ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ମାନେକଶା ସେଣ୍ଟରଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି


ପ୍ରକୃତ ଅର୍ଥରେ ବିକାଶ ହାସଲ କରିବା ପାଇଁ ଆମକୁ ମହିଳାମାନଙ୍କର ସମାନ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ପଡିବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବିକଶିତ ଭାରତର ମୂଳଦୁଆ ଭାବେ ନାରୀ ଶକ୍ତିକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ

ଶ୍ରମ ସଂହିତା - ମହିଳା ସଶକ୍ତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଉଦ୍ୟୋଗୀ ଭାବରେ ବିକଶିତ କରିବା ଉପରେ ଦୁଇଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ

ନାରୀ ଶକ୍ତିଙ୍କୁ ନେଇ ଉତ୍ସବ ପାଳନ କରିବା ପାଇଁ ପ୍ରାୟ ୨୦୦ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନର ୧,୦୦୦ରୁ ଅଧିକ ମହିଳା ନେତ୍ରୀ କାର୍ଯ୍ୟକ୍ରମରେ କଲେ ଯୋଗଦାନ

ପୋଷ୍ଟ କରାଯିବା ଦିନାଙ୍କ: 08 MAR 2026 7:10PM by PIB Bhubaneshwar

ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ମାନେକଶା ସେଣ୍ଟରଠାରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। 

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ; ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର; ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ, ମହିଳାମାନେ ଶିକ୍ଷା, ପ୍ରଶାସନ, ନ୍ୟାୟପାଳିକା, ସାମରିକ, ଔଷଧ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କଳା ଏବଂ ଉଦ୍ୟୋଗ ଆଦି ପ୍ରତ୍ୟେକ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଗ୍ରାମାଞ୍ଚଳର ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ଭାବରେ ସ୍ୱାବଲମ୍ବୀ ହେଉଛନ୍ତି। ସେମାନେ ପଞ୍ଚାୟତରେ ଗ୍ରାମୀଣ ବିକାଶକୁ ନେତୃତ୍ୱ ପ୍ରଦାନ କରୁଛନ୍ତି। ଅନେକ ମହିଳା ଶିଳ୍ପ, ଷ୍ଟାର୍ଟଅପ୍ ଏବଂ କର୍ପୋରେଟ୍ ଜଗତରେ ନେତୃତ୍ୱ ପ୍ରଦାନ କରିବା ପାଇଁ ସେମାନଙ୍କର କ୍ଷମତା ଏବଂ ସାମର୍ଥ୍ୟକୁ ଉପଯୋଗ କରୁଛନ୍ତି। ସେମାନେ କ୍ରୀଡାରେ ମଧ୍ୟ ଉତ୍କର୍ଷ ହାସଲ କରୁଛନ୍ତି। ସୁଯୋଗ ଏବଂ ସମର୍ଥନ ମିଳିଲେ, ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିପାରିବେ ବୋଲି ଏପରି ଉଦାହରଣ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ।

ରାଷ୍ଟ୍ରପତି ଆହୁରି କହିଥିଲେ, ଭାରତ ମହିଳା ନେତୃତ୍ୱାଧୀନ ବିକାଶ ଆଡ଼କୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଗତ ଦଶନ୍ଧି ମଧ୍ୟରେ, ମହିଳାମାନଙ୍କ ପଥରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରାଯାଇଛି। ଭାରତ ସ୍କୁଲ ଶିକ୍ଷାରେ ଲିଙ୍ଗଗତ ସମାନତା ହାସଲ କରିଛି। ଉଚ୍ଚଶିକ୍ଷାରେ ମଧ୍ୟ, ମୋଟ ନାମଲେଖା ଅନୁପାତ ଦୃଷ୍ଟିରୁ ଛାତ୍ରୀଙ୍କ ସଂଖ୍ୟା ଅଧିକ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଏସଟିଇଏମ) ଶିକ୍ଷାରେ ମହିଳାମାନଙ୍କ ଅଂଶଗ୍ରହଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଏସଟିଇଏମ ଛାତ୍ରୀମାନଙ୍କୁ ସେମାନଙ୍କର ପାଠପଢ଼ା ଜାରି ରଖିବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ ମହିଳା ଛାତ୍ରୀନିବାସ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଯାଇଛି। ଆମର ଝିଅମାନେ ଜ୍ଞାନ ଅର୍ଥବ୍ୟବସ୍ଥାର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ କହିଥିଲେ ଯେ ଏହି ଦିବସ ଭାରତର ମହିଳାମାନଙ୍କ ସଂକଳ୍ପ, ସମର୍ପଣ ଏବଂ ସଫଳତାକୁ ପାଳନ କରାଯାଉଛି। ମହିଳାମାନେ ଦେଶର ଜନସଂଖ୍ୟାର ଅଧା ଅଟନ୍ତି ଏବଂ ସେମାନେ ବିକଶିତ ଭାରତର ମୂଳଦୁଆ । ସେ କହିଥିଲେ ରାଷ୍ଟ୍ରପତି ନିଜେ ଏକ ଜୀବନ୍ତ ଉଦାହରଣ ଭାବରେ ଠିଆ ହୋଇଛନ୍ତି ଯେ ଜଣେ ମହିଳା, ଯେତେବେଳେ ସୁଯୋଗ ଏବଂ ସମ୍ମାନ ପାଆନ୍ତି, ସେ କିପରି ସର୍ବୋତ୍ତମ ଉଚ୍ଚତାକୁ ଉଠିପାରନ୍ତି ଏବଂ ସମାଜ ପାଇଁ ଏକ ନୂତନ ପଥ ଆଲୋକିତ କରିପାରନ୍ତି। ଆଜିର ମହିଳାମାନେ କେବଳ ଗୃହିଣୀ ନୁହଁନ୍ତି ବରଂ ରାଷ୍ଟ୍ର ନିର୍ମାତା ମଧ୍ୟ। ସରକାରଙ୍କ ନୀତି ଯୋଗୁଁ, ଗତ ଛଅ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୨୨.୩ ପ୍ରତିଶତରୁ ବୃଦ୍ଧି ପାଇ ୪୧.୭ ପ୍ରତିଶତ ହୋଇଛି।

ଏହି ଅବସରରେ ମହିଳାଙ୍କ ପ୍ରଗତିକୁ ନେଇ ନାରୀ ଶକ୍ତି, ରାଷ୍ଟ୍ର ଶକ୍ତି ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସେହିପରି ମହିଳାଙ୍କ ସଶକ୍ତିକରଣ ପାଇଁ ଭାରତ ସରକାର ଦେଶବ୍ୟାପୀ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଆଉ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଶ୍ରମ ସଂହିତା - ମହିଳା ସଶକ୍ତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଉଦ୍ୟୋଗୀ ଭାବରେ ବିକଶିତ କରିବା ଉପରେ ଦୁଇଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ନାରୀ ଶକ୍ତିଙ୍କୁ ନେଇ ଉତ୍ସବ ପାଳନ କରିବା ପାଇଁ ପ୍ରାୟ ୨୦୦ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନର ୧,୦୦୦ରୁ ଅଧିକ ମହିଳା ନେତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମନ୍ତ୍ରଣାଳୟର ସଚିବ ଅନିଲ ମଲିକ ସ୍ବାଗତ ଭାଷଣ ଦେଇଥିଲେ।

 

******

PS


(ରିଲିଜ ଆଡି: 2236749) ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Gujarati , Kannada , Malayalam