ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାଣ୍ଡ୍ୟାରେ ଶ୍ରୀକ୍ଷେତ୍ର ଆଦିଚୁଞ୍ଚନଗିରିରେ ଶ୍ରୀ ଭୈରବୈକ୍ୟ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
15 APR 2026 2:25PM by PIB Bhubaneswar
- ଭାରତ ହଜାର ହଜାର ବର୍ଷର ଏକ ସମୃଦ୍ଧ ଓ ପ୍ରାଣବନ୍ତ ସଭ୍ୟତା : ପ୍ରଧାନମନ୍ତ୍ରୀ
- ପରମ୍ପରାଗୁଡ଼ିକ ଏତେ ଦୀର୍ଘ ସମୟ ଧରି ନିରନ୍ତର ଅକ୍ଷୁର୍ଣ୍ଣ ରହିଆସିଥିବା ଉଦାହରଣ ବିଶ୍ୱରେ ବିରଳ: ପ୍ରଧାନମନ୍ତ୍ରୀ
- ସମାଜରେ, ସମୟ ସମୟରେ, ଏପରି ମହାନ ବ୍ୟକ୍ତିତ୍ୱ ଉଭା ହୋଇଛନ୍ତି, ଯେଉଁମାନେ କେବଳ ଆଧ୍ୟାତ୍ମିକ ମାର୍ଗଦର୍ଶନରେ ସୀମିତ ରହିନାହାଁନ୍ତି: ପ୍ରଧାନମନ୍ତ୍ରୀ
- ସେମାନେ ଲୋକଙ୍କ ମଧ୍ୟରେ ରହି ସୁଖ ଓ ଦୁଃଖକୁ ବୁଝିଛନ୍ତି, ସଂଘର୍ଷକୁ ଅନୁଭବ କରିଛନ୍ତି ଏବଂ ସମାଜକୁ ଦୁଃଖ, କଷ୍ଟ ଓ ବେଦନାରୁ ମୁକ୍ତ କରିବାର ପଥ ଦେଖାଇଛନ୍ତି: ପ୍ରଧାନମନ୍ତ୍ରୀ
- ମୋର ପ୍ରଥମ ଆହ୍ୱାନ ହେଉଛି, ଆମେ ସମସ୍ତେ ଜଳ ସଂରକ୍ଷଣ କରିବା ଏବଂ ଏହାର ସୁ-ପରିଚାଳନା କରିବାକୁ ସଂକଳ୍ପ ନେବା: ପ୍ରଧାନମନ୍ତ୍ରୀ
- ମୋର ଦ୍ୱିତୀୟ ଆହ୍ୱାନ ଗଛ ଓ ପ୍ରକୃତି ସହିତ ଜଡିତ, 'ଏକ ପେଡ୍ ମା’ କେ ନାମ' ଅଭିଯାନ ଅଧୀନରେ, କୋଟି କୋଟି ଲୋକ ସେମାନଙ୍କ ମା'ଙ୍କ ନାମରେ ଗଛ ଲଗାଇଛନ୍ତି; ଆସନ୍ତୁ ଆମେ ଆମ ମା'ଙ୍କ ସମ୍ମାନରେ ଗଛ ଲଗାଇବା ଏବଂ ଧରିତ୍ରୀ ମାଆଙ୍କୁ ସୁରକ୍ଷା ଦେବା ପାଇଁ ସଂକଳ୍ପବଦ୍ଧ ହେବା: ପ୍ରଧାନମନ୍ତ୍ରୀ
- ମୋର ତୃତୀୟ ଆହ୍ୱାନ ସ୍ୱଚ୍ଛତା ସମ୍ବନ୍ଧୀୟ; ଧାର୍ମିକ ସ୍ଥାନ, ସାର୍ବଜନୀନ ସ୍ଥାନ, ଗାଁ ହେଉ କି ସହର-ସବୁଠାରେ ସ୍ୱଚ୍ଛତା ବଜାୟ ରଖିବା: ପ୍ରଧାନମନ୍ତ୍ରୀ
- ମୋର ଚତୁର୍ଥ ଆହ୍ୱାନ ସ୍ୱଦେଶୀ ଓ ଆତ୍ମନିର୍ଭରତା ସହ ଜଡିତ; ଆସନ୍ତୁ ଆମେ ଭାରତୀୟ ଉତ୍ପାଦ ଗ୍ରହଣ କରିବା, ଭାରତୀୟ ନିର୍ମାତା ଓ ଶିଳ୍ପକୁ ସୁଦୃଢ କରିବା: ପ୍ରଧାନମନ୍ତ୍ରୀ
- ମୋର ପଞ୍ଚମ ଆହ୍ୱାନ ଆମ ଦେଶର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ସମ୍ବନ୍ଧୀୟ; ଆସନ୍ତୁ ଆମ ଦେଶକୁ ଜାଣିବା, ଏଠାରେ ଭ୍ରମଣ କରିବା ଏବଂ ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା : ପ୍ରଧାନମନ୍ତ୍ରୀ
- କୃଷକମାନଙ୍କୁ ମୋର ଷଷ୍ଠ ଆହ୍ୱାନ ହେଉଛି ସେମାନେ ପ୍ରାକୃତିକ କୃଷି ଦିଗରେ ଅଗ୍ରସର ହୁଅନ୍ତୁ: ପ୍ରଧାନମନ୍ତ୍ରୀ
- ମୋର ସପ୍ତମ ଆହ୍ୱାନ ସୁସ୍ଥ ଖାଦ୍ୟାଭ୍ୟାସ ସହିତ ଜଡିତ; ଆମ ଦେଶରେ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଥିବା ମେଦବହୂଳତାର ମୁକାବିଲା ପାଇଁ ଖାଦ୍ୟରେ ତେଲର ପରିମାଣକୁ ୧୦% ହ୍ରାସ କରିବା: ପ୍ରଧାନମନ୍ତ୍ରୀ
- ମୋର ଅଷ୍ଟମ ଆହ୍ୱାନ ଯୋଗ, କ୍ରୀଡା ଓ ଫିଟନେସ୍ ସହିତ ଜଡିତ; ଆମେ ସମସ୍ତେ ଏହାକୁ ନିଜ ଜୀବନର ଅଂଶ କରିବା ଉଚିତ : ପ୍ରଧାନମନ୍ତ୍ରୀ
- ମୋର ନବମ ଆହ୍ୱାନ ସେବା ମନୋଭାବ ସହିତ ଜଡିତ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମାଣ୍ଡ୍ୟାର ଶ୍ରୀକ୍ଷେତ୍ର ଆଦିଚୁଞ୍ଚନଗିରିରେ ଶ୍ରୀଗୁରୁ ଭୈରବୈକ୍ୟ ମନ୍ଦିରର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମର ଗଭୀର ଆଧ୍ୟାତ୍ମିକ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀଗୁରୁ ଭୈରବୈକ୍ୟ ମନ୍ଦିରର ଭବ୍ୟ ଉଦଘାଟନ ଏବଂ ପରମପୂଜ୍ୟ ସନ୍ଥମାନଙ୍କ ସହ ଭାବବିନିମୟ କରିବାର ସୁଯୋଗ ପାଇଥିବାରୁ ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଐତିହାସିକ ଜ୍ୱାଳା ପୀଠରେ ସମୟ ବିତାଇବା ଏବଂ ଭକ୍ତମାନଙ୍କ ବିଶାଳ ସମାବେଶକୁ ସମ୍ବୋଧିତ କରିବା ଦ୍ୱାରା ଏପରି ଶକ୍ତିଶାଳୀ ଭାବନା ସୃଷ୍ଟି ହୋଇଛି, ଯାହା ଶବ୍ଦ ମାଧ୍ୟମରେ ପ୍ରକାଶ କରିବା ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏହି ଦିବ୍ୟ ଅନୁଭୂତିଗୁଡ଼ିକ ସର୍ବଦା ମୋ ସ୍ମୃତିରେ ଲିପିବଦ୍ଧ ହୋଇ ରହିବ।"
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ବିଶେଷତାକୁ ଉଲ୍ଲେଖ କରୁଥିବା 'ତତ୍ତ୍ୱଜ୍ଞାନ' (ଦର୍ଶନ) ଏବଂ 'ତନ୍ତ୍ରଜ୍ଞାନ' (ପ୍ରଯୁକ୍ତିବିଦ୍ୟା)ର ଅନନ୍ୟ ମିଶ୍ରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ମାଣ୍ଡ୍ୟାର ‘ସକ୍କରେ ନଗର’ (ଚିନି ସହର)ର ଲୋକମାନଙ୍କ ଆତିଥ୍ୟ ସତ୍କାର ପ୍ରତି ବିଶେଷ ଧ୍ୟାନ ଆକର୍ଷଣ କରିଛନ୍ତି। ସେ ଲକ୍ଷ୍ୟ କରିଛନ୍ତି ଯେ, ଶ୍ରୀ ଆଦିଚୁଞ୍ଚନଗିରି ମହାସଂସ୍ଥା ମଠ ଭଳି ପ୍ରତିଷ୍ଠାନଗୁଡ଼ିକ ଏହି କ୍ଷେତ୍ର ପାଇଁ ଏକ ନୈତିକ ଏବଂ ଆଧ୍ୟାତ୍ମିକ ଦିଗଦର୍ଶକ ଭାବରେ କାର୍ଯ୍ୟ କରୁଛି। "କର୍ଣ୍ଣାଟକ ଏପରି ଏକ ଭୂମି ଯେଉଁଠାରେ ଦର୍ଶନର ଗଭୀରତା ଆଧୁନିକ ପ୍ରଯୁକ୍ତିର ଶକ୍ତି ସହିତ ସମ୍ପୂର୍ଣ୍ଣ ଭାବରେ ମିଶିଯାଏ," ବୋଲି ଶ୍ରୀ ମୋଦୀ କହିଛନ୍ତି।
ଭାରତର ସ୍ପନ୍ଦନଶୀଳ ଓ ସହସ୍ରାବ୍ଦୀ ପୁରୁଣା ସଭ୍ୟତା ବିଷୟକୁ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ଆଦିଚୁଞ୍ଚନଗିରି ମଠର ୨୦୦୦ ବର୍ଷ ପୁରୁଣା ଇତିହାସରେ ନିହିତ ପରମ୍ପରାର ବିରଳ ଓ ଅବିଚ୍ଛିନ୍ନ ନିରନ୍ତରତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଡକ୍ଟର ବାଲଗଙ୍ଗାଧରନାଥ ମହାସ୍ୱାମୀଙ୍କ ପରି ଅତୀତର ପ୍ରସିଦ୍ଧ ଜ୍ୟୋତିଷଙ୍କ ଗଭୀର ଆଧ୍ୟାତ୍ମିକ ମାର୍ଗଦର୍ଶନକୁ ପ୍ରଶଂସା କରିଛନ୍ତି ଏବଂ ଏହି ଐତିହ୍ୟକୁ ନୂତନ ଶକ୍ତି ସହିତ ଆଗକୁ ବଢାଇବା ପାଇଁ ବର୍ତ୍ତମାନର ନେତୃତ୍ୱକୁ ପ୍ରଶଂସା କରିଛନ୍ତି। "ଏହି ପବିତ୍ର ଅନୁଷ୍ଠାନ ପିଢ଼ି ପରେ ପିଢ଼ି ସେବାର ପରମ୍ପରା ସହିତ ଆମ ଭୂମିକୁ ସମୃଦ୍ଧ କରିଆସିଛି," ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି।
ସମାଜରେ ମହାନ ସନ୍ଥମାନଙ୍କ ପରିବର୍ତ୍ତନକାରୀ ଭୂମିକା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି ଯେ, ଡକ୍ଟର ବାଲଗଙ୍ଗାଧରନାଥ ମହାସ୍ୱାମୀଙ୍କ ଆଧ୍ୟାତ୍ମିକ ପରାକ୍ରମ ସାଧାରଣ ଲୋକ ଏବଂ ଗ୍ରାମୀଣ ଯୁବକମାନଙ୍କ ସଂଘର୍ଷର ସମାଧାନ ସହିତ ଗଭୀର ଭାବରେ ଜଡିତ। ସେ ବ୍ୟାଖ୍ୟା କରିଛନ୍ତି, କିପରି ଏହି ଦିବ୍ୟ ବ୍ୟକ୍ତିତ୍ୱ ଭକ୍ତିକୁ ପଳାୟନର ଉପାୟ ଭାବରେ ନୁହେଁ, ବରଂ ଜନଉନ୍ନତି ପାଇଁ ଏକ ସକ୍ରିୟ ଦାୟିତ୍ୱ ଭାବରେ ଦେଖିଥିଲେ। "ସତ୍ୟ ଭକ୍ତି ହେଉଛି ସମାଜର କଲ୍ୟାଣ ପାଇଁ ଦାୟିତ୍ୱ ନେବାରେ ଆଗକୁ ବଢିବା," ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ମହାସ୍ୱାମୀଜୀଙ୍କ ବ୍ୟାପକ ଦାନଶୀଳ ପଦକ୍ଷେପ ଉପରେ ଆଲୋକପାତ କରି ଅନଗ୍ରସର ପିଲାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ବୃତ୍ତିଗତ ଡିଗ୍ରୀ ପର୍ଯ୍ୟନ୍ତ ସବୁକିଛି ପ୍ରଦାନ କରୁଥିବା ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା ପ୍ରତି ମଠର ଦୂରଦୃଷ୍ଟିପୂର୍ଣ୍ଣ ଆଭିମୁଖ୍ୟ ସୁନିଶ୍ଚିତ କରିଛି ଯେ, ଗୁଣାତ୍ମକ ଚିକିତ୍ସା ସେବା ବିନା କୌଣସି ଭେଦଭାବରେ ସମସ୍ତଙ୍କ ପାଖରେ ପହଞ୍ଚିବ। ଶ୍ରୀ ମୋଦୀ ଜୋର୍ ଦେଇ କହିଛନ୍ତି ଯେ, "ଗୁଣାତ୍ମକ ସ୍ୱାସ୍ଥ୍ୟସେବା କେବଳ ଅଳ୍ପ କେତେକ ମନୋନୀତ ଲୋକଙ୍କ ପାଇଁ ଏକ ସୁବିଧା ନୁହେଁ; ବରଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସୁଲଭ ଅଧିକାର ହେବା ଉଚିତ’’।
ମଠର ମାନବିକ ପ୍ରୟାସ ଓ ସରକାରଙ୍କ କଲ୍ୟାଣକାରୀ ନୀତି ମଧ୍ୟରେ ସମାନତାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାର ସଫଳତା ଉପରେ ଆଲୋକପାତ କରିଛନ୍ତି, ଯାହା କୋଟି କୋଟି ଗରିବ ନାଗରିକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇବାରେ ସଫଳ ହୋଇଛି। ସେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଯୋଜନାର ସମ୍ପ୍ରତି ବିସ୍ତାର ବିଷୟରେ ଆହୁରି ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, "ଆମେ ନିଶ୍ଚିତ କରୁଛୁ ଯେ, ଆମର ବୟସ୍କମାନେ ସମ୍ମାନର ସହିତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ସୁବିଧା ପାଇପାରିବେ’’।
ସମସ୍ତ ଜୀବଜନ୍ତୁଙ୍କ ପ୍ରତି ମହାସ୍ୱାମୀଜୀଙ୍କ ଅସୀମ କରୁଣା ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୟୂରଙ୍କ ସୁରକ୍ଷା ଦିଗରେ ତାଙ୍କର ଉତ୍ସର୍ଗୀକୃତ ସାମାଜିକ ଅଭିଯାନକୁ ପ୍ରଶଂସା କରିଛନ୍ତି ଏବଂ ଏହାକୁ ପରିବେଶ ସଂରକ୍ଷଣ ଓ ଭାରତର ସାଂସ୍କୃତିକ ଐତିହ୍ୟ ସହିତ ଯୋଡ଼ିଛନ୍ତି। ଦିଲ୍ଲୀରେ ଥିବା ନିଜ ବାସଭବନରେ ହୋଇଥିବା ବ୍ୟକ୍ତିଗତ ଅନୁଭବ ଆଧାରରେ ସେ ଜାତୀୟ ପକ୍ଷୀ ମୟୂର ସହିତ ନିଜର ସୁନ୍ଦର ଅନୁଭବ ବିଷୟରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, "ମୟୂର କେବଳ ଆମ ଜାତୀୟ ଗର୍ବ ନୁହେଁ, ଏହା ଅତ୍ୟନ୍ତ ସୁନ୍ଦର ଓ ଶାନ୍ତିପ୍ରିୟ ପ୍ରାଣୀ ମଧ୍ୟ ଅଟେ।"
ବର୍ତ୍ତମାନର ଜଗଦଗୁରୁ ଡକ୍ଟର ନିର୍ମଳନନ୍ଦନନାଥ ମହାସ୍ୱାମୀଜୀଙ୍କ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କ ଗୁରୁଙ୍କ ପାଦଚିହ୍ନରେ ନିଷ୍ଠାପୂର୍ଣ୍ଣ ଭାବରେ ଅନୁସରଣ କରି ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ତାଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ନବନିର୍ମିତ ଶ୍ରୀ ଗୁରୁ ଭୈରବୈକ୍ୟ ମନ୍ଦିର କେବଳ ଏକ ଭୌତିକ ଗଠନ ନୁହେଁ, ବରଂ ଗଭୀର ଆଧ୍ୟାତ୍ମିକ ଭକ୍ତିର ପ୍ରକୃତ ଅନୁଭବରେ ପରିଣତ ହୋଇଛି। "ଏହି ମନ୍ଦିର ନିଃସନ୍ଦେହରେ ସେବା ଓ ପ୍ରେରଣାର ଏକ ସ୍ଥାୟୀ ଆଲୋକବର୍ତ୍ତିକା ଭାବରେ କାର୍ଯ୍ୟ କରିବ," ବୋଲି ଶ୍ରୀ ମୋଦୀ କହିଛନ୍ତି।
ଶ୍ରୀ ଆଦିଚୁଞ୍ଚନଗିରି ମଠର ନଅଟି ମୂଳ ନୀତି, ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ଆଧ୍ୟାତ୍ମିକତା ଏବଂ କରୁଣା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଏକ ସାମୂହିକ ଜାତୀୟ ସଙ୍କଳ୍ପ ପ୍ରସ୍ତାବ କରିଛନ୍ତି। ସେ ନାଗରିକମାନଙ୍କୁ ସାମାଜିକ ସ୍ୱାର୍ଥର ନଅଟି ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ଧ୍ୟାନ ଦେଇ ଏହି ମୂଲ୍ୟବୋଧଗୁଡ଼ିକୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, "ଆମର ସାମୂହିକ ସଂକଳ୍ପକୁ ସୁଦୃଢ କରିବା ପାଇଁ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ନଅଟି ଗୁରୁତ୍ୱପୂର୍ଣ୍ଣ ଅନୁରୋଧ ରଖିଛି’’।
ପ୍ରଥମ ପାଞ୍ଚଟି ଅନୁରୋଧର ବିସ୍ତୃତ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମାଣ୍ଡ୍ୟାର ଲୋକମାନଙ୍କୁ ଜଳ ସଂରକ୍ଷଣକୁ ସମର୍ଥନ କରିବାକୁ, 'ଏକ ପେଡ୍ ମା’ କେ ନାମ' ଅଭିଯାନ ଅଧୀନରେ ଗଛ ଲଗାଇବାକୁ ଏବଂ ସମସ୍ତ ସାର୍ବଜନୀନ ଓ ଧାର୍ମିକ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସେ ଭାରତୀୟ ଉତ୍ପାଦ ଗ୍ରହଣ କରି ଏବଂ ଦେଶର ଅପାର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ଆତ୍ମନିର୍ଭରଶୀଳତା ଉପରେ ଧ୍ୟାନ ଦେବାକୁ ମଧ୍ୟ ଆହ୍ୱାନ କରିଛନ୍ତି। ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି ଯେ, "ଆମକୁ ପୃଥିବୀ ମାତାର ସୁରକ୍ଷା କରିବା ଏବଂ ସକ୍ରିୟ ଭାବରେ ଆମର ଘରୋଇ ଶିଳ୍ପଗୁଡ଼ିକୁ ସୁଦୃଢ କରିବାକୁ ପଡିବ।’’
ସ୍ୱାସ୍ଥ୍ୟ ଓ କୃଷିର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ପ୍ରାକୃତିକ କୃଷି ଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି ଏବଂ ଯୁବ ପିଢ଼ିକୁ ଶ୍ରୀ ଏଚ୍.ଡି. ଦେବେଗୌଡାଙ୍କ ଦ୍ୱାରା ପ୍ରବର୍ତ୍ତିତ ଏକ ଲୋକପ୍ରିୟ କ୍ଷେତ୍ରୀୟ ପ୍ରମୁଖ ଖାଦ୍ୟ ବାଜରା ଓ 'ରାଗି ମୁଡ୍ଡେ'କୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସେ ମେଦବହୂଳତାର ମୁକାବିଲା କରିବା ପାଇଁ ରନ୍ଧନ ତେଲର ବ୍ୟବହାରକୁ ୧୦ ପ୍ରତିଶତ ହ୍ରାସ କରିବା, ଦୈନନ୍ଦିନ ଜୀବନରେ ଫିଟନେସ୍ ସାମିଲ କରିବା ଏବଂ ଜୀବନବ୍ୟାପୀ ସେବା ମନୋଭାବକୁ ବଜାୟ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, "ଯୋଗ ଓ ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରାଥମିକତା ଦେବା ଆମ ଦୈନନ୍ଦିନ ଜୀବନ ପାଇଁ ଅତ୍ୟାବଶ୍ୟକ।"
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷରେ କହିଛନ୍ତି ଯେ, ଅଭାବୀ ଲୋକଙ୍କ ସେବା ଜୀବନକୁ ଏକ ମହାନ ଉଦ୍ଦେଶ୍ୟ ପ୍ରଦାନ କରେ ଏବଂ ସାମାଜିକ ଗଠନକୁ ଗଭୀର ଭାବରେ ଶକ୍ତିଶାଳୀ କରେ। ସେ ଦୃଢ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଏହି ନଅଟି ଅନୁରୋଧ ପାଳନ କରିବା ଦ୍ୱାରା ଏକ ବିକଶିତ କର୍ଣ୍ଣାଟକ ଏବଂ ଏକ ବିକଶିତ ଭାରତ ଆଡକୁ ସହଭାଗୀ ଯାତ୍ରା ତ୍ୱରାନ୍ୱିତ ହୋଇପାରିବ। ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି, "ସତ୍ୟ ସଂକଳ୍ପ ସହିତ, ଆମେ ଏକ ବିକଶିତ ଭାରତର ଦୃଷ୍ଟିକୋଣ ଆଡ଼କୁ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେବୁ"।
*****
MT
(ରିଲିଜ ଆଡି: 2252393)
ପରିଦର୍ଶକ କାଉଣ୍ଟର : 13