ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସେଶେଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 28 JUN 2026 3:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଶେଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହୋଇଛନ୍ତି । ସେଶେଲ୍ସ ରାଷ୍ଟ୍ରପତି ମହାମହିମ ଡକ୍ଟର ପାଟ୍ରିକ୍ ହାର୍ମିନି ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସବୁଜ ଶକ୍ତି କ୍ଷେତ୍ରରେ ନେତୃତ୍ୱ, ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ହିତରକ୍ଷା ପାଇଁ ପ୍ରୟାସ, ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ, ଜଳବାୟୁ ପରିବର୍ତ୍ତନର ସମାଧାନ, ସାମୁଦ୍ରିକ ସମ୍ପଦର ଦୀର୍ଘସ୍ଥାୟୀ ପରିଚାଳନା ଏବଂ ବିକାଶଶୀଳ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡ଼ିକର ବିକାଶମୂଳକ ଆକାଂକ୍ଷାକୁ ସମର୍ଥନ କରିବା କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏହି ବିଶେଷ ସମ୍ମାନ ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ପାଇଁ ସଂକଳ୍ପବଦ୍ଧ ସମସ୍ତ ରାଷ୍ଟ୍ରଙ୍କୁ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି ଯେ ଏହି ପୁରସ୍କାର ଦୁଇ ଦେଶ ମଧ୍ୟରେ ବିଶେଷ ବନ୍ଧୁତାକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ । ନିକଟରେ ଭାରତ-ସେଶେଲ୍ସ କୂଟନୈତିକ ସମ୍ପର୍କ ୫୦ ବର୍ଷ ପୂରଣ କରିଛି। ଏହି ସମ୍ମାନ ଏକ ସବୁଜ ପୃଥିବୀ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ସ୍ୱୀକୃତି ଦିଏ । ଅନ୍ତର୍ଜାତୀୟ ସୌର ମେଣ୍ଟ, ମିଶନ ଲାଇଫ (ପରିବେଶ ପାଇଁ ଜୀବନଶୈଳୀ), 'ଏକ ପେଡ଼ ମା କେ ନାମ' (ମାଙ୍କ ନାମରେ ଗଛଟିଏ), ଏବଂ ଅନ୍ତର୍ଜାତୀୟ ବ୍ୟାଘ୍ର ମେଣ୍ଟ ଭଳି ପଦକ୍ଷେପରେ ମଧ୍ୟ ଏହା ସ୍ପଷ୍ଟ ହୋଇଥାଏ। ପୂର୍ବରୁ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନେକଗୁଡ଼ିଏ ସମ୍ମାନ ମିଳିଛି । ଏଥିମଧ୍ୟରେ ଏଫଏଓର ଏଗ୍ରିକୋଲା ପଦକ, ସିଓଲ ଶାନ୍ତି ପୁରସ୍କାର ଏବଂ ଜାତିସଂଘ ‘ଚାମ୍ପିଅନ୍ସ ଅଫ୍‌ ଦ ଆର୍ଥ’ ଆଦି ପ୍ରମୁଖ ସମ୍ମାନ ରହିଛି ।

ଏହି ସମ୍ମାନ ଭାରତ ମହାସାଗର କ୍ଷେତ୍ରରେ ଦକ୍ଷତା ନିର୍ମାଣ, ପରିବେଶ ସଂରକ୍ଷଣ, ଦୀର୍ଘସ୍ଥାୟୀ ବିକାଶ ପଦକ୍ଷେପ ଏବଂ ସହଭାଗୀ ପ୍ରାଥମିକତାକୁ ଆଗକୁ ବଢ଼ାଇବାରେ ଭାରତର ବର୍ଦ୍ଧିତ ଭୂମିକାକୁ ସେଶେଲ୍ସ କେତେ ଗୁରୁତ୍ୱ ଦିଏ ତାହା ପ୍ରତିଫଳିତ କରେ ।

 

******

PS/Swadhin/ Manoj


(रिलीज़ आईडी: 2278659) आगंतुक पटल : 5
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Manipuri , Bengali , Assamese , Gujarati , Tamil , Kannada