ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜସ୍ଥାନର ବାଲୋତ୍ରାରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 04 JUL 2026 3:49PM by PIB Bhubaneswar

ଭାରତ ମାତା କି ଜୟ।

 

ଭାରତ ମାତା କି ଜୟ।

 

ରାଜସ୍ଥାନର ରାଜ୍ୟପାଳ  ହରିଭାଉ ବାଗଡେ , ଲୋକପ୍ରିୟ ମୁଖ୍ୟମନ୍ତ୍ରୀ  ଭଜନଲାଲ ଶର୍ମା, କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଉପମୁଖ୍ୟମନ୍ତ୍ରୀ ଦୀୟା କୁମାରୀ , ପ୍ରେମଚାନ୍ଦ ବୈରୱା , ରାଜସ୍ଥାନ ସରକାରଙ୍କ ସମସ୍ତ ମନ୍ତ୍ରୀ, ସାଂସଦ , ବିଧାୟକ ଏବଂ ମୋର ପ୍ରିୟ ଭାଇ ଓ  ଭଉଣୀମାନେ,

 

ମୋତେ ସୂଚନା ମିଳିଛି ଯେ ଆଜି ରାଜସ୍ଥାନର ପ୍ରାୟ ୧୦ରୁ ୧୨ ହଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ ପାଇଁ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇଛନ୍ତି। ଏବେ ମଧ୍ୟ, ଯେତେବେଳେ ମୁଁ ସ୍କ୍ରିନଗୁଡ଼ିକୁ ଦେଖୁଛି, ପ୍ରତ୍ୟେକ ସ୍ଥାନରେ ମୁଁ କେବଳ ଲୋକ ହିଁ  ଦେଖୁଛି। ପ୍ରଯୁକ୍ତିର ମାଧ୍ୟମରେ ରାଜସ୍ଥାନର କୋଣ ଅନୁକୋଣରୁ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବା ମୋର ସମସ୍ତ ରାଜସ୍ଥାନବାସୀ ଭାଇ ଓ ଭଉଣୀମାନଙ୍କୁ ମୁଁ ଏଠାରୁ ସାଦର ପ୍ରଣାମ ଜଣାଉଛି।

 

ବନ୍ଧୁଗଣ,

 

ଗ୍ରୀଷ୍ମ ଋତୁର ଏହି ପ୍ରଚଣ୍ଡ ଗରମ ମଧ୍ୟରେ ବିଭିନ୍ନ ସ୍ଥାନରେ ଏତେ ବଡ଼ ସଂଖ୍ୟାରେ ଲୋକଙ୍କର ଏକତ୍ରିତ ହେବା ଏବଂ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ଏହା ପ୍ରମାଣିତ କରୁଛି ଯେ ଭାରତୀୟ ଜନତା ପାର୍ଟି ସରକାରଙ୍କ ପ୍ରୟାସ ଉପରେ ଆପଣମାନଙ୍କର ବିଶ୍ୱାସ କେତେ ଦୃଢ଼ ରହିଛି। ଏହି ସମର୍ଥନ ଏବଂ ସ୍ନେହ ପାଇଁ ମୁଁ ରାଜସ୍ଥାନର ପବିତ୍ର ମାଟି ନିକଟରେ ଚିର ଋଣୀ।

 

ଭାଇ ​​ଓ  ଭଉଣୀମାନେ,

 

ଏହି ଭୂମି ଅଗଣିତ ବୀରଙ୍କ ଶୌର୍ଯ୍ୟ ଓ ପରାକ୍ରମର ସାକ୍ଷୀ ରହିଆସିଛି। ଏହି ବୀରଭୂମିର ପ୍ରତ୍ୟେକ କଣିକା ଆମକୁ ସ୍ୱାଭିମାନକୁ ସର୍ବୋପରି ରଖିବାର ଶିକ୍ଷା ଦେଇଛି। ବ୍ୟକ୍ତିର ସ୍ୱାଭିମାନ ହେଉ କି ଦେଶର ସ୍ୱାଭିମାନ, ତାହା ସେତେବେଳେ ହିଁ ଉଚ୍ଚରେ ରହିପାରିବ, ଯେତେବେଳେ ସେ ଆତ୍ମନିର୍ଭରଶୀଳ ହେବ ଏବଂ ଅନ୍ୟମାନଙ୍କ ଉପରେ ସର୍ବନିମ୍ନ ନିର୍ଭରଶୀଳ ରହିବ। ଆଜି, ରାଜସ୍ଥାନର ମାଟିରୁ, ଭାରତ ବିକଶିତ ଏବଂ ସ୍ୱାଭିମାନୀ ହେବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଆଜି, ଏହି ରିଫାଇନାରୀ ଦେଶକୁ ସମର୍ପିତ ହୋଇଛି। ଏହି ରିଫାଇନେରୀ ଏହି ଅଞ୍ଚଳର ହଜାର ହଜାର ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ। ଏହି ରିଫାଇନେରୀ ପାଇଁ ମୁଁ ବିଶେଷ ଭାବେ ରାଜସ୍ଥାନର ଯୁବପିଢ଼ିଙ୍କୁ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

 

ଆଜିର ଏହି ଦିନ ସାକ୍ଷୀ ଯେ, ଭାରତୀୟ ଜନତା ପାର୍ଟିର ସରକାର କେବଳ ପ୍ରକଳ୍ପର ଶିଳାନ୍ୟାସ କରି ଦାୟିତ୍ୱ ଶେଷ କରେ ନାହିଁ। ବରଂ ସେହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ଆମେ ଦିନରାତି ନିରନ୍ତର ପରିଶ୍ରମ କରୁ। ଦୁଇ ମାସ ପୂର୍ବରୁ ଏଠାରେ ଘଟିଥିବା ଦୁର୍ଘଟଣା ପରେ ଯେଉଁ ଦ୍ରୁତତାର ସହ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି, ତାହା କଠିନ ପରିଶ୍ରମ ଏବଂ ସମର୍ପଣର ଏକ ଅସାଧାରଣ ଉଦାହରଣ। ଆପଣମାନେ ପ୍ରମାଣ କରିଛନ୍ତି ଯେ, ସମସ୍ୟା  ଯେତେ ବଡ଼ କିମ୍ବା ଅପ୍ରତ୍ୟାଶିତ ହେଉନା କାହିଁକି, ନୂତନ ଭାରତ ନିଜ ସଙ୍କଳ୍ପରୁ କେବେ ପଛଘୁଞ୍ଚା ଦିଏ ନାହିଁ ଏବଂ ନିଜର ପ୍ରଗତିର ଗତିକୁ ମଧ୍ୟ କେବେ ମନ୍ଥର କରେ ନାହିଁ।

 

ଭାଇ ​​ଓ ଭଉଣୀମାନେ,

 

ଆଜି ରାଜସ୍ଥାନରେ ବିକାଶର ଅନେକ ନୂତନ କୀର୍ତ୍ତିମାନ ସ୍ଥାପିତ ହେଉଛି। ଆଜି ହିଁ ଯୋଧପୁରର ନୂତନ ବିମାନବନ୍ଦର ଟର୍ମିନାଲର ଲୋକାର୍ପଣ କରାଯାଇଛି। ମୁଁ ସାମାଜିକ ଗଣମାଧ୍ୟମରେ ଦେଖୁଥିଲି ଯେ ଏହି ନୂତନ ଟର୍ମିନାଲର ସ୍ଥାପତ୍ୟକଳା ଏବଂ ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାରିଆଡ଼େ କେବଳ ରାଜସ୍ଥାନର ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଝଲକ ହିଁ ଦେଖିବାକୁ ମିଳୁଛି।

ବନ୍ଧୁଗଣ,

 

ଏହା ମାରୱାଡ଼ ଅଞ୍ଚଳରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ରୋଜଗାରକୁ ନୂଆ ଗତି ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ଯୋଧପୁରରୁ ଯୋଡ଼ି ହୋଇଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୁଁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି। ଆଜି ଯୋଧପୁରରୁ ହିଁ ଉଡାନ  ଯୋଜନାର ନୂତନ ପର୍ଯ୍ୟାୟର ମଧ୍ୟ ଶୁଭାରମ୍ଭ ହୋଇଛି। ଏହା ଅଧୀନରେ ଛୋଟ ଛୋଟ ସହର ଏବଂ ଦୁର୍ଗମ ଅଞ୍ଚଳଗୁଡ଼ିକୁ ବିମାନ ସଂଯୋଗ ସହିତ ଯୋଡ଼ାଯିବ। ଏହା ସହିତ ଜୟପୁର ମେଟ୍ରୋର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବାକୁ ଯାଉଛି।

 

ଭାଇ ​​ଓ ଭଉଣୀମାନେ,

 

ଶେଖାୱାଟି ଅଞ୍ଚଳର ଜଳ ସଙ୍କଟର ସମାଧାନ ପାଇଁ ଦୀର୍ଘଦିନର ଅପେକ୍ଷା ମଧ୍ୟ ଏବେ ଶେଷ ହେବାକୁ ଯାଉଛି। ଏହି ସମସ୍ତ ବିକାଶ ପ୍ରକଳ୍ପ ପାଇଁ ମୁଁ ରାଜସ୍ଥାନର ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

 

ଆଜି ରାଜସ୍ଥାନର ପ୍ରାୟ ୫୪ ହଜାର ଯୁବକ ଓ ଯୁବତୀ ସରକାରୀ ଚାକିରି ପାଇଁ ନିଯୁକ୍ତିପତ୍ର ମଧ୍ୟ ପାଇଛନ୍ତି। ନିଯୁକ୍ତିପତ୍ର ପାଇଥିବା ସମସ୍ତ ଯୁବପିଢ଼ିଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି। ସେମାନଙ୍କର ଯୁବଶକ୍ତି ରାଜସ୍ଥାନର ଉଜ୍ଜ୍ୱଳ ଭବିଷ୍ୟତକୁ ଆହୁରି ସୁଦୃଢ଼ କରିବ ବୋଲି ମୋର ବିଶ୍ୱାସ। ମୁଁ ସେମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି।

 

ବନ୍ଧୁଗଣ,

 

ରାଜସ୍ଥାନର ଏହି ଭୂମିରୁ, ମୁଁ ଆମ ଦେଶର  ଆଉ ଏକ ସାମର୍ଥ୍ୟ ବିଷୟରେ ଆଲୋଚନା କରିବାକୁ ଚାହୁଁଛି। ଆପଣମାନେ ଦେଖୁଛନ୍ତି ଯେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱରେ ଅସ୍ଥିରତା ସୃଷ୍ଟି ହୋଇଛି। ପ୍ରତ୍ୟେକ ଦେଶ ଏହାର ପ୍ରଭାବରେ ପୀଡ଼ିତ। ଏହି ଯୁଦ୍ଧ ୨୧ ଶତାବ୍ଦୀର ସବୁଠାରୁ ବଡ଼ ଉର୍ଜା ସଙ୍କଟକୁ ସୃଷ୍ଟି କରିଛି। ବିଶ୍ୱର ଅନେକ ପ୍ରମୁଖ ଦେଶ ଆଜି ଇନ୍ଧନର ଅଭାବ ସହ ସଂଘର୍ଷ କରୁଛନ୍ତି।

 

କିନ୍ତୁ ବନ୍ଧୁଗଣ,

 

୨୧ଶ ଶତାବ୍ଦୀର ଏହି ସବୁଠାରୁ ବଡ଼ ଉର୍ଜା ସଙ୍କଟ ଉପରେ ନୂତନ ଭାରତର ଦୃଢ଼ ଇଚ୍ଛାଶକ୍ତି ଏବଂ ଭାରତର ସମନ୍ୱିତ ପ୍ରୟାସ ବିଜୟୀ ହୋଇଛି। ଭାରତ ପ୍ରତ୍ୟେକ ସ୍ତରରେ ଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇଛି, ସଙ୍କଟର ସମୟୋଚିତ ଆକଳନ କରିଛି, ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିଛି, ଦେଶର ସମ୍ବଳର ସନ୍ତୁଳିତ ବ୍ୟବହାର କରିଛି ଏବଂ ନିଜର କୂଟନୈତିକ ଶକ୍ତିର ସକାରାତ୍ମକ ଉପଯୋଗ କରିଛି। ଏହାର ପରିଣାମ ସ୍ୱରୂପ ଭାରତ ଏହି ସଙ୍କଟରୁ ସଫଳତାର ସହ ବାହାରିବାରେ ସମର୍ଥ ହୋଇଛି।

 

ବନ୍ଧୁଗଣ,

 

ଯେତେବେଳେ କିଛି ଶକ୍ତି ସାର୍ବଜନିକ ଭାବରେ ଗୁଜବ ଓ ଆଶଙ୍କା ସୃଷ୍ଟି କରିବାରେ ବ୍ୟସ୍ତ ଥିଲେ, ସେତେବେଳେ ପରଦା ପଛରେ ଅତ୍ୟନ୍ତ ବ୍ୟାପକ ସ୍ତରରେ ଦିନରାତି କାର୍ଯ୍ୟ ଚାଲିଥିଲା। କିପରି ସମଗ୍ର ପରିସ୍ଥିତିକୁ ସମ୍ଭାଳାଯାଉଥିଲା, ସେହି ଅକ୍ଳାନ୍ତ ପରିଶ୍ରମ, ନିରନ୍ତର ପ୍ରୟାସ, ଧୈର୍ଯ୍ୟ, ନୀତିଗତ ଏବଂ କୂଟନୈତିକ ସ୍ତରରେ ନିଆଯାଇଥିବା ପ୍ରତ୍ୟେକ ସମ୍ବେଦନଶୀଳ ପଦକ୍ଷେପ—ଇତିହାସ ଦିନେ ନା ଦିନେ ଏହାକୁ ଅଭୂତପୂର୍ବ ବୋଲି ଲିପିବଦ୍ଧ କରିବ। ଏହାର ଏକ ଉଦାହରଣ ହେଉଛି ରୋଷେଇ ଗ୍ୟାସ, ଅର୍ଥାତ୍ ଏଲ୍‌ପିଜି (LPG)। ଆମେ ସମସ୍ତେ ଜାଣୁଛୁ ଯେ ଆମର ପ୍ରାୟ ୬୦ ପ୍ରତିଶତ ଏଲ୍‌ପିଜି ଆବଶ୍ୟକତା ବିଦେଶରୁ ଆମଦାନି କରାଯାଉଥିଲା ଏବଂ ସେଥିରୁ ପ୍ରାୟ ୯୦ ପ୍ରତିଶତ ଗଲ୍ଫ ଦେଶଗୁଡ଼ିକରୁ ହର୍ମୁଜ୍ ପ୍ରଣାଳୀ (Strait of Hormuz) ମାଧ୍ୟମରେ ଆସୁଥିଲା। ହଠାତ୍ ଯୁଦ୍ଧ ପରିସ୍ଥିତି ଯୋଗୁଁ ସେହି ଯୋଗାଣ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଆପଣମାନେ ସହଜରେ ଅନୁମାନ କରିପାରୁଥିବେ ଯେ ଏହାଦ୍ୱାରା ଦେଶରେ କେତେ ବଡ଼ ସଙ୍କଟ ସୃଷ୍ଟି ହୋଇପାରୁଥାନ୍ତା। କିନ୍ତୁ ରାଜସ୍ଥାନର  ଏହି ମାଟି ଆମକୁ ସମସ୍ୟାଗୁଡ଼ିକୁ ମୁକାବିଲା କରିବା ଶିଖାଇଛି। ସେଥିପାଇଁ ସଙ୍କଟ ଆରମ୍ଭ ହେବାମାତ୍ରେ ଆମେ ଦେଶର ରିଫାଇନେରୀଗୁଡ଼ିକର କ୍ଷମତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲୁ। ଶିଳ୍ପ କ୍ଷେତ୍ର ପାଇଁ ଉତ୍ପାଦିତ ହେଉଥିବା ଗ୍ୟାସ ପରିବର୍ତ୍ତେ ରିଫାଇନେରୀଗୁଡ଼ିକୁ ରୋଷେଇ ଗ୍ୟାସ (LPG) ଉତ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଫଳସ୍ୱରୂପ, ମାତ୍ର ସାତ ଦିନ ମଧ୍ୟରେ ଏଲ୍‌ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଲା। ପୂର୍ବରୁ ଦେଶରେ ପ୍ରତିଦିନ ୩୫ ହଜାର ମେଟ୍ରିକ୍ ଟନ୍ ଏଲ୍‌ପିଜି ଉତ୍ପାଦନ ହେଉଥିବାବେଳେ, ସଙ୍କଟ କାଳରେ ଏହା ବୃଦ୍ଧି ପାଇ ୫୪ ହଜାର ମେଟ୍ରିକ୍ ଟନ୍‌ରେ ପହଞ୍ଚିଗଲା। ଯେଉଁ ରିଫାଇନେରୀଗୁଡ଼ିକ ପୂର୍ବରୁ କେବେ ଏଲ୍‌ପିଜି ଉତ୍ପାଦନ କରିନଥିଲେ, ସେଗୁଡ଼ିକୁ ମଧ୍ୟ ଏଥିପାଇଁ ପୁନଃ କାର୍ଯ୍ୟକାରୀ  କରାଯାଇଥିଲା।

 

ବନ୍ଧୁଗଣ,

 

ରୋଷେଇ ଗ୍ୟାସର ସମ୍ପୂର୍ଣ୍ଣ ଚାହିଦାର ଚାପ କେବଳ ଏଲ୍‌ପିଜି  ଉପରେ ନ ପଡ଼ିବା ପାଇଁ ସରକାର  ପାଇପ୍‌ ମାଧ୍ୟମରେ ରୋଷେଇ ଗ୍ୟାସ ଯୋଗାଇ ଦିଆଯାଉଥିବା ପିଏନ୍‌ଜି (PNG) ସଂଯୋଗ ବୃଦ୍ଧି ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଅତି ସ୍ୱଳ୍ପ  ସମୟ ମଧ୍ୟରେ ଭାରତର ୧୧ ଲକ୍ଷରୁ ଅଧିକ ପରିବାରକୁ ପିଏନ୍‌ଜି ସଂଯୋଗ ପ୍ରଦାନ କରାଯାଇଥିଲା।

 

ଭାଇ ​​ଏବଂ ଭଉଣୀମାନେ,

 

ଗୋଟିଏ ପଟେ ଆମେ ଗ୍ୟାସର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିଥିଲୁ। ଅନ୍ୟପଟେ ଘରୋଇ ଉପଭୋକ୍ତାଙ୍କ ଉପରେ ଅତ୍ୟଧିକ ଆର୍ଥିକ ବୋଝ ପଡ଼ିବାକୁ ମଧ୍ୟ ଦେଇନଥିଲୁ। ସେହି ସମୟର ପରିସ୍ଥିତିକୁ ଦେଖିଲେ ଘରୋଇ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ବଜାରର ବିଶେଷଜ୍ଞମାନେ ଆକଳନ କରୁଥିଲେ। କିନ୍ତୁ ଆଜି ମଧ୍ୟ ଆମ ଦେଶରେ ଘରୋଇ ଏଲ୍‌ପିଜି ସିଲିଣ୍ଡର ୯୫୦ ଟଙ୍କାରୁ ମଧ୍ୟ କମ୍ ଦାମରେ ଉପଲବ୍ଧ ହେଉଛି। ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ତ ଏହି ସିଲିଣ୍ଡର ୬୫୦ ଟଙ୍କାରୁ ମଧ୍ୟ କମ୍ ମୂଲ୍ୟରେ ମିଳୁଛି। ଦୁଇ ଦିନ ପୂର୍ବରୁ ସରକାର ବାଣିଜ୍ୟିକ ଗ୍ୟାସର ମୂଲ୍ୟରେ ମଧ୍ୟ ବ୍ୟାପକ ହ୍ରାସ ଘୋଷଣା କରିଛନ୍ତି। ଏହା ସ୍ପଷ୍ଟ କରୁଛି ଯେ ଆମ ସରକାର କେତେ ସମ୍ବେଦନଶୀଳ ଭାବରେ କାର୍ଯ୍ୟ କରୁଛନ୍ତି।

 

ବନ୍ଧୁଗଣ,

 

ଯୁଦ୍ଧ ମଧ୍ୟ ଡିଜେଲ ଏବଂ ପେଟ୍ରୋଲ ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଥିଲା। ଆମ ଦେଶରେ ବିଶାଳ ତୈଳ କୂପ ନାହିଁ। ସଙ୍କଟ ଗଭୀର ହେବା ସହିତ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୭୦ ଡଲାରରୁ ବୃଦ୍ଧି ପାଇ ୧୨୦ ଡଲାରରେ ପହଞ୍ଚିଯାଇଥିଲା। ଆମଦାନିର ମାର୍ଗଗୁଡ଼ିକ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ବିଶ୍ୱର ଅନେକ ଦେଶରେ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। କେତେକ ଦେଶରେ ଡିଜେଲ ଓ ପେଟ୍ରୋଲ ରାସନ କୋଟାକିନ୍ତୁ ଭାରତରେ ଗୋଟିଏ ଦିନ ପାଇଁ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯାଇନଥିଲା। ବହୁ ଗୁଜବ ପ୍ରଚାର କରାଗଲା, ଲୋକଙ୍କୁ ଭୟଭୀତ କରିବା ଓ ଉତ୍ତେଜିତ କରିବାର ଚେଷ୍ଟା କରାଗଲା, ରାଜନୈତିକ ସ୍ୱାର୍ଥ ସାଧନର ପ୍ରୟାସ ମଧ୍ୟ ହେଲା। କିନ୍ତୁ ଯେଉଁମାନଙ୍କର ଉଦ୍ଦେଶ୍ୟ ଅସତ୍ ଥିଲା, ସେମାନେ ସଫଳ ହୋଇପାରିଲେ ନାହିଁ। ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ସାମାନ୍ୟ ବାଧା ବ୍ୟତୀତ କୌଣସି ବଡ଼ ଯୋଗାଣ ସଙ୍କଟ ସୃଷ୍ଟି ହୋଇନଥିଲା। କେବଳ ଏପ୍ରିଲରୁ ଜୁନ୍‌ ମାସ ମଧ୍ୟରେ ତୈଳ କମ୍ପାନୀଗୁଡ଼ିକ ଡିଜେଲ ଓ ପେଟ୍ରୋଲ ବାବଦରେ ୭୫ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିଲେ। ଏହି ପରିମାଣର ଅର୍ଥରେ ଏକ ନୂତନ ରିଫାଇନେରୀ ନିର୍ମାଣ କରାଯାଇପାରେ। ଏହି କ୍ଷତିର ଭାର ସରକାରୀ ରାଜକୋଷ ବହନ କରିଥିଲା। ଏହା ସହିତ ପ୍ରତି ଲିଟରରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ  ମଧ୍ୟ ହ୍ରାସ କରାଯାଇଥିଲା, ଯାହାଦ୍ୱାରା ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିନଥିଲା।

 

 

ବନ୍ଧୁଗଣ,

 

ଏହି ଯୁଦ୍ଧ ସମୟରେ ବିଭିନ୍ନ ଦେଶ ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟ ଆମ ପାଇଁ ଅତ୍ୟନ୍ତ ସହାୟକ ସାବ୍ୟସ୍ତ ହୋଇଥିଲା। ସଙ୍କଟ ଆରମ୍ଭ ପୂର୍ବରୁ ଭାରତ କେବଳ ୨୫ରୁ ୨୬ଟି ଦେଶରୁ ଇନ୍ଧନ ଏବଂ ଶକ୍ତି ଆମଦାନି କରୁଥିଲା। କିନ୍ତୁ ସଙ୍କଟ ସମୟରେ ଭାରତର କୂଟନୀତିର ସଫଳତା ସମଗ୍ର ବିଶ୍ୱ ଦେଖିଥିଲା। ଅନ୍ୟ ଦେଶମାନଙ୍କ ସହ ଆମର ସୁଦୃଢ଼ ସମ୍ପର୍କ ଏହି କଠିନ ସମୟରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଯୁଦ୍ଧ ସମୟରେ ଭାରତ ୪୦ରୁ ଅଧିକ ଦେଶରୁ ଇନ୍ଧନ ଆମଦାନି କରିବା ଆରମ୍ଭ କରିଥିଲା। ଭାରତ ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା:   ଆମ ପାଇଁ ରାଷ୍ଟ୍ରହିତ ଏବଂ ଦେଶର ନାଗରିକମାନଙ୍କର କଲ୍ୟାଣ ସର୍ବୋପରି। ‘ନାଗରିକ ଦେବୋ ଭବଃ’—ଏହା ହିଁ ଆମର ମନ୍ତ୍ର।

ବନ୍ଧୁଗଣ,

 

ଦେଶ ଏଭଳି ଏକ ଅପ୍ରତ୍ୟାଶିତ ସଙ୍କଟରୁ ଅନାୟାସରେ ମୁକୁଳି ପାରିନାହିଁ। ଏହା ପଛରେ ଗତ ଏକ ଦଶନ୍ଧି ଧରି ଅନୁସରଣ କରାଯାଇଥିବା ଆମର ଦୂରଦର୍ଶୀ ନୀତିଗୁଡ଼ିକର ସଫଳତା ରହିଛି। ଆଜି ଆମେ ଏଠାରେ ରାଜସ୍ଥାନ ରିଫାଇନେରୀକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରୁଛୁ। ୨୦୧୭ ମସିହାରେ ଏହି ପ୍ରକଳ୍ପ ପାଇଁ ବୁଝାମଣା ସ୍ମାରକ (MoU) ସ୍ୱାକ୍ଷର କରାଯାଇଥିଲା। କିନ୍ତୁ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ରାଜସ୍ଥାନରେ କଂଗ୍ରେସ ସରକାର ଥିବାରୁ ସେମାନଙ୍କର ଅସହଯୋଗ କାରଣରୁ ଏହି ପ୍ରକଳ୍ପର କାର୍ଯ୍ୟ ପ୍ରାୟ ଅଚଳ ହୋଇଯାଇଥିଲା। କିନ୍ତୁ ଡବଲ୍‌ ଇଞ୍ଜିନ୍‌ ସରକାର କ୍ଷମତାକୁ ଆସିବା ପରେ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଲା ଏବଂ ଆଜି ଆମେ ଏହାର ଲୋକାର୍ପଣ କରୁଛୁ। ଆପଣମାନେ ମୋର କାର୍ଯ୍ୟଶୈଳୀ ବିଷୟରେ ଜାଣିଛନ୍ତି। ଯେଉଁ ପ୍ରକଳ୍ପର ଶିଳାନ୍ୟାସ ଆମେ କରୁଛୁ, ସେହି ପ୍ରକଳ୍ପର ଲୋକାର୍ପଣ ମଧ୍ୟ ଆମେ ହିଁ କରୁଛୁ। ଏହିପରି ଭାବରେ ଭାରତ ନିରନ୍ତର ଭାବେ ନିଜର ରିଫାଇନେରୀ କ୍ଷମତା ବୃଦ୍ଧି କରିଆସିଛି। ଗତ ୫୦ ବର୍ଷ ମଧ୍ୟରେ ଆମେରିକାରେ ଗୋଟିଏ ମଧ୍ୟ ନୂତନ ରିଫାଇନେରୀ ନିର୍ମାଣ ହୋଇନାହିଁ। ୟୁରୋପର ରିଫାଇନେରୀ କ୍ଷମତା କ୍ରମାଗତ ଭାବେ ହ୍ରାସ ପାଇଛି। ଅନ୍ୟପକ୍ଷରେ ଭାରତ ଆଜି ବିଶ୍ୱର ଚତୁର୍ଥ ବୃହତ୍ତମ ରିଫାଇନିଂ କ୍ଷମତା ବିଶିଷ୍ଟ ଦେଶରେ ପରିଣତ ହୋଇଛି। ଆମେ ଏଠାରେ ଅଟକି ରହିବୁ ନାହିଁ। ଆଗାମୀ ବର୍ଷଗୁଡ଼ିକରେ ଏହି କ୍ଷମତାକୁ ଆହୁରି ବୃଦ୍ଧି କରାଯିବ। ଏହି ସମସ୍ତ ପ୍ରୟାସ ଯୋଗୁଁ ଭାରତ ଶତାବ୍ଦୀର ସବୁଠାରୁ ବଡ଼ ଉର୍ଜା ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି।

 

ବନ୍ଧୁଗଣ,

 

ବିଶ୍ୱରେ ଯୁଦ୍ଧ ଏବଂ ଅଶାନ୍ତି ଆମ କୃଷକମାନଙ୍କ ପାଇଁ ମଧ୍ୟ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ବର୍ତ୍ତମାନ ପଶ୍ଚିମ ଏସିଆ ସଙ୍କଟ, ଗଲ୍ଫ ଅଞ୍ଚଳର ପରିସ୍ଥିତି ଏବଂ ଏହା ପୂର୍ବରୁ ୟୁକ୍ରେନ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱରେ ସାରର ଗୁରୁତର ଅଭାବ ସୃଷ୍ଟି ହୋଇଥିଲା। ୟୁକ୍ରେନ ଯୁଦ୍ଧ ପରେ ଏକ ସମୟରେ ଗୋଟିଏ ୟୁରିଆ ବସ୍ତାର ମୂଲ୍ୟ ୩ ହଜାର ଟଙ୍କାରୁ ଅଧିକରେ ପହଞ୍ଚିଯାଇଥିଲା। କିନ୍ତୁ ବିଶ୍ୱ ବଜାରରେ ୩ ହଜାର ଟଙ୍କାରେ ବିକ୍ରି ହେଉଥିବା ୟୁରିଆକୁ ଆମେ ଆମ ଦେଶର କୃଷକମାନଙ୍କୁ ମାତ୍ର ୩୦୦ ଟଙ୍କାରେ ଯୋଗାଇ ଆସିଛୁ। ଏଥିପାଇଁ ସରକାରଙ୍କୁ ରାଜକୋଷରୁ ଲକ୍ଷ ଲକ୍ଷ କୋଟି ଟଙ୍କା ବ୍ୟୟ କରି ସବସିଡି ପ୍ରଦାନ କରିବାକୁ ପଡ଼ିଛି। ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବା ପରେ ଭାରତ ଏହାର ମଧ୍ୟ ସମାଧାନ ବାହାର କରିଥିଲା। ସରକାର ବିକଳ୍ପ ଯୋଗାଣର  ମାର୍ଗ ଖୋଜିଥିଲେ। ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକୁ ସାର କ୍ରୟ ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା। ଆମଦାନି ସହିତ ଦେଶ ଭିତରେ ସାର ଉତ୍ପାଦନ ବୃଦ୍ଧି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ପ୍ରାକୃତିକ ଚାଷ ଭଳି ବିକଳ୍ପକୁ ପ୍ରୋତ୍ସାହନ ଦିଆଯାଇଥିଲା ଏବଂ ମହଜୁଦଦାରୀ ଓ କଳାବଜାରୀ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା।

 

ବନ୍ଧୁଗଣ,

 

ସେହିପରି, ଆମେ ଆମର ଶିଳ୍ପ ଏବଂ ଏମଏସଏମଇ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଇଥିଲୁ। ଏମଏସଏମଇ ଗୁଡ଼ିକ ବର୍ଦ୍ଧିତ ମୂଲ୍ୟର ସମ୍ମୁଖୀନ ହେଉଥିଲେ। ତେଣୁ, ଆମେ ଜରୁରୀକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନାର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିଥିଲୁ। ଏହି ଯୋଜନା ଅଧୀନରେ, ବ୍ୟାଙ୍କଗୁଡ଼ିକ ଏମଏସଏମଇ ଗୁଡ଼ିକୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଋଣ ପ୍ରଦାନ କରିଥିଲେ ଏବଂ ଏହି ସମସ୍ତ ଋଣ ପାଇଁ ସରକାର ୧୦୦ ପ୍ରତିଶତ ଗ୍ୟାରେଣ୍ଟି ପ୍ରଦାନ କରିଥିଲେ—ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି।। ଏହାଦ୍ୱାରା କ୍ଷୁଦ୍ର ଓ କୁଟୀର ଶିଳ୍ପଗୁଡ଼ିକ ବିଶେଷ ଭାବେ ଉପକୃତ ହୋଇଥିଲେ। ଏପରି ଅନେକ ନିଷ୍ପତ୍ତିର ପରିଣାମ ସ୍ୱରୂପ ଆଜି ଆମ ଦେଶର ଛୋଟ ଓ ବଡ଼ ଶିଳ୍ପଗୁଡ଼ିକ ନିଜକୁ ସୁରକ୍ଷିତ ଅନୁଭବ କରୁଛନ୍ତି।

ବନ୍ଧୁଗଣ,

 

ଆମ ସରକାର ନିରନ୍ତର ଭାବେ ନିଷ୍ପତ୍ତି ନେଇଛନ୍ତି, କାରଣ ଆମର ଭାରତର ସାମର୍ଥ୍ୟ ଉପରେ ଅଟୁଟ ବିଶ୍ୱାସ ରହିଛି। ଆମ ଦେଶବାସୀଙ୍କ କ୍ଷମତା, ବିବେକ ଏବଂ ଦୂରଦୃଷ୍ଟି ଉପରେ ଆମର ଶତପ୍ରତିଶତ ଭରସା ଥିଲା। ଆଜି ମୁଁ ଦେଶର ୧୪୦ କୋଟି ନାଗରିକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି। କଠିନ ସମୟରେ ଯେଭଳି ସେମାନେ ଦେଶ ସହ ଦୃଢ଼ତାର ସହ ଛିଡ଼ା ହୋଇ ରହିଥିଲେ, ଗୁଜବ, ଭୟ ଓ ଭ୍ରମ ସୃଷ୍ଟିକାରୀଙ୍କୁ ମୁକାବିଲା କରିଥିଲେ ଏବଂ ଦେଶରେ ଅସ୍ଥିରତା ସୃଷ୍ଟି କରିବାର ଷଡଯନ୍ତ୍ରକୁ ବିଫଳ କରିଥିଲେ, ସେଥିପାଇଁ ମୁଁ ସେମାନଙ୍କୁ ନମନ କରୁଛି। ଏହି ବିଶ୍ୱାସ ହିଁ ଦେଶକୁ ଆଗକୁ ନେଇଛି। ଯେଉଁମାନେ ଭାରତକୁ ବିଫଳ ହେଉଥିବା ଦେଖିବାକୁ ଚାହୁଁଥିଲେ ଏବଂ ସେପରି ଭବିଷ୍ୟବାଣୀ ମଧ୍ୟ କରୁଥିଲେ, ସେମାନେ ନିଶ୍ଚୟ ଆଜି ନିରାଶାରେ ବୁଡ଼ି ରହିଥିବେ।

 

ବନ୍ଧୁଗଣ,

 

ଆଜି ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ସହିତ ମୋତେ ‘ଏକ ପେଡ ମା କେ ନାମ ’ ଅଭିଯାନ ଅଧୀନରେ ଖେଜଡ଼ି ଗଛର ଏକ ଚାରାରୋପଣ କରିବାର ସୌଭାଗ୍ୟ ମଧ୍ୟ ମିଳିଛି। ମୁଁ ଜାଣିଛି ଯେ ରାଜସ୍ଥାନରେ ଖେଜଡ଼ି ଗଛର ଅତ୍ୟନ୍ତ ମହତ୍ତ୍ୱ ରହିଛି। ମରୁଭୂମିର ସମ୍ପ୍ରସାରଣକୁ ରୋକିବାରେ ଏହାର ଉଲ୍ଲେଖନୀୟ ଅବଦାନ ରହିଛି। ତେଣୁ ଏହି ବୃକ୍ଷରୋପଣ ଆମ କାର୍ଯ୍ୟ ସଂସ୍କୃତିର ମଧ୍ୟ ଏକ ପ୍ରତୀକ। ଆମକୁ ଆମର ପରିବେଶକୁ ସୁରକ୍ଷା ଦେବା ସହିତ ପ୍ରଗତିର ନୂତନ ଶିଖରରେ ପହଞ୍ଚିବାକୁ ପଡିବ। ଏହି ଦୃଷ୍ଟିକୋଣ ସହ ଆମ ସରକାର ବିକଳ୍ପ ଶକ୍ତି ଉତ୍ସ ଉପରେ କାର୍ଯ୍ୟ କରୁଛନ୍ତି। ବିଶେଷକରି ରାଜସ୍ଥାନ ଉପରେ ସୂର୍ଯ୍ୟଦେବଙ୍କ ବିଶେଷ ଆଶୀର୍ବାଦ ରହିଥିବାରୁ ଏଠାରେ ବିଶ୍ୱସ୍ତରୀୟ ସୌର ପାର୍କଗୁଡ଼ିକର ବିକାଶ କରାଯାଉଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ଅଧୀନରେ ରାଜସ୍ଥାନର ଦେଢ଼ ଲକ୍ଷରୁ ଅଧିକ ପରିବାରକୁ ସୌର ଶକ୍ତି ସହ ଯୋଡ଼ାଯାଇଛି। ସେହିପରି ପିଏମ୍ କୁସୁମ ଯୋଜନା ଅଧୀନରେ ରାଜସ୍ଥାନର କୃଷକମାନଙ୍କୁ ୬୫ ହଜାରରୁ ଅଧିକ ସୌରଚାଳିତ ପମ୍ପ ମଧ୍ୟ ପ୍ରଦାନ କରାଯାଇଛି।

ବନ୍ଧୁଗଣ,

 

ସବୁଠାରୁ କଠିନ ସଙ୍କଳ୍ପ ମଧ୍ୟ ସଫଳ ହୋଇପାରେ, ଯଦି ତାହା ପଛରେ ଥିବା ଉଦ୍ଦେଶ୍ୟ ନିର୍ମଳ ଥାଏ। ଏହାହିଁ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ସବୁଠାରୁ ବଡ଼ ପାର୍ଥକ୍ୟ।

ବନ୍ଧୁଗଣ,

 

ରାଜସ୍ଥାନର ଜଳ ସଙ୍କଟର ସମାଧାନ ଏହାର ଆଉ ଏକ ବଡ଼ ଉଦାହରଣ। ଆପଣମାନେ ଜାଣିଛନ୍ତି ଯେ କଂଗ୍ରେସ ସରକାର କେବେ ମଧ୍ୟ ରାଜସ୍ଥାନର ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କୌଣସି ଦୃଢ଼ ପଦକ୍ଷେପ ନେଇନଥିଲା। କିନ୍ତୁ ଭାରତୀୟ ଜନତା ପାର୍ଟି ଆଞ୍ଚଳିକତା ଓ ବିଭାଜନର ରାଜନୀତି କରେ ନାହିଁ। ଆମେ ‘ରାଷ୍ଟ୍ର ପ୍ରଥମ’ ଭାବନା ସହ କାର୍ଯ୍ୟ କରୁଛୁ। ଯେତେବେଳେ ଆମେ ଗୁଜରାଟରେ ଜଳ ପ୍ରକଳ୍ପ ଉପରେ କାମ କରୁଥିଲୁ ଏବଂ ରାଜସ୍ଥାନ ସହିତ ଜଳ ବଣ୍ଟନର ପ୍ରଶ୍ନ ଉଠିଥିଲା, ମୁଁ ସ୍ପଷ୍ଟ ଭାବରେ ମନେ ରଖିଛି - ସାରା ଭାରତରେ, ରାଜ୍ୟଗୁଡ଼ିକ ଦଶନ୍ଧି ଧରି ପାଣି ପାଇଁ ଲଢ଼ିଛନ୍ତି। ରାଜସ୍ଥାନର ଲୋକମାନେ ଭାବିଥିଲେ ଯେ ଗୁଜରାଟ ନର୍ମଦା ପାଣି ବାଣ୍ଟିବ କି ନାହିଁ। କିନ୍ତୁ ଏହା ଆମର ସୌଭାଗ୍ୟ ଯେ ରାଜସ୍ଥାନ ଏବଂ ଗୁଜରାଟ ଉଭୟରେ ବିଜେପି ସରକାରରେ ଥିଲା। ସେତେବେଳେ ମୁଁ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲି, ଏବଂ ଏଠାରେ, ଭଉଣୀ ବସୁନ୍ଧରା ଜୀ ମୁଖ୍ୟମନ୍ତ୍ରୀ ଥିଲେ। ଏକାଠି, ବିନା ବିବାଦରେ, ବିନା ଆନ୍ଦୋଳନରେ, ବିନା ଲଢ଼େଇରେ, ଆମେ ନର୍ମଦାର ପାଣି ରାଜସ୍ଥାନ ସହିତ ବାଣ୍ଟିଥିଲୁ। ଆଜି, ରାଜସ୍ଥାନର ଅନେକ ଗାଁ ମାତା ନର୍ମଦାଙ୍କଠାରୁ ଜଳ ପାଉଛନ୍ତି। ଏବେ, ଭଜନଲାଲ ଏହି ସଫଳତା ବିଷୟରେ ଭାବପ୍ରବଣ ଭାବରେ କହିଥିଲେ।

ଭାଇ ଓ ଭଉଣୀମାନେ,

 

ଏବେ ଯେତେବେଳେ ରାଜସ୍ଥାନ ଏବଂ ହରିୟାଣା ଉଭୟ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ରହିଛି, ପ୍ରଥମ ଥର ପାଇଁ ପାରସ୍ପରିକ ସହମତିରେ ସ୍ଥାୟୀ ସମାଧାନ ବାହାର କରାଯାଇଛି। ଉଭୟ ରାଜ୍ୟ ମିଳିତ ଭାବେ ଶେଖାୱାଟି ଅଞ୍ଚଳକୁ ଜଳ ପହଞ୍ଚାଇବେ। ଏହି ସମ୍ପର୍କରେ ସମ୍ପ୍ରତି ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ହଥନିକୁଣ୍ଡ ବ୍ୟାରେଜରୁ ଭୂତଳ ତଳେ ପାଇପ୍‌ଲାଇନ୍ ବିଛାଇ ରାଜସ୍ଥାନକୁ ଜଳ ଆଣାଯିବ। ଏହାଦ୍ୱାରା ସିକର, ଚୁରୁ, ଝୁଞ୍ଝୁନୁ ଏବଂ ସମଗ୍ର ଶେଖାୱାଟି ଅଞ୍ଚଳର ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପରେ ପ୍ରାୟ ୩୪ ହଜାର କୋଟି ଟଙ୍କା ବ୍ୟୟ କରାଯିବ ।

 

ବନ୍ଧୁଗଣ,

 

ଆଗାମୀ ଦିନରେ ଅପର ଯମୁନା ବେସିନରେ ରେଣୁକା, ଲଖୱାର ଏବଂ କିଶାଉ ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ରାଜସ୍ଥାନ ଆହୁରି ଅଧିକ ଜଳର ସୁବିଧା ପାଇବ। ଗ୍ରାମଗୁଡ଼ିକୁ ନଳ ମାଧ୍ୟମରେ ଜଳ ପହଞ୍ଚାଇବା କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ରାମଜଳ ସେତୁ ପ୍ରକଳ୍ପ ମଧ୍ୟ ଏହି ଚିନ୍ତାଧାରାର ପରିଣାମ। ଏହା ସହିତ ‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଅଭିଯାନ ଅଧୀନରେ ଦେଶବ୍ୟାପୀ ପ୍ରାୟ ୨୫ ଲକ୍ଷ ସୋକ୍ ପିଟ୍ ନିର୍ମାଣ କରାଯାଇଛି। କେବଳ ରାଜସ୍ଥାନରେ ସବାଲକ୍ଷରୁ ଅଧିକ ସୋକ୍ ପିଟ୍ ନିର୍ମାଣ ହୋଇଛି। ଏହା ଦ୍ୱାରା ଜଳ ସଂରକ୍ଷଣ ହେଉଛି ଏବଂ ଭୂତଳ ଜଳସ୍ତରର ଉନ୍ନତି ହେଉଛି। ଏହି ପ୍ରୟାସ ପାଇଁ ମୁଁ କେନ୍ଦ୍ର ଓ ରାଜ୍ୟର ଭାଜପା ସରକାର ଏବଂ ଶେଖାୱାଟି ଅଞ୍ଚଳର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

 

ଆଜି ଦେଶ ଯେତେବେଳେ କୌଣସି ସଙ୍କଳ୍ପ ନିଏ କିମ୍ବା ନୂତନ ଲକ୍ଷ୍ୟ ସ୍ଥିର କରେ, ରାଜସ୍ଥାନ ସେହି ପ୍ରୟାସର କେନ୍ଦ୍ରବିନ୍ଦୁରେ ରହିଥାଏ। ଏଠାରେ ଆଧୁନିକ ଭିତ୍ତିଭୂମି ନିର୍ମାଣ ଦ୍ରୁତ ଗତିରେ ଚାଲିଛି ଏବଂ ନୂତନ ନୂତନ କୀର୍ତ୍ତିମାନ ସ୍ଥାପିତ ହେଉଛି। ଆଜି ଜୟପୁର ମେଟ୍ରୋ ଫେଜ୍–୨ର ଶିଳାନ୍ୟାସ ଏବଂ ଯୋଧପୁର ବିମାନବନ୍ଦରର ନୂତନ ଟର୍ମିନାଲର ଲୋକାର୍ପଣ ରାଜସ୍ଥାନର ବିକାଶକୁ ଆହୁରି ଗତି ପ୍ରଦାନ କରିବ ଏବଂ ଏହାକୁ ନୂତନ ଉଡ଼ାଣ ଦେବ। ଜୟପୁର ମେଟ୍ରୋ ଫେଜ୍–୨ ସମ୍ପୂର୍ଣ୍ଣ ହେବା ପରେ ସହରର ମୋଟ ମେଟ୍ରୋ ନେଟୱର୍କ ୫୦ କିଲୋମିଟରରୁ ଅଧିକ ହୋଇଯିବ। ପୂର୍ବ-ପଶ୍ଚିମ ଏବଂ ଉତ୍ତର-ଦକ୍ଷିଣ ମେଟ୍ରୋ କରିଡର ପରସ୍ପର ସହ ସଂଯୁକ୍ତ ହେବ। ଏହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ସହିତ ପର୍ଯ୍ୟଟକମାନେ ମଧ୍ୟ ବହୁତ ଉପକୃତ ହେବେ।

 

ବନ୍ଧୁଗଣ,

 

ଆମକୁ ବିକାଶର ଆହୁରି ନୂତନ ଶିଖର ସ୍ପର୍ଶ କରିବାକୁ ହେବ। ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନେ ଏହିପରି ଭାବରେ ଡବଲ୍‌ ଇଞ୍ଜିନ୍‌ ସରକାରକୁ ଆଶୀର୍ବାଦ ପ୍ରଦାନ କରି ଚାଲିବେ। ଆମେ ସମସ୍ତେ ମିଳିତ ଭାବେ ରାଜସ୍ଥାନର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବୁ। ଏହି ବିଶ୍ୱାସ ସହିତ ମୁଁ ପୁଣିଥରେ ରାଜସ୍ଥାନ ରିଫାଇନେରୀ ଏବଂ ଅନ୍ୟାନ୍ୟ ବିକାଶ ପ୍ରକଳ୍ପ ପାଇଁ ଦେଶବାସୀ ଓ ରାଜସ୍ଥାନବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୋ ସହିତ କୁହନ୍ତୁ -

 

ଭାରତ ମାତା କି ଜୟ।

 

ଉଭୟ ମୁଠି ଉପରକୁ ଉଠାଇ ରାଜସ୍ଥାନର ଶକ୍ତିର ପରିଚୟ ଦିଅନ୍ତୁ—

 

ଭାରତ ମାତା କି ଜୟ।

 

ଭାରତ ମାତା କି ଜୟ।

 

ଭାରତ ମାତା କି ଜୟ।

 

ବହୁତ ବହୁତ ଧନ୍ୟବାଦ।

 

ଅସ୍ୱୀକାର - ଏହା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଆନୁମାନିକ ଅନୁବାଦ। ମୂଳ ଭାଷଣ ହିନ୍ଦୀରେ ଦିଆଯାଇଥିଲା।

****

SPD


(रिलीज़ आईडी: 2281429) आगंतुक पटल : 9
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Bengali , Assamese , Punjabi , Gujarati , Telugu , Kannada , Malayalam