ପଞ୍ଚାୟତିରାଜ ମନ୍ତ୍ରଣାଳୟ
‘ଦାନବୀର’ ପଦକ୍ଷେପର ଶୁଭାରମ୍ଭ
‘ମେରି ପଞ୍ଚାୟତ’ ଆପ୍ ମାଧ୍ୟମରେ ନାଗରୀକମାନେ ପଞ୍ଚାୟତଗୁଡ଼ିକୁ କମ୍ପ୍ୟୁଟର ଦାନ କରିପାରିବେ
ସୁଦୃଢ ହେବ ପଞ୍ଚାୟତଗୁଡ଼ିକର ଡିଜିଟାଲ ଭିତ୍ତିଭୂମି
प्रविष्टि तिथि:
29 JUL 2026 7:55PM by PIB Bhubaneswar
ସାରାଦେଶରେ ଗ୍ରାମପଞ୍ଚାୟତଗୁଡ଼ିକର ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ‘ଦାନବୀର’ ନାମକ ଏକ ନାଗରିକ ଭାଗିଦାରୀ ଅଭିଯାନ ଆରମ୍ଭ ହୋଇଛି। ବୁଧବାର ନୂଆଦିଲ୍ଲୀଠାରେ ପଞ୍ଚାୟତରାଜ ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭାରଦ୍ୱାଜ ଏହାର ଶୁଭାରମ୍ଭ କରିଛନ୍ତି।
‘ଦାନବୀର’କେବଳ ଗ୍ରାମପଞ୍ଚାୟତଗୁଡ଼ିକରେ ତତ୍କାଳ କମ୍ପ୍ୟୁଟର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୁହେଁ, ବରଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକୁ ସଶକ୍ତ କରିବା ନିମନ୍ତେ ଏକ ଦୀର୍ଘକାଳୀନ, ନାଗରିକ-ସଞ୍ଚାଳିତ ବ୍ୟବସ୍ଥା ଭାବରେ ବିକଶିତ ହେବା ପାଇଁ ଏହାର ପରିକଳ୍ପନା କରାଯାଇଛି। ଏହା ଏକ ସ୍ୱଚ୍ଛ, ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ ଯାଞ୍ଚଯୋଗ୍ୟ ପ୍ଲାଟଫର୍ମ, ଯାହା ନାଗରିକ ଏବଂ ଅନୁଷ୍ଠାନଗୁଡ଼ିକୁ ଭାରତର ଗ୍ରାମପଞ୍ଚାୟତଗୁଡ଼ିକର ଚିହ୍ନଟ ହୋଇଥିବା ପ୍ରଯୁକ୍ତିବିଦ୍ୟା ଓ ଭିତ୍ତିଭୂମିଗତ ଆବଶ୍ୟକତା ପୂରଣ ଦିଗରେ ସ୍ବେଚ୍ଛାକୃତ ଯୋଗଦାନ କରିବାକୁ ସମର୍ଥ କରିଥାଏ। ଏହି ଅଭିଯାନ ତୃଣମୂଳ ସ୍ତରର ଡିଜିଟାଲ୍ ଭିତ୍ତିଭୂମିକୁ ସହାୟତା କରିବା ପାଇଁ ଏକ ଢାଞ୍ଚାଗତ, ଉତ୍ତରଦାୟୀ ଏବଂ ସହଜ ପ୍ରକ୍ରିୟା ପ୍ରଦାନ କରି ସମାଜରେ ସ୍ୱେଚ୍ଛାସେବାର ମନୋଭାବକୁ ଅନୁଷ୍ଠାନିକ ରୂପ ଦେଇଥାଏ। ପଞ୍ଚାୟତରାଜ ମନ୍ତ୍ରଣାଳୟର ଏହି ପଦକ୍ଷେପ, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC) ଏବଂ ଡିଜିହାଟ୍ (DigiHaat) ର ସହଯୋଗରେ ବିକଶିତ କରାଯାଇଛି।
ଏହି ଅବସରରେ ଶ୍ରୀ ଭାରଦ୍ୱାଜ କହିଥିଲେ ଯେ ‘ଦାନବୀର’ ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ଡିଜିଟାଲ୍ ସକ୍ଷମ, ସଂଯୁକ୍ତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ସହ 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଥିଲେ ଯେ, ଏହି ଅଭିଯାନ ସାରା ବିଶ୍ୱର ନାଗରିକମାନଙ୍କୁ ନିଜ ନିଜ ଗାଁର ବିକାଶରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଇ ନିଜ ମାଟି ସହ ପୁଣି ଯୋଡ଼ିହେବାର ଏକ ସୁଯୋଗ ପ୍ରଦାନ କରୁଛି।
ତୃଣମୂଳ ସ୍ତରରେ ଡିଜିଟାଲ୍ ଭିତ୍ତିଭୂମିର ପରିବର୍ତ୍ତନକାରୀ ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ, ଗ୍ରାମପଞ୍ଚାୟତରେ କମ୍ପ୍ୟୁଟର କେବଳ ରେକର୍ଡ ରଖିବାର ଏକ ମାଧ୍ୟମ ନୁହେଁ, ବରଂ ଏହା ଦ୍ରୁତ ସେବା ପ୍ରଦାନ, ଅଧିକ ସ୍ୱଚ୍ଛତା ଏବଂ ଉନ୍ନତ ଶାସନ ପ୍ରଣାଳୀର ଏକ ସାଧନ। ସେ ଉଲ୍ଲେଖ କରିଛନ୍ତି ଯେ, ଦାନବୀରକୁ କେବଳ ଏକ ଦାନ ଅଭିଯାନ ଭାବରେ ନଦେଖି, ଏକ ସହଭାଗିତାର ପ୍ଲାଟଫର୍ମ ଭାବରେ ଦେଖାଯିବା ଉଚିତ୍, ଯାହା ନାଗରିକ ଏବଂ ଅନୁଷ୍ଠାନଗୁଡ଼ିକୁ ସ୍ଥାନୀୟ ସ୍ୱାୟତ୍ତ ଶାସନକୁ ସୁଦୃଢ଼ କରିବାରେ ଏବଂ 'ଡିଜିଟାଲ୍ ଇଣ୍ଡିଆ'ର ସ୍ୱପ୍ନକୁ ଆଗେଇ ନେବାରେ ସକ୍ରିୟ ଭାଗୀଦାର ହେବାକୁ ସମର୍ଥ କରେ।
କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଯୋଗଦେଇଥିବା ରାଜ୍ୟ ଅଧିକାରୀମାନେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଜଣାଇଥିଲେ ଯେ ସେମାନଙ୍କ ରାଜ୍ୟର ଅନେକ ନାଗରିକ ଓ ଦାତା କମ୍ପ୍ୟୁଟର ଦାନ କରି ଗ୍ରାମପଞ୍ଚାୟତଗୁଡ଼ିକୁ ସହାୟତା କରିବା ପାଇଁ ଆଗ୍ରହ ପ୍ରକାଶ କରିସାରିଛନ୍ତି। ପଞ୍ଚାୟତ ସ୍ତରରେ ଡିଜିଟାଲ୍ ଭିତ୍ତିଭୂମିକୁ ମଜବୁତ୍ କରିବା ଦ୍ୱାରା ଦେଶରେ ସାଧାରଣ ସେବା ଯୋଗାଣର ଦକ୍ଷତା, ସ୍ୱଚ୍ଛତା ଏବଂ ସୁଗମତା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ସେମାନେ ପ୍ରକାଶ କରିଛନ୍ତି।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ମୁକ୍ତା ଶେଖର, ଯୁଗ୍ମ ସଚିବ ଶ୍ରୀମତୀ ପାଲକା ସାହନୀ, ନିର୍ଦ୍ଦେଶକ ଶ୍ରୀ ବିପୁଲ ଉଜ୍ଜ୍ୱଳଙ୍କ ସମେତ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରର ରାଜ୍ୟ ପଞ୍ଚାୟତରାଜ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
TKM
(रिलीज़ आईडी: 2291879)
आगंतुक पटल : 2