ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav AI Impact Summit 2026

ଗୁଜୁରାଟରେ ମାଇକ୍ରୋନ୍ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ସୁବିଧାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 28 FEB 2026 6:39PM by PIB Bhubaneswar

ଗୁଜୁରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ରରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ମାଇକ୍ରୋନ୍ ଟେକ୍ନୋଲୋଜିର ସିଇଓ ସଞ୍ଜୟ ମେହରୋତ୍ରା ଜୀ, ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍, ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭି ଜୀ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ , ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।

ବିଶ୍ୱର ସର୍ବବୃହତ ଏବଂ ସଫଳ ଏଆଇ ଶିଖର ସମ୍ମିଳନୀ ପରେ, ଆଜି ଆମେ ଏଠାରେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଦେଖୁଛୁ। ଏଆଇ ଶିଖର ସମ୍ମିଳନୀ ଭାରତର ଏଆଇ ସମ୍ଭାବନା ସହିତ ବିଶ୍ୱକୁ ପରିଚିତ କରାଇଥିବାବେଳେ, ଆଜି ପ୍ରଯୁକ୍ତିବିଦ୍ୟା ପ୍ରତି ନେତୃତ୍ୱ ଭାରତର ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ।

ବନ୍ଧୁଗଣ,

ଏହା ବହୁତ ଦିନ ପୂର୍ବର କଥା ନୁହେଁ; ୧୦-୧୧ ବର୍ଷ ପୂର୍ବେ, ଭାରତରେ ଡାଟା ଏବଂ ଚିପ୍ସ ବିଷୟରେ ଆଲୋଚନା କେବଳ ଅତି ନିକଟତମ ସର୍କଲରେ ହେଉଥିଲା।  ଯେତେବେଳେ ପ୍ରଯୁକ୍ତିବିଦ୍ୟା କଥା ଆସୁଥିଲା, ଆମର ଆଲୋଚନା ପ୍ରାୟତଃ ଆଇଟି ସେବା ଉପରେ ନିର୍ଭର କରୁଥିଲା। ଏବଂ ଆଜି ଦେଖନ୍ତୁ, ସଫ୍ଟୱେର୍ ପାଇଁ ଜଣାଶୁଣା ଭାରତ, ଏବେ ହାର୍ଡୱେର୍ କ୍ଷେତ୍ରରେ ମଧ୍ୟ ନିଜର ପରିଚୟକୁ ମଜବୁତ କରୁଛି।  ଆଜି ସାନନ୍ଦରେ, ଆମେ ଏକ ନୂତନ ଭବିଷ୍ୟତର ଉତ୍ଥାନ ଦେଖୁଛୁ। ମାଇକ୍ରୋନର ଏହି ଏ ଟି ଏମ୍ ପି  ସୁବିଧାରେ ଏକ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବା ଦ୍ୱାରା ବିଶ୍ୱ ପ୍ରଯୁକ୍ତିବିଦ୍ୟା ମୂଲ୍ୟ ଶୃଙ୍ଖଳରେ ଭାରତର ଭୂମିକାକୁ ମଜବୁତ କରିବାକୁ ଯାଉଛି।

ବନ୍ଧୁଗଣ,

ଆଜି, ଭାରତ ବହୁତ ଦ୍ରୁତ ଗତିରେ ବିଶ୍ୱ ଅର୍ଦ୍ଧ ପରିବାହୀ ମୂଲ୍ୟ ଶୃଙ୍ଖଳର ଏକ ଅଂଶ ହେବାକୁ ଯାଉଛି। ମୁଁ ମାଇକ୍ରୋନର ସମଗ୍ର ଦଳକୁ, ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ ଗୁଜରାଟ ସରକାରଙ୍କୁ ଏବଂ ସମସ୍ତ ଇଞ୍ଜିନିୟର, ଟେକ୍ନିସିଆନ୍ ଏବଂ ଶ୍ରମିକମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ମାଇକ୍ରୋନର ଏହି ସୁବିଧା ମଧ୍ୟ ଭାରତର ନୂତନ ମନୋଭାବର ଏକ ଚମତ୍କାର ଉଦାହରଣ। ନୀତିଠାରୁ ଉତ୍ପାଦନ ପର୍ଯ୍ୟନ୍ତ ଆଜିର ଭାରତ ଯେଉଁ ଆଭିମୁଖ୍ୟ ସହିତ ଆଗକୁ ବଢ଼ୁଛି, ତାହା ଏଠାରେ ଦୃଶ୍ୟମାନ।  ଆପଣ ମନେ ପକାନ୍ତୁ , ଜୁନ୍ ୨୦୨୩ ରେ ଏହି ସୁବିଧା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।  ତା’ପରେ, ସେପ୍ଟେମ୍ବର ୨୦୨୩ ରେ, ସାନନ୍ଦରେ ଏହି ସୁବିଧାର ଶିଳାନ୍ୟାସ ହୋଇଥିଲା।  ତା’ପରେ ଫେବୃଆରୀ ୨୦୨୪ ରେ, ଏଠାରେ ପାଇଲଟ୍ ସୁବିଧାରେ ମେସିନ୍ ସ୍ଥାପନ ଆରମ୍ଭ ହୋଇଥିଲା। ଏବଂ ଆଜି ଫେବୃଆରୀ ୨୦୨୬ ରେ, ଏହି ସୁବିଧାରେ ବାଣିଜ୍ୟିକ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଛି।

ବନ୍ଧୁଗଣ,

ଯିଏ ଏହି କ୍ଷେତ୍ରକୁ ଦେଖିବେ, କିମ୍ବା ବୁଝିବେ,ତେବେ ସେ ଏହି ଗତିର ଅର୍ଥ ଜାଣିପାରିବେ । ବିଶ୍ୱର ବିକଶିତ ଦେଶଗୁଡ଼ିକରେ ମଧ୍ୟ ଉନ୍ନତ ମୂଲ୍ୟ ନିର୍ଦ୍ଧାରଣ ଚୁକ୍ତିନାମା ଭଳି ଟିକସ ଚୁକ୍ତିନାମା ୩ ରୁ ୫ ବର୍ଷ ସମୟ  ନେଇଥାଏ। ଏହା ଏକ ବହୁତ ଜଟିଳ ପ୍ରକ୍ରିୟା। କିନ୍ତୁ ଭାରତ ଏହାକୁ ମାତ୍ର କିଛି ମାସ ମଧ୍ୟରେ ସମାପ୍ତ କରିଦେଲା। ଯେତେବେଳେ ଉଦ୍ଦେଶ୍ୟ ସ୍ପଷ୍ଟ ଥାଏ ଏବଂ ଦେଶର ଦ୍ରୁତ ବିକାଶ ପାଇଁ ସମର୍ପଣର ଭାବଥାଏ, ସେତେବେଳେ ନୀତି ମଧ୍ୟ ସ୍ପଷ୍ଟ ହୋଇଥାଏ ଏବଂ ଶିଘ୍ର ନିଷ୍ପତ୍ତି ନେବାରେ ଗତି ଆସିଯାଇଥାଏ।

ବନ୍ଧୁଗଣ,

ମୁଁ ମାଇକ୍ରୋନର ନେତୃତ୍ୱ ପ୍ରତି ମଧ୍ୟ ମୋର କୃତଜ୍ଞତା ପ୍ରକାଶ କରୁଛି , ମୁଁ ମୋର ବନ୍ଧୁ ସଞ୍ଜୟଙ୍କୁ ଯେତେ ଅଭିନନ୍ଦନ ଜଣାଇବି, ତାହା ଯଥେଷ୍ଟ ହେବ ନାହିଁ ।  ଆଜି ସଞ୍ଜୟ ମୋତେ ଆଶ୍ଚର୍ଯ୍ୟ କରିଦେଇଥିଲେ, କାରଣ ଯେତେବେଳେ ସଞ୍ଜୟଙ୍କୁ ଭେଟିଥାଏ, ଦେଖେ ସେ ବହୁତ କମ୍ କଥା କୁହନ୍ତି, ଆଜି ଭାଷଣ ଶୁଣିବା ପରେ, ମୁଁ ଆଉ ଜଣେ ସଞ୍ଜୟଙ୍କ ସହିତ ପରିଚିତ ହୋଇଗଲି। ସେ ଭାରତରେ ନିରନ୍ତର ବିଶ୍ୱାସ ବଜାୟ ରଖନ୍ତି ।  ମୁଁ ଭାଇ ସଞ୍ଜୟ  ଜୀଙ୍କୁ ବିଶେଷ ଭାବରେ ପ୍ରଶଂସା କରିବି , ମୋର ମନେ ଅଛି ଯେ ବିଗତ ବର୍ଷଗୁଡ଼ିକରେ ଯେତେବେଳେ ଆମେ ଭେଟୁଥିଲୁ, ସେ ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ ପ୍ରତି ବହୁତ ଉତ୍ସାହୀ ଥିଲେ। ଆଜି ତାଙ୍କର ନେତୃତ୍ୱ, ଭାରତରେ ତାଙ୍କର ବିଶ୍ୱାସ, ଏକ ନୂତନ ଉଚ୍ଚତାରେ ପହଞ୍ଚିବା ପରି ମନେ ହେଉଛି।  ଭାରତରେ ତାଙ୍କର ନିଯୁକ୍ତି ପରେ, ରାଷ୍ଟ୍ରଦୂତ ଗୋର୍ ମଧ୍ୟ ପ୍ରଥମ ଥର ପାଇଁ ଗୁଜରାଟ ଆସିଛନ୍ତି। ଏବଂ ସେ ଆନୁଷ୍ଠାନିକ ଭାବରେ ରାଷ୍ଟ୍ରଦୂତ ହେବା ପରେ, ଆଜି ତାଙ୍କ ସହିତ ମୋର ପ୍ରଥମ ସାକ୍ଷାତ, ଏବଂ ତାହା ମଧ୍ୟ ମୋର କର୍ମଭୂମି (କାର୍ଯ୍ୟସ୍ଥଳ)ରେ ହେଉଛି। ମୁଁ ନିଶ୍ଚିତ ଯେ ଆପଣମାନେ ଆମର ଆତିଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିବେ।

ବନ୍ଧୁଗଣ,

ମାଇକ୍ରୋନର ଏହି ସୁବିଧା, ଆଜିର ଏହି କାର୍ଯ୍ୟକ୍ରମ , ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ଼ ସହଯୋଗ ଏବଂ ସହଭାଗୀତାର ମଧ୍ୟ ପ୍ରମାଣ। ବିଶେଷକରି ଏଆଇ ଏବଂ ଚିପ୍ସ ଭଳି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ, ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଜି ସମଗ୍ର ବିଶ୍ୱ ମାନବତାର ଏକ ଉନ୍ନତ ଭବିଷ୍ୟତ ସହିତ ଜଡିତ ଏହି ଦୁଇଟି ପ୍ରଯୁକ୍ତିର ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବାକୁ ଚାହୁଁଛି। ଏବଂ ବିଶ୍ୱର ଦୁଇଟି ବଡ଼ ଗଣତନ୍ତ୍ର, ଭାରତ ଏବଂ ଆମେରିକା, ଏଥିପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ଏଆଇ ଶିଖର ସମ୍ମିଳନୀ ସମୟରେ, ଭାରତ ଏବଂ ଆମେରିକା ମଧ୍ୟରେ ପାକ୍ସ ସିଲିକା ସହିତ ଜଡିତ ଚୁକ୍ତିନାମା ଏହି ଦିଗରେ କରାଯାଇଥିବା ଆଉ ଏକ ପ୍ରୟାସ।  ଆମର ମିଳିତ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ବିଶ୍ୱ ଯୋଗାଣ ଶୃଙ୍ଖଳକୁ ଅଧିକ ସୁରକ୍ଷିତ ଏବଂ ଅଧିକ ନିର୍ଭରଯୋଗ୍ୟ କରିବ।

ବନ୍ଧୁଗଣ,

ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ, ବିଶ୍ୱ ଶିଳ୍ପ ବିପ୍ଳବର ଯୁଗ ଦେଖିଥିଲା। ସେତେବେଳେ କାରଖାନା, ମେସିନ ଏବଂ ବହୁଳ ଉତ୍ପାଦନରେ ଆଗରେ ଥିବା ଦେଶଗୁଡ଼ିକ ଦ୍ରୁତ ଗତିରେ ପ୍ରଗତି କରିଥିଲେ।  କିନ୍ତୁ ଏହି ଶତାବ୍ଦୀ ହେଉଛି ଏଆଇ ବିପ୍ଳବର ଶତାବ୍ଦୀ।  ସେମିକଣ୍ଡକ୍ଟର ହେଉଛି ଏହି ପରିବର୍ତ୍ତନର ବଡ଼ ସେତୁ। ଏକ ଛୋଟ ଚିପ୍ ହେଉଛି ଶିଳ୍ପ ବିପ୍ଳବ ଏବଂ ଏଆଇ ବିପ୍ଳବ ଉଭୟକୁ ସଂଯୋଗ କରୁଥିବା ମାଧ୍ୟମ। ଯଦି ଗତ ଶତାବ୍ଦୀର ନିୟାମକ ତେଲ ଥିଲା, ତେବେ ଏହି ଶତାବ୍ଦୀର ନିୟାମକ ,ମାଇକ୍ରୋ-ଚିପ୍ ହେବ।

ବନ୍ଧୁଗଣ,

ଏହି ଚିନ୍ତାଧାରା ସହିତ, ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଥିଲା। ଆପଣମାନେ ମନେ ରଖିଛନ୍ତି, ଯେତେବେଳେ ବିଶ୍ୱ କୋଭିଡର ପ୍ରଳୟ ସହିତ ସଂଘର୍ଷ କରୁଥିଲା, ସେତେବେଳେ ଭାରତ ସେମିକଣ୍ଡକ୍ଟର ମିଶନ ଘୋଷଣା କରିଥିଲା। ସେହି ସମୟରେ, ଏଠାରେ ବସିଥିବା ଅନେକ ସହକର୍ମୀ, ବିଭିନ୍ନ ଦଳ, ଗୋଟିଏ ପରେ ଗୋଟିଏ ବୈଠକ କରୁଥିଲେ।  ମହାମାରୀ ସମୟରେ, ସବୁକିଛି ଭାଙ୍ଗି ପଡୁଥିବା ପରି ଲାଗୁଥିଲା। କିନ୍ତୁ ଆମେ ଦୃଢ଼ ବିଶ୍ୱାସ ସହିତ ଯେଉଁ ବିହନ ବୁଣିଥିଲୁ ତାହା ଏବେ ବଢ଼ି ଚାଲିଛି ଏବଂ ଫଳ ଦେଉଛି।

ବନ୍ଧୁଗଣ,

ଏପର୍ଯ୍ୟନ୍ତ, ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ, ମୋଟ ୧୦ ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିମଧ୍ୟରୁ, ମାଇକ୍ରୋନ୍ ବ୍ୟତୀତ, ଆହୁରି ତିନୋଟି ପ୍ରକଳ୍ପ ମଧ୍ୟ ଖୁବ୍ ଶୀଘ୍ର ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି। ଏବଂ ଆମେ ଯେଉଁ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ନିର୍ମାଣ କରୁଛୁ ତାହା କେବଳ ଗୋଟିଏ ଅଞ୍ଚଳରେ ସୀମିତ ନୁହେଁ; ଏହା ହେଉଛି ପ୍ୟାନ୍-ଇଣ୍ଡିଆ। ଅର୍ଥାତ୍, ଦେଶର ପ୍ରତ୍ୟେକ ଭାଗରେ ବିକଶିତ ଭାରତର ନୂତନ ଟେକ୍ନୋଲୋଜି ହବ୍ ବିକଶିତ ହେଉଛି। ଏଠାରେ ସାନନ୍ଦ ବ୍ୟତୀତ, ଧୋଲେରାରେ ମଧ୍ୟ ବହୁତ ବଡ଼ ସ୍ତରରେ କାମ ଚାଲିଛି। କିଛି ଦିନ ପୂର୍ବରୁ, ଉତ୍ତର ପ୍ରଦେଶର ନୋଏଡାରେ ମଧ୍ୟ ଏକ ନୂତନ ସୁବିଧା ଉପରେ କାମ ଆରମ୍ଭ ହୋଇଛି।  ଆସାମ, ଓଡ଼ିଶା ଏବଂ ପଞ୍ଜାବରେ ସେମିକଣ୍ଡକ୍ଟର ୟୁନିଟ୍ ଉପରେ ମଧ୍ୟ କାମ ଚାଲିଛି।

ବନ୍ଧୁଗଣ,

ଆଜି ଭାରତରୁ ସାରା ବିଶ୍ୱର ନିବେଶକଙ୍କ ପାଇଁ କେବଳ ଗୋଟିଏ ବାର୍ତ୍ତା ଅଛି ,  ଭାରତ ପ୍ରସ୍ତୁତ।  ଭାରତ ନିର୍ଭରଯୋଗ୍ୟ ଏବଂ ଭାରତ ପ୍ରଦାନ କରିବ।

ବନ୍ଧୁଗଣ,

ଆପଣ ଜାଣନ୍ତି ଯେ ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ କେବଳ ଗୋଟିଏ କାରଖାନା ନୁହେଁ। ଏହି ଇକୋସିଷ୍ଟମ୍ ମେସିନ୍ ନିର୍ମାତା, ଡିଜାଇନ୍ ଇଞ୍ଜିନିୟର, ଗବେଷଣା ପ୍ରତିଷ୍ଠାନ, ଲଜିଷ୍ଟିକ୍ସ ନେଟୱାର୍କ ଏବଂ ଦକ୍ଷ ଟେକ୍ନିସିଆନ୍ ଭଳି ଅନେକ ସ୍ତରରୁ ତିଆରି। ସମସ୍ତଙ୍କ ସମନ୍ୱୟରେ ଏକ ଚିପ୍ ପ୍ରସ୍ତୁତ କରାଯାଇଛି। ଭାରତ ମଧ୍ୟ ସେମିକଣ୍ଡକ୍ଟର ଇକୋସିଷ୍ଟମର ସମଗ୍ର ମୂଲ୍ୟ ଶୃଙ୍ଖଳ ଉପରେ ଧ୍ୟାନ ଦେଉଛି। ଏହି ବର୍ଷର ବଜେଟରେ, ଆମେ ଭାରତ ସେମିକଣ୍ଡକ୍ଟର ମିଶନ ୨.୦ ଘୋଷଣା କରିଛୁ।  ଏହା ଏହାର ଉଦ୍ଦେଶ୍ୟ ମଧ୍ୟ।  ଉତ୍ପାଦନ ବୃଦ୍ଧି ପାଇବା ସହିତ, ଭାରତ ଭିତରେ ସାମଗ୍ରୀ, ଉପାଦାନ ଏବଂ ସେବାର ଚାହିଦା ବୃଦ୍ଧି ପାଇବ। ଏହା ହେଉଛି ସବୁଠାରୁ ବଡ଼ ସୁଯୋଗ।

ବନ୍ଧୁଗଣ,

​ଭାରତର ଆଉ ଏକ ବଡ଼ ଲାଭ ହେଉଛି ଆମର ଉତ୍ପାଦନ ମହତ୍ବାକାଂକ୍ଷା। ଭାରତରେ ବହୁତ ବଡ଼ ଜନସଂଖ୍ୟା ଅଛି ଯେଉଁମାନେ ପ୍ରଥମ ଥର ପାଇଁ ଗ୍ୟାଜେଟ୍ ବ୍ୟବହାର କରୁଛନ୍ତି।  ଇଲେକ୍ଟ୍ରୋନିକ୍ସ ହେଉ, ଅଟୋମୋବାଇଲ୍ ହେଉ କିମ୍ବା ଅନ୍ୟ ପ୍ରଯୁକ୍ତିବିଦ୍ୟା ହେଉ, ଭାରତରେ ଚାହିଦା ନିରନ୍ତର ବୃଦ୍ଧି ପାଉଛି।  ଅର୍ଥାତ୍, ମେକ୍ ଇନ୍ ଇଣ୍ଡିଆ ଏବେ ପୂର୍ଣ୍ଣ ଗତିରେ ଆଗକୁ ବଢ଼ୁଛି। ଆମର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଦେଖନ୍ତୁ , ଗତ ୧୧ ବର୍ଷ ମଧ୍ୟରେ, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଏବଂ ରପ୍ତାନି ଅନେକ ଗୁଣ ବୃଦ୍ଧି ପାଇଛି। ଏବେ ଭାରତ ଦେଶ ଭିତରେ ଉପାଦାନଠାରୁ ଆରମ୍ଭ କରି ପ୍ରସ୍ତୁତ ଉତ୍ପାଦ ପର୍ଯ୍ୟନ୍ତ  ସବୁକିଛି ତିଆରି କରିବାରେ ନିୟୋଜିତ ଅଛି।  ଇଲେକ୍ଟ୍ରୋନିକ୍ସ ଉପାଦାନ ନିର୍ମାଣର ପରିସର ବୃଦ୍ଧି ପାଇବା ସହିତ, ସେମିକଣ୍ଡକ୍ଟରର ଘରୋଇ ଚାହିଦା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇବ। ଅର୍ଥାତ୍, ଭାରତରେ ନିବେଶ କରୁଥିବା ଲୋକଙ୍କ ପାଇଁ, ଘରୋଇ ବଜାର ଏବଂ ବିଶ୍ୱସ୍ତରୀୟ ସୁଯୋଗ ଉଭୟ ସେମାନଙ୍କ ସମ୍ମୁଖରେ ଠିଆ ହୋଇଛି।

ବନ୍ଧୁଗଣ,

ମୋର ସାନନ୍ଦର ଏହି ସମଗ୍ର କ୍ଷେତ୍ର ପ୍ରତି ଏକ ବିଶେଷ ଆସକ୍ତି ରହିଛି।  ସାନନ୍ଦ ହେଉଛି ସେହି ଭୂମି ଯାହା ମାଟିକୁ ମଧ୍ୟ ସୁନାରେ ପରିଣତ କରେ।  ମୁଁ ଆପଣମାନଙ୍କୁ ମୋର ଅଭିଜ୍ଞତାରୁ ଏହା କହୁଛି। ଯଦି ସାନନ୍ଦର କିଛି ଲୋକ ଏଠାରେ ବସିଛନ୍ତି ସେମାନେ କହିବେ - ଗୋଟିଏ ସମୟ ଥିଲା ଯେତେବେଳେ ମୁଁ ବସ୍ ଯୋଗେ ଏଠାକୁ ଆସୁଥିଲି ଏବଂ ସାଇକେଲରେ ଏଠାକାର ଗଳିରେ ବୁଲୁଥିଲି, ଏହା ଏକ ଛୋଟ ସହର ଥିଲା, ମୁଁ ଏଠାରୁ ସାଇକେଲ ନେଇ ଉପରକୁ ଯାଉଥିଲି, ଅର୍ଥାତ୍ ଏହା ବହୁତ ଦିନ ଧରି ମୋର କାର୍ଯ୍ୟକ୍ଷେତ୍ର ଥିଲା। ଏବଂ ମୁଁ ମୋ ଆଖି ଆଗରେ ସାନନ୍ଦକୁ ପରିବର୍ତ୍ତନ ହେଉଥିବାର ଦେଖିଛି।  କୌଣସି ଯୁଗର ଏକ ଛୋଟ ସହର ଆଜି ଏକ ବହୁତ ବଡ଼ ସହରରେ ପରିଣତ ହେଉଛି। ଏବଂ ଏହା କେଉଁଠାରୁ ଆରମ୍ଭ ହୋଇଥିଲା, ଗୋଟିଏ ଟଙ୍କାର ଏକ ଏସ୍ ଏମ୍ ଏସ୍ ।  ମୁଁ ରତନ ଟାଟା ଜୀଙ୍କୁ ଗୋଟିଏ ଏସ୍ ଏମ୍ ଏସ୍ ପଠାଇଥିଲି ,  ସ୍ୱାଗତ, ସ୍ୱାଗତମ୍, ମୁଁ ସ୍ୱାଗତମ୍ ଲେଖିଥିଲି। ଗୋଟିଏ ଟଙ୍କାର ନିବେଶ  ଦେଖନ୍ତୁ ଏହି ଗୁଜ୍ଜୁ କ’ଣ କରିପାରେ।

ବନ୍ଧୁଗଣ,

ମୁଁ ନିଜ ଆଖିରେ ସାନନ୍ଦକୁ ଗୋଟିଏ କାର୍ କାରଖାନାରୁ ଦେଶର ଏକ ବଡ଼ ଅଟୋମୋବାଇଲ୍ ହବ୍‌ରେ ପରିଣତ ହେବାର ଦେଖିଛି। ଏବଂ ମୁଁ ମନେ ରଖିଛି, ଯେତେବେଳେ ଏକ ବଡ଼ ଅଟୋମୋବାଇଲ୍ କମ୍ପାନୀ ଏଠାକୁ ଆସିଥିଲା, ସେତେବେଳେ ସମଗ୍ର ଇକୋସିଷ୍ଟମ୍ ଏହା ସହିତ ବିକଶିତ ହୋଇଥିଲା। ଗୋଟିଏ କମ୍ପାନୀର ଆଗମନ ସହିତ, ଏଠାରେ ଏତେ ସହାୟକ ୟୁନିଟ୍ ଆସିଥିଲା। ଏକ ଯୋଗାଣକାରୀ ନେଟୱାର୍କ ପ୍ରତିଷ୍ଠିତ ହେଲା, ସ୍ଥାନୀୟ ଶିଳ୍ପ ସୁଦୃଢ଼ ​​ହେଲା, ଏବଂ ନିଯୁକ୍ତି ଏବଂ ନିବେଶ ଉଭୟ ବୃଦ୍ଧି ପାଇଲା। ଏବଂ ମୁଁ, ଦେଶ ଏବଂ ବିଶ୍ୱରୁ ଏଠାରେ କାମ କରିବାକୁ ଆସୁଥିବା ସହକର୍ମୀମାନଙ୍କୁ  କହିବି - ଏହା ସତ୍ୟ ଯେ ଏକ ଛୋଟ ସହର ହଠାତ୍ ବିଶ୍ୱ ମାନଚିତ୍ରରେ ନିଜର ସ୍ଥାନ ସୃଷ୍ଟି କରିଛି।  ବିକାଶ ଏବଂ ସୁବିଧା ଯାହା ଆବଶ୍ୟକ, ହୁଏତ ଆଜି ମଧ୍ୟ ଆପଣଙ୍କ ମନରେ ଏହା ରହିଛି ଯେ ଯଦି ଏହା ହୁଏ ତେବେ ଏହା ଭଲ ହେବ, ଯଦି ତାହା ହୁଏ ତେବେ ତାହା ଭଲ ହେବ।

ମୁଁ ବନ୍ଧୁମାନଙ୍କୁ ବିଶ୍ୱାସ ଦେଉଛି,

ଆପଣ ଯେଉଁ ଜୀବନଶୈଳୀ ଚାହୁଁଛନ୍ତି, ଯେଉଁ ସାମାଜିକ ଜୀବନ ଚାହୁଁଛନ୍ତି, ଯେଉଁ ପ୍ରକାରରେ ଆପଣ ଜୀବନଯାପନ କରିବାକୁ ଚାହୁଁଛନ୍ତି - ଏହା ହେଉଛି ଗୁଜରାଟ, ଏହା ମଧ୍ୟ ଯୋଗାଇ ଦେବ। ଆମେ ଆପଣଙ୍କୁ କୌଣସି ଅଭାବ ଅନୁଭବ କରିବାକୁ ଦେବୁ ନାହିଁ। ଏବେ ସମାନ ଭାବରେ, ମାଇକ୍ରୋନର ଏହି ଅଗ୍ରଣୀ ସୁବିଧା ମଧ୍ୟ ଏକ ନୂତନ ଇକୋସିଷ୍ଟମ୍ ବିସ୍ତାର କରିବାକୁ ଯାଉଛି। ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛି ଯେ ଆଗାମୀ ସମୟରେ, ସାନନ୍ଦ ସେମିକଣ୍ଡକ୍ଟର କ୍ଷେତ୍ରରେ ମଧ୍ୟ ସଫଳତାର ଏକ ନୂତନ ଅଧ୍ୟାୟ ଲେଖିବ।

ବନ୍ଧୁଗଣ,

ମାଇକ୍ରୋନର ଡ଼ି – ରାମ୍ ଏବଂ ଏନ୍ ଏ ଏନ୍ ଡ଼ି ସମାଧାନ ବିଶ୍ୱବ୍ୟାପୀ ଡାଟା ସେଣ୍ଟର, ଏଆଇ ଆପ୍ଲିକେସନ୍, ମୋବାଇଲ୍ ଡିଭାଇସ୍ ଏବଂ ଉନ୍ନତ କମ୍ପ୍ୟୁଟିଂ ସିଷ୍ଟମକୁ ଶକ୍ତି ପ୍ରଦାନ କରେ। ଏବେ ଏଗୁଡ଼ିକ ଏଠାରେ, ସାନନ୍ଦର ଏହି ଭୂମିରେ ତିଆରି କରାଯିବ। ଏଠାରେ, ଉନ୍ନତ ୱେଫରଗୁଡ଼ିକୁ ଉଚ୍ଚ-ଗୁଣବତ୍ତା ମେମୋରୀ ଏବଂ ଷ୍ଟୋରେଜ୍ ଉତ୍ପାଦରେ ରୂପାନ୍ତରିତ କରାଯିବ। ଏହି ପ୍ଲାଣ୍ଟରେ ବର୍ତ୍ତମାନ ଶହ ଶହ ଲୋକ ନିଯୁକ୍ତି ପାଇଛନ୍ତି। ଆଗାମୀ ସମୟରେ, ଏଥିରେ ଆହୁରି ବିସ୍ତାର ହେବ।

ବନ୍ଧୁଗଣ,

ଆପଣ ଏଠାରେ ଯେଉଁ କ୍ଲିନରୁମ୍ ନିର୍ମାଣ କରୁଛନ୍ତି ତାହା ବିଶ୍ୱର ସବୁଠାରୁ ବଡ଼ ଏ.ଟି. ଏମ୍ ପି  କ୍ଲିନରୁମ୍ ମଧ୍ୟରୁ ଗୋଟିଏ ହେବାକୁ ଯାଉଛି। ଏହି ପ୍ଲାଣ୍ଟ ପ୍ରଗତି ଏବଂ ପ୍ରକୃତି ମଧ୍ୟରେ ସମନ୍ୱୟର ଏକ ସର୍ବୋତ୍ତମ ଉଦାହରଣ। ସର୍ବନିମ୍ନ ଜଳ ବ୍ୟବହାର ପାଇଁ ଆପଣ ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ମଧ୍ୟ ପ୍ରଶଂସନୀୟ।

ବନ୍ଧୁଗଣ,

ମୁଁ ଗୁଜରାଟ ସରକାରଙ୍କ ନୀତିକୁ ମଧ୍ୟ ପ୍ରଶଂସା କରିବି। ଗୁଜରାଟ ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଯେଉଁ ନୀତି କରିଥିଲା, ତାହାର ଲାଭ ଏବେ ଏହି ଜନସାଧାରଣଙ୍କ ମଧ୍ୟରେ ଦୃଶ୍ୟମାନ ହେଉଛି। ଭୂପେନ୍ଦ୍ର ଭାଇଙ୍କ ସରକାରଙ୍କ ସକ୍ରିୟ ଆଭିମୁଖ୍ୟ ଯୋଗୁଁ, ଗୁଜୁରାଟ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅନୁମୋଦନ ହେଉ, ଜମି ଆବଣ୍ଟନର ପ୍ରସଙ୍ଗ ହେଉ, କିମ୍ବା ଉପଯୋଗୀତା ଭଳି ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ହେଉ, ଏହା ଗୁଜୁରାଟରେ ନିବେଶକଙ୍କ ବିଶ୍ୱାସକୁ ମଜବୁତ କରିଛି। ଧୋଲେରା ଏବଂ ସାନନ୍ଦ ଆଜି ପଶ୍ଚିମ ଭାରତର ସେମିକଣ୍ଡକ୍ଟର କ୍ଲଷ୍ଟର ଭାବରେ ବିକଶିତ ହେଉଛନ୍ତି। କେବଳ ଏତିକି ନୁହେଁ, ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଆବଶ୍ୟକ ଇନପୁଟ୍ ସହିତ ଜଡିତ ଶିଳ୍ପଗୁଡ଼ିକ ମଧ୍ୟ ଗୁଜୁରାଟରେ ବିକଶିତ ହୋଇଛି। ଯେପରିକି ରାସାୟନିକ ଏବଂ ପେଟ୍ରୋକେମିକାଲ୍ ଶିଳ୍ପ, ଦକ୍ଷତା କେନ୍ଦ୍ର ଏବଂ ତାଲିମ ପଦକ୍ଷେପ - ଗୁଜୁରାଟରେ ଏସବୁ ଉପରେ ଏକକାଳୀନ କାମ ଚାଲିଛି।

ବନ୍ଧୁଗଣ,

ଏହା ଭାରତର ଯୁବପିଢ଼ି ପାଇଁ ସୁଯୋଗର ଏକ ନୂତନ ଦ୍ୱାର ଖୋଲି ଦେଉଛି। ଆଜି ଆମେ ପ୍ରଥମ ପଦକ୍ଷେପ ନେଇଛୁ। ଭାରତର ୧୦ଟି ସେମିକଣ୍ଡକ୍ଟର ଶିଳ୍ପ ପ୍ରକଳ୍ପ ଉତ୍ପାଦନରେ ଆସିବା ସହିତ, ଏହି ଗୁଣକ ପ୍ରଭାବ ଏମ୍ ଏସ୍ ମ୍ ଇ, ଷ୍ଟାର୍ଟଅପ୍ ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପର ସମଗ୍ର ମୂଲ୍ୟ ଶୃଙ୍ଖଳରେ ପହଞ୍ଚିବ। ବିଶ୍ୱରେ ଏହି ବାର୍ତ୍ତା ପହଞ୍ଚିଛି ଯେ ଭାରତ ସକ୍ଷମ, ଭାରତ ପ୍ରତିଯୋଗିତାମୂଳକ, ଭାରତ ପ୍ରତିବଦ୍ଧ। ମୁଁ ଭାରତର ଅଂଶୀଦାର ଏବଂ ବିଶ୍ୱ ନିବେଶକମାନଙ୍କୁ ଆଶ୍ୱାସନା ଦେଉଛି ଯେ ଭାରତ ସରକାର ହେଉ କିମ୍ବା ରାଜ୍ୟ ସରକାର, ଆମେ ସମସ୍ତେ ଆପଣଙ୍କ ସହିତ ଅଛୁ।

ବନ୍ଧୁଗଣ,

ଯେତେବେଳେ ଭବିଷ୍ୟତ ପିଢ଼ି ଏହି ଦଶକକୁ ପଛକୁ ଫେରି ଚାହିଁବେ, ସେମାନେ ଗର୍ବର ସହିତ କହିବେ ଯେ ଏହି ଦଶକରେ ଭାରତ କେତେ ଉଚ୍ଚ ଡେଇଁଛି। ଏହି ଦଶକ ଭାରତର ପ୍ରଯୁକ୍ତି ଭବିଷ୍ୟତ ପାଇଁ ମୋଡ଼ ସାବ୍ୟସ୍ତ ହେବ। ପୁଣି ଥରେ, ମୁଁ ମାଇକ୍ରୋନର ସମଗ୍ର ଦଳ, ଗୁଜରାଟ ସରକାର ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ- ଅନେକ ଅଭିନନ୍ଦନ ଜଣାଉଛି।

ଧନ୍ୟବାଦ!

****

NS


(ରିଲିଜ ଆଡି: 2247507) ପରିଦର୍ଶକ କାଉଣ୍ଟର : 21