ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
କ୍ୟାଚ୍ ଦ ରେନ୍ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଉତ୍ସାହଜନକ ଫଳାଫଳକୁ ଉଲ୍ଲେଖ କଲେ ଭୁବନେଶ୍ୱର ସମେତ ଅନେକ ସହର
प्रविष्टि तिथि:
20 JUL 2026 8:33PM by PIB Bhubaneswar
ଦେଶବ୍ୟାପୀ ‘କ୍ୟାଚ୍ ଦ ରେନ୍’ ଅଭିଯାନର ଅଂଶବିଶେଷ ସ୍ୱରୂପ, ଅମୃତ ଶାଲୋ ୱାଟର୍ ମ୍ୟାନେଜମେଣ୍ଟ (ସାମ୍) କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଥିବା ୭୫ଟି ସହରକୁ ନେଇ ଏକ ଜାତୀୟ ସ୍ତରର ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ), ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ (ଏନଆଇୟୁଏ) ସହଯୋଗରେ ଏହି ଆଲୋଚନା ଆୟୋଜନ କରିଥିଲା। ଏହା ଅଂଶଗ୍ରହଣକାରୀ ସହରଗୁଡ଼ିକୁ ଅଭିଯାନର କାର୍ଯ୍ୟକାରିତା ସମ୍ପର୍କରେ ନିଜର ଅଭିଜ୍ଞତା ବାଣ୍ଟିବା ଲାଗି ଏକ ମଞ୍ଚ ପ୍ରଦାନ କରିଥିଲା। ଏଥିରେ ସହରଗୁଡ଼ିକ ସର୍ବୋତ୍ତମ ଅଭ୍ୟାସ ବିନିମୟ ଏବଂ ସହରାଞ୍ଚଳ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସମ୍ପୂର୍ଣ୍ଣ ହୋଇଥିବା ଭୂତଳ ଜଳ ରିଚାର୍ଜ ହସ୍ତକ୍ଷେପ ପ୍ରଦର୍ଶନ କରିବା ଲାଗି ମଧ୍ୟ ସୁଯୋଗ ପାଇଥିଲେ ।
ସାମ୍ କାର୍ଯ୍ୟକ୍ରମ ବୈଜ୍ଞାନିକ ଯୋଜନା ଏବଂ ବୈଷୟିକ ହସ୍ତକ୍ଷେପ ମାଧ୍ୟମରେ ଭୂତଳ ଜଳ ରିଚାର୍ଜ ବୃଦ୍ଧି କରିବାରେ ସହରଗୁଡ଼ିକୁ ସମର୍ଥନ କରେ। ଏହି କାର୍ଯ୍ୟକ୍ରମ ଅଧୀନରେ, ୭୫ଟି ସହର ରିଚାର୍ଜ ଶାଫ୍ଟ, ଇଞ୍ଜେକ୍ସନ କୂପ, ଚେକ୍ ଡ୍ୟାମ୍, ଗାବିଅନ୍ ୱାଲ୍, ବୃତ୍ତାକାର ଖାଲ ଏବଂ ମଡ୍ୟୁଲାର୍ ରିଚାର୍ଜ ପିଟ୍ ସମେତ ବିଭିନ୍ନ ରିଚାର୍ଜ ହସ୍ତକ୍ଷେପ କାର୍ଯ୍ୟକାରୀ କରୁଛନ୍ତି। ଏହା ଦୀର୍ଘ ସ୍ଥାୟୀ ବର୍ଷାଜଳ ଅମଳ, ଜଳଭଣ୍ଡାର ରିଚାର୍ଜ ଏବଂ ଉନ୍ନତ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଯୋଗଦାନ ଦେଉଛି ।
ଏହି ଆଲୋଚନାରେ ଏମଓଏଚ୍ୟୁଏର ଅତିରିକ୍ତ ସଚିବ ଡି. ତାରା ଅଧ୍ୟକ୍ଷତା କରିଥିଲେ ଏବଂ ଯୁଗ୍ମ ସଚିବ ଇଶା କାଲିଆ ଏହାକୁ ପରିଚାଳନା କରିଥିଲେ। ଯେଉଁଥିରେ ୭୫ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)ର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସହରଗୁଡ଼ିକ ସେମାନଙ୍କର କାର୍ଯ୍ୟକାରିତା ଅଭିଜ୍ଞତା, ପ୍ରମୁଖ ଫଳାଫଳ, ଆହ୍ୱାନ ଏବଂ ଭୂତଳ ଜଳ ରିଚାର୍ଜ ହସ୍ତକ୍ଷେପକୁ ବୃଦ୍ଧି କରିବା ପାଇଁ ଭବିଷ୍ୟତ ଯୋଜନା ବିଷୟରେ ସୂଚନା ଦେଇଥିଲେ ।
ଅନେକ ସହର ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଉତ୍ସାହଜନକ ଫଳାଫଳ ଉପରେ ଆଲୋକପାତ କରିଥିଲେ। କୋର୍ବା ଏହାର ସାମ୍ ହସ୍ତକ୍ଷେପର ସଫଳତା ପରେ ୯୫ଟି ଅତିରିକ୍ତ ଅଚଳ ବୋରୱେଲକୁ ପୁନରୁଦ୍ଧାର କରିବା ପାଇଁ ଯୋଜନା ଘୋଷଣା କରିଥିଲେ। ବିଜୟନଗରମ୍ ଭୂତଳ ଜଳସ୍ତରରେ ଉନ୍ନତି ସମ୍ପର୍କରେ ସୂଚନା ଦେଇଥିବା ବେଳେ ନାଗପୁର ଚଳିତ ମୌସୁମୀ ସମୟରେ ୧୦୦ଟି ଅତିରିକ୍ତ ରିଚାର୍ଜ ଢାଞ୍ଚା ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା କହିଛି । ସାମ୍ ହସ୍ତକ୍ଷେପ କେବଳ ଭୂତଳ ଜଳ ରିଚାର୍ଜ ବୃଦ୍ଧି କରି ନାହିଁ ବରଂ ଉନ୍ନତ ବର୍ଷା ଜଳ ପ୍ରବେଶ ମାଧ୍ୟମରେ ସହରାଞ୍ଚଳ ବନ୍ୟାକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଛି ବୋଲି ଭୁବନେଶ୍ୱର ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା ।
ଭୂତଳ ଜଳ ରିଚାର୍ଜ ପଦକ୍ଷେପଗୁଡ଼ିକର ଦୀର୍ଘକାଳୀନ ସ୍ଥାୟୀତ୍ୱ ସୁନିଶ୍ଚିତ କରିବା ପାଇଁ ଭୂତଳ ଜଳ ବିଶେଷଜ୍ଞମାନେ ଜନ ଭାଗିଦାରୀ ଏବଂ ସ୍ଥାନୀୟ ପରିଚାଳନାର ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଆଲୋଚନା ଅମୃତ ଯୋଜନା ଅଧୀନରେ ସ୍ଥାୟୀ ଭୂତଳ ଜଳ ପରିଚାଳନାକୁ ବୈଜ୍ଞାନିକ, ପ୍ରକୃତି-ଆଧାରିତ ଏବଂ ଗୋଷ୍ଠୀ ପରିଚାଳିତ ହସ୍ତକ୍ଷେପ ମାଧ୍ୟମରେ ଆଗକୁ ବଢାଇବା ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦୃଢ଼ କରିଛି । ଏହା ଜଳ-ସୁରକ୍ଷିତ ଏବଂ ଜଳବାୟୁ-ପ୍ରତିରୋଧୀ ସହର ନିର୍ମାଣ ପାଇଁ 'କ୍ୟାଚ୍ ଦ ରେନ୍' ଅଭିଯାନର ଉଦ୍ଦେଶ୍ୟକୁ ଆଗକୁ ବଢାଇବାରେ ମଧ୍ୟ ସହାୟକ ହେବ ।
*******
PS
(रिलीज़ आईडी: 2286850)
आगंतुक पटल : 15