ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ଇଟି ନାଓ ବିଶ୍ୱ ବାଣିଜ୍ୟ ସମ୍ମିଳନୀ ୨୦୨୬’ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ଅନେକ ବାଧାବିଘ୍ନ ମଧ୍ୟରେ, ଏହି ଦଶନ୍ଧି ଭାରତ ପାଇଁ ଅଭୂତପୂର୍ବ ବିକାଶର ଦଶକ ରୂପେ ପରିଚିତ ହୋଇଛି, ଯାହା ଦୃଢ଼ କାର୍ଯ୍ୟନିଷ୍ପାଦନ ଓ ଆମର ଗଣତନ୍ତ୍ରକୁ ଶକ୍ତିଶାଳୀ କରିଥିବା ପ୍ରୟାସ ଦ୍ୱାରା ଚିହ୍ନିତ: ପ୍ରଧାନମନ୍ତ୍ରୀ

ଏକବିଂଶ ଶତାବ୍ଦୀର ଏହି ଦଶନ୍ଧିରେ ଭାରତ ‘ସଂସ୍କାର ଏକ୍ସପ୍ରେସ୍’ରେ ଯାତ୍ରା କରୁଛି: ପ୍ରଧାନମନ୍ତ୍ରୀ

ଆମେ ବଜେଟକୁ କେବଳ ବ୍ୟୟ-କେନ୍ଦ୍ରିତ ନୁହେଁ ବରଂ ଫଳାଫଳ-କୈନ୍ଦ୍ରିକ ମଧ୍ୟ କରିଛୁ: ପ୍ରଧାନମନ୍ତ୍ରୀ

ଗତ ଦଶନ୍ଧି ଧରି, ଆମେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନକୁ ଅଭିବୃଦ୍ଧିର ମୁଖ୍ୟ ବାହକ ଭାବରେ ବିବେଚନା କରିଛୁ: ପ୍ରଧାନମନ୍ତ୍ରୀ

ଆମେ ଆଜି ବିଶ୍ୱ ସହିତ ବାଣିଜ୍ୟିକ ଚୁକ୍ତିରେ ପ୍ରବେଶ କରୁଛୁ କାରଣ ଆଜିର ଭାରତ ଆତ୍ମବିଶ୍ୱାସୀ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 FEB 2026 9:31PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ‘ଇଟି ନାଓ ଗ୍ଲୋବାଲ୍ ବାଣିଜ୍ୟ ସମ୍ମିଳନୀ ୨୦୨୬’ରେ ଉଦବୋଧନ ଦେଇଛନ୍ତିଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱ ବାଣିଜ୍ୟ ସମ୍ମିଳନୀରେ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ "ବିଘ୍ନର ଏକ ଦଶନ୍ଧି, ପରିବର୍ତ୍ତନର ଏକ ଶତାବ୍ଦୀ" ବିଷୟବସ୍ତୁ ଉପରେ ମତାମତ ରଖିଥିଲେସେ ଆଲୋକପାତ କରିଥିଲେ ଯେ, ୨୧ ଶତାବ୍ଦୀର ଗତ ଦଶନ୍ଧିରେ ବିଶ୍ୱରେ ମହାମାରୀ, ବିଭିନ୍ନ ଅଞ୍ଚଳରେ ଉତ୍ତେଜନା ଓ ଯୁଦ୍ଧ ଏବଂ ଯୋଗାଣ ଶୃଙ୍ଖଳ ଭଙ୍ଗ ସହିତ ବିଶ୍ୱ ସନ୍ତୁଳନକୁ ଦୋହଲାଇ ଦେଇଥିବା ଅଭୂତପୂର୍ବ ବାଧାବିଘ୍ନ ଦେଖାଦେଇଛି। ସେ ଉଲ୍ଲେଖ କରିଥିଲେ ଯେ, ସଙ୍କଟ ସମୟରେ ଏକ ଦେଶର ପ୍ରକୃତ ଶକ୍ତି ପ୍ରକାଶ ପାଏ ଏବଂ ଏଥିପାଇଁ ସେ ଗର୍ବ ପ୍ରକାଶ କରିଥିଲେ  ଯେ, ଏହି ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଭାରତ ଉଲ୍ଲେଖନୀୟ ବିକାଶ, ଉତ୍କୃଷ୍ଟ କାର୍ଯ୍ୟନିଷ୍ପାଦନ ଏବଂ ଗଣତନ୍ତ୍ରର ସୁଦୃଢ଼ୀକରଣ ଦ୍ୱାରା ପରିଚିତ ହୋଇଛି। ଶ୍ରୀ ମୋଦୀ ସ୍ମରଣ କରାଇଥିଲେ ଯେ, ଗତ ଦଶକର ଆରମ୍ଭରେ ଭାରତ ବିଶ୍ୱର ଏକାଦଶ ବୃହତ ଅର୍ଥନୀତି ଥିଲା ଏବଂ ସେତେବେଳେ ବିଭିନ୍ନ ସଙ୍କଟ ମଧ୍ୟରେ ଅବନତିର ଆଶଙ୍କା ଥିଲା, କିନ୍ତୁ ଆଜି ଭାରତ ଦ୍ରୁତ ଗତିରେ ବିଶ୍ୱର ତୃତୀୟ ସର୍ବବୃହତ୍ତମ ଅର୍ଥନୀତି ହେବା ପାଇଁ ଆଗକୁ ବଢ଼ୁଛି। ସେ ଉଲ୍ଲେଖ କରିଥିଲେ ଯେ, ଭାରତ ପରିବର୍ତ୍ତନ ଶତାବ୍ଦୀର ଏକ ପ୍ରମୁଖ ଭିତ୍ତିଭୂମି ହେବ ଭାରତ ବର୍ତ୍ତମାନ ବିଶ୍ୱ ଅଭିବୃଦ୍ଧିରେ ଷୋହଳ ପ୍ରତିଶତରୁ ଅଧିକ ଅବଦାନ ଦେଉଛି ଏବଂ ଏହି ଅବଦାନ ବର୍ଷ ପରେ ବର୍ଷ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ। ସେ ଦୃଢ଼ତାର ସହିତ କହିଥିଲେ ଯେ, ଭାରତ ବିଶ୍ୱ ଅଭିବୃଦ୍ଧିକୁ ଆଗେଇ ନେବ ଏବଂ ବିଶ୍ୱ ଅର୍ଥନୀତିର ଏକ ନୂତନ ଇଞ୍ଜିନ ଭାବରେ ଉଭା ହେବ।

 

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଥିଲେ ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଉଭା ହୋଇଥିଲା, କିନ୍ତୁ ସାତ ଦଶନ୍ଧି ପରେ ସେହି ବ୍ୟବସ୍ଥା ଧୀରେ ଧୀରେ ଭାଙ୍ଗି ପଡ଼ୁଛି ଏବଂ ବିଶ୍ୱ ଏବେ ଏକ ନୂତନ ବ୍ୟବସ୍ଥା ଦିଗକୁ ଗତି କରୁଛି। ସେ ପ୍ରଶ୍ନ କରିଥିଲେ ଯେ, ଏହା କାହିଁକି ଘଟୁଛି ଏବଂ ବ୍ୟାଖ୍ୟା କରିଥିଲେ ଯେ, ପୂର୍ବ ବ୍ୟବସ୍ଥାଟି ‘ଓ୍ୱାନ ସାଇଜ୍‌ ଫିଟ୍ସ ଅଲ’ ଆଭିମୁଖ୍ୟ ଉପରେ ଆଧାରିତ ଥିଲା। ସେ ଉଲ୍ଲେଖ କରିଥିଲେ ଯେ, ଏହା ଧରି ନିଆଯାଇଥିଲା ବିଶ୍ୱ ଅର୍ଥନୀତି ସର୍ବଦା ମଧ୍ୟବର୍ତ୍ତୀ ଭୂମିକାରେ ରହିବ, ଯୋଗାଣ ଶୃଙ୍ଖଳ ଦୃଢ଼ ଓ ନିର୍ଭରଯୋଗ୍ୟ ରହିବ ଏବଂ ରାଷ୍ଟ୍ରଗୁଡ଼ିକୁ କେବଳ ଅବଦାନକାରୀ ଭାବରେ ଦେଖାଯିବ। ସେ ଆଲୋକପାତ କରିଥିଲେ ଯେ, ଏହି ମଡେଲ୍‌ ଏବେ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେଉଛି ଏବଂ ତାହାର ପ୍ରାସଙ୍ଗିକତା ହ୍ରାସ ପାଉଛି, ପ୍ରତ୍ୟେକ ଦେଶ ଅନୁଭବ କରୁଛି ଯେ, ସେମାନଙ୍କୁ ନିଜସ୍ୱ ସହନଶୀଳତା ଓ ସ୍ୱୟଂଶକ୍ତିକୁ ଗଠନ କରିବାକୁ ପଡିବ

 

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଆଜି ବିଶ୍ୱ ଯାହା ଆଲୋଚନା କରୁଛି, ତାହାକୁ ଭାରତ ୨୦୧୫ ମସିହାରେ ଏହାର ନୀତିର ଅଂଶ କରିସାରିଛି। ସେ ସ୍ମରଣ କରାଇଥିଲେ ଯେ, ଯେତେବେଳେ ନୀତି ଆୟୋଗ ଏକ ଦଶନ୍ଧି ପୂର୍ବେ ପ୍ରତିଷ୍ଠିତ ହୋଇଥିଲା, ତାହାର ମୂଳ ଦଲିଲରେ ସ୍ପଷ୍ଟ ଭାବେ ଭାରତର ଦୃଷ୍ଟିକୋଣ ଉଲ୍ଲେଖ ହୋଇଥିଲା- ଭାରତ ବିଦେଶରୁ କୌଣସି ଏକମାତ୍ର ବିକାଶ ମଡେଲ୍‌କୁ ଅନୁସରଣ କରିବ ନାହିଁ, ବରଂ ବିକାଶ ପାଇଁ ନିଜସ୍ୱ ଆଭିମୁଖ୍ୟ ଅନୁସରଣ କରିବ। ସେ ଉଲ୍ଲେଖ କରିଥିଲେ ଯେ, ଏହି ନୀତି ଭାରତକୁ ନିଜସ୍ୱ ଆବଶ୍ୟକତା ଏବଂ ସ୍ୱାର୍ଥ ଅନୁଯାୟୀ ସିଦ୍ଧାନ୍ତ ନେବାର ଆତ୍ମବିଶ୍ୱାସ ଦେଇଛି। ସେ ଜୋର ଦେଇ କହିଥିଲେ ଯେ, ଏହାହିଁ ମୁଖ୍ୟ କାରଣ, ଯାହାଦ୍ୱାରା ବହୁ ବାଧାବିଘ୍ନର ଏହି ଦଶକରେ ମଧ୍ୟ ଭାରତର ଅର୍ଥନୀତି ଦୁର୍ବଳ ହେବା ପରିବର୍ତ୍ତେ ଆହୁରି ଶକ୍ତିଶାଳୀ ହୋଇ ଆଗକୁ ବଢ଼ିଛି।

 

"ଏକବିଂଶ ଶତାବ୍ଦୀର ଏହି ଦଶନ୍ଧିରେ, ଭାରତ ‘ସଂସ୍କାର ଏକ୍ସପ୍ରେସ’ରେ ଯାତ୍ରା କରୁଛି" ବୋଲି ପ୍ରଧାନମନ୍ତ୍ରୀ ଉତ୍ସାହର ସହ କହିଥିଲେ। ସେ କହିଥିଲେ ଯେ, ଏହାର ସବୁଠାରୁ ବଡ଼ ଶକ୍ତି ହେଉଛି, ସଂସ୍କାରଗୁଡିକ ଜୋରଜବରଦସ୍ତି ବା ବାଧ୍ୟବାଧକତା ଦ୍ୱାରା ନୁହେଁ; ବରଂ ଦୃଢ଼ ବିଶ୍ୱାସ ଏବଂ ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ, ଏଠାରେ ଉପସ୍ଥିତ ଅର୍ଥନୀତି ବିଶେଷଜ୍ଞ ଏବଂ ଅର୍ଥନୈତିକ ନେତୃତ୍ୱମାନେ ୨୦୧୪ ପୂର୍ବର ଦିନଗୁଡିକୁ ଦେଖିଛନ୍ତି, ଯେତେବେଳେ ସଂସ୍କାର କେବଳ ସଙ୍କଟ କିମ୍ବା ବାଧ୍ୟବାଧକତାରେ କରାଯାଉଥିଲା। ସେ ସ୍ମରଣ କରାଇଥିଲେ ଯେ, ୧୯୯୧ ମସିହାରେ ସଂସ୍କାର ସେତେବେଳେ ଆସିଥିଲା ​​ଯେତେବେଳେ ଦେଶ ଦେବାଳିଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଏବଂ ସୁନା ବନ୍ଧକ ରଖିବାକୁ ପଡିଥିଲା ସେ ଉଲ୍ଲେଖ କରିଥିଲେ ଯେ ପୂର୍ବ ସରକାରଗୁଡ଼ିକ ମଧ୍ୟ ଏହି ପ୍ରକାର ପ୍ରବୃତ୍ତିକୁ ଅନୁସରଣ କରୁଥିଲେ - କେବଳ ବାଧ୍ୟତାମୂଳକ କ୍ଷେତ୍ରରେ ସଂଶୋଧନ କରାଯାଉଥିଲା।  ଶ୍ରୀ ମୋଦୀ ଆହୁରି ଉଦାହରଣ ଦେଇ କହିଥିଲେ ଯେ, ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ଏନ୍‌ଆଇଏ (NIA) ଗଠନ, ଗ୍ରୀଡ୍ ବିଫଳତା ପରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଓ ଆଦିବାସୀ ଅଞ୍ଚଳରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଲା ଏବଂ ଖାଦ୍ୟାଭାବ ବ୍ୟାପିଲା ପରେ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲା, କିନ୍ତୁ ସେଥିର ଠିକ୍‌ ଭାବେ କାର୍ଯ୍ୟାନ୍ୱୟନ ହୋଇନଥିଲା। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ବାଧ୍ୟବାଧକତାରୁ ଜନ୍ମିତ ସଂସ୍କାର କେବେ ବି ଦେଶ ପାଇଁ ଉପଯୁକ୍ତ ଫଳାଫଳ ଦେଇନଥାଏସେ ଗର୍ବ ପ୍ରକାଶ କରିଥିଲେ ଯେ, ଗତ ଏଗାର ବର୍ଷ ମଧ୍ୟରେ ନୀତି, ପ୍ରକ୍ରିୟା, ବିତରଣ ଏବଂ ମାନସିକତାରେ ଦୃଢ଼ ବିଶ୍ୱାସ ସହିତ ସଂସ୍କାର କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ, ଯଦି କେବଳ ନୀତି ପରିବର୍ତ୍ତନ ହୁଏ, କିନ୍ତୁ ପ୍ରକ୍ରିୟା ଓ ମନୋଭାବ ପୂରାତନ ରହେ, ତେବେ ସଂଶୋଧନ କେବଳ କାଗଜରେ ସୀମିତ ରହିଯାଏ। ଏହି କାରଣରୁ ତାଙ୍କ ସରକାର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରିଥିଲେ। ଶ୍ରୀ ମୋଦୀ ପ୍ରକ୍ରିୟାଗତ ସଂଶୋଧନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଯେ, ପୂର୍ବରୁ କ୍ୟାବିନେଟ୍‌ ନୋଟ୍‌ ପ୍ରସ୍ତୁତ କରିବାକୁ ସପ୍ତାହ କିମ୍ବା ମାସ ସମୟ ଲାଗୁଥିଲା, ଯାହା ଉନ୍ନତିକୁ ମନ୍ଥର କରୁଥିଲା। ବର୍ତ୍ତମାନ ସରକାର ସିଦ୍ଧାନ୍ତ ନେବା ପ୍ରକ୍ରିୟାକୁ ସମୟବଦ୍ଧ ଏବଂ ପ୍ରଯୁକ୍ତିମୂଳକ କରିଛି, ଯାହାଦ୍ୱାରା ଫାଇଲ୍‌ଗୁଡିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଡ଼ି ରହିବ ନାହିଁ ଏବଂ ତାହାର ପରିଣାମ ଆଜି ସ୍ପଷ୍ଟ ଦେଖାଯାଉଛି।

 

ରେଳ ଓଭରବ୍ରିଜ୍ ଅନୁମୋଦନ ପାଇଁ ପୂର୍ବରୁ ବର୍ଷ ବର୍ଷ ଲାଗୁଥିଲା ଏବଂ ଅନେକ ଅନୁମତିର ଆବଶ୍ୟକତା ପଡୁଥିଲା, ଏହାର ଉଦାହରଣ ଦେଇ ଶ୍ରୀ ମୋଦୀ କହିଥିଲେ ଯେ, ଏହାକୁ ଏବେ ସରଳ କରାଯାଇଛି, ଯାହା ଫଳରେ ଢାଞ୍ଚାଗତ ବିକାଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।  ସେ ସୀମା ଭିତ୍ତିଭୂମି ଉପରେ ମଧ୍ୟ ଉଲ୍ଲେଖ କରିଥିଲେ ସେ ସ୍ମରଣ କରାଇଥିଲେ ଯେ, ପୂର୍ବରୁ ସୀମାବର୍ତ୍ତୀ ଅଞ୍ଚଳରେ ଏକ ସରଳ ରାସ୍ତା ପାଇଁ ମଧ୍ୟ ଦିଲ୍ଲୀରୁ ଅନୁମତି ନେବା ଆବଶ୍ୟକ ହେଉଥିଲା, ଯାହା ସ୍ଥାନୀୟ ସ୍ତରରେ ନିଷ୍ପତ୍ତି ନେବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା। ୨୦୧୪ ପରେ ତାଙ୍କ ସରକାର ସ୍ଥାନୀୟ ପ୍ରଶାସନକୁ କ୍ଷମତା ପ୍ରଦାନ କରିଥିଲେ, ଯାହା ଫଳରେ ସୀମା ଭିତ୍ତିଭୂମି ବିକାଶ ଦ୍ରୁତ ଗତିରେ ହୋଇଥିଲା।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏମିତି ଏକ ସଂସ୍କାର ଯାହା ବିଶ୍ୱସ୍ତରରେ ପ୍ରଭାବ ପକାଇଛି ତାହା ହେଉଛି ୟୁପିଆଇ(UPI), ଭାରତର ଡିଜିଟାଲ୍ ପେମେଣ୍ଟ ସିଷ୍ଟମ ସେ କହିଥିଲେ ଯେ, ୟୁପିଆଇ କେବଳ ଗୋଟିଏ ଆପ୍‌ ନୁହେଁ, ବରଂ ନୀତି, ପ୍ରକ୍ରିୟା ଏବଂ କାର୍ଯ୍ୟନିଷ୍ପାଦନ ସମନ୍ୱୟର ଏକ ପ୍ରମାଣ। ସେ ଉଲ୍ଲେଖ କରିଥିଲେ ଯେ, ୟୁପିଆଇ ନାଗରିକମାନଙ୍କ ପାଇଁ ଏପରି ବ୍ୟାଙ୍କିଙ୍ଗ ଓ ଆର୍ଥିକ ଲାଭ ଆଣିଛି ଯାହା, ସେମାନେ କେବେ ପୂର୍ବରୁ କଳ୍ପନା ମଧ୍ୟ କରିନଥିଲେ। ଶ୍ରୀ ମୋଦୀ ଆହୁରି ଜୋର ଦେଇ କହିଥିଲେ ଯେ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ପେମେଣ୍ଟ ସିଷ୍ଟମ ଏବଂ ଜନଧନ-ଆଧାର-ମୋବାଇଲ୍ (JAM) ତ୍ରିନିତୀ ବାଧ୍ୟବାଧକତାରୁ ଜନ୍ମ ନେଇନଥିଲା; ବରଂ ଦୃଢ଼ ବିଶ୍ୱାସରୁ ଉତ୍ପନ୍ନ ହୋଇଥିଲା, ଯାହାର ଲକ୍ଷ୍ୟ ଥିଲା ପୂର୍ବରୁ ପଛକୁ ପଡ଼ିଥିବା ନାଗରିକମାନଙ୍କୁ ମୁଖ୍ୟଧାରାରେ ସାମିଲ କରିବା। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଆଜି ମଧ୍ୟ ତାଙ୍କ ସରକାର ସେହି ଦୃଢ଼ ବିଶ୍ୱାସ ସହିତ ଆଗକୁ ବଢ଼ୁଛି।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତର ନୂତନ ଦୃଷ୍ଟିକୋଣ ବଜେଟ୍‌ରେ ମଧ୍ୟ ପ୍ରତିଫଳିତ ହେଉଛି। ସେ କହିଥିଲେ ଯେ, ପୂର୍ବରୁ ବଜେଟ୍‌ ସମ୍ପର୍କିତ ଆଲୋଚନା କେବଳ ବ୍ୟୟ ଉପରେ କେନ୍ଦ୍ରିତ ଥାଏ- କେତେ ଟଙ୍କା ଆବଣ୍ଟନ କରାଯାଇଥିଲା, ଣ ଶସ୍ତା ବା ମହଙ୍ଗା ହେଲା, କେତେ ନୂତନ ଟ୍ରେନ୍ ଘୋଷଣା କରାଯାଇଥିଲା, ସେହି ଘୋଷଣାଗୁଡ଼ିକର ଫଳାଫଳ ଉପରେ ପ୍ରଶ୍ନ କରାଯାଉନଥିଲା। ସେ ଜୋର ଦେଇ କହିଥିଲେ ଯେ, ତାଙ୍କ ସରକାର ବଜେଟ୍‌କୁ ବ୍ୟୟକେନ୍ଦ୍ରିତ ସହିତ ଫଳାଫଳ କେନ୍ଦ୍ରିକ କରିଛି। ଶ୍ରୀ ମୋଦୀ ବଜେଟରେ ଆଉ ଏକ ପ୍ରମୁଖ ପରିବର୍ତ୍ତନ ଉଲ୍ଲେଖ କରି କହିଥିଲେ ଯେ, ୨୦୧୪ ପୂର୍ବରୁ ଅଫ୍‌-ବଜେଟ୍‌ ଋଣ (off-budget borrowing) ନେଇ ଆଲୋଚନା ହେଉଥିଲା, କିନ୍ତୁ ଏବେ ଅଫ୍‌-ବଜେଟ୍‌ ସଂଶୋଧନ ଉପରେ ଧ୍ୟାନ ଦିଆଯାଉଛି। ସେ ବଜେଟ ବାହାରେ ସଂସ୍କାର ଯେପରିକି ପରବର୍ତ୍ତୀ ପିଢ଼ିର ଜିଏସ୍‌ଟି, ଯୋଜନା କମିଶନ ବଦଳରେ ନୀତି ଆୟୋଗ ସୃଷ୍ଟି, ଧାରା ୩୭୦ ରଦ୍ଦ, ତିନି ତଲାକ ବିରୁଦ୍ଧରେ ଆଇନ ଏବଂ ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରଣୟନକୁ ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବଜେଟ୍‌ ଭିତରେ କିମ୍ବା ବାହାରେ-ସବୁଠାରେ ସଂସ୍କାର ଏକ୍ସପ୍ରେସ୍ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସେ ଦର୍ଶାଇଥିଲେ ଯେ, ଗତ ବର୍ଷକ ମଧ୍ୟରେ ବନ୍ଦର ଏବଂ ସାମୁଦ୍ରିକ କ୍ଷେତ୍ରରେ ସଂସ୍କାର କରାଯାଇଛି, ଜାହାଜ ନିର୍ମାଣ ଶିଳ୍ପ ପାଇଁ ପଦକ୍ଷେପ ନିଆଯାଇଛି, ଜନ ବିଶ୍ୱାସ ଆଇନ ଅଧୀନରେ ସଂସ୍କାରକୁ ଆଗକୁ ନିଆଯାଇଛି, ଶକ୍ତି ସୁରକ୍ଷା ପାଇଁ ଶାନ୍ତି ଆଇନ ପ୍ରଣୟନ କରାଯାଇଛି, ଶ୍ରମ ଆଇନ ସଂସ୍କାର କାର୍ଯ୍ୟକାରୀ କରାଯାଇଛି, ଭାରତୀୟ ନ୍ୟାୟ ସଂହିତା ଅଣାଯାଇଛି, ୱାକଫ ଆଇନରେ ସଂସ୍କାର କରାଯାଇଛି ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏକ ନୂତନ ‘ବିକଶିତ ଭାରତ-ଜି ରାମ ଜି’ ଆଇନ୍‌ ପ୍ରଣୟନ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ବର୍ଷସାରା ଏପରି ଅନେକ ସଂସ୍କାର ନିରନ୍ତର ଭାବରେ ହାତକୁ ନିଆଯାଇଛି।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷର ବଜେଟ୍ ‘ସଂସ୍କାର ଏକ୍ସପ୍ରେସ’କୁ ଆହୁରି ଆଗକୁ ବଢାଇଛି ଏବଂ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ - ପୁଞ୍ଜି ଖର୍ଚ୍ଚ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ ଦେଇଛି। ସେ ଉଲ୍ଲେଖ କରିଥିଲେ ଯେ, ପୂର୍ବ ବର୍ଷଗୁଡ଼ିକ ପରି, ଭିତ୍ତିଭୂମି ଖର୍ଚ୍ଚ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ବିଭିନ୍ନ କ୍ଷେତ୍ରରେ କ୍ଷମତା, ଉତ୍ପାଦକତା ଏବଂ ନିଯୁକ୍ତି ସୃଷ୍ଟି ବୃଦ୍ଧିରେ ପୁଞ୍ଜି ଖର୍ଚ୍ଚର ଗୁରୁତ୍ୱପୂର୍ଣ୍ଣ ଗୁଣାତ୍ମକ ପ୍ରଭାବକୁ ଉଲ୍ଲେଖ କରିଥିଲେସେ ପାଞ୍ଚଟି ବିଶ୍ୱବିଦ୍ୟାଳୟ ଟାଉନସିପ୍ ନିର୍ମାଣ, ଟାୟାର-୨ ଏବଂ ଟାୟାର-୩ ସହର ପାଇଁ ସହର ଅର୍ଥନୈତିକ କ୍ଷେତ୍ରର ବିକାଶ ଏବଂ ସାତଟି ନୂତନ ହାଇ-ସ୍ପିଡ୍ ରେଳ କରିଡର ଭଳି ଘୋଷଣାଗୁଡ଼ିକ ପ୍ରତି ଇଙ୍ଗିତ କରି ସେଗୁଡ଼ିକୁ ଯୁବପିଢ଼ି ଏବଂ ଦେଶର ଭବିଷ୍ୟତରେ ପ୍ରକୃତ ନିବେଶ ଭାବରେ ବର୍ଣ୍ଣନା କରିଥିଲେ।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଗତ ଦଶକ ଧରି ପ୍ରଯୁକ୍ତି ଏବଂ ନବସୃଜନକୁ ବିକାଶର ମୁଖ୍ୟ ବାହକ ଭାବରେ ଗ୍ରହଣ କରାଯାଇଛି ଏବଂ ଭାରତରେ ବର୍ତ୍ତମାନ ଦୁଇ ଲକ୍ଷରୁ ଅଧିକ ପଞ୍ଜିକୃତ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ସରକାର ବିପଦର ମୁକାବିଲାକୁ ଉତ୍ସାହିତ କରିଛନ୍ତି ଏବଂ ନବସୃଜନକୁ ପୁରସ୍କୃତ କରିଛନ୍ତି, ଯାହାର ପରିଣାମ ସ୍ପଷ୍ଟ ଭାବେ ଦେଖାଯାଉଛି। ସେ କହିଥିଲେ ଯେ, ଚଳିତ ବର୍ଷର ବଜେଟ୍ ଏହି ପ୍ରାଥମିକତାକୁ ଆହୁରି ସୁଦୃଢ଼ କରୁଛି, ବିଶେଷକରି ବାୟୋଫାର୍ମା, ସେମିକଣ୍ଡକ୍ଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (Artificial Intelligence) ଭଳି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମାଧ୍ୟମରେ।

 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଭାରତର ଅର୍ଥନୈତିକ ଶକ୍ତି ବୃଦ୍ଧି ପାଇବା ସହ ସରକାର ରାଜ୍ୟଗୁଡ଼ିକୁ ମଧ୍ୟ ସଶକ୍ତ କରୁଛନ୍ତିସେ ତଥ୍ୟ ଦେଇ କହିଥିଲେ ଯେ, ୨୦୦୪ ରୁ ୨୦୧୪ ମଧ୍ୟରେ ରାଜ୍ୟଗୁଡ଼ିକ କର ବଣ୍ଟନ ମାଧ୍ୟମରେ ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ପାଇଥିଲେ, ଯେତେବେଳେ ୨୦୧୪ ରୁ ୨୦୨୫ ପର୍ଯ୍ୟନ୍ତ ଏହି ରାଶି ବୃଦ୍ଧି ପାଇ ୮୪ ଲକ୍ଷ କୋଟି ଟଙ୍କା ହୋଇଛି। ସେ ଆହୁରି କହିଥିଲେ ଯେ, ଏହି ବର୍ଷର ବଜେଟ୍‌ରେ ପ୍ରସ୍ତାବିତ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା ସହିତ, ତାଙ୍କ ସରକାର ଅଧୀନରେ ରାଜ୍ୟଗୁଡ଼ିକୁ ମୋଟ କର ବଣ୍ଟନ ପ୍ରାୟ ୧୦୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ଏହା ଦ୍ୱାରା ରାଜ୍ୟ ସରକାରଗୁଡ଼ିକ ସମଗ୍ର ଦେଶରେ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାରେ ଆହୁରି ସକ୍ଷମ ହେବେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ଆଜି ବିଶ୍ୱସ୍ତରରେ ବ୍ୟାପକ ଭାବେ ଆଲୋଚିତ ଓ ବିଶ୍ଳେଷିତ ହେଉଛି, କିନ୍ତୁ ୨୦୧୪ ପୂର୍ବରୁ ଏମିତି ଚୁକ୍ତି କାହିଁକି ସମ୍ଭବ ହୋଇନଥିଲା, ସେ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ପ୍ରଦାନ କରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ, ସେହି ଦେଶ, ସେହି ଯୁବ ଶକ୍ତି ଏବଂ ସେହି ଶାସନ ପ୍ରଣାଳୀ ଥିବା ସତ୍ତ୍ୱେ ପୂର୍ବରୁ ବିକଶିତ ଦେଶଗୁଡ଼ିକ ସହ ସମ୍ପୂର୍ଣ୍ଣ ବାଣିଜ୍ୟ ଚୁକ୍ତି କାହିଁକି ହୋଇନଥିଲା। ସେ ବ୍ୟାଖ୍ୟା କରିଥିଲେ ଯେ, ପରିବର୍ତ୍ତନଟି ସରକାରର ଦୃଷ୍ଟିକୋଣ, ନୀତି, ଉଦ୍ଦେଶ୍ୟ ଏବଂ ଭାରତର ବୃଦ୍ଧିଶୀଳ ଶକ୍ତିରେ ରହିଛି। ସେ ଉଲ୍ଲେଖ କରିଥିଲେ ଯେ, ଯେତେବେଳେ ଭାରତକୁ ନୀତି ପକ୍ଷାଘାତ ଏବଂ ଠକେଇ ଦ୍ୱାରା ଘେରି ରହିଥିବା ଦୁର୍ବଳ ପାଞ୍ଚ ଅର୍ଥନୀତି ମଧ୍ୟରେ ଗଣନା କରାଯାଉଥିଲା, ସେହି ସମୟରେ କୌଣସି ଦେଶ ଭାରତ ଉପରେ ବିଶ୍ୱାସ କରିବାକୁ ଇଚ୍ଛୁକ ନଥିଲା। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ୨୦୧୪ ପୂର୍ବରୁ, ଭାରତର ଉତ୍ପାଦନ ଆଧାର ଦୁର୍ବଳ ଥିଲା ଏବଂ ପୂର୍ବ ସରକାରଗୁଡ଼ିକ ଭୟ କରୁଥିଲେ ଯେ, ବିକଶିତ ରାଷ୍ଟ୍ରଗୁଡ଼ିକ ସହିତ ବାଣିଜ୍ୟ ଚୁକ୍ତି ଫଳରେ ବଜାର ନିୟନ୍ତ୍ରଣାଧୀନ ହେବ ଏବଂ ଉତ୍ପାଦ ଡମ୍ପିଂ ଆଡ଼କୁ ଗତି କରିବସେ ସ୍ମରଣ କରିଥିଲେ ଯେ, ହତାଶାର ସେହି ପରିବେଶରେ, ପୂର୍ବ ସରକାର କେବଳ ଚାରୋଟି ବ୍ୟାପକ ବାଣିଜ୍ୟ ଚୁକ୍ତି ପରିଚାଳନା କରିଥିଲେ। ଅପର ପକ୍ଷରେ, ସେ ଜୋର ଦେଇ କହିଥିଲେ ଯେ, ଗତ ଦଶନ୍ଧିରେ ଭାରତ ବିଭିନ୍ନ କ୍ଷେତ୍ରର ୩୮ ଟି ଦେଶ ସହିତ ବାଣିଜ୍ୟ ଚୁକ୍ତି କରିଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଆଜିର ଭାରତ ଆତ୍ମବିଶ୍ୱାସୀ, ବିଶ୍ୱସ୍ତରରେ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ଏବଂ ଗତ ଏଗାର ବର୍ଷ ମଧ୍ୟରେ ଏକ ଦୃଢ଼ ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ କରିଛି। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହି ଶକ୍ତି ଏବଂ ସଶକ୍ତୀକରଣ ବିଶ୍ୱର ବିଶ୍ୱାସ ଅର୍ଜନ କରିପାରିଛି, ଏହା ଭାରତର ବାଣିଜ୍ୟ ନୀତିରେ ଏକ ଆଦର୍ଶ ପରିବର୍ତ୍ତନର ଆଧାର ସୃଷ୍ଟି କରିଛି, ଯାହା ଏକ ବିକଶିତ ଭାରତ ଆଡକୁ ଯାତ୍ରାର ଏକ ଅତ୍ୟାବଶ୍ୟକ ସ୍ତମ୍ଭ ପାଲଟିଛି।

 

ପ୍ରତ୍ୟେକ ନାଗରିକଙ୍କୁ ବିକାଶରେ ଅଂଶଗ୍ରହଣକାରୀ କରିବା ପାଇଁ ସରକାର ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରୁଛନ୍ତି ବୋଲି ଉଲ୍ଲେଖ କରି, ଯେଉଁମାନେ ପଛରେ ପଡ଼ିଯାଇଥିଲେ ସେମାନଙ୍କୁ ପ୍ରାଥମିକତା ଦେଇ, ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ପୂର୍ବ ସରକାରଗୁଡ଼ିକ କେବଳ ଦିବ୍ୟାଙ୍ଗ ନାଗରିକଙ୍କ ପାଇଁ ଘୋଷଣା କରୁଥିଲେ, କିନ୍ତୁ ସେମାନଙ୍କ ସରକାର ପ୍ରକୃତ ସମ୍ବେଦନଶୀଳତାର ଉଦାହରଣ ଭାବରେ ଭାରତୀୟ ସାଙ୍କେତିକ ଭାଷା (Indian Sign Language) କୁ ପ୍ରତିଷ୍ଠା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଦୀର୍ଘ ସମୟ ଧରି ଅଧିକାର ପାଇଁ ସଂଘର୍ଷ କରିଥିଲେ ଏବଂ ସେମାନଙ୍କ ସରକାର ସେମାନଙ୍କୁ ମର୍ଯ୍ୟାଦା ଓ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ଆଇନ ପ୍ରଣୟନ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଗତ ଦଶନ୍ଧିରେ ଲକ୍ଷ ଲକ୍ଷ ମହିଳାଙ୍କୁ ତିନି ତଲାକ ପ୍ରଥାରୁ ମୁକ୍ତ କରାଯାଇଥିଲା ଏବଂ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ସଂରକ୍ଷଣ ସୁରକ୍ଷିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ସରକାରୀ ବ୍ୟବସ୍ଥାର ମନୋଭାବ ମଧ୍ୟ ପରିବର୍ତ୍ତିତ ହୋଇଛି ଏବଂ ଏହା ଅଧିକ ସମ୍ବେଦନଶୀଳ ହୋଇଯାଇଛି, ଯାହା ମାଗଣା ରାସନ୍ ବଣ୍ଟନ ଭଳି ଯୋଜନାରେ ପ୍ରକାଶ ପାଉଛି। ସେ ବିରୋଧୀଙ୍କୁ ସମାଲୋଚନା କରି କହିଥିଲେ ଯେ, ସେମାନେ ଏହି ଯୋଜନାକୁ ଉପହାସ କରୁଛନ୍ତି, କିନ୍ତୁ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଥିବା ସତ୍ତ୍ୱେ, ମୁକ୍ତ ରାସନ୍‌ ଯୋଜନା ନବ-ମଧ୍ୟବିତ୍ତ ବର୍ଗରେ ପ୍ରବେଶ କରୁଥିବା ଲୋକମାନଙ୍କୁ ପୁଣିଥରେ ଦାରିଦ୍ର୍ୟରେ ପଡ଼ିବାରୁ ରୋକିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ଏହି ଯୋଜନାରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ଗରିବ ଏବଂ ନବ-ମଧ୍ୟବିତ୍ତ ବର୍ଗକୁ ବିପୁଳ ସହାୟତା ପ୍ରଦାନ କରୁଛି।

 

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, ଦୃଷ୍ଟିକୋଣରେ ଥିବା ପାର୍ଥକ୍ୟ ଗୁରୁତ୍ୱପୂର୍ଣ୍ଣ। କିଛି ଲୋକ ପ୍ରଶ୍ନ କରୁଛନ୍ତି ଯେ, ସେ ୨୦୪୭ ଏବଂ ବିକଶିତ ଭାରତ ବିଷୟରେ କାହିଁକି କଥା କହୁଛନ୍ତି, ଏବଂ ଏହାକୁ ଅନିଶ୍ଚିତ ବୋଲି ଅସ୍ୱୀକାର କରନ୍ତି। ସେ ଉତ୍ତର ଦେଇ କହିଥିଲେ ଯେ, ଯଦି ସ୍ୱାଧୀନତା ସଂଗ୍ରାମୀମାନେ ଏଭଳି ଭାବରେ ଚିନ୍ତା କରିଥାନ୍ତେ, ତେବେ ଭାରତ କେବେ ମଧ୍ୟ ସ୍ୱାଧୀନତା ହାସଲ କରିପାରି ନଥାନ୍ତା। ସେ ଜୋର ଦେଇ କହିଥିଲେ ଯେ, ଯେତେବେଳେ ଦେଶ ପ୍ରଥମ ସ୍ଥାନରେ ଥାଏ, ସେତେବେଳେ ପ୍ରତ୍ୟେକ ସିଦ୍ଧାନ୍ତ ଏବଂ ନୀତି ଦେଶର ହିତରେ ନିଆଯାଏ। ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରିଥିଲେ ଯେ, ଭାରତକୁ ବିକଶିତ ଦେଶ କରିବା ଦିଗରେ ନିରନ୍ତର କାମ କରିବା ହେଉଛି ସରକାରଙ୍କ ସ୍ପଷ୍ଟ ଦୃଷ୍ଟିକୋଣ ସେ ଆହୁରି କହିଥିଲେ ଯେ, ଆଜିର ପିଢ଼ି ୨୦୪୭ ପର୍ଯ୍ୟନ୍ତ ରହିବ କି ନାହିଁ, କିନ୍ତୁ ଦେଶ ଏବଂ ତାହାର ଆଗାମୀ ପିଢ଼ି ନିଶ୍ଚିତ ଭାବେ ରହିବ। ସେହି ପରିସ୍ଥିତିରେ ବର୍ତ୍ତମାନ ପିଢ଼ିର କର୍ତ୍ତବ୍ୟ ହେଉଛି ନିଜକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା, ଯାହାଦ୍ୱାରା ଭବିଷ୍ୟତ ସୁରକ୍ଷିତ ଏବଂ ଉଜ୍ଜ୍ୱଳ ହୋଇପାରିବ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱକୁ ଏବେ ବାଧାବିଘ୍ନ ସହିତ ବଞ୍ଚିବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ ସେ କହିଥିଲେ ଯେ, ସେମାନଙ୍କର ପ୍ରକୃତି ବିକଶିତ ହେବ କିନ୍ତୁ ବ୍ୟବସ୍ଥାଗୁଡ଼ିକ ଦ୍ରୁତ ଗତିରେ ପରିବର୍ତ୍ତନ ହେବ। ସେ କୃତ୍ରିମ ବୁଦ୍ଧିମତ୍ତା ଯୋଗୁଁ ପୂର୍ବରୁ ଦେଖାଯାଉଥିବା ପ୍ରତିବନ୍ଧକ ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା ଭବିଷ୍ୟତରେ ଆହୁରି ବୈପ୍ଳବିକ ପରିବର୍ତ୍ତନ ଆଣିବ, ଯାହା ପାଇଁ ଭାରତ ପ୍ରସ୍ତୁତ। ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ, କିଛି ଦିନ ପରେ ଭାରତରେ ଗ୍ଲୋବାଲ୍‌ ଏଆଇ ଇମ୍ପ୍ୟାକ୍ଟ ସମ୍ମିଟ୍‌ଆୟୋଜିତ ହେବ, ଯେଉଁଥିରେ ବିଭିନ୍ନ ଦେଶ ଏବଂ ବିଶ୍ୱର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ନେତାମାନେ ଅଂଶଗ୍ରହଣ କରିବେ। ଶେଷରେ, ସେ ନିଶ୍ଚିତ କରିଥିଲେ ଯେ, ସମସ୍ତେ ମିଶି ଏକ ଉତ୍ତମ ବିଶ୍ୱ ଗଠନ ପାଇଁ ମିଳିତ ପ୍ରୟାସ ଜାରି ରଖିବେ ଏବଂ ଏହି ଆତ୍ମବିଶ୍ୱାସ ସହ ଶିଖର ସମ୍ମିଳନୀର ସଫଳତା ପାଇଁ ତାଙ୍କର ଶୁଭକାମନା ଜଣାଇଥିଲେ।

 

 

*****

MT


(ରିଲିଜ ଆଡି: 2245557) ପରିଦର୍ଶକ କାଉଣ୍ଟର : 15