ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆଇନରେ ‘ଜନ ବିଶ୍ୱାସ’ ସଂସ୍କାର; ଅନୁପାଳନ ଭାର ହ୍ରାସ ଓ ନିୟାମକ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ
ଏହି ଅଧିନିୟମର ପାଞ୍ଚଟି ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ ଓ ସରଳ କରାଯାଇଛି
प्रविष्टि तिथि:
25 JUN 2026 1:21PM by PIB Bhubaneswar
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୨ ଜୁନ୍ ୨୦୨୬ରେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟସ୍ (ପଞ୍ଜୀକରଣ ଓ ନିୟମନ) ଅଧିନିୟମ, ୨୦୧୦ର ସଂଶୋଧନ ଅଧିସୂଚନା ଜାରି କରିଛନ୍ତି। ଏହା ଜନବିଶ୍ୱାସ (ବ୍ୟବସ୍ଥାଗୁଡ଼ିକର ସଂଶୋଧନ) ଅଧିନିୟମ, ୨୦୨୬ ଅନୁଯାୟୀ କରାଯାଇଛି, ଯାହା ୮ ଏପ୍ରିଲ୍ ୨୦୨୬ରେ ସରକାରୀ ଗେଜେଟ୍ରେ ପ୍ରକାଶିତ ହୋଇଥିଲା। ଏହି ସଂସ୍କାରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ରୋଗୀଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବଜାୟ ରଖିବା ପୂର୍ବକ ବିଶ୍ୱାସ-ଆଧାରିତ ଶାସନକୁ ପ୍ରୋତ୍ସାହିତ କରିବା, ନିୟମ ଅନୁପାଳନର ବୋଝକୁ ହ୍ରାସ କରିବା, ବ୍ୟବସାୟ କରିବା ପ୍ରକ୍ରିୟାକୁ ସହଜ କରିବା ଏବଂ ସମାନୁପାତିକ ନିୟାମକ ପ୍ରବର୍ତ୍ତନ ସୁନିଶ୍ଚିତ କରିବା।
ଜନବିଶ୍ୱାସ (ବ୍ୟବସ୍ଥାଗୁଡିକର ସଂଶୋଧନ) ଅଧିନିୟମ, ୨୦୨୬ ମାଧ୍ୟମରେ ୨୩ଟି ମନ୍ତ୍ରଣାଳୟ ଏବଂ ବିଭାଗ ଅଧୀନରେ ଥିବା ୭୯ଟି କେନ୍ଦ୍ରୀୟ ଆଇନର ବିଭିନ୍ନ ବ୍ୟବସ୍ଥାକୁ ଯୁକ୍ତିସଂଗତ ଓ ସରଳ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ୫ଟି ଅଧିନିୟମର ୩୫ଟି ବ୍ୟବସ୍ଥାରେ ସଂଶୋଧନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଛୋଟ ମୋଟ ପ୍ରକ୍ରିୟାଗତ ତ୍ରୁଟି ବା ନିୟମ ଉଲ୍ଲଂଘନକୁ ଅପରାଧ ଶ୍ରେଣୀରୁ ବାହାର କରିବା ଏବଂ ନାଗରିକ-କୈନ୍ଦ୍ରିକ ନିୟାମକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା। କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟସ୍ ଅଧିନିୟମ, ୨୦୧୦ ଅଧୀନରେ ଅଧିସୂଚନା ଜାରି କରାଯାଇଥିବା ସଂଶୋଧନଗୁଡ଼ିକ ଏହି ବ୍ୟାପକ ସଂସ୍କାର ପ୍ରୟାସର ଏକ ଅଂଶ, ଯାହାକି ଏକ ଅଧିକ ସହଯୋଗୀ ଏବଂ ସରଳ ନିୟାମକ ବ୍ୟବସ୍ଥା ତିଆରି କରିବା ପାଇଁ ଉଦ୍ଦିଷ୍ଟ।
ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ଅଧିନିୟମର ଧାରା ୪୦, ୪୩ ଏବଂ ୪୬ରେ "ଜରିମାନା" ଶବ୍ଦ ବଦଳରେ "ପେନାଲ୍ଟି" ଶବ୍ଦ ବ୍ୟବହାର କରାଯାଇଛି। ଏହାଦ୍ୱାରା ନିୟମ ଉଲ୍ଲଂଘନ ମାମଲାଗୁଡ଼ିକୁ ଅପରାଧିକ ମକଦ୍ଦମା ପରିବର୍ତ୍ତେ ପ୍ରଶାସନିକ ନିଷ୍ପତ୍ତି ମାଧ୍ୟମରେ ସମାଧାନ କରାଯାଇପାରିବ। କମ୍ପାନୀଗୁଡିକ ଦ୍ୱାରା ହେଉଥିବା ନିୟମ ଉଲ୍ଲଂଘନ ପାଇଁ ଧାରା ୪୪ରେ ସଂଶୋଧନ କରାଯାଇ କ୍ରମିକ ଏବଂ ସମାନୁପାତିକ ପେନାଲ୍ଟିର ବ୍ୟବସ୍ଥା କରାଯାଇଛି, ଯାହାଫଳରେ ନିୟମ ଉଲ୍ଲଂଘନର ପ୍ରକୃତି ଓ ଗୁରୁତ୍ୱକୁ ଦେଖି ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବାଦ୍, ଧାରା ୪୧ ଅଧୀନରେ ଥିବା ବିଚାରକ କର୍ତ୍ତୃପକ୍ଷ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି ଏବଂ ଏହାର ପରିସରକୁ ଧାରା ୪୦, ୪୩ ଏବଂ ୪୪ ଅଧୀନରେ ହେଉଥିବା ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି, ଯାହାଦ୍ୱାରା ଏକ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ନିୟାମକ ପ୍ରବର୍ତ୍ତନ ସହଜ ହୋଇପାରିବ।
ଏହି ସଂଶୋଧନଗୁଡ଼ିକରେ ଏକ ସୁବ୍ୟବସ୍ଥିତ ବିଚାର ପ୍ରକ୍ରିୟା ମଧ୍ୟ ପ୍ରଦାନ କରାଯାଇଛି, ଯେଉଁଥିରେ ପେନାଲ୍ଟି ଲଗାଇବା ପୂର୍ବରୁ ପକ୍ଷ ରଖିବାର ସୁଯୋଗ, ପେନାଲ୍ଟି ଆଦାୟ କରିବାର ପ୍ରଣାଳୀ ଏବଂ ପ୍ରଭାବିତ ପକ୍ଷଙ୍କ ପାଇଁ ଅପିଲ୍ କରିବାର ଏକ ବ୍ୟବସ୍ଥା ସାମିଲ ରହିଛି। ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ସ୍ବେଚ୍ଛାରେ ନିୟମ ପାଳନକୁ ପ୍ରୋତ୍ସାହନ ମିଳିବ, ଅନାବଶ୍ୟକ ମକଦ୍ଦମା ହ୍ରାସ ପାଇବ ଏବଂ ଛୋଟ ମୋଟ ପ୍ରକ୍ରିୟାଗତ ତ୍ରୁଟି କ୍ଷେତ୍ରରେ ସମାନୁପାତିକ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ହେବ; ଏହା ସହିତ କ୍ଲିନିକାଲ୍ ପ୍ରତିଷ୍ଠାନଗୁଡ଼ିକ ଉପରେ ସରକାରୀ ତଦାରଖ ମଧ୍ୟ ବଜାୟ ରହିବ।
ଏହି ଅଧିସୂଚନାଟି ନିୟାମକ ସଂସ୍କାର ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରୁଛି ଏବଂ ଏକ ସ୍ୱଚ୍ଛ, ଦକ୍ଷ ତଥା ନାଗରିକ-କୈନ୍ଦ୍ରିକ ନିୟାମକ ବ୍ୟବସ୍ଥା ଗଠନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି। ପ୍ରକ୍ରିୟାଗତ ତ୍ରୁଟି ପାଇଁ ଅପରାଧିକ ଦଣ୍ଡ ବଦଳରେ ଏକ ନିରପେକ୍ଷ ଏବଂ ସନ୍ତୁଳିତ ପ୍ରଶାସନିକ ପ୍ରଣାଳୀ ଗ୍ରହଣ କରିବା ଦ୍ୱାରା, ଏହି ସଂସ୍କାରଗୁଡ଼ିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବସାୟ କରିବା ପ୍ରକ୍ରିୟାକୁ ସହଜ କରିବାକୁ ଲକ୍ଷ୍ୟ ରଖିଛି; ଏହା ସହିତ ରୋଗୀଙ୍କ ସେବା, ସୁରକ୍ଷା ଏବଂ ଉତ୍ତରଦାୟିତ୍ୱର ସର୍ବୋଚ୍ଚ ମାନଦଣ୍ଡକୁ ମଧ୍ୟ ଅକ୍ଷୁର୍ଣ୍ଣ ରଖାଯାଇଛି।
TKM
(रिलीज़ आईडी: 2278016)
आगंतुक पटल : 7