ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବେଙ୍ଗାଲୁରୁରେ ‘ଆର୍ଟ ଅଫ୍ ଲିଭିଂ’ର 45ତମ ବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 10 MAY 2026 2:01PM by PIB Bhubaneswar

 

ମାନନୀୟ  ଶ୍ରୀ ଶ୍ରୀ ରବି ଶଙ୍କର ଜୀ, ଏଠାରେ ଉପସ୍ଥିତ ସମସ୍ତ ସନ୍ଥଗଣ, ଭାଇ ଏବଂ ଭଉଣୀମାନେ, ଏଲ୍ଲାରିଗୁ ନମସ୍କାର।

ଆଜିର ଏହି ସକାଳ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅନୁଭବ ଆଣିଛି।  ପିଲାମାନଙ୍କ ଦ୍ୱାରା ପାଠ କରାଯାଉଥିବା ବୈଦିକ ମନ୍ତ୍ର ସହିତ ସ୍ୱାଗତ, ଭଗବାନ ଶ୍ରୀ ଗଣେଶଙ୍କ ଦର୍ଶନ, ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ 70 ବର୍ଷ ପାଳନ ଏବଂ ଆର୍ଟ ଅଫ୍ ଲିଭିଂର 45 ବର୍ଷ , ଏହି ମୁହୂର୍ତ୍ତଗୁଡ଼ିକ ସର୍ବଦା ମୋ ସ୍ମୃତିରେ ରହିବ। ଏହି ସୁନ୍ଦର ଉତ୍ସବରେ ମୋତେ ନିମନ୍ତ୍ରଣ କରିଥିବା  ଯୋଗୁଁ   ମୁଁ ଆପଣ ସମସ୍ତଙ୍କ ପ୍ରତି କୃତଜ୍ଞ।

ଏବେ ଗୁରୁଦେବ ଅନେକ କଥା କହିଲେ, ଆପଣମାନେ ଭାବୁଥିବେ  ଯେ ସେ ମୋର ପ୍ରଶଂସା କରୁଛନ୍ତି, କିନ୍ତୁ ମୁଁ ଅନୁଭବ କଲି ଯେ ସେ ମୋତେ କାମ ଦେଉଛନ୍ତି। ଆପଣ ଠିକ୍ କହିଛନ୍ତି ଯେ ମୁଁ ଧନ୍ୟବାଦ ଦେଇପାରିବି ନାହିଁ, ମୁଁ ଆପଣଙ୍କର, ମୁଁ ଆପଣଙ୍କ ମଧ୍ୟରେ ଏବଂ ଆପଣଙ୍କ ପାଇଁ ଆସିଛି, ଏବଂ ମୁଁ ଯେଉଁଠାରେ ଅଛି, ତାହା ଆପଣଙ୍କ ଯୋଗୁଁ ହୋଇପାରିଛି । ଆଜି ଗୁରୁଦେବଙ୍କ 70 ବର୍ଷର ଏହି କାର୍ଯ୍ୟକ୍ରମ, ଯଦି ମୁଁ ପରିବାରର  ଜଣେ ଅଂଶ  ତେବେ ମୁଁ ଖୋଲାଖୋଲି ଭାବରେ କହୁଛି ଯେ ଯେତେବେଳେ ଆପଣଙ୍କର ଶତବାର୍ଷିକୀ ଉତ୍ସବ ପାଳନ ହେବ ସେତେବେଳେ ମୁଁ ପୁଣି ଥରେ ଆସିବି।

ଆଜି ଦିବ୍ୟ ଏବଂ ମହାନ ଧ୍ୟାନ ମନ୍ଦିର ଉଦ୍ଘାଟିତ ହୋଇଛି। ଯେତେବେଳେ ସଂକଳ୍ପ ସ୍ପଷ୍ଟ ହୋଇଥାଏ ଏବଂ ସେବା ଭାବନା ସହିତ କାର୍ଯ୍ୟ କରାଯାଏ, ପ୍ରତ୍ୟେକ ପ୍ରୟାସରୁ ଏକ ସୁଖଦ ଫଳାଫଳ ମିଳିଥାଏ। ଅନ୍ୟ ଯାହା କିଛି ହେଉ ବା ନ ହେଉ, ଆମେ ସମସ୍ତେ ପଦ୍ମର ଛତ୍ରଛାୟା ତଳେ ଅଛୁ।  ଯେଉଁଭଳି ଭାବେ ଆପଣ ବଝି ବୁଝି ଯିବେ ସେହିପରି ଭାବରେ ତାଳି ମାରି ଚାଲିବେ। ଏବଂ ଗୁରୁଦେବଙ୍କ ଆଶୀର୍ବାଦ ରହିଛି, ପଦ୍ମର ଛତ୍ରଛାୟା ହିଁ ଦେଶକୁ ନୂତନ ଶିଖରକୁ ନେଇଯିବ। ଏହି ଧ୍ୟାନ ମନ୍ଦିର ପାଇଁ ମୁଁ ଆର୍ଟ ଅଫ୍ ଲିଭିଂର ପରିବାରକୁ ଅନେକ-ଅନେକ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ବେଙ୍ଗାଲୁରୁର ପରିବେଶ ସର୍ବଦା ଅନନ୍ୟ। ଏହି ସହର ସଫ୍ଟୱେର୍ ଏବଂ ସେବା ପାଇଁ ସାରା ବିଶ୍ୱରେ ଜଣାଶୁଣା। କିନ୍ତୁ ଏହି ସହର ଭାରତର ସାଂସ୍କୃତିକ ପରିଚୟ, ଆଧ୍ୟାତ୍ମିକତା ଏବଂ ଆଧ୍ୟାତ୍ମିକ ଚେତନାକୁ ନୂତନ ସ୍ଥାନ ମଧ୍ୟ ଦେଇଛି। ଯୋଗ, ଧ୍ୟାନ, ପ୍ରାଣାୟମ ସର୍ବଦା ଭାରତର ପରମ୍ପରାର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି। ଏବଂ ଯେପରି ଗୁରୁଦେବ କହିଥିଲେ, ଆଜି ସମଗ୍ର ବିଶ୍ୱର ଲୋକମାନେ ଭାରତର ଏହି ଆଧ୍ୟାତ୍ମିକ ପରମ୍ପରା ଦ୍ୱାରା ପ୍ରଭାବିତ, ଏବଂ ଭାରତର ଅନେକ ଅନୁଷ୍ଠାନ ଏହି ପ୍ରାଚୀନ ପରମ୍ପରାରୁ ପ୍ରେରଣା ପାଇଛନ୍ତି।

ବନ୍ଧୁଗଣ,

ଏହି ପ୍ରେରଣାରୁ, ଶ୍ରୀ ଶ୍ରୀ ରବି ଶଙ୍କର ଜୀ 45 ବର୍ଷ ପୂର୍ବେ ଆର୍ଟ ଅଫ୍ ଲିଭିଙ୍ଗ୍ ର ବୀଜ ବୁଣିଥିଲେ।  ଆଜି ଏହା ଏକ ବିଶାଳ ବଟବୃକ୍ଷ ଭାବରେ ଆମ ସମ୍ମୁଖରେ ଠିଆ ହୋଇଛି। ଏହି ବଟବୃକ୍ଷର ହଜାର ହଜାର ଶାଖା ବିଶ୍ୱର ଅଗଣିତ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି। ମୁଁ ସରକାରୀ କାମ ପାଇଁ ଯେତେବେଳେ ବିଦେଶକୁ ଯେଉଁଠାକୁ  ଯାଇଥାଏ, ସେତେବେଳେ ମୁଁ ଆପଣଙ୍କ ସହିତ ଜଡିତ ଜଣେ ବ୍ୟକ୍ତିଙ୍କୁ ଭେଟିଥାଏ ।

ବନ୍ଧୁଗଣ,

ଭାରତ ବିବିଧତାରେ ପରିପୂର୍ଣ୍ଣ ଏକ ଦେଶ।  ଅନେକ ଭାଷା, ଅନେକ  ପରମ୍ପରା, ଭିନ୍ନ ଭିନ୍ନ ରୀତିନୀତି-ଚଳଣି, ପୂଜା କରିବାର ଭିନ୍ନ ଭିନ୍ନ ନିୟମ, ଯେତେବେଳେ ଆମେ ଏସବୁ ଦେଖୁ, ଆମ ମନରେ ଏକ ସ୍ୱାଭାବିକ ପ୍ରଶ୍ନ ଉଠେ, ଏହି ସମସ୍ତ ସୁନ୍ଦର ବିବିଧତାକୁ ଏକ କରୁଥିବା ମୌଳିକ ତତ୍ତ୍ୱ କ'ଣ? ଏହାର ଉତ୍ତର ହେଉଛି - ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ବଞ୍ଚିବା। ଆମର ଶାସ୍ତ୍ରରେ କୁହାଯାଇଛି : ଅଷ୍ଟଦଶ ପୁରାଣେଷୁ ବ୍ୟାସସ୍ୟ ଵାଚନଦ୍ୱୟମ୍। ପରୋପକାରଃ ପୁଣ୍ୟାୟ ପାପାୟ ପରରପିଡ଼ନମ୍।  ଅର୍ଥାତ୍, ଅନ୍ୟର ସେବା କରିବା ପୁଣ୍ୟ, ଏବଂ ଯନ୍ତ୍ରଣା ଦେବା ପାପ। ସେବା ହେଉଛି ସର୍ବୋଚ୍ଚ ଧର୍ମ, ଏହା ଆମ ସମାଜର ପ୍ରାକୃତିକ ଚରିତ୍ର। ପିଢ଼ି ପରେ ପିଢ଼ି, ମୂଲ୍ୟବୋଧର ଏହି ଧାରା ଆମକୁ ଗଠନ କରିଛି, ଆମକୁ ପ୍ରେରଣା ଦେଇଛି, ଆମକୁ ଶକ୍ତି ଦେଇଛି। ଭାରତର ଅନେକ ଆଧ୍ୟାତ୍ମିକ ଆନ୍ଦୋଳନ ଶେଷରେ ମାନବତାର ସେବା ମାଧ୍ୟମରେ ନିଜକୁ ପ୍ରକାଶ କରିଛି। ମୁଁ ଖୁସି ଯେ ଆର୍ଟ ଅଫ୍ ଲିଭିଂର ପ୍ରତ୍ୟେକ ପ୍ରୟାସରେ, ଏହି ସେବା ଭାବନା ପ୍ରତିଫଳିତ ହୋଇଛି। ବର୍ତ୍ତମାନ ଦେଖାଯାଇଥିବା ଭିଡିଓଟି ସେବାରେ ପରିପୂର୍ଣ୍ଣ, ଲୋକଙ୍କ କଲ୍ୟାଣରେ ପରିପୂର୍ଣ୍ଣ ଥିଲା। ଆର୍ଟ ଅଫ୍ ଲିଭିଂର ଯାତ୍ରା ସହିତ ଜଡିତ ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ମୁଁ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଯେକୌଣସି ଅଭିଯାନ ସେତେବେଳେ ସଫଳ ହୁଏ ଯେତେବେଳେ ସମାଜର ଶକ୍ତି ସେଥିରେ ସାମିଲ ହୁଏ। ତେଣୁ, ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ମିଶନ ପାଇଁ, ସମାଜର ଶକ୍ତିକୁ ଜାଗ୍ରତ କରିବା ଅତ୍ୟନ୍ତ ଆବଶ୍ୟକ। ମୁଁ ସର୍ବଦା ବିଶ୍ୱାସ କରିଆସିଛି ଯେ ସମାଜ ,ରାଜନୀତି ଏବଂ ସରକାର ଅପେକ୍ଷା ଅଧିକ ଶକ୍ତିଶାଳୀ। ଏବଂ ଯେକୌଣସି ସରକାର ସେତେବେଳେ ସଫଳ ହୋଇପାରିବ ଯେତେବେଳେ ସମାଜ ନିଜେ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବ।  ଉଦାହରଣ ସ୍ୱରୂପ ଆମର ସ୍ୱଚ୍ଛ ଭାରତ ଅଭିଯାନକୁ ନିଅନ୍ତୁ। ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଲୋକଙ୍କ ଜୀବନର ଏକ ସ୍ୱାଭାବିକ ଅଂଶ ପାଲଟିଛି। ଏହା ସମାଜର ଶକ୍ତି ସହିତ ଆଗକୁ ବଢ଼ୁଛି।

ବନ୍ଧୁଗଣ,

ଯେତେବେଳେ ସମାଜ ସକ୍ରିୟ ହୁଏ, ଦେଶର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଇଁ ମଧ୍ୟ ସାମୂହିକ ସମାଧାନ ମିଳିପାରିବ। ଏହା ଦେଖିବା ବହୁତ ଖୁସିର କଥା ଯେ ଆର୍ଟ ଅଫ୍ ଲିଭିଙ୍ଗ୍ ସଂଗଠନ ସବୁବେଳେ ସମାଜର ଶକ୍ତିକୁ ସାଙ୍ଗରେ ନେଇ ଆସିଛି। ଆପଣ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ସାମାଜିକ ଆଭିମୁଖ୍ୟକୁ ବହୁତ ଗୁରୁତ୍ୱ ଦେଇଛନ୍ତି। ବୃକ୍ଷରୋପଣ ଅଭିଯାନ ହେଉ, ଗ୍ରାମୀଣ ସ୍ମାର୍ଟ ଗ୍ରାମ କେନ୍ଦ୍ର ହେଉ, ମହିଳା ଏବଂ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ କାର୍ଯ୍ୟକ୍ରମ ହେଉ, କିମ୍ବା କଏଦୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଅଭିଯାନ ହେଉ, ଏହି ସମସ୍ତ ପ୍ରୟାସ ଦେଶ ଏବଂ ସମାଜର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ ।

ବନ୍ଧୁଗଣ,

ମୁଁ ଏଠାରେ ଉପସ୍ଥିତ ପ୍ରତ୍ୟକ ବ୍ୟକ୍ତିଙ୍କୁ ଆଉ ଗୋଟିଏ କଥା ପାଇଁ ପ୍ରଶଂସା କରିବାକୁ ଚାହୁଁଛି, ଏବଂ ତାହା ହେଉଛି, ଯୁବଶକ୍ତିଙ୍କ ଉପରେ ଧ୍ୟାନ। ଆଜିର ବିଶ୍ୱରେ, ବହୁତ ଦ୍ରୁତ ଗତିରେ ବଡ଼ ପରିବର୍ତ୍ତନ ଘଟୁଛି। ପ୍ରତିଦିନ ବିଜ୍ଞାନ ସମ୍ଭାବନାର ନୂତନ ଦ୍ୱାର ଖୋଲି ଦେଉଛି।  ନୂତନ ଉଦ୍ଭାବନ ସମଗ୍ର ଅର୍ଥନୀତିକୁ ପରିବର୍ତ୍ତନ କରୁଛି। ଭାରତ କେବଳ ଏହି ପରିବର୍ତ୍ତନରେ ଅଂଶଗ୍ରହଣ କରୁନାହିଁ, ଏହା ଅନେକ କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେଉଛି। ଆମର ଡିଜିଟାଲ ବିପ୍ଳବ ଭାରତକୁ ଡିଜିଟାଲ ପେମେଣ୍ଟରେ ବିଶ୍ୱସ୍ତରରେ ପ୍ରମୁଖ ସ୍ଥାନ ନେଇ ପାରିଛି।  ଆଜି ଭିତ୍ତିଭୂମି ମଧ୍ୟ ଅଭୂତପୂର୍ବ ଗତିରେ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି। ଭାରତ ଦ୍ରୁତ ଗତିରେ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଲଟିଛି। ଆମର ଯୁବପିଢ଼ି ମହାକାଶକୁ ଉପଗ୍ରହ ପଠାଉଛନ୍ତି। ଦେଶର ଏହି ସମସ୍ତ ସଫଳତାର ସବୁଠାରୁ ବଡ଼ କାରଣ ହେଉଛି ଆମର ଯୁବପିଢ଼ି ଏବଂ ଆର୍ଟ ଅଫ୍ ଲିଭିଂ ।  ଗୁରୁଦେବ ଏବଂ ଆର୍ଟ ଅଫ୍ ଲିଭିଂ ଆଜିର ଆଧୁନିକ ଯୁଗର ଚ୍ୟାଲେଞ୍ଜର ସମାଧାନ ଖୋଜିବାରେ ଯୁବପିଢ଼ିଙ୍କୁ ବହୁତ ସାହାଯ୍ୟ କରୁଛି।

ବନ୍ଧୁଗଣ,

ଆଜି, ପ୍ରଯୁକ୍ତିବିଦ୍ୟା ଯୋଗୁଁ, ଦୂରରେ ବସିଥିବା ଲୋକମାନେ ମୁହୂର୍ତ୍ତକ ମଧ୍ୟରେ ପରସ୍ପର ସହିତ ଯୋଡ଼ି ହୋଇ ପାରୁଛନ୍ତି। ଏହା ଆବଶ୍ୟକ ଯେ ଆମେ ବିଶ୍ୱ ସହିତ ଯୋଡ଼ି ହେଉ କି ନ ହେଉ, ଆମକୁ ନିଜ ସହିତ ଯୋଡ଼ି ହେବାକୁ ପଡିବ। ଏବଂ ନିଜ ସହିତ ଯୋଡ଼ି ହେବାର କ୍ଷମତା, ତାହା ବୀଜ ବୁଣିବା, ତାହାକୁ ପୋଷଣ କରିବା କିମ୍ବା ସଶକ୍ତ କରିବା, ଏହି ମହାନ ପରମ୍ପରା ମାଧ୍ୟମରେ ସମ୍ଭବ।  ମାନସିକ ଭାବରେ ଶାନ୍ତ, ସାମାଜିକ ଦାୟିତ୍ୱବାନ ଏବଂ ସମାଜ ପ୍ରତି ସମ୍ବେଦନଶୀଳ ଯୁବକମାନଙ୍କ ଦ୍ୱାରା ଏକ ବିକଶିତ ଭାରତ ନିର୍ମାଣ ହେବ। ସେଥିପାଇଁ ଆଧ୍ୟାତ୍ମିକ ସୁସ୍ଥତା, ମାନସିକ ସ୍ୱାସ୍ଥ୍ୟ, ଯୋଗ, ଧ୍ୟାନ ଏବଂ ଅନ୍ୟାନ୍ୟ ଏପରି ଅନୁଷ୍ଠାନ ଉପରେ କାର୍ଯ୍ୟ କରୁଥିବା ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ବହୁତ ମହତ୍ତ୍ବପୂର୍ଣ୍ଣ। ଏହିପରି ଅନୁଷ୍ଠାନଗୁଡ଼ିକ ଲୋକଙ୍କ ମଧ୍ୟରେ ସଂଯୋଗ, ଆପଣାପଣ ଏବଂ ସାମୂହିକ ଦାୟିତ୍ୱର ଭାବନାକୁ ସୁଦୃଢ଼ ​​କରନ୍ତି।  ସେହି ସମୟରେ, ଏପରି ଅନୁଷ୍ଠାନଗୁଡ଼ିକ ଲୋକମାନଙ୍କୁ ସେମାନଙ୍କର ସଂସ୍କୃତିକୁ ଜାଣିବା ଏବଂ ବୁଝିବାର ସୁଯୋଗ ମଧ୍ୟ ଦିଅନ୍ତି। ମୁଁ ନିଶ୍ଚିତ ଯେ ଆଜି ଉଦଘାଟନ ହୋଇଥିବା ଏହି ଧ୍ୟାନ ମନ୍ଦିର ଆଗାମୀ ପିଢ଼ି ପାଇଁ ହଜାର-ହଜାର ଲୋକଙ୍କ ପାଇଁ ଶାନ୍ତି ଏବଂ ଆରୋଗ୍ୟର କେନ୍ଦ୍ର ହେବ।

ବନ୍ଧୁଗଣ,

ଆପଣମାନେ ସମସ୍ତେ ଦେଶ ଏବଂ ସମାଜ ପ୍ରତି ଆପଣଙ୍କର କର୍ତ୍ତବ୍ୟକୁ ବହୁତ ଭଲ ଭାବରେ ପାଳନ କରୁଛନ୍ତି। କିନ୍ତୁ ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସେ, ସେତେବେଳେ ମୁଁ କିଛି ଅନୁରୋଧ କରିବାରୁ ନିଜକୁ ରୋକି ପାରେ ନାହିଁ।  ମୁଁ କହିବା ପୂର୍ବରୁ ଗୁରୁଦେବ ପୂର୍ବରୁ କହିସାରିଛନ୍ତି ଯେ ଆପଣଙ୍କର ନଅଟି ଅନୁରୋଧ ଗ୍ରହଣ କରାଯାଇଛି, ତେଣୁ କହିବାକୁ କିଛି ବାକି ନାହିଁ, କିନ୍ତୁ ଅଭ୍ୟାସ ଛାଡ଼ି ପାରେ ନାହିଁ।  ଭାରତର ସାମଗ୍ରିକ ବିକାଶ ପାଇଁ, ଅନେକ ସ୍ତରରେ ସାମୂହିକ ପ୍ରୟାସ ଆବଶ୍ୟକ।  ଆର୍ଟ ଅଫ୍ ଲିଭିଙ୍ଗ୍ ଭଳି ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ଏବଂ ଏହି ପରିବର୍ତ୍ତନର ଦୃଢ଼ ରକ୍ଷକ ହୋଇପାରିବେ।  ଆପଣମାନଙ୍କ ମଧ୍ୟରୁ ଅନେକ ଚାଷୀ ଏବଂ ଗ୍ରାମୀଣ ସମ୍ପ୍ରଦାୟ ସହିତ କାମ କରୁଥିବେ।  ଏଠାରେ ଫିଲ୍ମରେ ଦେଖାଯାଉଥିବା ପରି, ପ୍ରାକୃତିକ କୃଷି ସହିତ ଚାଷୀମାନଙ୍କୁ ଯୋଡ଼ିବା ପାଇଁ ଅଧିକ ପ୍ରୟାସ ଆବଶ୍ୟକ। ଆଜି, ଅସୁସ୍ଥତା ସମୟରେ ମଧ୍ୟ, ଲୋକମାନେ ପ୍ରାକୃତିକ ଚିକିତ୍ସା ଖୋଜୁଛନ୍ତି, ତେଣୁ ଆମର ପୃଥିବୀ ମାତାକୁ ମଧ୍ୟ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଅଛି।  ରାସାୟନିକ ସାର ଆମର କ୍ଷେତକୁ, ଆମର ପୃଥିବୀ ମାତାକୁ ଧ୍ୱଂସ କରିଦେଇଛି।  ରାସାୟନିକ ପଦାର୍ଥରୁ ଆମ ପୃଥିବୀ ମାତାକୁ ରକ୍ଷା କରିବା ମଧ୍ୟ ଆର୍ଟ ଅଫ୍ ଲିଭିଂ ।  ଆପଣ "ଗୋଟିଏ ଗଛ ମା’ଙ୍କ ନାମରେ"  ହୋଇଥିବା ଅଭିଯାନକୁ ବିସ୍ତାର କରିବାକୁ ବହୁତ ଶକ୍ତି ଦେଇପାରିବେ। କାରଣ ପରିବେଶକୁ ରକ୍ଷା କରିବା ମଧ୍ୟ ଆର୍ଟ ଅଫ୍ ଲିଭିଂ ।  ପରିବେଶ ଏବଂ ଅର୍ଥନୀତିକୁ ଅଲଗା କରାଯାଇପାରିବ ନାହିଁ। "ପ୍ରତି ବୁନ୍ଦା ଅଧିକ ଫସଲ" ମାଧ୍ୟମରେ ଚାଷୀମାନଙ୍କୁ ଜଳର ଉତ୍ତମ ବ୍ୟବହାର ଶିଖାଯାଉଛି। ଆପଣଙ୍କ ସହଯୋଗରେ ଆହୁରି ଭଲ ଅମଳ ଆସିବ। କାରଣ ପ୍ରତ୍ୟେକ ବୁନ୍ଦା ପାଣିକୁ ସଂରକ୍ଷଣ କରିବା ମଧ୍ୟ ଆର୍ଟ ଅଫ୍ ଲିଭିଂ । କିଛି ସପ୍ତାହ ମଧ୍ୟରେ ମୌସୁମୀ ଆସିବ। ଜଳ ସଂରକ୍ଷଣ ବିଷୟରେ ବ୍ୟାପକ ସଚେତନତା ପ୍ରସାର କରିବାର ଏହା ସଠିକ୍ ସମୟ। ସେହିପରି ବିଦ୍ୟୁତ୍ ସଂରକ୍ଷଣ, ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ପରିହାର, ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ,ଏସବୁ ମଧ୍ୟ ଆର୍ଟ ଅଫ୍ ଲିଭିଂ । ଆଜି ଦେଶ ମିଶନ ଲାଇଫକୁ ମଧ୍ୟ ଗୁରୁତ୍ୱ ଦେଉଛି। ଏହା ଅଧିକ ଦାୟିତ୍ୱ ଏବଂ ସଚେତନତା ସହିତ ଜୀବନଯାପନ କରିବା ପାଇଁ ମଧ୍ୟ ଏକ ଜୀବନ୍ତ ଅଭିଯାନ। ଏହା ପ୍ରକୃତି ସହିତ ସନ୍ତୁଳନ ରଖି ଗତି କରୁଥିବା ଜୀବନଶୈଳୀକୁ ଗ୍ରହଣ କରିବାକୁ ଆହ୍ୱାନ କରେ। ଏବଂ ମୋ  ଦୃଷ୍ଟିରେ, ମିଶନ ଲାଇଫ ମଧ୍ୟ ଆର୍ଟ ଅଫ୍ ଲିଭିଂର ଏକ ପ୍ରକାଶନ। ମୁଁ ନିଶ୍ଚିତ ଯେ ଆଗାମୀ ଦିନରେ, ଆପଣ ସର୍ବଦା ଆର୍ଟ ଅଫ୍ ଲିଭିଂର ବିଭିନ୍ନ ଦିଗକୁ ବିସ୍ତାର ଏବଂ ବିକାଶ କରିଚାଲିବେ। ଆପଣ ସମାଜର ଏକ ବୃହତ ବର୍ଗକୁ ସଂଯୋଗ କରିବା ପାଇଁ ଅଧିକ ପ୍ରାଥମିକତା ଦେବେ, ଏବଂ ଯେତେବେଳେ ଆମେ ଗୁରୁଦେବଙ୍କ ଶତବାର୍ଷିକୀ ପାଳନ କରିବୁ, ଆମେ ଏହି ସମସ୍ତ ଲକ୍ଷ୍ୟ ପୂରଣ କରିଥିବୁ। ପୁଣିଥରେ, ମୁଁ ଶ୍ରୀ ଶ୍ରୀ ରବି ଶଙ୍କର ଜୀ, ଗୁରୁଦେବଙ୍କୁ ଅନେକ-ଅନେକ ଅଭିନନ୍ଦନ ଜଣାଉଛି। ଆର୍ଟ ଅଫ୍ ଲିଭିଂ ପରିବାରର ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ସେମାନଙ୍କର ସେବା ଏବଂ ସମର୍ପଣ ମନୋଭାବ ପାଇଁ ମୁଁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ପୁଣିଥରେ, ଆପଣମାନେ ମୋତେ ଆପଣଙ୍କ ମଧ୍ୟରେ ଆସିବାକୁ, ଏହି ପବିତ୍ର ପରିବେଶରେ କିଛି ମୁହୂର୍ତ୍ତ ବିତାଇବା ପାଇଁ, ପଦ୍ମର ଛତ୍ରଛାୟା ତଳେ ଚିନ୍ତା କରିବାକୁ ସୁଯୋଗ ଦେଇଛନ୍ତି। ଏଥିପାଇଁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି।  ଜୟ ଗୁରୁଦେବ।

 

 

 

NS

 

 

***

 

 

 


(ରିଲିଜ ଆଡି: 2264490) ପରିଦର୍ଶକ କାଉଣ୍ଟର : 3