PIB Backgrounder
ଲାଗୁ ହେଲା ଭାରତ-ୟୁକେ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟିକ ଚୁକ୍ତିନାମା (ସିଇଟିଏ)
ସୁଦୃଢ ହେବ ଦ୍ବିପାକ୍ଷିକ ବାଣିଜ୍ୟ ଓ ନିବେଶ
प्रविष्टि तिथि:
15 JUL 2026 4:35PM by PIB Bhubaneswar
ଭାରତ-ୟୁକେ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟିକ ଚୁକ୍ତିନାମା (ସିଇଟିଏ) ଦୁଇ ଦେଶ ମଧ୍ୟରେ ଥିବା ଆର୍ଥିକ ସହଭାଗିତାରେ ଏକ ପ୍ରମୁଖ ମାଇଲଖୁଣ୍ଟ । ଏହା ବଜାର ପ୍ରବେଶରେ ସୁଧାର, ସରଳୀକୃତ ବାଣିଜ୍ୟ ପ୍ରକ୍ରିୟା, ଉନ୍ନତ ସେବା ପ୍ରତିବଦ୍ଧତା ଏବଂ ବୃତ୍ତିଗତ ଗତିଶୀଳତା ମାଧ୍ୟମରେ ବାଣିଜ୍ୟ ଏବଂ ନିବେଶକୁ ଅଧିକ ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ବାଣିଜ୍ୟିକ ପ୍ରତିବନ୍ଧକକୁ ହ୍ରାସ କରି ଏବଂ ରପ୍ତାନି ପ୍ରତିଦ୍ୱନ୍ଦ୍ୱିତାରେ ସୁଧାର ଆଣି ଏହି ଚୁକ୍ତିନାମା କୃଷି, ମତ୍ସ୍ୟପାଳନ, ଉତ୍ପାଦନ, ସେବା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନୂତନ ସୁଯୋଗ ସୃଷ୍ଟି କରିବ। ଏଥିସହିତ, ଏହା ସୁଚିନ୍ତିତ ବଜାର ପ୍ରବେଶ ଏବଂ ପର୍ଯ୍ୟାୟକ୍ରମେ ଶୁଳ୍କ ଉଦାରୀକରଣ ମାଧ୍ୟମରେ ଭାରତର ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ସୁରକ୍ଷିତ ରଖିଥାଏ। ଏହି ଚୁକ୍ତିନାମା ଡିଜିଟାଲ ବାଣିଜ୍ୟ, ନବସୃଜନ, ସ୍ଥାୟୀ ବିକାଶ ଏବଂ ସୁଦୃଢ଼ ପାରସ୍ପରିକ ବ୍ୟକ୍ତିଗତ ସମ୍ପର୍କକୁ ପ୍ରୋତ୍ସାହିତ କରିଥାଏ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରି, ଏହି ଚୁକ୍ତିନାମା ଏକ ଅଧିକ ସମାବେଶୀ ଏବଂ ଭବିଷ୍ୟତମୁଖୀ ଆର୍ଥିକ ସହଭାଗିତାର ଭିତ୍ତିଭୂମି ସ୍ଥାପନ କରେ।
ଲାଗୁ ହୋଇଛି ଭାରତ-ୟୁକେ (ଯୁକ୍ତରାଜ୍ୟ) ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିନାମା (ସିଇଟିଏ)। ଏହା ହେଉଛି ଏକ ଆଧୁନିକ, ବ୍ୟାପକ ଏବଂ ଐତିହାସିକ ବାଣିଜ୍ୟିକ ଚୁକ୍ତି, ଯାହାକି ବଜାରର ସୁଗମତା, ବାଣିଜ୍ୟ ଉଦାରୀକରଣ ଏବଂ ଶୁଳ୍କ ରିହାତି ମାଧ୍ୟମରେ ଭାରତ ଏବଂ ୟୁକେ ମଧ୍ୟରେ ଅର୍ଥନୈତିକ ସଂପର୍କକୁ ଅଧିକ ଗଭୀର କରିବାକୁ ଲକ୍ଷ୍ୟ ରଖିଛି। ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଅଧୀନରେ ୟୁକେ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟତମ ସବୁଠାରୁ ମହତ୍ତ୍ୱାକାଂକ୍ଷୀ ସେବା ପ୍ରତିଶ୍ରୁତିଗୁଡ଼ିକ ଭାରତକୁ ଉପକୃତ କରିବ। ବାଣିଜ୍ୟ ମୂଲ୍ୟର ପ୍ରାୟ ୧୦୦% କୁ ଅନ୍ତର୍ଭୁକ୍ତ କରୁଥିବା ଭାରତର ପ୍ରାୟ ୯୯% ରପ୍ତାନି ଉପରେ ଶୂନ୍ୟ-ଶୁଳ୍କ ସୁବିଧା ପ୍ରଦାନ କରି, ସିଇଟିଏ ଭାରତର ରପ୍ତାନି ପ୍ରତିଯୋଗିତାକ୍ଷମତାକୁ ମଜବୁତ କରିବ ବୋଲି ଆଶା କରାଯାଉଛି। ଏହି ଚୁକ୍ତିନାମା ଦ୍ୱିପାକ୍ଷିକ ବାଣିଜ୍ୟକୁ ବିସ୍ତାର କରିବ, ପୁଞ୍ଜିନିବେଶକୁ ଆକୃଷ୍ଟ କରିବ ଏବଂ ବ୍ୟବସାୟ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ମଧ୍ୟ ଆଶା କରାଯାଉଛି।
ଏହାର ଅର୍ଥନୈତିକ ଏବଂ ବାଣିଜ୍ୟିକ ଗୁରୁତ୍ୱ ବ୍ୟତୀତ, ସିଇଟିଏକୁ ଏକ ସମାବେଶୀ ଏବଂ ଭବିଷ୍ୟତ-ମୁଖୀ ଚୁକ୍ତିନାମା ଭାବରେ ପ୍ରସ୍ତୁତ କରାଯାଇଛି। ବାଣିଜ୍ୟର ଲାଭ ଯେପରି ସମାଜର ପ୍ରତ୍ୟେକ ବର୍ଗଙ୍କ ପାଖରେ ପହଞ୍ଚିପାରିବ, ତାହା ନିଶ୍ଚିତ କରିବାକୁ ଏହା ଚେଷ୍ଟା କରେ। କେବଳ ଏକ ବାଣିଜ୍ୟ ଚୁକ୍ତିନାମା ଅପେକ୍ଷା, ସିଇଟିଏ ଏକ ନମନୀୟ, ନବସୃଜନ-ଚାଳିତ ଏବଂ ଜନ-କେନ୍ଦ୍ରିକ ଅର୍ଥନୈତିକ ସହଭାଗିତାର ମୂଳଦୁଆ ପକାଇଥାଏ।
ଭାରତ-ୟୁକେ ଦ୍ୱିପାକ୍ଷିକ ବାଣିଜ୍ୟ
ଭାରତ ଏବଂ ୟୁକେ ମଧ୍ୟରେ ଏକ ସୁଦୃଢ଼ ଏବଂ କ୍ରମବର୍ଦ୍ଧିଷ୍ଣୁ ଅର୍ଥନୈତିକ ସହଭାଗିତା ରହିଛି। ୨୦୨୫ ମସିହାରେ, ଭାରତର ଜିଡିପି ୩.୯୬ ଟ୍ରିଲିୟନ ଆମେରିକୀୟ ଡଲାର ରହିଥିବା ବେଳେ ୟୁକେର ଅର୍ଥବ୍ୟବସ୍ଥା ୩.୮୪ ଟ୍ରିଲିୟନ ଆମେରିକୀୟ ଡଲାର ଥିଲା, ଯାହା ବିଶ୍ୱ ବାଣିଜ୍ୟରେ ଉଭୟ ଅର୍ଥନୀତିର ଗୁରୁତ୍ୱକୁ ଦର୍ଶାଉଛି।
୨୦୨୫-୨୬ ବର୍ଷରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସାମଗ୍ରୀ କାରବାର ୨୫.୧୨ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି, ଯେଉଁଥିରେ ୟୁକେକୁ ଭାରତର ରପ୍ତାନି ୧୩.୪୪ ବିଲିୟନ ଆମେରିକୀୟ ଡଲାର ଏବଂ ଆମଦାନୀ ୧୧.୬୮ ବିଲିୟନ ଆମେରିକୀୟ ଡଲାର ରହିଛି; ଏହାଫଳରେ ୧.୭୬ ବିଲିୟନ ଆମେରିକୀୟ ଡଲାରର ବାଣିଜ୍ୟ ବଳକା ସୃଷ୍ଟି ହୋଇଛି।
ସେବା କ୍ଷେତ୍ରର ବାଣିଜ୍ୟ ମଧ୍ୟ ସମାନ ଭାବରେ ସୁଦୃଢ଼ ରହିଛି, ଯେଉଁଥିରେ ୨୦୨୪ ମସିହାରେ ମୋଟ ଦ୍ୱିପାକ୍ଷିକ ସେବା ବାଣିଜ୍ୟ ୩୫.୪୪ ବିଲିୟନ ଆମେରିକୀୟ ଡଲାର ସ୍ପର୍ଶ କରିଛି। ଭାରତ ୟୁକେକୁ ୨୧.୬୬ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସେବା ରପ୍ତାନି କରିଥିବା ବେଳେ ୧୩.୭୮ ବିଲିୟନ ଆମେରିକୀୟ ଡଲାରର ସେବା ଆମଦାନୀ କରିଥିଲା, ଯାହାଫଳରେ ୭.୮୮ ବିଲିୟନ ଆମେରିକୀୟ ଡଲାରର ସେବା ବାଣିଜ୍ୟ ବଳକା ସୃଷ୍ଟି ହୋଇଛି।
ସିଇଟିଏ ପ୍ରମୁଖ ସଂପୃକ୍ତ ପକ୍ଷ ମାନଙ୍କୁ କିପରି ଲାଭାନ୍ୱିତ କରେ
ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଫଳ ପ୍ରଦାନ କରିବା ପାଇଁ ସିଇଟିଏକୁ ପ୍ରସ୍ତୁତ କରାଯାଇଛି। ସିଇଟିଏ ଏହା ମଧ୍ୟ ନିଶ୍ଚିତ କରେ ଯେ ବାଣିଜ୍ୟରୁ ମିଳୁଥିବା ଲାଭ ସମସ୍ତଙ୍କ ମଧ୍ୟରେ ବ୍ୟାପକ ଭାବେ ବଣ୍ଟନ କରାଯାଇପାରିବ। ଶୁଳ୍କ ଉଚ୍ଛେଦ ମାଧ୍ୟମରେ ୟୁକେ ବଜାରରେ ଉନ୍ନତ ପ୍ରବେଶ ସୁବିଧା ପାଇ ଭାରତୀୟ କୃଷକ ଏବଂ ମତ୍ସ୍ୟଜୀବୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ନୂତନ ରପ୍ତାନି ସୁଯୋଗ ସୃଷ୍ଟି ହେବା ସହ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ଚୁକ୍ତିନାମା ଜଙ୍ଗଲ ଉପରେ ନିର୍ଭରଶୀଳ ସମ୍ପ୍ରଦାୟଗୁଡ଼ିକ ପାଇଁ ସ୍ଥାୟୀ ଜୀବିକାର ଗୁରୁତ୍ୱକୁ ସ୍ୱୀକାର କରେ। ଏହା ଦାୟିତ୍ୱପୂର୍ଣ୍ଣ ସମ୍ବଳ ପରିଚାଳନା ଏବଂ ପରିବେଶ ସହଯୋଗକୁ ପ୍ରୋତ୍ସାହିତ କରେ। ବୟନ ଶିଳ୍ପ , ଚମଡ଼ା, ଜୋତା, ରତ୍ନ ଓ ଅଳଙ୍କାର, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଅଟୋ ଉପକରଣ, ପ୍ଲାଷ୍ଟିକ ଏବଂ ଜୈବିକ ରସାୟନ ଭଳି ଶ୍ରମ-ସଘନ କ୍ଷେତ୍ରଗୁଡ଼ିକ ଅଧିକ ରପ୍ତାନିର ସାକ୍ଷୀ ହେବାକୁ ଯାଉଛନ୍ତି। ଏହାଦ୍ୱାରା ରୋଜଗାର ସୃଷ୍ଟି ପ୍ରକ୍ରିୟା ତ୍ୱରାନ୍ୱିତ ହେବାର ସମ୍ଭାବନା ରହିଛି। ଏହି ଚୁକ୍ତିନାମା ସମାବେଶୀ ଏବଂ ଭବିଷ୍ୟତ-ଉପଯୋଗୀ ଅଭିବୃଦ୍ଧି ଉପରେ ଦୃଢ଼ ଗୁରୁତ୍ୱାରୋପ କରିଥାଏ। ଏହା ମହିଳା, ଯୁବବର୍ଗ, ଏମଏସଏମଇ (ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ), ବ୍ୟବସାୟ ଏବଂ ପେସାଦାର ମାନଙ୍କ ପାଇଁ ସୁଯୋଗକୁ ପ୍ରସାରିତ କରେ। ବାଣିଜ୍ୟ, ନବସୃଜନ ଏବଂ ଉଦ୍ୟୋଗିତା କ୍ଷେତ୍ରରେ ମହିଳା ଏବଂ ଅବହେଳିତ ଶ୍ରେଣୀର ଅଧିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏହା ସହିତ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଶ୍ରମ ଅଧିକାର, ଲିଙ୍ଗଗତ ସମାନତା ଏବଂ ସୁରକ୍ଷିତ ତଥା ଉପଯୁକ୍ତ କାର୍ଯ୍ୟ ପରିବେଶ ପ୍ରତି ପ୍ରତିବଦ୍ଧତାକୁ ଏହା ଦୋହରାଇଥାଏ। ୟୁକେ ସେବା ବଜାରରେ ଉନ୍ନତ ପ୍ରବେଶ ସୁବିଧା, ଗମନାଗମନ ବ୍ୟବସ୍ଥା ଏବଂ ବୃତ୍ତିଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ନୂତନ ସୁଯୋଗ ସୃଷ୍ଟି କରେ। ଏହି ସୁଯୋଗଗୁଡ଼ିକ ଦକ୍ଷ ଭାରତୀୟ ପେସାଦାର ଏବଂ ଯୁବ ପ୍ରତିଭାମାନଙ୍କୁ ଉପକୃତ କରିବ। ସରଳୀକୃତ ସୀମା ଶୁଳ୍କ ପ୍ରକ୍ରିୟା, କାଗଜବିହୀନ ବାଣିଜ୍ୟ ଏବଂ ଡିଜିଟାଲ ବ୍ୟବସ୍ଥା ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ଲାଭବାନ ହେବେ। ଏହି ପଦକ୍ଷେପଗୁଡ଼ିକ ଅନୁପାଳନ ଖର୍ଚ୍ଚ ହ୍ରାସ କରିବା ସହ ବଜାର ପ୍ରବେଶକୁ ସୁଗମ କରିଥାଏ। ୟୁକେରେ ପ୍ରବେଶ କରୁଥିବା ୯୯% ଭାରତୀୟ ରପ୍ତାନି ଉପରେ ଶୁଳ୍କମୁକ୍ତ ସୁବିଧାରୁ ଭାରତୀୟ ଏମଏସଏମଇ ମଧ୍ୟ ଉପକୃତ ହେବେ। ଏଥିରେ ବୟନ ଶିଳ୍ପ, ଚମଡ଼ା, ଅଳଙ୍କାର, ପାଦୁକା ଏବଂ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ - ଯାହାଦ୍ୱାରା ଶୁଳ୍କରେ ପ୍ରାୟ ୪% ରୁ ୧୬% ପର୍ଯ୍ୟନ୍ତ ସଞ୍ଚୟ ହେବ। ସରଳୀକୃତ ବାଣିଜ୍ୟ ସୁଗମତା ପଦକ୍ଷେପ, ଡିଜିଟାଲ୍ ସହଯୋଗ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳା ସହିତ ଦୃଢ଼ ସଂଯୋଗୀକରଣ ଦ୍ୱାରା ବ୍ୟବସାୟଗୁଡ଼ିକ ଉପକୃତ ହୁଅନ୍ତି। ଏହା ବ୍ୟବସାୟିକ ସୁଗମତାକୁ ବୃଦ୍ଧି କରେ ଏବଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରେ। ଏହି ଚୁକ୍ତିନାମା ଡିଜିଟାଲ୍ ବାଣିଜ୍ୟ ସୁଗମତା ଏବଂ ବୈଦ୍ୟୁତିକ ପ୍ରମାଣୀକରଣକୁ ଅଧିକ ପ୍ରୋତ୍ସାହିତ କରିଥାଏ। ଏହା 'ସିଙ୍ଗଲ୍ ୱିଣ୍ଡୋ' ଏବଂ 'ଅଥରାଇଜଡ୍ ଇକୋନୋମିକ୍ ଅପରେଟର୍' ଭଳି ପ୍ରତିଷ୍ଠିତ ବ୍ୟବସ୍ଥାଗୁଡ଼ିକର ଉପଯୋଗ କରିଥାଏ।
କେବଳ ବାଣିଜ୍ୟ ନୁହେଁ, ସବୁ କ୍ଷେତ୍ରରେସହଭାଗିତା
ଭାରତ ଏବଂ ୟୁକେ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ପାରସ୍ପରିକ ଜନସମ୍ପର୍କ ଏବଂ ରଣନୀତିକ ସହଯୋଗ ଉପରେ ଆଧାରିତ ଏକ ସୁଦୃଢ଼ ତଥା ବହୁମୁଖୀ ସହଭାଗିତା ରହିଛି।
ପୁଞ୍ଜିନିବେଶ ସହଭାଗିତା
ଭାରତ ପାଇଁ ୟୁକେ ହେଉଛି ଷଷ୍ଠ ବୃହତ୍ତମ ପୁଞ୍ଜିନିବେଶକାରୀ। ସେପ୍ଟେମ୍ବର ୨୦୨୪ ସୁଦ୍ଧା ଏହା ମୋଟ ୩୫ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜିନିବେଶ କରିଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ୟୁକେରେ ଭାରତର ପୁଞ୍ଜିନିବେଶ ୧୯ ବିଲିୟନ ଆମେରିକୀୟ ଡଲାର ଥିଲା। ଜୁଲାଇ ୨୦୨୫ ସୁଦ୍ଧା, ୟୁକେରେ ୯୭୧ଟି ଭାରତୀୟ କମ୍ପାନୀ କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ୧ ଲକ୍ଷରୁ ଅଧିକ ଲୋକ ନିୟୋଜିତ ଅଛନ୍ତି। ଏହାବ୍ୟତୀତ, ଭାରତରେ ୬୬୭ଟି ବ୍ରିଟିଶ କମ୍ପାନୀ କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ୫ ଲକ୍ଷରୁ ଅଧିକ ଲୋକ କାର୍ଯ୍ୟରତ ଅଛନ୍ତି।
ଗମନାଗମନ ଏବଂ ବୃତ୍ତିଗତ ଆଦାନପ୍ରଦାନ
୪ ମଇ ୨୦୨୧ରେ ଭାରତ ଏବଂ ୟୁକେ ମଧ୍ୟରେ ‘ମାଇଗ୍ରେସନ ଆଣ୍ଡ ମୋବିଲିଟି ପାର୍ଟନରସିପ୍’ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମାର ଲକ୍ଷ୍ୟ ହେଉଛି କାର୍ଯ୍ୟରତ ପେସାଦାରମାନଙ୍କର ତ୍ୱରିତ ଗମନାଗମନକୁ ସୁଗମ କରିବା, ଯାହା ଭାରତ-ୟୁକେ ଅର୍ଥନୈତିକ ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟେ। ନଭେମ୍ବର ୨୦୨୨ରେ, ଜି-୨୦ ବାଲି ଶିଖର ସମ୍ମିଳନୀ ଅବସରରେ ଭାରତ ଏବଂ ୟୁକେ ମଧ୍ୟରେ ‘ୟଙ୍ଗ୍ ପ୍ରୋଫେସନାଲ୍ ସ୍କିମ୍’ ଘୋଷଣା କରାଯାଇଥିଲା। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ୩,୦୦୦ ଭିସା ପ୍ରଦାନ କରାଯାଏ। ୧୮ ରୁ ୩୦ ବର୍ଷ ବୟସ୍କ ସ୍ନାତକ ମାନଙ୍କୁ ଦୁଇ ବର୍ଷ ପାଇଁ ଭିସା ମିଳିଥାଏ। ଏହି ଯୋଜନା ସେମାନଙ୍କୁ ପରସ୍ପରର ଦେଶରେ ରହିବା ଏବଂ କାମ କରିବା ପାଇଁ ଅନୁମତି ଦେଇଥାଏ।
ୟୁକେରେ ପ୍ରବାସୀ ଭାରତୀୟ
୨୦୨୧ ଜନଗଣନା ଅନୁଯାୟୀ, ୟୁକେରେ ପ୍ରାୟ ୧୮.୬୪ ଲକ୍ଷ ପ୍ରବାସୀ ଭାରତୀୟ ରହୁଛନ୍ତି। ଏହା ୟୁକେର ମୋଟ ଜନସଂଖ୍ୟାର ପ୍ରାୟ ୨.୬% ଅଟେ, ଯାହା ୨୦୨୨ରେ ୬୮ ମିଲିୟନ ଆକଳନ କରାଯାଇଥିଲା। ଏହି ଜନଗଣନାରେ ୟୁକେରେ ରହୁଥିବା ୩୬୯,୦୦୦ ଭାରତୀୟ ପାସପୋର୍ଟଧାରୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଭାରତୀୟ ପ୍ରବାସୀମାନଙ୍କ ମଧ୍ୟରେ ନିୟୋଜନ ହାର ଏବଂ ପେସାଦାର ଯୋଗ୍ୟତା ଉଚ୍ଚ ସ୍ତରର ରହିଛି। ସେମାନେ ଶିକ୍ଷାବିତ୍, ସାହିତ୍ୟ, କଳା, ଚିକିତ୍ସା, ବିଜ୍ଞାନ, କ୍ରୀଡ଼ା, ଶିଳ୍ପ, ବ୍ୟବସାୟ ଏବଂ ରାଜନୀତି କ୍ଷେତ୍ରରେ ମୂଲ୍ୟବାନ ଅବଦାନ ରଖିଛନ୍ତି। ଗ୍ରାଣ୍ଟ ଥର୍ଣ୍ଣଟନ ଏବଂ ଫିକି ର ମାର୍ଚ୍ଚ ୨୦୨୨ ରିପୋର୍ଟ ‘ଇଣ୍ଡିଆ ଇନ୍ ଦି ୟୁକେ: ଦି ଡାୟାସପୋରା ଇଫେକ୍ଟ’ ଅନୁଯାୟୀ, ୬୫,୦୦୦ ରୁ ଅଧିକ କମ୍ପାନୀର ମାଲିକାନା ଭାରତୀୟ ପ୍ରବାସୀମାନଙ୍କ ପାଖରେ ରହିଛି।
ଜାତୀୟ ସ୍ୱାର୍ଥର ସୁରକ୍ଷା ସହିତ ବଜାର ପ୍ରବେଶର ସମ୍ପ୍ରସାରଣ
ଭାରତ-ୟୁକେ ସିଇଟିଏ ବାଣିଜ୍ୟ ଉଦାରୀକରଣ ଏବଂ ଭାରତର ରଣନୀତିକ କ୍ଷେତ୍ର, ସ୍ଥାନୀୟ ଶିଳ୍ପ ତଥା ଦୀର୍ଘକାଳୀନ ବିକାଶମୂଳକ ପ୍ରାଥମିକତାଗୁଡ଼ିକର ସୁରକ୍ଷା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିଥାଏ।
- ଶୁଳ୍କ ରିହାତି: ଭାରତ ଏହାର ୮୯.୫% ଶୁଳ୍କ ଲାଇନ ଉପରେ ଶୁଳ୍କ ରିହାତି ପ୍ରଦାନ କରିଛି, ଯାହା ୟୁକେର ପ୍ରାୟ ୯୧% ରପ୍ତାନିକୁ ଅନ୍ତର୍ଭୁକ୍ତ କରେ। ୟୁକେର ରପ୍ତାନି ମୂଲ୍ୟର ୨୪.୫% ଭାଗକୁ ତୁରନ୍ତ ଶୁଳ୍କମୁକ୍ତ ପ୍ରବେଶ ସୁବିଧା ମିଳିବ, ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରେ ରିହାତିଗୁଡ଼ିକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ।
- ସମ୍ବେଦନଶୀଳ କ୍ଷେତ୍ରର ସୁରକ୍ଷା: କୃଷି ଏବଂ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସମେତ ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ବାଦ୍ ଦିଆଯାଇଛି କିମ୍ବା ସେଗୁଡ଼ିକ ଉପରେ ପର୍ଯ୍ୟାୟକ୍ରମେ ଶୁଳ୍କ ହ୍ରାସ କରାଯାଇ ସୁରକ୍ଷିତ ରଖାଯାଇଛି।
- ସୁରକ୍ଷିତ କୃଷିଜାତ ଦ୍ରବ୍ୟ: କୃଷି ଅଧୀନରେ ଥିବା ସୁରକ୍ଷିତ ସାମଗ୍ରୀଗୁଡ଼ିକ ମଧ୍ୟରେ ଦୁଗ୍ଧଜାତ ଦ୍ରବ୍ୟ, ଶସ୍ୟ ଓ ବାଜରା , ଡାଲି ଜାତୀୟ ଶସ୍ୟ, ସେଓ, ଖାଇବା ତେଲ, ଓଟ୍ସ ଏବଂ ପନିପରିବା ସାମିଲ ଅଛି।
- ଉଚ୍ଚ-ମୂଲ୍ୟ ବିଶିଷ୍ଟ ସାମଗ୍ରୀର ସୁରକ୍ଷା: ସିଇଟିଏ ସୁନା, ଅଳଙ୍କାର, ଲାବୋରେଟୋରୀରେ ପ୍ରସ୍ତୁତ ହୀରା, କେତେକ ଅତ୍ୟାବଶ୍ୟକ ତେଲ, ଗୁରୁତ୍ୱପୂର୍ଣ୍ଣ ଜ୍ୱାଳାନୀ, ସାମୁଦ୍ରିକ ଜାହାଜ, ବ୍ୟବହୃତ ପୋଷାକ, ଗୁରୁତ୍ୱପୂର୍ଣ୍ଣ ପଲିମର ଏବଂ ସେଗୁଡ଼ିକର ମୋନୋଫିଲାମେଣ୍ଟ, ସ୍ମାର୍ଟଫୋନ ଏବଂ ଅପ୍ଟିକାଲ ଫାଇବର ଭଳି ଉଚ୍ଚ-ମୂଲ୍ୟର ସାମଗ୍ରୀଗୁଡ଼ିକୁ ମଧ୍ୟ ସୁରକ୍ଷା ପ୍ରଦାନ କରେ।
- ରଣନୀତିକ ଉତ୍ପାଦ ଏବଂ ମେକ୍ ଇନ୍ ଇଣ୍ଡିଆ: ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦଗୁଡ଼ିକୁ ଯତ୍ନର ସହ ବିଚାର କରାଯାଇଛି। ଏଥିରେ ସେହିସବୁ କ୍ଷେତ୍ର ଅନ୍ତର୍ଭୁକ୍ତ, ଯେଉଁଠାରେ 'ମେକ୍ ଇନ୍ ଇଣ୍ଡିଆ' ଏବଂ 'ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ' (ପିଏଲଆଇ) ଯୋଜନା ଅଧୀନରେ ଘରୋଇ ଦକ୍ଷତାର ବିକାଶ କରାଯାଉଛି। ଏହି କ୍ଷେତ୍ରଗୁଡ଼ିକ ପାଇଁ ଶୁଳ୍କ ରିହାତିକୁ ୫, ୭ କିମ୍ବା ୧୦ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଶୁଳ୍କ ହ୍ରାସ ମାଧ୍ୟମରେ ଲାଗୁ କରାଯିବ।
- ଆଲକହଲଯୁକ୍ତ ପାନୀୟ କ୍ଷେତ୍ର: ଭାରତ ଧୀରେ ଧୀରେ ଏବଂ ସୀମିତ ଭାବରେ ମଦ୍ୟପାନୀୟ ପାଇଁ ନିଜ ବଜାରକୁ ଖୋଲିଛି।
- ଯାନବାହନ (ଅଟୋମୋବାଇଲ୍) କ୍ଷେତ୍ର ପାଇଁ ଭାରତ ଏକ ମାପଚୁପ, ପର୍ଯ୍ୟାୟକ୍ରମେ ଏବଂ ବିକାଶମୂଖୀ କୋଟା-ଭିତ୍ତିକ ଉଦାରୀକରଣ ରଣନୀତି ଗ୍ରହଣ କରିଛି। ଏହା ସହିତ ଏହା ଭାରତୀୟ ଅଟୋମୋବାଇଲ୍ ଶିଳ୍ପର ସମ୍ବେଦନଶୀଳ ବିଭାଗଗୁଡ଼ିକୁ ସୁରକ୍ଷିତ ରଖିବା ଜାରି ରଖିଛି।
- କୋଟା-ଭିତ୍ତିକ ଓ ପର୍ଯ୍ୟାୟକ୍ରମେ ବଜାର ପ୍ରବେଶ: ବାର୍ଷିକ ୩୭,୦୦୦ଟି ଯାତ୍ରୀବାହୀ ଯାନର ସମ୍ପୂର୍ଣ୍ଣ ନିର୍ମିତ ୟୁନିଟ୍ (CBU) ଆମଦାନି ପାଇଁ ରିହାତି ଶୁଳ୍କରେ କୋଟା-ଆଧାରିତ ଏବଂ ପର୍ଯ୍ୟାୟକ୍ରମିକ ବଜାର ଉନ୍ମୁକ୍ତକରଣର ବ୍ୟବସ୍ଥା କରାଯାଇଛି। ଏହା ମାଧ୍ୟମରେ ଦେଶୀୟ ଅଟୋମୋବାଇଲ୍ ଶିଳ୍ପର ସ୍ୱାର୍ଥକୁ ସୁରକ୍ଷିତ ରଖି ବଜାର ପ୍ରବେଶ ସୁଯୋଗକୁ ବୃଦ୍ଧି କରାଯାଇଛି।
- ସମ୍ବେଦନଶୀଳ ବିଭାଗଗୁଡ଼ିକର ସୁରକ୍ଷା: ଛୋଟ ଏବଂ ମଧ୍ୟମ ଶ୍ରେଣୀର ଆଭ୍ୟନ୍ତରୀଣ ଦହନ ଇଞ୍ଜିନ (ICE) ବିଶିଷ୍ଟ ଯାନ ଏବଂ ସୁଲଭ ମୂଲ୍ୟର ବୈଦ୍ୟୁତିକ ଯାନ (ଇଭି) ସମେତ ସମ୍ବେଦନଶୀଳ ବିଭାଗଗୁଡ଼ିକ ସୁରକ୍ଷିତ ରହିଛି। ଇଭି ପ୍ରବେଶକୁ ସତର୍କତାର ସହ ନିୟନ୍ତ୍ରିତ କରାଯାଇଛି, ଯେଉଁଥିରେ କେବଳ ଷଷ୍ଠ ବର୍ଷ ରୁ ରିହାତି ଆରମ୍ଭ ହେବ, ଯାହା ଭାରତୀୟ ନିର୍ମାତାମାନଙ୍କୁ ସେମାନଙ୍କର ଉତ୍ପାଦନ କ୍ଷମତା, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଯୋଗିତା ମନୋଭାବକୁ ମଜବୁତ କରିବା ପାଇଁ ସମୟ ପ୍ରଦାନ କରିବ।
ଉପକୃତ ହେବାକୁ ଥିବା କ୍ଷେତ୍ର
ଭାରତ-ୟୁକେ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟିକ ଚୁକ୍ତିନାମା (ସିଇଟିଏ) ଅଧୀନରେ ଭାରତର ବିଭିନ୍ନ ପ୍ରମୁଖ କ୍ଷେତ୍ର ସିଧାସଳଖ ଆର୍ଥିକ ଏବଂ ବାଣିଜ୍ୟିକ ଲାଭ ପାଇବାକୁ ଯାଉଛନ୍ତି। ଏସବୁ କ୍ଷେତ୍ର ହେଲେ ବୟନ ଶିଳ୍ପ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ପ୍ଲାଣ୍ଟେସନ, ଚମଡ଼ା ଓ ଜୋତା ଉଦ୍ୟୋଗ, ସାମୁଦ୍ରିକ ଉତ୍ପାଦ, ଇଂଜିନିୟରିଂ ସାମଗ୍ରୀ, ଫାର୍ମାସୁଟିକାଲ୍ସ,, ପ୍ଲାଷ୍ଟିକ, ରସାୟନ, କ୍ରୀଡ଼ା ସାମଗ୍ରୀ, ରତ୍ନପଥର ଓ ଜୁଏଲାରୀ, ଇସ୍ପାତ, ତୈଳବୀଜ ଓ ସେବା କ୍ଷେତ୍ର।
ପାରସ୍ପରିକ ସ୍ୱୀକୃତି ଏବଂ ପେସାଦାର ଯାତାୟାତ
ଭାରତ ଏବଂ ୟୁକେ ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବାର ୧୨ ମାସ ମଧ୍ୟରେ ବୃତ୍ତିଗତ ଯୋଗ୍ୟତା ପାଇଁ ପାରସ୍ପରିକ ସ୍ୱୀକୃତି ଚୁକ୍ତିନାମା (ଏମଆରଏ) ସ୍ୱାକ୍ଷର କରିବାକୁ ସହମତ ହୋଇଛନ୍ତି। ଏହି ପ୍ରସ୍ତାବିତ ଏମଆରଏ ଗୁଡ଼ିକ ନର୍ସିଂ, ଆକାଉଣ୍ଟାନ୍ସି ଏବଂ ଆର୍କିଟେକ୍ଚର୍ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ। ଏହା ପେସାଦାରମାନଙ୍କ ପାଇଁ ଥିବା ବାଧାବିଘ୍ନକୁ ହ୍ରାସ କରିବ ଏବଂ ସର୍ବୋତ୍ତମ କାର୍ଯ୍ୟପନ୍ଥାର ଆଦାନପ୍ରଦାନକୁ ସହଜ କରିବ ବୋଲି ଆଶା କରାଯାଉଛି।
ୟୁକେ କୌଣସି ସଂଖ୍ୟାତ୍ମକ ପ୍ରତିବନ୍ଧକ କିମ୍ବା ଇକୋନୋମିକ୍ ନିଡ୍ସ ଟେଷ୍ଟ (ଇଏନଟି) ଲାଗୁ ନ କରିବାକୁ ସହମତ ହୋଇଛି। ଇଏନଟିର ପ୍ରତ୍ୟାହାର ଦ୍ୱାରା ଅନିଶ୍ଚିତତା ହ୍ରାସ ପାଇବ ଏବଂ ଭାରତୀୟ ପେସାଦାରମାନଙ୍କ ପାଇଁ ଗମନାଗମନ ଅଧିକ ସହଜ ହେବ। ଏହା ସହିତ, ଭାରତର ସାଂସ୍କୃତିକ ଦକ୍ଷତାକୁ ସ୍ୱୀକୃତି ଦେଇ ଚୁକ୍ତିଭିତ୍ତିକ ସେବା ପ୍ରଦାନକାରୀଙ୍କ ପାଇଁ ବାର୍ଷିକ ୧,୮୦୦ଟି ପଦବୀର ଏକ ସ୍ୱତନ୍ତ୍ର କୋଟା ସଂରକ୍ଷିତ ରଖାଯାଇଛି।
ଡବଲ୍ କଣ୍ଟ୍ରିବ୍ୟୁସନ୍ କନଭେନସନ୍
ପୂର୍ବରୁ, ୟୁକେରେ ସ୍ୱଳ୍ପକାଳୀନ କାର୍ଯ୍ୟ ପାଇଁ ଯାଉଥିବା ଭାରତୀୟ ପେସାଦାର ଏବଂ ସେମାନଙ୍କ ନିଯୁକ୍ତିଦାତା ମାନେ ସେମାନଙ୍କ ଦରମାର ପ୍ରାୟ ୨୩% ଭାଗ ୟୁକେର ଜାତୀୟ ବୀମା ବ୍ୟବସ୍ଥାରେ ଜମା କରୁଥିଲେ। କିନ୍ତୁ ବଦଳରେ ସେମାନଙ୍କୁ ସେଠାରେ କୌଣସି ପ୍ରକାର ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ କରାଯାଉନଥିଲା।
ଏହି 'ଡବଲ୍ କଣ୍ଟ୍ରିବ୍ୟୁସନ୍ କନଭେନସନ୍' ଅଧୀନରେ, ସର୍ବାଧିକ ୬୦ ମାସ (୫ ବର୍ଷ) ପର୍ଯ୍ୟନ୍ତ କାର୍ଯ୍ୟକାଳ ପାଇଁ ଯାଉଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହି ଦ୍ୱିପାକ୍ଷିକ ସାମାଜିକ ସୁରକ୍ଷା ରାଶି ଯୋଗଦାନକୁ ଉଚ୍ଛେଦ କରାଯାଇଛି। ଏହି ଚୁକ୍ତିନାମା ଦ୍ୱାରା ୭୫,୦୦୦ ରୁ ଅଧିକ ଭାରତୀୟ ପେସାଦାର ଏବଂ ପ୍ରାୟ ୯୦୦ଟି ଭାରତୀୟ କମ୍ପାନୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହା ନିଯୁକ୍ତି ଖର୍ଚ୍ଚ ହ୍ରାସ କରିବା ସହିତ କର୍ମଚାରୀଙ୍କ ବାସ୍ତବ ପ୍ରାପ୍ତ ଦରମାକୁ ବୃଦ୍ଧି କରାଇବ। ଶିଳ୍ପ ଆକଳନ ଅନୁଯାୟୀ, ଏହି ବ୍ୟବସ୍ଥା ଯୋଗୁଁ ବାର୍ଷିକ ୬୦୦ ମିଲିୟନ ଆମେରିକୀୟ ଡଲାରରୁ ଅଧିକ ସଞ୍ଚୟ ହେଉଛି।
ଡିଜିଟାଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସେବା ଏବଂ ପୁଞ୍ଜିନିବେଶର ସୁଯୋଗ
ଏହି ଚୁକ୍ତିନାମା ଆଇଟି, ପେସାଦାର ପରାମର୍ଶ ଶିକ୍ଷା, ପ୍ରଶିକ୍ଷଣ ଏବଂ ଦୂରସଞ୍ଚାର ଭଳି ଡିଜିଟାଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସେବାଗୁଡ଼ିକ ପାଇଁ ବଜାର ପ୍ରବେଶ ସୁବିଧାକୁ ଅଧିକ ସୁଦୃଢ଼ କରିଥାଏ। ଏହାଦ୍ୱାରା ଭାରତର ଆଇଟି ଏବଂ ଆଇଟି-ସକ୍ଷମ ସେବା କ୍ଷେତ୍ର ଉପକୃତ ହେବ ବୋଲି ଆଶା କରାଯାଉଛି, ଯାହା ପୂର୍ବରୁ ୟୁକେକୁ ସହିତ ବାଣିଜ୍ୟ ବଳକା ସ୍ଥିତିରେ ରଖିଥିଲା। ଏହା ସହିତ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ୟୁକେରେ ନିଜର ବ୍ୟବସାୟିକ କାର୍ଯ୍ୟକଳାପ ପ୍ରତିଷ୍ଠା କରିବା ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରେ। ଏହି ସୁଯୋଗଗୁଡ଼ିକ ମ୍ୟାନେଜମେଣ୍ଟ କନସଲଟାନ୍ସି, ଶିକ୍ଷା ଏବଂ ପରିବେଶ ସମ୍ବନ୍ଧୀୟ ସେବା କ୍ଷେତ୍ରରେ ବିସ୍ତାରିତ ହୋଇଛି। ଏହା ଦ୍ବାରା ବ୍ୟବସାୟୀ ଓ ଷ୍ଟାର୍ଟଅପ୍, ଆଇଟି ପେସାଦାର, ଗ୍ଲାବାଲ କାପାବିଲିଟି ସେଣ୍ଟର, ଭାରତୀୟ ଆର୍ଥିକ ସଂସ୍ଥା, ସ୍ବାସ୍ଥ୍ୟ ଓ ଶିକ୍ଷା ସରକାର କ୍ରୟ ଆଦି କ୍ଷେତ୍ରରେ ଉପକାର ମିଳିବ।
ଏହି ଚୁକ୍ତିନାମା ଆଇଟି ଏବଂ ବ୍ୟବସାୟିକ ସେବା କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଏହା ଭାରତୀୟ କମ୍ପାନୀଗୁଡ଼ିକୁ ୟୁକେର ୨୦୦ ବିଲିୟନ ଆମେରିକୀୟ ଡଲାରର ବିଶାଳ ସେବା ଆମଦାନୀ ବଜାରରେ ନିଜର ଅଂଶଧନ ବୃଦ୍ଧି କରିବା ପାଇଁ ସୁଯୋଗ ସୃଷ୍ଟି କରୁଛି, ଯାହା ବର୍ତ୍ତମାନର ପ୍ରାୟ ୧୪ ବିଲିୟନ ଆମେରିକୀୟ ଡଲାରର ଭାରତୀୟ ରପ୍ତାନିକୁ ଆହୁରି ଆଗକୁ ନେବ।
ଭାରତ-ୟୁକେ ଅର୍ଥନୈତିକ ସହଭାଗିତା କ୍ଷେତ୍ରରେ ନୂତନ ଅଧ୍ୟାୟ
ଭାରତ-ୟୁକେ ସିଇଟିଏ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ଏହା ବ୍ୟାପକ ବଜାର ପ୍ରବେଶ ସୁବିଧା ସହିତ ବାଣିଜ୍ୟ, ପୁଞ୍ଜିନିବେଶ, ନବସୃଜନ ଏବଂ ବୃତ୍ତିଗତ ଗମନାଗମନ ପାଇଁ ବହୁବିଧ ସୁଯୋଗ ପ୍ରଦାନ କରୁଛି। ଏହି ଚୁକ୍ତିନାମା ସମାବେଶୀ ତଥା ସ୍ଥାୟୀ ଅଭିବୃଦ୍ଧିକୁ ସମର୍ଥନ କରିବା ସହ ବିଶ୍ୱ ସ୍ତରରେ ଭାରତର ପ୍ରତିଯୋଗିତା ଶକ୍ତିକୁ ମଜବୁତ କରିବ ବୋଲି ଆଶା କରାଯାଉଛି।
TKM
(रिलीज़ आईडी: 2285712)
आगंतुक पटल : 7