ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନରୱେ-ଭାରତ ବ୍ୟବସାୟ ଏବଂ ଗବେଷଣା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 18 MAY 2026 11:49PM by PIB Bhubaneswar

ମହାମହିମ,

ମହାମହିମ ପ୍ରଧାନମନ୍ତ୍ରୀ,

ଉଭୟ ଦେଶର ବ୍ୟବସାୟ ଜଗତର ବିଶିଷ୍ଟ ସଦସ୍ୟଗଣ,

 

ଆଜି, ଆମେ ନରୱେ ଏବଂ ଭାରତର ବ୍ୟବସାୟ ଏବଂ ଗବେଷଣା ମୁଖ୍ୟ ମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ପାଇଛୁ। ଏତେ ବଡ଼ ସ୍ତରରେ ଏହି ଶିଖର ସମ୍ମିଳନୀର ଆୟୋଜନ କରିବା ପାଇଁ ମୁଁ ନରୱେର ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି।

ଆଜି ନରୱେ ଏବଂ ଭାରତର ବ୍ୟବସାୟ ଏବଂ ଗବେଷଣା ସମ୍ପ୍ରଦାୟ ମଧ୍ୟରେ ଉପସ୍ଥିତ ହେବା ମୋ ପାଇଁ ବହୁତ ଖୁସିର ବିଷୟ। ମୁଁ କିଛି ଅଂଶଗ୍ରହଣକାରୀଙ୍କ କଥା ଶୁଣିବାର ସୁଯୋଗ ପାଇଲି, ଏବଂ ସେମାନଙ୍କୁ ଶୁଣି ମୋତେ ବିଶ୍ୱାସ ଲାଗୁଛି ଯେ ଆମର ସହଭାଗୀର ମୂଳଦୁଆ ବହୁତ ମଜବୁତ ହେବ।

ଏହା କେବଳ ସମ୍ଭାବନାର ସହଭାଗୀତା ନୁହେଁ; ଏହା ଏକ ପ୍ରମାଣିତ ସହଭାଗୀତା। ଆଜି, ଯେତେବେଳେ ଖାଦ୍ୟ, ଇନ୍ଧନ ଏବଂ ସାର ସୁରକ୍ଷା ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ପାଲଟିଛି, ଭାରତ ଏବଂ ନରୱେ ସେଗୁଡ଼ିକୁ ସମାଧାନ କରିବା ପାଇଁ ଏକାଠି କାମ କରୁଛନ୍ତି। ଭାରତର ଖାଦ୍ୟ କ୍ଷେତ୍ରରେ ଓର୍କଲାର ନିବେଶ ହେଉ, ଇକ୍ୱିନୋରର ଭାରତକୁ ଏଲପିଜି ଏବଂ ଏଲଏନଜି ଯୋଗାଣ ହେଉ, କିମ୍ବା ୟାରାର ଭାରତର ସାର କ୍ଷେତ୍ରରେ ଅବଦାନ ହେଉ - ଏହି ସହଯୋଗ ଆମର ସହଭାଗୀତାକୁ ମଜବୁତ କରୁଛି।

ମୁଁ ବହୁତ ଖୁସି ଯେ ଏଠାରେ ଉପସ୍ଥିତ ଆପଣଙ୍କ ମଧ୍ୟରୁ ଅନେକ ସିଇଓମାନେ, ଭାଇବ୍ରାଣ୍ଟ ଗୁଜରାଟ ଏବଂ ଭାରତରେ ଅନୁଷ୍ଠିତ ଅନ୍ୟାନ୍ୟ ନିବେଶକ ସମ୍ମିଳନୀରେ ଅତ୍ୟନ୍ତ ଉତ୍ସାହର ସହିତ ନିରନ୍ତର ଅଂଶଗ୍ରହଣ କରିଛନ୍ତି। ଏବେ, ଆମକୁ ଏହି ସହଭାଗୀର ତୀବ୍ରତାକୁ ବୃଦ୍ଧି କରିବାକୁ ପଡିବ ଏବଂ ଏହାକୁ ନୂତନ ସୀମା ଆଡକୁ ନେଇଯିବାକୁ ପଡିବ।

ଏବଂ ବର୍ତ୍ତମାନ, କେବଳ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଆଗକୁ ବଢ଼ିବା ଯଥେଷ୍ଟ ହେବ ନାହିଁ। ଆମକୁ ଆମର ଗତି ବୃଦ୍ଧି କରିବାକୁ ପଡିବ, ଏବଂ ଆମକୁ ଆମର ଲକ୍ଷ୍ୟ ମଧ୍ୟ ବହୁତଶିଘ୍ର ଉଚ୍ଚ ଶିଖରକୁ ନେବାକୁ ସ୍ଥିର କରିବାକୁ ପଡିବ।

ବନ୍ଧୁଗଣ,

ଆପଣମାନେ ସମସ୍ତେ ଯେଉଁମାନେ ଭାରତ ସହିତ ଜଡିତ ଏବଂ ଆପଣମାନେ ଏଠାରେ ଭାରତ ବିଷୟରେ ଯେଉଁ ଆଲୋଚନା କରୁଛନ୍ତି – ମୋର ବିଶ୍ୱାସ ଯେ ଏହାଠାରୁ ଭଲ ସମୟ ଆଉ କିଛି ହୋଇପାରେ ନାହିଁ। ଆଜି ଏହା ଏକ ମହାନ ସୁଯୋଗର ମୁହୂର୍ତ୍ତ, ଯେଉଁଠାରେ ସଠିକ୍ ସମୟର ସଠିକ୍ ବ୍ୟବହାର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ।

ଅକ୍ଟୋବର ୨୦୨୫ ରେ, ଆମେ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା, କିମ୍ବା " ଟିଇପିଏ " କାର୍ଯ୍ୟକାରୀ କରିଥିଲୁ। ଏହି ଅନନ୍ୟ ଏବଂ ବିଶେଷ ଚୁକ୍ତିନାମା ଆମ ମଧ୍ୟରେ ପ୍ରତିଭା, ପ୍ରଯୁକ୍ତିବିଦ୍ୟା ଏବଂ ପାରସ୍ପରିକ ବିଶ୍ୱାସର ଏକ ଚୁକ୍ତିନାମା।

ଏହି ଚୁକ୍ତିନାମା ମାଧ୍ୟମରେ ,ଇଏଫ୍ ଟିଏ ଦେଶଗୁଡ଼ିକ ଭାରତରେ ୧୦୦ ବିଲିୟନ ଡଲାର ନିବେଶ ଏବଂ ଆଗାମୀ ପନ୍ଦର ବର୍ଷ ମଧ୍ୟରେ ଏକ ଶହ ବିଲିୟନ ଡ଼ଲାର ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି। ଏହା ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ, କିନ୍ତୁ ଏହା ହାସଲ କରାଯାଇପାରିବ। ଏବଂ ମୁଁ ଆପଣମାନଙ୍କୁ ବିଶ୍ୱାସର ସହିତ ଆଶ୍ୱାସନା ଦେଉଛି ଯେ ଭାରତରେ ଆପଣଙ୍କର ନିବେଶକୁ ଦୃଶ୍ଯମାନ ଫଳାଫଳରେ ପରିଣତ କରିବା ଆମର ଗ୍ୟାରେଣ୍ଟି।

ବନ୍ଧୁଗଣ,

ମୁଁ ଦୁଇଟି କ୍ଷେତ୍ର ଉପରେ ଉଲ୍ଲେଖ କରିବାକୁ ଚାହିଁବି, ଯାହା ତୁମ ପାଇଁ ବିଶେଷ ଭାବରେ ଲାଭଦାୟକ ହୋଇପାରେ। ଭାରତର ଦ୍ରୁତ ଗତିରେ ବଢ଼ୁଥିବା ମଧ୍ୟବିତ୍ତ ବର୍ଗ ପୁଷ୍ଟିସାର ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଚାହିଦା ସୃଷ୍ଟି କରୁଛି। ନରୱେର ଖାଦ୍ୟ, ମତ୍ସ୍ୟଚାଷ ଏବଂ ସ୍ୱାସ୍ଥ୍ୟସେବା କମ୍ପାନୀଗୁଡ଼ିକ ଭାରତରେ ଏହି ଚାହିଦା ପୂରଣ କରିବାରେ ଦୃଢ଼ ଅଂଶୀଦାର ହୋଇପାରିବେ।

ସେହିପରି, ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ, ଭାରତର ଆକାଂକ୍ଷା ବିଶ୍ୱର ଯେକୌଣସି ସ୍ଥାନରେ ଅତୁଳନୀୟ। ୨୦୩୦ ସୁଦ୍ଧା, ଆମେ ୫୦୦ ଗିଗାୱାଟ ସ୍ୱଚ୍ଛ ଶକ୍ତି ଏବଂ ୫ ନିୟୁତ ଟନ୍ ସବୁଜ ହାଇଡ୍ରୋଜେନ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛୁ। ସ୍ୱଚ୍ଛ ଶକ୍ତି ନିବେଶ ମଧ୍ୟ ନରୱେଜିଆନ ସମ୍ପତ୍ତି ପାଣ୍ଠି ପାଇଁ ଏକ ପ୍ରାଥମିକତା। ମୁଁ ନରୱେକୁ ଭାରତର ସ୍ୱଚ୍ଛ ଶକ୍ତି ଭବିଷ୍ୟତରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହେବା ପାଇଁ ଆମନ୍ତ୍ରଣ କରୁଛି।

ବନ୍ଧୁଗଣ,

"ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର" ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ, ଆମେ ଆଗକୁ ବଢ଼ିବା ସହିତ, ଯଦି ଆମେ ଗତ ବାର ବର୍ଷକୁ ପଛକୁ ଫେରି ଦେଖିବା, ତେବେ ଆମେ ଦେଖିପାରିବା ଯେ ଆମେ ଭାରତର ଅର୍ଥନୈତିକ ଡିଏନଏକୁ ମୌଳିକ ଭାବରେ ପରିବର୍ତ୍ତନ କରିଛୁ।

ଆମେ ନିରନ୍ତର ଅନୁପାଳନ ହ୍ରାସ କରୁଛୁ, ଏବଂ ସରକାର ବ୍ୟବସାୟ କରିବାର ସହଜତାକୁ ଆହୁରି ଉନ୍ନତ କରିବା ପାଇଁ ଅତ୍ୟନ୍ତ ସକ୍ରିୟ ପଦକ୍ଷେପ ନେଉଛନ୍ତି।

ସମ୍ପ୍ରତି, ଆମେ କର, ଶ୍ରମ ସଂହିତା ଏବଂ ଶାସନ ଭଳି କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ପ୍ରଚଳନ କରିଛୁ। ମୁଁ ବିଶ୍ୱାସ କରେ ଯେ ଆମେ ଏବେ ଭାରତରେ ଉତ୍ପାଦନକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ କିଛି ସର୍ବୋତ୍ତମ ସୁଯୋଗ ପ୍ରଦାନ କରୁଛୁ। ଆମେ ଅନେକ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରୁଛୁ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଆମର ଜାହାଜ ନିର୍ମାଣ କ୍ଷେତ୍ର। ଆମେ ଏହି କ୍ଷେତ୍ରକୁ ଏକ ରଣନୈତିକ ଉତ୍ପାଦନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ଦ୍ରୁତ ଗତିରେ କାମ କରୁଛୁ। ଆମେ ଜାହାଜ ନିର୍ମାଣ କ୍ଲଷ୍ଟର ନିର୍ମାଣ କରୁଛୁ ଏବଂ ଏହାର ଅଭିବୃଦ୍ଧି ପାଇଁ ଏକ ଶେଷରୁ -ଶେଷ ପର୍ଯ୍ୟନ୍ତ ଇକୋସିଷ୍ଟମ ସୃଷ୍ଟି କରୁଛୁ।

ଜାହାଜ ନିର୍ମାଣ ସହିତ, ଭାରତ ମଧ୍ୟ ଏମ୍ ଆର୍ ଓ , ସବୁଜ ପରିବହନ ଏବଂ ସାମୁଦ୍ରିକ ସେବା ପାଇଁ ଏକ ବିଶ୍ୱ କେନ୍ଦ୍ର ଭାବରେ ଉଭା ହେଉଛି।

 

ଆଜି, ନରୱେର ପ୍ରାୟ ୧୦ ପ୍ରତିଶତ ଜାହାଜ ଭାରତରେ ନିର୍ମିତ। ଆମେ କ'ଣ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହାକୁ ୨୫ ପ୍ରତିଶତକୁ ବୃଦ୍ଧି କରିପାରିବୁ ? ମୁଁ ବିଶ୍ୱାସ କରେ ଏହା ଏକ କଷ୍ଟକର କାର୍ଯ୍ୟ ନୁହେଁ। ଆମେ ପୂର୍ବରୁ ଗତି ହାସଲ କରିଛୁ। ବର୍ତ୍ତମାନ ଆମକୁ ଯାହା ଆବଶ୍ୟକ ତାହା ହେଉଛି ବୃହତ ମହତ୍ୱାକାଂକ୍ଷୀ ଯୋଜନା ଦ୍ୱାରା ସମର୍ଥିତ ବଡ଼ ପଦକ୍ଷେପ।

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତର ନୀତିଗତ ସ୍ଥିରତା ଏବଂ ପ୍ରୋତ୍ସାହନର ସୁଯୋଗ ନେଇ ଏହି କ୍ଷେତ୍ରରେ ପ୍ରମୁଖ ଅଂଶୀଦାର ହେବାକୁ ନିମନ୍ତ୍ରଣ କରୁଛି।

ବନ୍ଧୁଗଣ,

ଆଜି, ପ୍ରଧାନମନ୍ତ୍ରୀ ଏବଂ ମୁଁ ଭାରତ-ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରିଛୁ। ଏହି ରଣନୈତିକ ସହଭାଗୀତା ମାଧ୍ୟମରେ , ନରୱେ କମ୍ପାନୀଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ , କୃତ୍ରିମ ଖଣିଜ ପଦାର୍ଥ, ସାଇବର ପ୍ରଯୁକ୍ତିବିଦ୍ୟା , ଅନ୍ତରୀକ୍ଷ ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ ମିଳିବ। ଏହି ସମସ୍ତ କ୍ଷେତ୍ରରେ, ମୁଁ ଆପଣଙ୍କୁ ଭାରତକୁ ନବସୃଜନ ଏବଂ ଉତ୍ପାଦନ ପାଇଁ ଏକ ଆଧାର ହେବାକୁ ଆମନ୍ତ୍ରଣ କରୁଛି।

ବନ୍ଧୁଗଣ,

ଆଜି, ଆମେ ଭାରତ-ନରୱେ ସମ୍ପର୍କକୁ ପରୀକ୍ଷାଗାରରୁ - ପରୀକ୍ଷାଗାର, ବିଶ୍ୱବିଦ୍ୟାଳୟରୁ - ବିଶ୍ୱବିଦ୍ୟାଳୟ ଏବଂ ବୈଜ୍ଞାନିକରୁ - ବୈଜ୍ଞାନିକ ସହଭାଗୀତାରେ ପରିଣତ କରୁଛୁ। ଭାରତର ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ସିଏସ୍ ଆଇ ଆର ), ଷ୍ଟାର୍ଟଅପ୍ ପାଣ୍ଠି ଏବଂ ନରୱେର ଗବେଷଣା ପ୍ରତିଷ୍ଠାନଗୁଡ଼ିକ ପରସ୍ପର ସହିତ ସେମାନଙ୍କର ସହଯୋଗକୁ ମଜବୁତ କରୁଛନ୍ତି। ଏହା ଉଭୟ ଦେଶର ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସଂଯୋଗ କରିବ।

ବନ୍ଧୁଗଣ,

ଆମେ ଇନଭେଷ୍ଟ ଇଣ୍ଡିଆ ମଧ୍ୟରେ ନରୱେ ପାଇଁ ଏକ ଉତ୍ସର୍ଗୀକୃତ ବାଣିଜ୍ୟ ସୁବିଧା ଡେସ୍କ ଖୋଲିଛୁ ଯାହା ଦ୍ୱାରା ଆମେ ଆପଣଙ୍କ ଆବଶ୍ୟକତାକୁ ଏକ କେନ୍ଦ୍ରିତ ଭାବରେ ସମାଧାନ କରିପାରିବା। ଏହି ଡେସ୍କ ଭାରତରେ ଆପଣଙ୍କର ନିବେଶ ଯାତ୍ରାକୁ ସୁଗମ, ଦ୍ରୁତ ଏବଂ ଅଧିକ ପ୍ରଭାବଶାଳୀ କରିବ।

ଏପରି ଏକ ଉତ୍ସର୍ଗୀକୃତ ଯନ୍ତ୍ରପାତି ଗୁରୁତ୍ୱପୂର୍ଣ୍ଣ ସୁବିଧା ପ୍ରଦାନ କରେ। ଏହା ଆପଣଙ୍କ ପାଇଁ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟକୁ ବହୁତ ସହଜ କରିଥାଏ। ଏବଂ ଯେତେବେଳେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ମଧ୍ୟରେ ସଂଶୋଧନ କିମ୍ବା ସମର୍ଥନର ଆବଶ୍ୟକତା ଥାଏ, ସେତେବେଳେ ସେଗୁଡ଼ିକୁ ମଧ୍ୟ ବହୁତ ଅଧିକ ଗତିରେ ସମାଧାନ କରାଯାଇପାରିବ। ସେଥିପାଇଁ ଆମେ ଏହି ବିଶେଷ ବ୍ୟବସ୍ଥା ସୃଷ୍ଟି କରିଛୁ।

ଏବେ, ଆପଣ ସମସ୍ତଙ୍କ ପାଇଁ ମୋର ମୁଖ୍ୟ ବାର୍ତ୍ତା ହେଉଛି: ଆସନ୍ତୁ, ଭାରତରେ ଆପଣଙ୍କର ପରିସର ଏବଂ ଆପଣଙ୍କର ମହତ୍ତ୍ୱାକାଂକ୍ଷା ଉଭୟକୁ ବିସ୍ତାର କରନ୍ତୁ। ମୁଁ ଆପଣମାନଙ୍କୁ ଭାରତକୁ ହାର୍ଦ୍ଦିକ ଭାବରେ ନିମନ୍ତ୍ରଣ କରୁଛି।

ଆପଣମାନଙ୍କୁ ଏହି ଅଭିଜ୍ଞତାଗୁଡ଼ିକୁ ପ୍ରତ୍ୟକ୍ଷ ଭାବରେ ଦେଖିବାର ସୁଯୋଗ ମଧ୍ୟ ମିଳିବ। ମୁଁ ମଧ୍ୟ ମୋ ପକ୍ଷରୁ ଆପଣଙ୍କୁ ମୋର ପ୍ରତିଶ୍ରୁତି ଏବଂ ବିଶ୍ୱାସ ଦେଉଛି । ଏବଂ ଏକ ପ୍ରକାରରେ କହିବାକୁ ଗଲେ ବଲ୍ ଏବେ ଆପଣଙ୍କ କୋର୍ଟରେ ଅଛି। 

ଧନ୍ୟବାଦ।

 

***


(रिलीज़ आईडी: 2278661) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , हिन्दी , Urdu , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam