ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
azadi ka amrit mahotsav

ଓଡ଼ିଶାରେ ପେଟ୍ରୋଲ-ଡିଜେଲର କୌଣସି ଅଭାବ ନାହିଁ: ଓଏମସିର ଆଶ୍ୱାସନା


ପର୍ଯ୍ୟାପ୍ତ ଉପଲବ୍ଧତା ନେଇ ଓଏମସିର ସ୍ପଷ୍ଟୀକରଣ

ପୋଷ୍ଟ କରାଯିବା ଦିନାଙ୍କ: 07 MAY 2026 9:01PM by PIB Bhubaneswar

ଓଡିଶାର କିଛି ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲର ସାମୟିକ ଅନୁପଲବ୍ଧତା ସମ୍ପର୍କରେ କିଛି ସାମ୍ପ୍ରତିକ ଗଣମାଧ୍ୟମ ରିପୋର୍ଟକୁ ଦୃଷ୍ଟିରେ ରଖି, ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଇନ୍ଧନ ଉପଲବ୍ଧ ରହିଛି ଏବଂ ସାମଗ୍ରିକ ଯୋଗାଣ ସ୍ଥିତି ସ୍ୱାଭାବିକ ଓ ସ୍ଥିର ଅଛି।

 

ଚଳିତ ମାସର ପ୍ରଥମ କିଛି ଦିନ ମଧ୍ୟରେ, ଓଡ଼ିଶାର କିଛି ସୀମାନ୍ତବର୍ତ୍ତୀ ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲର ଚାହିଦାରେ ଅପେକ୍ଷାକୃତ ବୃଦ୍ଧି ଦେଖିବାକୁ ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି, ଓଏମସିଗୁଡ଼ିକ ତୁରନ୍ତ ସମନ୍ୱିତ ପଦକ୍ଷେପ ଗ୍ରହଣ କରି ପ୍ରଭାବିତ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ଇନ୍ଧନ ଷ୍ଟକ୍ ପୂରଣ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି।

 

ନିରବିଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ବିଭିନ୍ନ ଯୋଗାଣ ସ୍ଥାନ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ଦ୍ରୁତ ପରିବହନ ଏବଂ ଷ୍ଟକ୍ ପୂରଣ ପାଇଁ ଅତିରିକ୍ତ ଟ୍ୟାଙ୍କ ଟ୍ରକଗୁଡ଼ିକୁ ନିୟୋଜିତ କରାଯାଇଛି। ଇନଭେଣ୍ଟରୀ ସ୍ତରର ବାସ୍ତବ-ସମୟ ମନିଟରିଂ ମଧ୍ୟ କରାଯାଉଛି, କମ୍ ଷ୍ଟକ୍ ଥିବା ରିପୋର୍ଟ ଆଧାରରେ ଦୋକାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଇନ୍ଧନ ଯୋଗାଣ ସୁନିଶ୍ଚିତ କରାଯାଉଛି।

 

ଓଏମସିଗୁଡ଼ିକ ଶିଳ୍ପ ଉପଭୋକ୍ତାମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ସେମାନେ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଇନ୍ଧନ କ୍ରୟ କରିବା ପରିବର୍ତ୍ତେ ସମ୍ପୃକ୍ତ ତୈଳ କମ୍ପାନୀଙ୍କଠାରୁ ସିଧାସଳଖ ଭାବେ ନିଜ ଆବଶ୍ୟକତାନୁସାରେ ଇନ୍ଧନ ସଂଗ୍ରହ କରନ୍ତୁ, କାରଣ ଖୁଚୁରା ପେଟ୍ରୋଲ ପମ୍ପଗୁଡ଼ିକୁ ବୃହତ ବିକ୍ରୟ ଭିତ୍ତିରେ ପେଟ୍ରୋଲିୟମ ଉତ୍ପାଦ ବିକ୍ରୟ ପାଇଁ ଅନୁମତି ମିଳିନାହିଁ।

 

କମ୍ପାନୀଗୁଡ଼ିକ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାର ସମସ୍ତ ଯୋଗାଣ କେନ୍ଦ୍ର ଓ ଖୁଚୁରା ବିକ୍ରୟ କେନ୍ଦ୍ରରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ଏବଂ ସମସ୍ତ ଇନ୍ଧନ କେନ୍ଦ୍ର ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି।

 

ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରି, ଓଏମସିଗୁଡ଼ିକ କହିଛନ୍ତି ଯେ, ଚିନ୍ତାର କୌଣସି କାରଣ ନାହିଁ ଏବଂ ଉପଭୋକ୍ତାମାନଙ୍କୁ 

ଅନାବଶ୍ୟକ ଭାବେ ଅଧିକ ପରିମାଣରେ ଇନ୍ଧନ କ୍ରୟ ନ କରିବାକୁ ଅନୁରୋଧ କରିଛନ୍ତି। ଇନ୍ଧନ ଉପଲବ୍ଧତା ସମ୍ପର୍କିତ ସୂଚନା ଓ ଅପଡେଟ୍‌ ପାଇଁ କେବଳ ସରକାରୀ ସୂତ୍ର ଉପରେ ଭରସା କରିବାକୁ ମଧ୍ୟ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି।

*****

MT


(ରିଲିଜ ଆଡି: 2258911) ପରିଦର୍ଶକ କାଉଣ୍ଟର : 38
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Telugu