ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୮ ଫେବୃଆରୀରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 FEB 2026 3:38PM by PIB Bhubaneswar
  • ସାନନ୍ଦରେ ମାଇକ୍ରୋନ ଟେକ୍ନୋଲୋଜିର ସେମିକଣ୍ଡକ୍ଟର ଆସେମ୍ବଲି ପରୀକ୍ଷଣ ଏବଂ ପ୍ୟାକେଜିଂ ସୁବିଧା ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
  • ଏହି ଉଦ୍‌ଘାଟନ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ
  • ପ୍ରଥମ ମେଡ୍‌-ଇନ୍‌-ଇଣ୍ଡିଆ ସେମିକଣ୍ଡକ୍ଟର ମେମୋରୀ ମଡ୍ୟୁଲରେ ବାଣିଜ୍ୟିକ ଉତ୍ପାଦନ ଏବଂ ପରିବହନ ଆରମ୍ଭ ହେବ
  • ଏହି ପ୍ଲାଣ୍ଟ ବିଶ୍ୱର ସର୍ବବୃହତ ଉଚ୍ଚ-ମହଲା କ୍ଲିନ୍‌ରୁମ୍ ମଧ୍ୟରୁ ଅନ୍ୟତମ ହେବ
  •  

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ୨୦୨୬ରେ ଗୁଜରାଟ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୩:୪୫ ସମୟରେ, ପ୍ରଧାନମନ୍ତ୍ରୀ ସାନନ୍ଦରେ ମାଇକ୍ରୋନ୍ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସେମିକଣ୍ଡକ୍ଟର ଆସେମ୍ବଲି ପରୀକ୍ଷଣ ଏବଂ ପ୍ୟାକେଜିଂ (ଏଟିଏମ୍‌ପି) ପ୍ଲାଣ୍ଟର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ଏହି ଉଦ୍‌ଘାଟନ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣଣ୍ଟ । ସାନନ୍ଦ ଏଟିଏମ୍‌ପି ପ୍ଲାଣ୍ଟ୍‌ରୁ ନିର୍ମିତ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ମେମୋରୀ ମଡ୍ୟୁଲର ବାଣିଜ୍ୟିକ ଉତ୍ପାଦନ ଏବଂ ପରିବହନ ଆରମ୍ଭ ହୋଇଛି । ଏହି ବିକାଶ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ।

ଏହି ପ୍ରକଳ୍ପର ଶିଳାନ୍ୟାସ ସେପ୍ଟେମ୍ବର ୨୦୨୩ରେ ହୋଇଥିଲା ଏବଂ ଏହା ଭାରତ ସେମିକଣ୍ଡକ୍ଟର ମିଶନ (ଆଇଏସ୍‌ଏମ୍‌) ଅଧୀନରେ ଅନୁମୋଦିତ ପ୍ରଥମ ପ୍ରସ୍ତାବ ଥିଲା । ୨୨,୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ସହିତ, ଅନୁମୋଦନ ପରେ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହୋଇଥିଲା । ଏହା ଦେଶରେ ରଣନୈତିକ ସେମିକଣ୍ଡକ୍ଟର ନିବେଶକୁ ଗତିଶୀଳ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

ସମ୍ପୂର୍ଣ୍ଣ ଭାବରେ ଉନ୍ନତୀକରଣ ହେବା ପରେ ସାନନ୍ଦ ପ୍ଲାଣ୍ଟରେ ପ୍ରାୟ ୫୦୦,୦୦୦ ବର୍ଗଫୁଟ କ୍ଲିନ୍‌ରୁମ୍ କ୍ଷେତ୍ର ଉପଲବ୍ଧ ହେବ, ଯାହା ବିଶ୍ୱର ସର୍ବବୃହତ୍ ରେଜ୍‌ଡ-ଫ୍ଲୋର୍ କ୍ଲିନ୍‌ରୁମ୍ ମଧ୍ୟରୁ ଅନ୍ୟତମ ହେବ । ଏହି ସୁବିଧା ବିଶ୍ୱବ୍ୟାପୀ ଗ୍ରାହକମାନଙ୍କୁ ସେବା ଯୋଗାଇବା ଏବଂ କୃତ୍ରିମ ବୁଦ୍ଧିମତ୍ତା ତଥା ଉଚ୍ଚ-କାର୍ଯ୍ୟକ୍ଷମ କମ୍ପ୍ୟୁଟିଂରେ ଦ୍ରୁତ ଉନ୍ନତି ଦ୍ୱାରା ପରିଚାଳିତ ମେମୋରୀ ଏବଂ ଷ୍ଟୋରେଜ୍ ସମାଧାନର ବର୍ଦ୍ଧିତ ବିଶ୍ୱ ଚାହିଦାକୁ ସମାଧାନ କରିବା ପାଇଁ ଡିଜାଇନ୍ କରାଯାଇଛି ।

ସାନନ୍ଦ ଏଟିଏମ୍‌ପି ପ୍ଲାଣ୍ଟ ମାଇକ୍ରୋନ୍‌ର ବିଶ୍ୱବ୍ୟାପୀ ଉତ୍ପାଦନ ନେଟୱାର୍କକୁ ଉନ୍ନତ ଡାଇନାମିକ୍ ରାଣ୍ଡମ ଆକ୍ସେସ୍ ମେମୋରୀ (ଡିଆର୍‌ଏଏମ୍‌) ଏବଂ ଏନ୍‌ଏଏନ୍‌ଡି ସେମିକଣ୍ଡକ୍ଟର ୱେଫର୍ସଗୁଡିକୁ ପ୍ରସ୍ତୁତ ମେମୋରୀ ଏବଂ ଷ୍ଟୋରେଜ୍ ଉତ୍ପାଦରେ ପରିଣତ କରିବ । ଏହାଦ୍ୱାରା ବିଶ୍ୱସ୍ତରୀୟ ବଜାରରେ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରାଯାଇପାରିବ ।

ଏହି ପ୍ଲାଣ୍ଟର ପ୍ରତିଷ୍ଠା ଏବଂ କାର୍ଯ୍ୟକ୍ଷମତା ଯୋଗୁଁ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ବିଶ୍ୱସ୍ତ ଏବଂ ପ୍ରତିଯୋଗିତାମୂଳକ ଗନ୍ତବ୍ୟବସ୍ଥଳରେ ପରିଣତ ହେବ । ଏହା ଦେଶରେ ଏକ ସ୍ଥିର ତଥା ଆତ୍ମନିର୍ଭରଶୀଳ ପ୍ରଯୁକ୍ତିବିଦ୍ୟା ବିଶିଷ୍ଟ ଇକୋସିଷ୍ଟମ୍ ନିର୍ମାଣ କରିବାର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ଅନୁରୂପ ।

SR


(ରିଲିଜ ଆଡି: 2234519) ପରିଦର୍ଶକ କାଉଣ୍ଟର : 58