୁ ଧୀରେ ଧୀରେ ପ୍ରସ୍ତୁତ କରୁଛି: ପ୍ରଧାନମନ୍ତ୍ରୀ

ସେମିକଣ୍ଡକ୍ଟର ଶିଳ୍ପ ଲାଗି ଭାରତକୁ ଏକ ପସନ୍ଦର ଗନ୍ତବ୍ୟସ୍ଥଳରେ ପରିଣତ କରିବାକୁ ଭାରତ ଆବଶ୍ୟକ ପ୍ରତ୍ୟେକ ପଦକ୍ଷେପ ନେଉଛି: ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମିକନ୍ ଇଣ୍ଡିଆର ପଞ୍ଚମ ସଂସ୍କରଣର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ବିଦେଶରୁ ଭାରତ ଆସିଥିବା ଅତିଥିମାନଙ୍କୁ ସେ ବିଶେଷ ଭାବେ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, “ବିଦେଶରୁ ଭାରତ ଆସିଥିବା ସମସ୍ତ ଅତିଥିଙ୍କୁ ମୁଁ ବିଶେଷ ସ୍ୱାଗତ ଜଣାଉଛି।”

ସେମିକନ୍ ଇଣ୍ଡିଆର ଉଦ୍‌ଘାଟନକୁ ବିଶ୍ୱକର୍ମା ଦିବସ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ଭାରତର ଶତାବ୍ଦୀ ପୁରୁଣା ନିର୍ମାଣ ଓ ସୃଜନ ପରମ୍ପରାକୁ ସମ୍ମାନ ଜଣାଇଥିଲେ। ପାରମ୍ପରିକ ସୃଜନଶୀଳ ଶକ୍ତି ସହ ଏକବିଂଶ ଶତାବ୍ଦୀର ପ୍ରଯୁକ୍ତି ଓ ପରିକଳ୍ପନାର ମିଶ୍ରଣ ଏକ ସୁନ୍ଦର ସଂଯୋଗ ବୋଲି ସେ ଉଲ୍ଲେଖ କରିଥିଲେ। ଏହା ଏକ ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତ ଗଠନ ପାଇଁ ପ୍ରେରଣା ବୋଲି ଶ୍ରୀ ମୋଦୀ କହିଥିଲେ।

ଗତ ୧୫ ଦିନ ମଧ୍ୟରେ ଦେଶର ଦ୍ରୁତ ଅଗ୍ରଗତି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ସଫଳତା କଥା ଉଲ୍ଲେଖ କରିଥିଲେ। ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟରେ ସମାବେଶୀ ଆର୍ଥିକ ବ୍ୟବସ୍ଥା ନେଇ ଆଲୋଚନା, ୩,୦୦୦ କିଲୋମିଟର ଦୀର୍ଘ ଡେଡିକେଟେଡ୍ ଫ୍ରେଟ୍ କରିଡର କାର୍ଯ୍ୟକ୍ଷମ ହେବା ଏବଂ ତ୍ରୈମାସିକ ଜିଡିପିରେ ୭.୮ ପ୍ରତିଶତର ଦୃଢ଼ ଅଭିବୃଦ୍ଧି ଏହାର ପ୍ରମୁଖ ଉଦାହରଣ ବୋଲି ସେ କହିଥିଲେ।

ଏଥିସହ ଜାପାନର ଏକ କ୍ରେଡିଟ୍ ରେଟିଂ ଏଜେନ୍ସି ଦ୍ୱାରା ଭାରତର ସାର୍ବଭୌମ କ୍ରେଡିଟ୍ ରେଟିଂ ବୃଦ୍ଧିକୁ ଦେଶର ବଢ଼ୁଥିବା ଆର୍ଥିକ ବିଶ୍ୱସନୀୟତାର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, “ଏହାର ଅର୍ଥ ହେଉଛି, ଗୋଟିଏ ପଟେ ଭାରତର ଅର୍ଥନୀତି ବଢ଼ୁଛି, ଅନ୍ୟପଟେ ଭାରତ ପ୍ରତି ବିଶ୍ୱର ବିଶ୍ୱାସ ମଧ୍ୟ ବଢ଼ୁଛି।”

ନିକଟରେ ଭାରତ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର କୂଟନୈତିକ ସଫଳତାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ନୂଆଦିଲ୍ଲୀ ଘୋଷଣାନାମା’ ସର୍ବସମ୍ମତ ଭାବେ ଗୃହୀତ ହେବା ଅନ୍ତର୍ଜାତୀୟ ସହମତିର ପ୍ରତିଫଳନ। ଏହି ଐତିହାସିକ କୂଟନୈତିକ ସଫଳତା ଭାରତ ଉପରେ ବିଶ୍ୱ ସମୁଦାୟର ଅଟଳ ବିଶ୍ୱାସକୁ ପ୍ରମାଣିତ କରୁଛି ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ, “ଏହା ଭାରତ ପ୍ରତି ବିଶ୍ୱର ବିଶ୍ୱାସର ଆଉ ଏକ ବଡ଼ ପ୍ରମାଣ।”

୨୦୨୨ରେ ଆରମ୍ଭ ହୋଇଥିବା ‘ସେମିକନ୍ ଇଣ୍ଡିଆ’ର ଯାତ୍ରାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୀତି ନିର୍ଦ୍ଧାରଣ ଓ ପ୍ରାରମ୍ଭିକ ଆଲୋଚନାରୁ ଆରମ୍ଭ କରି ପ୍ରକଳ୍ପ ଯୋଜନା, ପରୀକ୍ଷାମୂଳକ ଉତ୍ପାଦନ ଏବଂ ଶେଷରେ ବ୍ୟବସାୟିକ ଉତ୍ପାଦନ ଆରମ୍ଭ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏହି ପ୍ରୟାସର ସଫଳ ପରିଣାମ ସ୍ୱରୂପ ଭାରତରେ ନିର୍ମିତ ଚିପ୍‌ଗୁଡ଼ିକ ଏବେ ବିଶ୍ୱର ଗ୍ରାହକଙ୍କ ନିକଟରେ ପହଞ୍ଚିବା ଆରମ୍ଭ କରିଛି। ଏଥିସହ ମୋହାଲି ଓ ସୁରତରେ ଦୁଇଟି ନୂଆ କାରଖାନାରେ ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହୋଇଥିବାକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଏବେ ଭାରତର କାରଖାନାରୁ ବାହାରୁଥିବା ଆମ ଚିପ୍‌ଗୁଡ଼ିକ ଦେଶ ଓ ବିଶ୍ୱର ଗ୍ରାହକଙ୍କ ନିକଟରେ ପହଞ୍ଚିବା ଆରମ୍ଭ କରିଛି।”

ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମ ଗଠନ କରିବାର ଜଟିଳତାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଳ୍ପ ସମୟ ମଧ୍ୟରେ ଚିପ୍ ଡିଜାଇନ୍, ଉପକରଣ ନିର୍ମାଣ ଏବଂ ପରୀକ୍ଷଣ କ୍ଷମତା ହାସଲ କରିବା ପାଇଁ ବ୍ୟାପକ ସହଯୋଗ ଆବଶ୍ୟକ ହୋଇଛି। ଏହି ଦ୍ରୁତ ପ୍ରଯୁକ୍ତିଗତ ଅଗ୍ରଗତି ସମ୍ଭବ କରିଥିବା ବର୍ତ୍ତମାନର ଶିଳ୍ପ ନେତୃବୃନ୍ଦଙ୍କୁ ସେ ଏହି ସଫଳତାର ଭିତ୍ତିସ୍ତମ୍ଭ ବୋଲି ଅଭିହିତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଆପଣମାନେ ଭାରତର ଏହି ସଫଳତାର ସ୍ତମ୍ଭ, ଆପଣମାନେ ଆମର ସହଯୋଗୀ।”

ସେମିକଣ୍ଡକ୍ଟର କ୍ଷେତ୍ରରେ ଅବିରତ ଗତି ବଜାୟ ରହିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ‘ଟେପ୍-ଆଉଟ୍’ର ଅର୍ଥ ଏବଂ ଏହା ପରେ ମଧ୍ୟ ସରକାର କିପରି ବିନା ବିରତିରେ ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତି ଦିଗରେ ଆଗେଇ ଚାଲିଛି, ତାହା ବୁଝାଇଥିଲେ। ସେ ସେମିକଣ୍ଡକ୍ଟର ମିଶନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୩.୫ ବିଲିୟନ ଡଲାରର ବୃହତ୍ ଯୋଜନା ଘୋଷଣା କରିବା ସହ ଅନ୍ତର୍ଜାତୀୟ କମ୍ପାନୀ, ଷ୍ଟାର୍ଟଅପ୍ ଏବଂ ଡିଜାଇନ୍ କମ୍ପାନୀଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଗମ କରିବା ପାଇଁ ନୂଆ ନିୟାମକ ସଂସ୍କାରର ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଆପଣମାନଙ୍କ ପ୍ରକଳ୍ପର ସଫଳତା ପାଇଁ ଭାରତ ସରକାର ଆବଶ୍ୟକ ପ୍ରତ୍ୟେକ ପଦକ୍ଷେପ ନେଉଛି।”

ଦୃଢ଼ ଘରୋଇ ଯୋଗାଣ ଶୃଙ୍ଖଳା ଗଠନର ପରିକଳ୍ପନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଫ୍ୟାବ୍‌ଲେସ୍ କମ୍ପାନୀଗୁଡ଼ିକର ବିକାଶ, ବୌଦ୍ଧିକ ସମ୍ପତ୍ତି (ଆଇପି) ସୃଷ୍ଟି ଏବଂ ଏଆଇ-ଆଧାରିତ ଭିତ୍ତିଭୂମି ପାଇଁ ସିଲିକନ୍ ଫୋଟୋନିକ୍ସର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ। ଉପକରଣ, ରାସାୟନିକ ପଦାର୍ଥ, ଗ୍ୟାସ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ଷେତ୍ରର ଶିଳ୍ପ ନେତାମାନେ ଅନୁମୋଦିତ ୧୨ଟି ପ୍ରକଳ୍ପ ଏବଂ ବଢ଼ୁଥିବା ଚାହିଦାରୁ ସୃଷ୍ଟି ହେଉଥିବା ବିପୁଳ ସୁଯୋଗର ଲାଭ ଉଠାଇବାକୁ ସେ ଆହ୍ୱାନ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଆମେ ଚାହୁଁଛୁ ସମଗ୍ର ଇକୋସିଷ୍ଟମ ଏକାସାଙ୍ଗରେ ବିକଶିତ ହେଉ।”

ଭାରତର ଜନସମ୍ବଳର ରଣନୈତିକ ସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶର ବିଶାଳ ଇଞ୍ଜିନିୟରିଂ ପ୍ରତିଭା ଏବଂ ଚିପ୍ ଡିଜାଇନିଂ ପାଇଁ ଆରମ୍ଭ କରାଯାଇଥିବା ବ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ଛାତ୍ରଛାତ୍ରୀମାନେ ନିଜେ ଡିଜାଇନ୍ କରିଥିବା ଚିପ୍ ତାଙ୍କୁ ଦେଇଥିବା ଉଲ୍ଲେଖ କରି ସେ ଖୁସି ବ୍ୟକ୍ତ କରିଥିଲେ। ଏକ ଲକ୍ଷ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସରକାରଙ୍କ ଲକ୍ଷ୍ୟ ଥିବା ବେଳେ ଏପର୍ଯ୍ୟନ୍ତ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇସାରିଛି ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ, “ଏତେ ବଡ଼ ପ୍ରତିଭାର ଭଣ୍ଡାର ଆପଣମାନଙ୍କ ପାଇଁ ଏକପ୍ରକାର ସୁନାଖଣିଠାରୁ କିଛି କମ୍ ନୁହେଁ।”

ଦେଶ ଓ ବିଦେଶରେ ଗବେଷଣାରତ ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ ଉନ୍ନତ ପ୍ରଯୁକ୍ତିର ବିକାଶ ପାଇଁ ଦେଶରେ ସକ୍ରିୟ ଭାବେ ଯୋଗଦେବାକୁ କହିଥିଲେ। ଶିଳ୍ପ ନେତାମାନେ ଦେଶରେ ଗବେଷଣା ଓ ବିକାଶ (ଆର୍ ଆଣ୍ଡ ଡି) କାର୍ଯ୍ୟକୁ ଆଗେଇ ନେବାରେ ନେତୃତ୍ୱ ନିଅନ୍ତୁ ବୋଲି ସେ ଆହ୍ୱାନ କରିଥିଲେ। ଏହାଦ୍ୱାରା ଶିଳ୍ପର ବିକାଶ ସହ ଦେଶର ଯୁବଶକ୍ତି ମଧ୍ୟ ଅଧିକ ସଶକ୍ତ ହେବ ବୋଲି ଶ୍ରୀ ମୋଦୀ କହିଥିଲେ। ସେ କହିଥିଲେ, “ଏଥିରେ ଶିଳ୍ପଜଗତରର ଲାଭ ରହିଛି ଏବଂ ଏହାଦ୍ୱାରା ଭାରତର ଯୁବଶକ୍ତି ମଧ୍ୟ ସଶକ୍ତ ହେବ।”

ସେମିକଣ୍ଡକ୍ଟର ବଜାରରେ ଦ୍ରୁତ ପରିବର୍ତ୍ତନ ଓ ବଢ଼ୁଥିବା ଜଟିଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ଚାହିଦା ଯୋଗୁଁ ସେମିକଣ୍ଡକ୍ଟର ଶିଳ୍ପର ଗୁରୁତ୍ୱ କେବଳ ଟ୍ରାଞ୍ଜିଷ୍ଟରର ଆକାରକୁ ନେଇ ସୀମିତ ରହିନାହିଁ। ଏବେ ମେମୋରିର ସଠିକ୍ ସ୍ଥାନ ନିର୍ଦ୍ଧାରଣ, ଉତ୍ତାପ ପରିଚାଳନା ସମେତ ସମଗ୍ର ସିଷ୍ଟମ୍‌ର ସମନ୍ୱୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।

ଏହି ନୂଆ ବିଶ୍ୱସ୍ତରୀୟ ଉତ୍ପାଦନ ଆହ୍ୱାନଗୁଡ଼ିକୁ ପୂରଣ କରିବା ପାଇଁ ଭାରତ ଏକ ବିଶ୍ୱସନୀୟ ଏବଂ ନିରନ୍ତର ପ୍ରସ୍ତୁତ ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପ୍ରସ୍ତୁତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଶ୍ରୀ ମୋଦୀ କହିଥିଲେ, “ଭାରତ ଏଥିପାଇଁ ନିରନ୍ତର ଭାବେ ନିଜକୁ ପ୍ରସ୍ତୁତ କରୁଛି।”

ହାଇ-ପରଫର୍ମାନ୍ସ କମ୍ପ୍ୟୁଟିଂ ପାଇଁ ଶକ୍ତି ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଆଇ ଡାଟା ସେଣ୍ଟରଗୁଡ଼ିକ ପାଇଁ ବିପୁଳ ପରିମାଣର ବିଦ୍ୟୁତ୍ ଆବଶ୍ୟକ ହେଉଥିବା ବେଳେ ଉତ୍ପାଦନ କାରଖାନାଗୁଡ଼ିକ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଅତ୍ୟାବଶ୍ୟକ। ଦେଶରେ ବିଦ୍ୟୁତ୍ କ୍ଷେତ୍ରର ବ୍ୟାପକ ସମ୍ପ୍ରସାରଣ ସମ୍ପର୍କରେ ସେ କହିଥିଲେ। ଏହା ମଧ୍ୟରେ ସୌର ଶକ୍ତି କ୍ଷମତା ୧୬୦ ଗିଗାୱାଟ୍‌ରୁ ଅଧିକକୁ ବୃଦ୍ଧି, ଘରୋଇ କ୍ଷେତ୍ର ପାଇଁ ପରମାଣୁ ଶକ୍ତି କ୍ଷେତ୍ରକୁ ଖୋଲିବା ଏବଂ ଛୋଟ ମଡ୍ୟୁଲାର୍ ରିଆକ୍ଟର୍‌ (ଏସଏମ୍ଆର)ର ବିକାଶ ଭଳି ପଦକ୍ଷେପ ସାମିଲ ରହିଛି। ଶ୍ରୀ ମୋଦୀ କହିଥିଲେ, “ସେଥିପାଇଁ ଭାରତ ଆଜି ବିଦ୍ୟୁତ୍ କ୍ଷେତ୍ରରେ ମଧ୍ୟ ବ୍ୟାପକ ନିବେଶ କରୁଛି।”

ବିଦ୍ୟୁତ୍ ଭିତ୍ତିଭୂମିର ଦ୍ରୁତ ସମ୍ପ୍ରସାରଣକୁ ଶିଳ୍ପର ପ୍ରସ୍ତୁତି ସହ ଯୋଡ଼ି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଶକ୍ତି ସୁରକ୍ଷା ସେମିକଣ୍ଡକ୍ଟର ପରିବେଶର ଏକ ମୌଳିକ ଶକ୍ତି। ଶିଳ୍ପର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଓ ଉନ୍ନତ କରିବାକୁ ସରକାର ଗଭୀର ଭାବେ ପ୍ରତିବଦ୍ଧ ବୋଲି ସେ ଶିଳ୍ପଜଗତକୁ ଆଶ୍ୱାସନା ଦେଇଥିଲେ। ଶ୍ରୀ ମୋଦୀ କହିଥିଲେ, “ସେମିକଣ୍ଡକ୍ଟର ଶିଳ୍ପ ନିମନ୍ତେ ଭାରତକୁ ଏକ ପସନ୍ଦର ଗନ୍ତବ୍ୟସ୍ଥଳ କରିବା ପାଇଁ ଆବଶ୍ୟକ ପ୍ରତ୍ୟେକ ପଦକ୍ଷେପ ଭାରତ ନେଉଛି।”

ଦେଶର ବୈଷୟିକ ଅଗ୍ରଗତିକୁ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ। ‘ଗଣତନ୍ତ୍ରର ଜନନୀ’ ଭାରତର ସମ୍ବିଧାନର ୭୫ ବର୍ଷର ଐତିହ୍ୟକୁ ସେ ସ୍ମରଣ କରିଥିଲେ। ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପର ସଫଳତା ସମଗ୍ର ବିଶ୍ୱର ଯୋଗାଣ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଥିଲେ। ଏଥିସହ ଭାରତରେ ସୃଷ୍ଟି ହେଉଥିବା ବ୍ୟାପକ ସୁଯୋଗର ଲାଭ ଉଠାଇବାକୁ ସେ ଶିଳ୍ପ ଜଗତକୁ ଆହ୍ୱାନ ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, “ଭାରତର ଆକାଂକ୍ଷା ଆପଣମାନଙ୍କ ସମ୍ମୁଖରେ ରହିଛି ଏବଂ ଭାରତରେ ସୃଷ୍ଟି ହେଉଥିବା ନୂଆ ସୁଯୋଗଗୁଡ଼ିକ ଆପଣମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ।”

TKM


(ରିଲିଜ ଆଡି: 2311706) ପରିଦର୍ଶକ କାଉଣ୍ଟର : 8