ଜଳ ଶକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ମହାନଦୀ ଜଳବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଲାଗି ପ୍ରୟାସ


କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ

प्रविष्टि तिथि: 30 JUL 2026 7:14PM by PIB Bhubaneswar

ମହାନଦୀ ଜଳ ବିବାଦର ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ଖୋଜିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳ ଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ଏବଂ ଉଭୟ ରାଜ୍ୟର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ଆଲୋଚନା, ବୈଷୟିକ ସହଯୋଗ ଏବଂ ସହଯୋଗୀ ସଂଘୀୟ ଭାବନା ନେଇ ମହାନଦୀ ଜଳ ବିବାଦର ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ଖୋଜିବା ପାଇଁ ଭାରତ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜିର ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଗତ କିଛି ବର୍ଷ ଧରି ମହାନଦୀ ଜଳ ବଣ୍ଟନ ସମ୍ପର୍କରେ ବିଭିନ୍ନ ସ୍ତରରେ ବ୍ୟାପକ ଆଲୋଚନା ଏବଂ ପ୍ରୟାସ କରାଯାଇଛି। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ, ଭାରତ ସରକାର ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ ଅଧୀନରେ ୧୨ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ (ଏମଡବ୍ଲୁଡିଟି) ଗଠନ କରିଥିଲେ। ସମସ୍ତ ପକ୍ଷଙ୍କୁ ସେମାନଙ୍କର ମତାମତ ଉପସ୍ଥାପନ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରିଥିଲେ।

ସମ୍ପ୍ରତି, ଉଭୟ ରାଜ୍ୟ ପାରସ୍ପରିକ ସହଯୋଗ ଏବଂ ବୈଷୟିକ ଆଲୋଚନା ମାଧ୍ୟମରେ ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ଲାଗି ଆଗ୍ରହ ପ୍ରକାଶ କରିଥିବାରୁ ଏହି ପ୍ରକ୍ରିୟା ଆହୁରି ଗତିଶୀଳ ହୋଇଛି ।

ବୈଠକରେ ଯୁଗ୍ମ ବୈଷୟିକ କମିଟିର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି କମିଟି ଅନେକ ଥର ବୈଠକ କରିଛି ଏବଂ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ସହମତିରେ ପହଞ୍ଚିଛି। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ବିସ୍ତାରିତ ବୈଷୟିକ କମିଟି ଗଠନ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହି କମିଟିରେ ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କ ପ୍ରତିନିଧିମାନେ ସାମିଲ ଅଛନ୍ତି । ଅବଶିଷ୍ଟ ବୈଷୟିକ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ପ୍ରଥମ ଥର ୨୯ ଜୁଲାଇ, ୨୦୨୬ ରେ ବୈଠକ ହୋଇଛି ।

ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ବୈଠକରେ ସ୍ୱାଗତ କରି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ କହିଛନ୍ତି, ମହାନଦୀ ଉଭୟ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଜୀବନରେଖା। ଏକ ନିରପେକ୍ଷ, ଦୀର୍ଘସ୍ଥାୟୀ ଏବଂ ସାର୍ବଜନୀନ ଭାବରେ ଗ୍ରହଣୀୟ ସମାଧାନ ହାସଲ କରିବା ପାଇଁ ଆପୋସ ଆଲୋଚନା, ବୈଷୟିକ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସ ହେଉଛି ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଦୀର୍ଘକାଳୀନ ଜଳ ବିବାଦ ସମାଧାନ ପାଇଁ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଯମୁନା ଜଳ ପ୍ରକଳ୍ପ ଚୁକ୍ତିନାମା ସ୍ୱାକ୍ଷର, ନର୍ମଦା ଜଳ ବିବାଦ ଟ୍ରିବ୍ୟୁନାଲ ପୁରସ୍କାର କାର୍ଯ୍ୟକାରୀ ହେବା ସହ ଜଡିତ ସମସ୍ୟାର ସମାଧାନ ଏବଂ ସଂଶୋଧିତ ପାର୍ବତୀ-କାଲିସିନ୍ଧ-ଚମ୍ବଲ (ଏମପିକେସି) ଲିଙ୍କ ପ୍ରକଳ୍ପ ଉପରେ ସହମତି ସମେତ ବିଭିନ୍ନ ସାମ୍ପ୍ରତିକ ସଫଳତା ମିଳିଛି । ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠାରୁ ଜଟିଳ ଜଳ ବିବାଦକୁ ମଧ୍ୟ ନିରନ୍ତର ଆଲୋଚନା, ସହଯୋଗୀ ସଂଘୀୟ ଭାବନା ଏବଂ ସହମତି ଭିତ୍ତିକ ନିଷ୍ପତ୍ତି ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି ।

ଉଭୟ ମୁଖ୍ୟମନ୍ତ୍ରୀ ଗଠନମୂଳକ ମନୋଭାବ ନେଇ ଜାରି ରହିଥିବା ବୈଷୟିକ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ସଂକଳ୍ପକୁ ଦୋହରାଇଲେ । ଏଥିସହିତ ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା ପ୍ରଦାନ କରାଯାଇଥିବା ସମର୍ଥନକୁ ସେ ପ୍ରଶଂସା କଲେ।

ବୈଠକ ଶେଷରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପାଟିଲ ଦୃଢ଼ ଭାବେ କହିଥିଲେ ଯେ କେବଳ ବର୍ତ୍ତମାନର ବିବାଦର ସମାଧାନ କରିବା ଏକମାତ୍ର ଲକ୍ଷ୍ୟ ନୁହେଁ, ବରଂ ମହାନଦୀ ଅବବାହିକାର ପରିଚାଳନା ପାଇଁ ଏକ ଦୀର୍ଘକାଳୀନ, ସମାନ ଏବଂ ସ୍ଥାୟୀ ଢାଞ୍ଚା ପ୍ରତିଷ୍ଠା କରିବା ସହ ଦୁଇ ରାଜ୍ୟ ମଧ୍ୟରେ ନିରନ୍ତର ଗଠନମୂଳକ ଆଲୋଚନା ପାରସ୍ପରିକ ସହମତି ଏବଂ ଦୀର୍ଘସ୍ଥାୟୀ ସମାଧାନ ଆଡ଼କୁ ବାଟ ଖୋଲିବ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ ।

 

******

PS/Swadhin

 

 


(रिलीज़ आईडी: 2292125) आगंतुक पटल : 6
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Gujarati