PIB Headquarters
ଆର୍ଥିକ ବର୍ଷ ୨୦୨୬-୨୭ ର କେନ୍ଦ୍ର ବଜେଟ:ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ମ୍ୟାନୁଫ୍ୟାକଚରିଂ କ୍ଷେତ୍ର
ପୋଷ୍ଟ କରାଯିବା ଦିନାଙ୍କ:
13 FEB 2026 3:33PM by PIB Bhubaneshwar
ପ୍ରମୁଖ ବିନ୍ଦୁ
- ଆର୍ଥିକ ବର୍ଷ ୨୦୨୫-୨୬ରେ ପ୍ରଥମ ତୈମାସିକରେ ୭.୭୨ ପ୍ରତିଶତ ଓ ଦ୍ୱିତୀୟ ତୈମାସିକରେ ୯.୧୩ ପ୍ରତିଶତ ଜିଭିଏ ଅଭିବୃଦ୍ଧି ସହିତ ଭାରତର ମ୍ୟାନୁଫ୍ୟାକଚରିଂ ପ୍ରଦର୍ଶନ ଆହୁରି ମଜଭୁତ ହୋଇଛି।
- ଭାରତର ମ୍ୟାନୁଫ୍ୟାକଚରିଂ ମୂଲ୍ୟଯୁକ୍ତର ୪୬.୩ ପ୍ରତିଶତ ଆସୁଛି ମଧ୍ୟମ ଓ ଉଚ୍ଚ ଟେକ୍ନୋଲଜି ଶିଳ୍ପରୁ
- ୭ଟି ରଣନୀତିକ ଓ ସୀମାନ୍ତ କ୍ଷେତ୍ରରେ ମ୍ୟାନୁଫ୍ୟାକଚରିଂ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ର ବଜେଟ ୨୦୨୬-୨୭
- ସାମୁଦ୍ରିକ ଖାଦ୍ୟରୁ ଆରମ୍ଭ କରି ମାଇକ୍ରୋଓ୍ୱେଭ ଓଭେନ୍ ଏବଂ ଚପଲ ଓ ଜୋତା ସହିତ ବିମାନ ନିର୍ମାଣରେ ମୂଳ ଆମଦାନୀ ଶୁଳ୍କ ଛାଡ଼ କରାଯାଇଛି।
- ୧୦,୦୦୦ କୋଟି ଟଙ୍କାର ଏସ୍ଏମ୍ଇ ଅଭିବୃଦ୍ଧି ପାଣ୍ଠି ଓ ଆତ୍ମନିର୍ଭର ଭାରତ ପାଣ୍ଠିରେ ୨୦୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ସହିତ କେନ୍ଦ୍ର ବଜେଟ ୨୦୨୬-୨୭ ଚାମ୍ପିଅନ ଏସ୍ଏମ୍ଇ ସୃଷ୍ଟିକୁ ପ୍ରୋତ୍ସାହିତ କରୁଛି
Introduction
ଉପକ୍ରମ
ଅସନ୍ତୁଳିତ ବିଶ୍ୱ ଶିଳ୍ପ ପ୍ରଦର୍ଶନ ମଧ୍ୟରେ ସ୍ଥିରତା ପ୍ରଦର୍ଶନ କରି ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ଶିଳ୍ପ ଅର୍ଥନୀତି ମଧ୍ୟରେ ଉଭା ହୋଇଛି। ୨୦୨୫ କ୍ୟାଲେଣ୍ଡର ବର୍ଷର ତୃତୀୟ ତ୍ରୈମାସିକରେ ବିଶ୍ୱ ମ୍ୟାନୁଫ୍ୟାକଚରିଂ ଉତ୍ପାଦନ ନଗଣ୍ୟ ଭାବେ ମାତ୍ର ୦.୭ % ବୃଦ୍ଧି ପାଇଥିଲେ ମଧ୍ୟ ସେହି ସମୟରେ ଭାରତର ମ୍ୟାନୁଫ୍ୟାକଚରିଂ ଉତ୍ପାଦନ ଅଭିବୃଦ୍ଧି ରହିଛି ୧.୩%। ଏହି ପ୍ରଦର୍ଶନ ଘରୋଇ ମୌଳିକ ତତ୍ତ୍ୱର ଶକ୍ତି ଓ ଶିଳ୍ପର ପ୍ରସାର ପାଇଁ ନିରନ୍ତର ନୀତିଗତ ସମର୍ଥନକୁ ପ୍ରତିଫଳିତ କରୁଛି।
ସଂସ୍କାର, ବିଭିନ୍ନ କ୍ଷେତ୍ର ଅନୁସାରେ ନିର୍ଦ୍ଦିଷ୍ଟ ଯୋଜନା ଓ ନିରନ୍ତର ଯୋଗାଣ ଶୃଙ୍ଖଳ ସହିତ ୨୦୪୭ ସୁଦ୍ଧା ଭାରତ ୩୫ ଟ୍ରିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ହେବା ପାଇଁ ଯେଉଁ ଲକ୍ଷ୍ୟ ରଖିଛି, ଆଜି ତାର ଅଭିବୃଦ୍ଧି ଇଂଜିନ ହେଉଛି ମ୍ୟାନୁଫ୍ୟାକଚରିଂ। ଏହି ଗୁରୁତ୍ୱକୁ ସ୍ୱୀକାର କରି ୨୦୨୬-୨୭ କେନ୍ଦ୍ର ବଜେଟ ମ୍ୟାନୁଫ୍ୟାକଚରିଂ କ୍ଷେତ୍ରକୁ ସମର୍ଥନ ଜାରି ରଖିଛି। ନିବେଶ ପ୍ରୋତ୍ସାହନ, ନବସୃଜନ, ଭିତ୍ତିଭୂମିର ବିକାଶ ଓ ଶିଳ୍ପ ବ୍ୟବସ୍ଥା ସୁଦୃଢ଼ୀକରଣ ଉପରେ ଧ୍ୟାନ ଦେଇ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ମାଧ୍ୟମରେ ଏହି ଲକ୍ଷ୍ୟ ପୂରଣ କରାଯିବ।
ବ୍ୟାଖ୍ୟା କରାଯାଇଥିବା ୩ଟି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସହିତ ମ୍ୟାନୁଫ୍ୟାକଚରିଂ କ୍ଷେତ୍ର ଭାରତର ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି, ରପ୍ତାନୀ ପ୍ରତିଯୋଗିତା ଓ ଦୀର୍ଘ ମିଆଦୀ ଆର୍ଥିକ ରୂପାନ୍ତରଣ କରିବାକୁ ଯାଉଛି।
ଭାରତର ମ୍ୟାନୁଫ୍ୟାକଚରିଂ କ୍ଷେତ୍ରର ପ୍ରଦର୍ଶନ

ଭାରତର ବର୍ଦ୍ଧିଷ୍ଣୁ ଶିଳ୍ପ ପ୍ରଗତିର ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହେଉଛି ମ୍ୟାନୁଫ୍ୟାକଚରିଂ କ୍ଷେତ୍ର । ପୁଞ୍ଜି ସମର୍ଥନ ଏବଂ ନୀତି-ନେତୃତ୍ୱାଧୀନ ସଂସ୍କାର ସହିତ, ସମପ୍ତ ପ୍ରକାର ଉତ୍ପାଦନରେ ତଥ୍ୟ, ନିବେଶ ଏବଂ ବ୍ୟବସାୟିକ ଭାବନା ସୂଚକଗୁଡ଼ିକର ସାମ୍ପ୍ରତିକ ତଥ୍ୟ ଶିଳ୍ପ ଏବଂ ଉତ୍ପାଦନ କାର୍ଯ୍ୟକଳାପରେ ନିରନ୍ତର ସୁଦୃଢ଼ତାକୁ ସୂଚିତ କରୁଛି।
ସୁଦୃଢ଼ ହେଉଛି ଭାରତର ଶିଳ୍ପଭିତ୍ତିକ ଓ ମ୍ୟାନୁଫ୍ୟାକଚରିଂ ପ୍ରଗତି
ଭାରତର ଶିଳ୍ପ କାର୍ଯ୍ୟକଳାପ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ଅର୍ଦ୍ଧାର୍ଦ୍ଧରେ ବାସ୍ତବ ଶିଳ୍ପ ଜିଭିଏ ବାର୍ଷିକ ୭ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଡିସେମ୍ବର ୨୦୨୫ରେ ଶିଳ୍ପ ଉତ୍ପାଦନ ୭.୮ ପ୍ରତିଶତ ବୃଦ୍ଧି ପାଇ ଏହି ଗତି ଚଳିତ ବର୍ଷ ଆହୁରି ବୃଦ୍ଧି ପାଇଛି। ନଭେମ୍ବର ୨୦୨୫ରେ ଏହା ୭.୨ ପ୍ରତିଶତ (ଆର୍ଆଇ) ରହିବା ପରେ ଏହା ହେଉଛି ଗତ ୨ ବର୍ଷ ମଧ୍ୟରେ ସବୁଠୁ ଅଧିକ ଅଭିବୃଦ୍ଧି।
ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ରେ ପ୍ରତିଫଳିତ ହେଉଥିବା ଏହି ଅଭିବୃଦ୍ଧି ମୁଖ୍ୟତଃ ମ୍ୟାନୁଫ୍ୟାକଚରିଂ କ୍ଷେତ୍ର ଯୋଗୁଁ ସମ୍ଭବ ହୋଇଛି। ଡିସେମ୍ବର ୨୦୨୫ରେ ମ୍ୟାନୁଫ୍ୟାକଚରିଂ କ୍ଷେତ୍ରର ଅଭିବୃଦ୍ଧି ହାର ଥିଲା ୮.୧ ପ୍ରତିଶତ। ଏହା ମଧ୍ୟରେ କମ୍ପ୍ୟୁଟର ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦ (୩୪.୯ ପ୍ରତିଶତ), ମୋଟର ଯାନ ଏବଂ ଟ୍ରଲର (୩୩.୫ ପ୍ରତିଶତ)ଏବଂ ଅନ୍ୟାନ୍ୟ ପରିବହନ ଉପକରଣ (୨୫.୧ ପ୍ରତିଶତ) ରେ ଦୃଢ଼ ଅଭିବୃଦ୍ଧି ରେକର୍ଡ କରାଯାଇଛି।
ଆର୍ଥିକ ବର୍ଷ ୨୦୨୫-୨୬ ର ପ୍ରଥମ ତୈମାସିକ ଜିଭିଏ ଅଭିବୃଦ୍ଧି ୭.୭୨ ପ୍ରତିଶତ ଓ ଦ୍ୱିତୀୟ ତୈମାସିକରେ ୯.୧୩ ପ୍ରତିଶତ ସହିତ ଏବେ ମ୍ୟାନୁଫ୍ୟାକଚରିଂ କ୍ଷେତ୍ରର ପ୍ରଦର୍ଶନ ଆହୁରି ମଜଭୁତ ହୋଇଛି । ଉଚ୍ଚ-ମୂଲ୍ୟଯୁକ୍ତ ଉତ୍ପାଦନ ଆଡକୁ ଧୀରେ ଧୀରେ ପରିବର୍ତ୍ତନ, ଉନ୍ନତ ଶିଳ୍ପ ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଆନୁଷ୍ଠାନିକୀକରଣର ବ୍ୟାପକ ଗ୍ରହଣର ସହାୟତାରେ ଏହା ମିଳିତ ଭାବରେ ସମସ୍ତ କ୍ଷେତ୍ରରେ ବୃଦ୍ଧି ପାଉଥିବା ଶିଳ୍ପ କ୍ଷମତାକୁ ପ୍ରତିଫଳିତ କରୁଛି।
ଚାହିଦା ଓ ବ୍ୟବସାୟ ସମ୍ଭାବନା ବୃଦ୍ଧି ସହିତ ବଢ଼ିଛି ଆତ୍ମବିଶ୍ୱାସ
ଭାରତର ଶିଳ୍ପ କ୍ଷେତ୍ରରେ ଭବିଷ୍ୟତର ସବୁ ସୂଚକାଙ୍କ ଆଶାବାଦକୁ ପ୍ରତିଫଳିତ କରି ଚାଲିଛି। ମାର୍ଚ୍ଚ ୨୦୨୩ରୁ ଲଗାତର ଭାବେ ଉତ୍ପାଦନ କ୍ରୟ ପରିଚାଳକ ସୂଚକାଙ୍କ(ପରଚେଜିଂ ମ୍ୟାନେଜର ଇନଡେସ୍କ, ପିଏମ୍ଆଇ) ଦୃଢ଼ ଭାବରେ ବିସ୍ତାର କ୍ଷେତ୍ରରେ (ସହଜରେ ୫୦ ମାର୍କ ଉପରେ)ରହିଛି। ଜାନୁଆରୀ ୨୦୨୬ରେ ପିଏମଆଇ ୫୫.୪ ରହିଥିଲା । ଏହା ହେଉଛି ଦୀର୍ଘକାଳୀନ ହାରାହାରିଠାରୁ ଅଧିକ। ମ୍ୟାନୁଫ୍ୟାକଚରିଂ କ୍ଷେତ୍ରରେ ଲଗାତର ଭାବେ ଉନ୍ନତି ଆସୁଛି ବୋଲି ଏହା ପ୍ରଦର୍ଶିତ କରୁଛି।
ମ୍ୟାନୁଫ୍ୟାଚକରିଂ କ୍ଷେତ୍ରକୁ ନେଇ ଆର୍ବିଆଇର ଶିଳ୍ପ ସମ୍ଭାବନା ସର୍ବେକ୍ଷଣ
- ଆର୍ଥିକ ବର୍ଷ ୨୦୨୫-୨୬ ର ପ୍ରଥମ ତୈମାସିକ ଅପେକ୍ଷା ଦ୍ୱିତୀୟ ତୈମାସିକରେ ବ୍ୟବସାୟ ଆକଳନ ସୂଚକାଙ୍କରେ ଉନ୍ନତି ଆସିଛି। କଞ୍ଚାମାଲର ଦାମ୍, ଫାଇନାନ୍ସିଂ ବ୍ୟୟ ଓ ଦରମାର ଚାପ କମିବାର ସମ୍ଭାବନା ଥିବାରୁ ଏହା ହୋଇପାରିଛି।
- ଆର୍ଥିକ ବର୍ଷ ୨୦୨୫-୨୬ରେ ତୃତୀୟ ତୈମାସିକରେ ମ୍ୟାନୁଫ୍ୟାକଚରିଂରେ ଅଧିକ ଚାହିଦା ସୃଷ୍ଟି ହେବାର, ବିନିଯୋଗ ଖର୍ଚ୍ଚ ଚାପ ହ୍ରାସ ପାଇବାର, ବିକ୍ରି ମୂଲ୍ୟ ନିର୍ଣ୍ଣୟରେ ଉନ୍ନତି ଆସିବାର ଓ ବ୍ୟାବସାୟିକ ମନୋଭାବ ସ୍ଥିର ରହିବାର ସମ୍ଭାବନା ଅଛି।
- ଆର୍ଥିକ ବର୍ଷ ୨୦୨୫-୨୬ର ଚତୁର୍ଥ ତୈମାସିକରେ ଓ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ଚାହିଦା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି।
ପ୍ରମୁଖ କ୍ଷେତ୍ରର ସହଯୋଗରେ ଶିଳ୍ପ ସଂପ୍ରସାରଣ
ବିଭିନ୍ନ କ୍ଷେତ୍ରର ଉତ୍ପାଦନକୁ ଦେଖିଲେ ଜଣାପଡୁଛି ଯେ, ଉଭୟ ଭାରି ଶିଳ୍ପ ଓ ହାଲୁକା ମ୍ୟାନୁଫ୍ୟାକଚରିଂ ଯୋଗୁଁ ସାମଗ୍ରିକ ଅଭିବୃଦ୍ଧି ହେଉଛି। ୨୦୨୫ ଡିସେମ୍ୱରରେ ୮ଟି ପ୍ରମୁଖ ଶିଳ୍ପର ସୂଚକାଙ୍କ (ଆଇସିଆଇ) ଥିଲା ୧୭୫.୭ । ୨୦୨୪ ଡିସେମ୍ୱର ଅପେକ୍ଷା ୩.୭ ପ୍ରତିଶତ ଅଭିବୃଦ୍ଧି ହୋଇଛି। ସିମେଣ୍ଟ, ଇସ୍ପାତ, ବିଦ୍ୟୁତ, ସାର ଓ କୋଇଲା କ୍ଷେତ୍ରରେ ଏହି ମାସରେ ସକରାତ୍ମକ ଉତ୍ପାଦନ ହୋଇଛି।
ସିମେଣ୍ଟ-ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସିମେଣ୍ଟ ଉତ୍ପାଦନକାରୀ ଦେଶ ଭାବେ ରହି ଆସିଛି। ଆର୍ଥିକ ବର୍ଷ ୨୦୨୫ରେ ଭାରତର ସିମେଣ୍ଟ ଉତ୍ପାଦନ ୪୫୩ ମିଲିୟନ ଟନ ଛୁଇଁଥିଲା। ଭିତ୍ତିଭୂମି ଓ ନିର୍ମାଣ ଅଭିବୃଦ୍ଧିରେ ଏହା ସହାୟକ ହୋଇଛି।
ଇସ୍ପାତ- କଞ୍ଚା ଇସ୍ପାତ ଉତ୍ପାଦନରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ। ଗତ ବର୍ଷ ଅପେକ୍ଷା ଆର୍ଥିକ ବର୍ଷ ୨୦୨୫-୨୬ର ଏପ୍ରିଲ-ଅକ୍ଟୋବରରେ ଏହାର ଉତ୍ପାଦନ ୧୧.୭ ପ୍ରତିଶତ ବୃଦ୍ଧି ପାଇଥିଲା । ଏହି ସମୟରେ ଫିନିଡ୍ଶ ଇସ୍ପାତ ଉତ୍ପାଦନ ୧୦.୮ ପ୍ରତିଶତ ବୃଦ୍ଧି ପାଇଥିଲା।
କୋଇଲା:କୋଇଲା ଉତ୍ପାଦନରେ ଆର୍ଥିକ ବର୍ଷ ୨୫ରେ ଭାରତ ଐତିହାସିକ ଶିଖରକୁ ଛୁଇଁଥିଲା। ଏହି ସମୟରେ ଭାରତ ୧୦୪୭.୫୩ ଏମ୍ଟି କୋଇଲା ଉତ୍ପାଦନ କରିଥିଲା । ପୂର୍ବ ବର୍ଷ ଅପେକ୍ଷା ଏହା ହେଉଛି ୪.୯୮ ପ୍ରତିଶତ ଅଧିକ।
ରସାୟନ ଓ ପେଟ୍ରୋକେମିକାଲ୍ସ: ଆର୍ଥିକ ବର୍ଷ ୨୦୨୫ରେ ପ୍ରମୁଖ ରସାୟନ ଓ ପେଟ୍ରୋକେମିକାଲ୍ସର ଉତ୍ପାଦନ ୫୮,୬୧୭ ହଜାର ଟନ୍ରେ ପହଞ୍ଚିଥିଲା। ମଜଭୁତ ଲିଙ୍କ୍ ଓ ଏକାଧିକ ଆନୁଷଙ୍ଗିକ ଶିଳ୍ପ ସହାୟତାରେ ଏହି କ୍ଷେତ୍ର ଲଗାତର ଭାବେ ଶିଳ୍ପ ବିକାଶରେ ସହାୟତା କରୁଛି।
ଟେବୁଲ-୧-ଭାରତର ପ୍ରମୁଖ ଇନ୍ପୁଟ ଶିଳ୍ପର ଦୃଢ଼ ଦଶନ୍ଧି ଅଭିବୃଦ୍ଧି ପ୍ରଦର୍ଶନ (ମିଲିୟନ ଟନରେ)
ପ୍ରମୁଖ ଶିଳ୍ପ ଆର୍ଥିକ ବର୍ଷ ୧୫ ଆର୍ଥିକ ବର୍ଷ ୨୫
ସିମେଣ୍ଟ ୨୭୦.୦୦ ୪୫୩.୦୦
ଫିନିଶଡ୍ ଇସ୍ପାତ ୮୧.୮୬ ୧୪୬.୬୯
କୋଇଲା ୬୦୯.୧୮ ୧୦୪୭.୫୨
(ସୋର୍ସ:ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬)
ବିଶ୍ୱରେ ବୃଦ୍ଧି ପାଉଛି ଭାରତର ମ୍ୟାନୁଫ୍ୟାକଚରିଂ କ୍ଷେତ୍ରର ଉପସ୍ଥିତି
ଅର୍ଥନୈତିକ ସର୍ଭେ ୨୦୨୨୫-୨୬ ଅନୁସାରେ ମଧ୍ୟମ ଏବଂ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଶିଳ୍ପର ଯୋଗଦାନ ବର୍ତ୍ତମାନ ଭାରତର ମ୍ୟାନୁଫ୍ୟାକଚରିଂ ମୂଲ୍ୟଯୁକ୍ତରେ ହେଉଛି ୪୬.୩ ପ୍ରତିଶତ। ଏହା ସୂଚିତ କରୁଛି ଯେ, ଅଧିକ ସୁଦୃଢ଼ ମ୍ୟାନୁଫ୍ୟାକଚରିଂ ଢାଞ୍ଚା ଆଡ଼କୁ ଧୀରେ ଧୀରେ ପରିବର୍ତ୍ତନ ହେଉଛି। ଏହି ପରିବର୍ତ୍ତନ ଭାରତକୁ ମଧ୍ୟମ-ଆୟ ଅର୍ଥନୀତିର ଏକ ଛୋଟ ଗୋଷ୍ଠୀ ମଧ୍ୟରେ ସ୍ଥାନିତ କରୁଛି ଯାହା ନିରନ୍ତର ଭାବରେ ମ୍ୟାନୁଫ୍ୟାକଚରିଂ ମୂଲ୍ୟ ଶୃଙ୍ଖଳାକୁ ଆଗକୁ ବଢାଇ ଚାଲିଛି। ଏହି ଲାଭ ପ୍ରତିଫଳିତ କରି ଭାରତର ବିଶ୍ୱସ୍ତରୀୟ ଶିଳ୍ପ ପ୍ରତିଯୋଗିତାମୂଳକତାରେ ଉନ୍ନତି ଘଟିଛି। ଭାରତର ପ୍ରତିଯୋଗିତାମୂଳକ ଶିଳ୍ପ ପ୍ରଦର୍ଶନ (ସିଆଇପି) ସୂଚକାଙ୍କରେ ଭାରତର ସ୍ଥାନ ୨୦୨୨ରେ ୪୦ତମ ଥିବା ବେଳେ ୨୦୨୩ରେ ଉପରକୁ ଉଠି ୩୭ତମ ସ୍ଥାନରେ ପହଞ୍ଚିଛି।
ଭାରତର ରପ୍ତାନିକୁ ସୁଦୃଢ଼ କରିବାରେ ମଧ୍ୟ ମ୍ୟାନୁଫ୍ୟାକଚରିଂର ଅବଦାନ ରହିଛି। ଆର୍ଥିକ ବର୍ଷ ୨୬ର ପ୍ରଥମ ତିନିଟି ତ୍ରୈମାସିକରେ ରପ୍ତାନୀ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଏହା ବ୍ୟତୀତ ଏପ୍ରିଲ-ଡିସେମ୍ବର ୨୦୨୫ ମଧ୍ୟରେ ରପ୍ତାନି ପରିମାଣ ୬୩୪.୩ ବିଲିୟନ ଆମେରିକୀୟ ଡଲାର ଥିଲା। ଏହା ଥିଲା ତାର ପୂର୍ବ ବର୍ଷ ଅପେକ୍ଷା ୪.୩ ପ୍ରତିଶତ ଅଧିକ। ବାହ୍ୟ ବାଣିଜ୍ୟ ପ୍ରଦର୍ଶନରେ ନିରନ୍ତର ସ୍ଥିରତା ରହିଛି ବୋଲି ଏହା ଗୁରୁତ୍ୱ ରଖୁଛି।
ମ୍ୟାନୁଫ୍ୟାକଚରିଂରେ ଏମ୍ଏସ୍ଏମ୍ଇର ଭୂମିକା
ଭାରତର ଶିଳ୍ପ ଅର୍ଥନୀତିର କେନ୍ଦ୍ର ବିନ୍ଦୁ ହେଉଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା (ଏମ୍ଏସ୍ଏମ୍ଇ)। ମ୍ୟାନୁଫ୍ୟାକଚରିଂରେ ଏମ୍ଏସ୍ଏମ୍ଇର ଅବଦାନ ହେଉଛି ୩୫.୪ ପ୍ରତିଶତ, ରପ୍ତାନୀରେ ୪୮.୫୮ ପ୍ରତିଶତ ଓ ଜିଡିପିରେ ୩୧.୧ ପ୍ରତିଶତ। ୭.୪୭ କୋଟି ଉଦ୍ୟୋଗରେ ନିଯୁକ୍ତି ପାଇଛନ୍ତି ୩୨.୮୨ କୋଟିରୁ ଅଧିକ ଲୋକ। କୃଷି ପରେ ଏମ୍ଏସ୍ଏମ୍ଇ ହେଉଛି ଦ୍ୱିତୀୟ ସର୍ବବୃହତ ନିଯୁକ୍ତିପ୍ରଦାନକାରୀ କ୍ଷେତ୍ର।
ଭାରତର ମ୍ୟାନୁଫ୍ୟାକଚରିଂ କ୍ଷେତ୍ର ବିଶ୍ୱ ବଜାରରେ ନିଜର ଉପସ୍ଥିତି ଜାହିର କରିଥିବା ବେଳେ ଯୋଗାଣ ଶୃଙ୍ଖଳାକୁ ମଜଭୁତ କରିବାରେ, ସ୍ଥାନୀୟ ମୂଲ୍ୟଯୁକ୍ତକୁ ପ୍ରୋତ୍ସାହନ ଦେବାରେ ଓ ସାମଗ୍ରିକ ଆଞ୍ଚଳିକ ବିକାଶରେ ରହିଛି ଏମ୍ଏସ୍ଏମ୍ଇର ପ୍ରମୁଖ ଭୂମିକା।
ବଜେଟ ୨୦୨୬-୨୭: ମ୍ୟାନୁଫ୍ୟାକଚରିଂ ବୃଦ୍ଧି ପାଇଁ ପ୍ରମୁଖ ଯୋଜନା
ରଣନୀତିକ ଓ ଆନୁଷଙ୍ଗିକ କ୍ଷେତ୍ରରେ ମ୍ୟାନୁଫ୍ୟାକଚରିଂକୁ ପ୍ରୋତ୍ସାହନ ଦେଇ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ବଜେଟ ୨୦୨୬-୨୭ ଏକ ବ୍ୟାପକ ପଦକ୍ଷେପର ସେଟ୍ ଉନ୍ମୋଚନ କରିଛି। ଏହି ସବୁ ଘୋଷଣା ସରକାରଙ୍କ ଏଜେଣ୍ଡା ଉପରେ ନିର୍ଭର କରେ ଓ ଉଭୟ ତତକ୍ଷଣାତ (ଯେପରିକି ଟିକସ ରିହାତି ଏବଂ ଆମଦାନୀ ସଂସ୍କାର)ଓ ଦୀର୍ଘମିଆଦୀ କ୍ଷମତା ବିକାଶ (ଯେପରିକି ନୂତନ ଶିଳ୍ପ ମିଶନ ଏବଂ କ୍ଲଷ୍ଟର ଯୋଜନା)ର ସମାଧାନ କରିଥାଏ।
ରଣନୀତିକ କ୍ଷେତ୍ରର କାର୍ଯ୍ୟକ୍ରମ ଓ ଶିଳ୍ପ ବ୍ୟବସ୍ଥାର ବିକାଶ
ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟକୁ ଆଗେଇ ନେବା ପାଇଁ ଉଚ୍ଚ-ପ୍ରଭାବଶାଳୀ ଏବଂ ଉଦୀୟମାନ ଶିଳ୍ପ ଉପରେ ଧ୍ୟାନ ଦେଇ ବଜେଟ ଅନେକ ନୂଆ ଯୋଜନା ଏବଂ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ସାତଟି ରଣନୀତିକ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ମ୍ୟାନୁଫ୍ୟାକଚରିଂ ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଛି।
• ପୁରୁଣା ଶିଳ୍ପ କ୍ଲଷ୍ଟରର ପୁନଃରୁଦ୍ଧାର: ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତି ମାଧ୍ୟମରେ ପ୍ରତିଯୋଗିତା ମନୋଭାବ ତଥା ଦକ୍ଷତା ବୃଦ୍ଧି କରିବା ପାଇଁ ୨୦୦ ପୁରୁଣା ଶିଳ୍ପ କ୍ଲଷ୍ଟରର ପୁନରୁଦ୍ଧାର କରିବାକୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି।
• ବାୟୋଫାର୍ମା ଶକ୍ତି:ପାଞ୍ଚ ବର୍ଷ ମଧ୍ୟରେ ₹୧୦,୦୦୦ କୋଟି ବ୍ୟୟ ସହିତ ଏହି ଯୋଜନା ବାୟୋଲୋଜିକ୍ସ ଏବଂ ବାୟୋସିମିଲର୍ସରେ ଭାରତକୁ ଏକ ବିଶ୍ୱସ୍ତରୀୟ ମ୍ୟାନୁଫ୍ୟାକଚରିଂ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାର କରିବାର ଲକ୍ଷ୍ୟ ରଖିଛି। ଗବେଷଣା କ୍ଷମତାର ବିସ୍ତାର, ୩ଟି ନୂତନ ଉନ୍ନତ ଜାତୀୟ ଔଷଧ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ଏନଆଇପିଇଆର୍ )ପ୍ରତିଷ୍ଠାନ,ହଜାରେରୁ ଅଧିକ କ୍ଲିନିକାଲ୍ ପରୀକ୍ଷଣ କେନ୍ଦ୍ରର ଏକ ନେଟୱାର୍କ ସ୍ଥାପନ କରିବା ଏବଂ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍ସିଓ)କୁ ସୁଦୃଢ଼ କରିବାକୁ ଏହା ଲକ୍ଷ୍ୟ ରଖିଛି।

ସେମିକଣ୍ଡକ୍ଟର ମିଶନ ୨.୦-ଆଗର ଯୋଜନା ଉପରେ ଆଧାରିତ ଏହି ଯୋଜନାର ଲକ୍ଷ୍ୟ ହେଉଛି ସେମିକଣ୍ଡକ୍ଟର ଉପକରଣ ଓ ସାମଗ୍ରୀ ଉତ୍ପାଦନ, ସଂପୂର୍ଣ୍ଣ ଭାରତୀୟ ଆଇପି ଡିଜାଇନ, ଯୋଗାଣ ଶୃଙ୍ଖଳାକୁ ମଜଭୁତ କରିବା ଏବଂ ଶିଳ୍ପଭିତ୍ତିକ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବା।
- ଉତ୍ସର୍ଗୀକୃତ ରାସାୟନିକ ପାର୍କ:ଘରୋଇ ଉତ୍ପାଦନ ବୃଦ୍ଧି କରିବାକୁ ଓ ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା ପାଇଁ କ୍ଲଷ୍ଟର ଆଧାରିତ ପ୍ଲଗ- ଓ ପ୍ଲେ ମଡେଲରେ ୩ଟି ରାସାୟନିକ ପାର୍କ ପ୍ରତିଷ୍ଠା କରିବା ପାଇଁ ରାଜ୍ୟଗୁଡ଼ିକୁ ସହାୟତା ପ୍ରଦାନ।
- ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ମ୍ୟାନୁଫ୍ୟାକଚରିଂ ଯୋଜନା (ଇସିଏମ୍ଏସ୍): ନିବେଶ ପ୍ରତିଶ୍ରୁତି ପ୍ରଗତିର ଫାଇଦା ନେଇ ଆଗରୁ ନିର୍ଦ୍ଧାରିତ ହୋଇଥିବା ଧାର୍ଯ୍ୟ ନିବେଶ ପ୍ରତିଶ୍ରୁତି ଲକ୍ଷ୍ୟ ଆଗକୁ ଯିବା ଓ ଘରୋଇ ଯନ୍ତ୍ରାଂଶ ମ୍ୟାନୁଫ୍ୟାକଚରିଂକୁ ଆହୁରି ତ୍ୱରାନ୍ୱିତ କରିବା ହେଉଛି ଏହାର ଲକ୍ଷ୍ୟ। ଏଥିପାଇଁ ବଜେଟ ୨୨, ୯୧୯ କୋଟିରୁ ୪୦, ୦୦୦ କୋଟିକୁ ବୃଦ୍ଧି କରାଯାଇଛି।
- ବିରଳ ଧାତୁ ସ୍ଥାୟୀ ଚୁମ୍ୱକ ଓ କରିଡର : ୨୦୨୫ ନଭେମ୍ୱରରେ ଆରମ୍ଭ କରାଯାଇଥିବା ବିରଳ ଧାତୁ ସ୍ଥାୟୀ ଚୁମ୍ୱକ ଯୋଜନାକୁ ନେଇ ନିର୍ଦ୍ଦିଷ୍ଟ ଭାବେ ବିରଳ ଧାତୁ କରିଡର୍ ନିର୍ମାଣ ହେବ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ। ଏହାର ଲକ୍ଷ୍ୟ ହେଉଛି ବିରଳ ଧାତୁର ଖଣି ଖନନ, ପ୍ରକ୍ରିୟାକରଣ, ଗବେଷଣା ଓ ମ୍ୟାନୁଫ୍ୟାକଚରିଂ
- କ୍ରୀଡ଼ା ସାମଗ୍ରୀ ମ୍ୟାନୁଫ୍ୟାକଚରିଂ ଯୋଜନା - କ୍ରୀଡ଼ା ସାମଗ୍ରୀ ଓ ଉପାଦାନ ବିଜ୍ଞାନରେ ମ୍ୟାନୁଫ୍ୟାକଚରିଂ, ଗବେଷଣା ଓ ନବସୃଜନ ବୃଦ୍ଧି କରିବା ପାଇଁ ସହଯୋଗ ପ୍ରଦାନକୁ ଗୁରୁତ୍ୱ।
- ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍ରେ (ସିପିଏସ୍ଇ) ହାଇଟେକ୍ ଟୁଲ୍ ରୁମ୍ – ସିପିଏସ୍ଇ ପରିସରରେ ସୂକ୍ଷ୍ମ ଟୁଲ୍ ମ୍ୟାନୁଫ୍ୟାକଚରିଂ, ପ୍ରଶିକ୍ଷଣ ଓ ଡିଜାଇନ କେନ୍ଦ୍ର ପ୍ରତିଷ୍ଠା। ଏହାର ଉଦ୍ଦେଶ୍ୟ ହେଉଛି ନବସୃଜନର ମ୍ୟାନୁଫ୍ୟାକଚରିଂ ଓ କୌଶଳ ପ୍ରଶିକ୍ଷଣ।
- ନିର୍ମାଣ ଓ ଭିତ୍ତିଭୂମି ଉପକରଣ (ସିଆଇଇ) ଯୋଜନା: ଉଚ୍ଚମୂଲ୍ୟଯୁକ୍ତ ଓ ଅତ୍ୟାଧୁନିକ ଟେକ୍ନୋଲଜିର ଉନ୍ନତ ସିଆଇଇର ଘରୋଇ ମ୍ୟାନୁଫ୍ୟାକଚରିଂକୁ ମଜଭୁତ କରିବା ପାଇଁ ନୂଆ ଯୋଜନା
- କଣ୍ଟେନର ମ୍ୟାନୁଫ୍ୟାକଚରିଂ ଯୋଜନା:ଏକ ବିଶ୍ୱସ୍ତରୀୟ କଣ୍ଟେନର ମ୍ୟାନୁଫ୍ୟାକଚରିଂ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର ଆବଣ୍ଟନ ଯୋଜନା
- ଟେକ୍ସଟାଇଲ କ୍ଷେତ୍ର ପାଇଁ ଉତ୍ସର୍ଗୀକୃତ ସ୍ୱତନ୍ତ୍ର ପଦକ୍ଷେପ-ସମନ୍ୱିତ ଟେକ୍ସଟାଇଲ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଯୋଜନାରେ ରହିବ ତନ୍ତୁ ଆତ୍ମନିର୍ଭରଶୀଳତା, କ୍ଲଷ୍ଟରଗୁଡ଼ିକର ଆଧୁନିକୀକରଣ, ହସ୍ତତନ୍ତ ଓ ହସ୍ତଶିଳ୍ପକୁ ମଜଭୁତ କରିବା, ଦୀର୍ଘସ୍ଥାୟୀ ଟେକ୍ସଟାଇଲର ପ୍ରଚାର ଓ ସମର୍ଥ ୨.୦ରେ ଟେକ୍ସଟାଇଲ କୌଶଳର ଉନ୍ନତିକରଣ।
- ବିରାଟ ଟେକ୍ସଟାଇଲ ପାର୍କ – ଚ୍ୟାଲେଞ୍ଜ ମୋଡ୍ରେ ବଡ଼ ବଡ଼ ଟେକ୍ସଟାଇଲ ପାର୍କ ନିର୍ମିତ ହେବ। ଏହାର ଫୋକସ୍ ହେଲା ମୂଲ୍ୟଯୁକ୍ତ କରିବା।ଏଥିରେ ରହିଛି ଟେକ୍ନିକାଲ ଟେକ୍ସଟାଇଲ।
- ମହାତ୍ମା ଗାନ୍ଧି ସ୍ୱରାଜ ଯୋଜନା- ଖଦୀ, ହସ୍ତତନ୍ତ ଓ ହସ୍ତଶିଳ୍ପକୁ ମଜଭୁତ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ଉନ୍ନତ ଟ୍ରେନିଂ, କୌଶଳ, ଉତ୍ପାଦନ, ମାନ, ବ୍ରାଣ୍ଡିଂ ଓ ବିଶ୍ୱସ୍ତରୀୟ ମାର୍କେଟ ଲିଙ୍କ୍ ଜରିଆରେ ଗ୍ରାମାଞ୍ଚଳର ଶିଳ୍ପ ଓ କାରିଗରଙ୍କୁ ଫାଇଦା ପହଞ୍ଚାଇବା।
- ଏମ୍ଏସ୍ଏମ୍ଇ ହେଉଛି ଅଭିବୃଦ୍ଧି ଇଂଜିନିର ପ୍ରମୁଖ କ୍ଷେତ୍ର ବୋଲି ସ୍ୱୀକାର କରିବା-ଏମ୍ଏସ୍ଏମ୍ଇଗୁଡ଼ିକ ଯେମିତି ଭବିଷ୍ୟତର ଶିଳ୍ପାୟନର ଚାମ୍ପିଅନ ହେବେ, ସେଥିପାଇଁ ଏକ ତ୍ରିମୁଖୀ ଆଭିମୁଖ୍ୟ ନେଇ ଏକ ପ୍ରସ୍ତାବ ରଖାଯାଇଛି। ଉଚ୍ଚ କ୍ଷମତାସଂପନ୍ନ ଉଦ୍ୟୋଗ ପାଇଁ ରଖାଯାଇଛି ୧୦ ହଜାର କୋଟି ଟଙ୍କାର ଏସ୍ଏମ୍ଇ ଅଭିବୃଦ୍ଧି ପାଣ୍ଠି। ଅତିରିକ୍ତ ଭାବେ ଆତ୍ମନିର୍ଭରଶୀଳ ଭାରତ ଫଣ୍ଡକୁ ମଜଭୁତ କରିବା ପାଇଁ ୨୦୦୦ କୋଟିର ଏକ ଟପ୍ ଅପ୍ ରହିବ।ଏହା ମାଇକ୍ରୋ ଉଦ୍ୟୋଗୀମାନଙ୍କୁ ଲଗାତର ଭାବେ ରିସ୍କ କ୍ୟାପିଟାଲ ସହଯୋଗ ପ୍ରଦାନ କରିବ।
ମ୍ୟାନୁଫ୍ୟାକଚରିଂକୁ ପ୍ରୋତ୍ସାହନ ଦେବାକୁ ଟ୍ୟାକ୍ସ ଓ ଆମଦାନୀରେ ସଂସ୍କାର-
କ୍ଷେତ୍ର ଅନୁସାରେ ଉପରୋକ୍ତ ପଦକ୍ଷେପ ସହିତ ୨୦୨୬-୨୭ କେନ୍ଦ୍ର ବଜେଟ ଅନେକ ଟ୍ୟାକ୍ସ ରିହାତି ଓ ଆମଦାନୀ ଶୁକ୍ଲ ସଂସ୍କାର କରଛି। ଟ୍ୟାକ୍ସ ବ୍ୟବସ୍ଥାକୁ ମ୍ୟାନୁଫ୍ୟାକଚରିଂ ଅନୁକୂଳ ଓ ରପ୍ତାନୀ ଅନୁକୂଳ କରିବା ପାଇଁ ଏହି ସବୁ ପଦକ୍ଷେପ ନିଆଯାଇଛି।
ପ୍ରମୁଖ ପଦକ୍ଷେପଗୁଡ଼ିକ ହେଲା-
- ୫ ବର୍ଷ ଯାଏ ଆୟକର ରିହାତି - ବଣ୍ଡେଡ୍ ଜୋନର କୌଣସି ଟୁଲ ମ୍ୟାନୁଫ୍ୟାକଚରର୍କୁ କ୍ୟାପିଟାଲ ସାମଗ୍ରୀ, ଉପକରଣ ବା ଟୁଲିଂ ସାମଗ୍ରୀ ଯୋଗାଉଥିବା ପ୍ରବାସୀ ଭାରତୀୟଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଆୟକର ରିହାତି ପ୍ରଦାନ କରାଯିବ।
- ସୁରକ୍ଷିତ ପୋତାଶ୍ରୟ: ବଣ୍ଡେଡ୍ ଗୋଦାମରେ ଓ୍ୱେରହାଉସିଂ ଉପକରଣ ପାଇଁ ପ୍ରବାସୀଙ୍କୁ ଯୋଗାଇ ଦିଆଯିବ ସୁରକ୍ଷିତ ପୋତାଶ୍ରୟ।
- ଡେଫର୍ଡ ଡ୍ୟୁଟି ପେମେଣ୍ଟ – ବିଶ୍ୱସ୍ତ ମ୍ୟାନୁଫ୍ୟାକଚରଙ୍କୁ ଡେଫର୍ଡ ଡ୍ୟୁଟି ପେମେଣ୍ଟର ଓ୍ୱିଣ୍ଡୋ ପ୍ରଦାନ କରାଯିବ।
- ନିର୍ଦ୍ଦିଷ୍ଟ ଇନପୁଟ ପାଇଁ କରମୁକ୍ତ ଆମଦାନୀ ସୀମାକୁ ବୃଦ୍ଧି କରାଯିବ- ସି ଫୁଡ୍ ରପ୍ତାନୀ ପାଇଁ ବର୍ତ୍ତମାନର ଇନପୁଟ୍ ଆମଦାନୀ ଶୁଳ୍କୁ ୧ ପ୍ରତିଶତରୁ ୩ ପ୍ରତିଶତକୁ ବୃଦ୍ଧି କରାଯିବ। ଗତ ବର୍ଷର ରପ୍ତାନୀ କାରବାରକୁ ଦେଖି ଏଫ୍ଓବି ମୂଲ୍ୟକୁ ଦେଖି ଏହି ପଦକ୍ଷେପ ନିଆଯିବ।
- ନିର୍ଦ୍ଦିଷ୍ଟ ଇନପୁଟ୍ର କରମୁକ୍ତ ଆମଦାନୀ ଜୋତା ରପ୍ତାନୀକୁ ବୃଦ୍ଧି କରାଇଛି। ଏହା ଚମଡ଼ା ଓ ସିନ୍ଥେଟିକ ଜୋତା ପ୍ରତି ମଧ୍ୟ ଲାଗୁ ହେବ।
- ଚୂଡ଼ାନ୍ତ ସାମଗ୍ରୀର ରପ୍ତାନୀ ସମୟକୁ ବର୍ତ୍ତମାନର ୬ ମାସରୁ ୧ ବର୍ଷକୁ ବୃଦ୍ଧି କରାଯାଇଛି। ଚମଡ଼ା ହେଉ କି ଟେକ୍ସଟାଇଲ ପୋଷାକ, ଚମଡ଼ା ଓ ସିନ୍ଥେଟିକ ଜୋତା ଚପଲ ପାଇଁ ଏହା ଲାଗୁ ହେବ।
- ମାଇକ୍ରୋ ଓଭେନ୍ ଓ ବିମାନ ନିର୍ମାଣର ବ୍ୟବହାର ହେଉଥିବା ନିର୍ଦ୍ଦିଷ୍ଟ ବିଭିନ୍ନ ଯନ୍ତ୍ରାଂଶ ଉପରେ ପ୍ରାଥମିକ ଆମଦାନୀ ଶୁଳ୍କ ଛାଡ଼
- ବିମାନ ନିର୍ମାଣର ବିଭିନ୍ନ ଯନ୍ତ୍ରାଂଶ, ମରାମତି, ରକ୍ଷଣାବେକ୍ଷଣ ବା ପ୍ରତିରକ୍ଷା ୟୁନିଟର ସମୁଦାୟ ଆବଶ୍ୟକ ଯନ୍ତ୍ରାଂଶ ପାଇଁ ଆମଦାନୀ କରାଯାଉଥିବା କଞ୍ଚାମାଲ ଉପରୁ ପ୍ରାଥମିକ ଆମଦାନୀ ଶ୍ଲୁକ ଛାଡ୍।
- ନିୟମିତ ଭାବେ ଆମଦାନୀ କରୁଥିବା ଭରସାଯୋଗ୍ୟ ସଂସ୍ଥାର ଦୀର୍ଘମିଆଦୀ ଯୋଗାଣ ଶୃଙ୍ଖଳକୁ ରିସ୍କ ବ୍ୟବସ୍ଥାରେ ସ୍ୱୀକୃତି ପ୍ରଦାନ କରାଯିବ।
- ଇଲେକଟ୍ରୋନିକ ସିଲିଂ ବ୍ୟବହାର କରି ରପ୍ତାନୀ କରୁଥିବା ମାଲ୍ କୁ ଜାହାଜରେ ପରିବହନ ପାଇଁ ଫ୍ୟାକ୍ଟ୍ରି ପରିସରରୁ ଅନୁମତି ପ୍ରଦାନ କରାଯିବ।
- ଏସ୍ଇଜେଡ୍ ଯୋଗ୍ୟ ମ୍ୟାନୁଫ୍ୟାକଚରିଂ ୟୁନିଟକୁ ରିହାତି ହାରରେ ଘରୋଇ ବଜାରରେ ବିକ୍ରି ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଥରେ ମାତ୍ର ସୁଯୋଗ ପ୍ରଦାନ କରାଯିବ।
ଭାରତକୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ମ୍ୟାନୁଫ୍ୟାକଚରିଂ କେନ୍ଦ୍ର କରିବା ପାଇଁ ଏହି ସମସ୍ତ ପଦକ୍ଷେପ ହେଉଛି ସରକାରଙ୍କ ନିରନ୍ତର ପ୍ରୟାସର ଅଂଶବିଶେଷ। ଭାରତ ହେବ ଏପରି ମ୍ୟାନୁଫ୍ୟାକଚରିଂ କେନ୍ଦ୍ର ଯାହା କି ନିଯୁକ୍ତି ସୃଷ୍ଟି କରିପାରିବ,ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ନବସୃଜନ କରିପାରିବ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ସଫଳତାର ସହିତ ଯୋଡ଼ି ହୋଇପାରିବ।
ମ୍ୟାନୁଫ୍ୟାକଚରିଂ କ୍ଷେତ୍ରର ଅଭିବୃଦ୍ଧି ପାଇଁ ସରକାରଙ୍କ ଲଗାତର ସ୍ଥାୟୀ ପଦକ୍ଷେପ -
ଭାରତର ମ୍ୟାନୁଫ୍ୟାକଚରିଂ କ୍ଷେତ୍ରର ପ୍ରସାର ପାଇଁ ଲକ୍ଷ୍ୟଭିତ୍ତିକ ପ୍ରୋତ୍ସାହନ ଯୋଜନା, ମିଶନ-ଚାଳିତ ସଂସ୍କାର, ଭିତ୍ତିଭୂମି ବିକାଶ ଏବଂ ନବସୃଜନ-ନେତୃତ୍ୱାଧୀନ ପରି ବିଭିନ୍ନ ପଦକ୍ଷେପ ଏହାକୁ ଶକ୍ତିଶାଳୀ କରିଛି। ଏହା ମ୍ୟାନୁଫ୍ୟାକଚରିଂ କ୍ଷେତ୍ରର ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରୁଛି।
ପ୍ରଦର୍ଶନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ)
ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ପ୍ରଦର୍ଶନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ) ୧୪ଟି କ୍ଷେତ୍ରର ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ଉତ୍ପ୍ରେରକର କାମ କରୁଛି। ଏଥିରେ କଣ କଣ ଲାଭ ମିଳୁଛି, ତାହା ଇଲେକ୍ଟ୍ରୋନିକ୍ସ, ଫାର୍ମାସିଟ୍ୟୁକାଲ୍ସ ଓ ଅଟୋମୋବାଇଲ ପରି ବିଭିନ୍ନ କ୍ଷେତ୍ରର ମ୍ୟାନୁଫ୍ୟାକଚରିଂରେ ଏହାର ପ୍ରଭାବ ବେଶ୍ ଅନୁଭୂତ ହେଉଛି। ବିଶ୍ୱରେ ଭାରତର ମ୍ୟାନୁଫ୍ୟାକଚରିଂ ପ୍ରତିସ୍ପର୍ଦ୍ଧାକୁ ଏହା ଆହୁରି ମଜଭୁତ କରୁଛି।
- ଭାରତରେ ସାର୍ଟଫୋନ ଉତ୍ପାଦନକୁ ବେଶ୍ ପ୍ରୋତ୍ସାହିତ କରିଛି ଏହି ପିଏଲ୍ଆଇ ଆଧାରିତ ନିବେଶ। ଏହା ଭାରତକୁ ବିଶ୍ୱର ଏକ ପ୍ରମୁଖ ମୋବାଇଲ ନିର୍ମାଣର କେନ୍ଦ୍ର କରିଛି।
- ପ୍ରଥମ ତିନି ବର୍ଷରେ ପିଏଲ୍ଆଇ ଫାର୍ମାସ୍ୟୁଟିକାଲ୍ସ ବିକ୍ରି ୨.୬୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା। ଏଥି ମଧ୍ୟରୁ ୧.୬୯ ଲକ୍ଷ କୋଟି ହେଉଛି ରପ୍ତାନୀ। ମାର୍ଚ୍ଚ ୨୦୨୫ରେ ଘରୋଇ ମୂଲ୍ୟଯୁକ୍ତ ପହଞ୍ଚିଥିଲା ୮୩.୭୪ ପ୍ରତିଶତରେ।

ଅଟୋମୋବାଇଲ ଓ ଅଟୋ ପାର୍ଟସ ମ୍ୟାନୁଫ୍ୟାକଚରିଂ କ୍ଷେତ୍ରରେ ପିଏଲ୍ଆଇ ମୋଟ ୩୫, ୬୫୭ କୋଟି ଟଙ୍କାର ନିବେଶ ଆଣିଛି। ୨୦୨୫ ସେପ୍ଟେମ୍ୱର ସୁଦ୍ଧା ଏହା ସୃଷ୍ଟି କରିଛି ୪୮,୯୭୪ ନିଯୁକ୍ତି ସୁଯୋଗ।
ଜାତୀୟ ମ୍ୟାନୁଫ୍ୟାକଚରିଂ ମିଶନ-
୨୦୨୫-୨୬ ବଜେଟରେ ଘୋଷଣା କରାଯାଇଥିବା ଜାତୀୟ ମ୍ୟାନୁଫ୍ୟାକଚରିଂ ମିଶନ (ଏନ୍ଏମ୍ଏମ୍) ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ଉତ୍ପ୍ରେରକ ଭାବେ କାର୍ଯ୍ୟ କରେ। ଏହାର ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ମ୍ୟାନୁଫ୍ୟାକଚରିଂର ଜିଡିପି ଭାଗକୁ ୨୫ ପ୍ରତିଶତକୁ ବୃଦ୍ଧି କରିବା, ୧୪.୩ କୋଟି ନିଯୁକ୍ତି ସୃଷ୍ଟି କରିବା ଓ ଗଭୀର ବିଶ୍ୱ ମୂଲ୍ୟ ଶୃଙ୍ଖଳ ସମନ୍ୱୟ ମାଧ୍ୟମରେ ବାଣିଜ୍ୟ ରପ୍ତାନିକୁ ୧.୨ ଟ୍ରିଲିୟନ ଆମେରିକୀୟ ଡଲାରରେ ପରିଣତ କରିବା । ଜାତୀୟ ଉତ୍ପାଦନ ମିଶନ କାର୍ଯ୍ୟାନ୍ୱୟନ ଅଧୀନରେ ନିମ୍ନଲିଖିତ ପ୍ରମୁଖ ପଦକ୍ଷେପ ନିଆଯାଇଛି:
- ଜାତୀୟ ମ୍ୟାନୁଫ୍ୟାକଚରିଂ ମିଶନର କାମ ଜାରି ରହିଛି। ଏହାର ଲକ୍ଷ୍ୟ ହେଉଛି ବ୍ୟବସାୟର ସହଜକରଣ ଓ ବ୍ୟବସାୟରେ କମ୍ ଖର୍ଚ୍ଚ, କର୍ମଶକ୍ତିର ପ୍ରସ୍ତୁତି, ଏମ୍ଏସ୍ଏମ୍ଇ ଅଭିବୃଦ୍ଧି, ଅଦରକାରୀ ନିୟମ ଉଚ୍ଛେଦ, ଟେକ୍ନୋଲଜି ଉପଯୋଗ ଓ ଉତ୍ତମ ଗୁଣବତ୍ତାର ମ୍ୟାନୁଫ୍ୟାକଚରିଂ
- ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ନୀତି ଆୟୋଗ ଏହି କମିଟିର ସମନ୍ୱୟ କରିବା ସହିତ ପରାମର୍ଶ ପ୍ରଦାନ କରିଥାଏ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଇଥାଏ।
- ନିର୍ଦ୍ଦିଷ୍ଟ କ୍ଷେତ୍ର ଯାହା ଦରକାର କରିଥାଏ, ଏନ୍ଏସ୍କ୍ୟୁଏଫ୍ ଆଧାରିତ ଟ୍ରେନିଂ ଜରିଆରେ ସେମିତି ନିର୍ଦ୍ଦିଷ୍ଟ କୌଶଳ ବିକାଶ ଯୋଜନାରେ ଟ୍ରେନିଂ ଦିଆଯାଏ, କୌଶଳ ଶିଖାଯାଏ। ଏହା ଛଡ଼ା ଶିଳ୍ପ କରିଡର ସହିତ ଖେଳଣା, ଚମଡ଼ା ଓ ଜୋତା ପରି ନିର୍ଦ୍ଦିଷ୍ଚ ଶିଳ୍ପ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରାଯାଏ
- ଜାତୀୟ ଟେକ୍ସଟାଇଲ ମ୍ୟାନୁଫ୍ୟାକଚରିଂ ମିଶନର ପ୍ରସ୍ତୁତି ଚାଲିଛି। ଏହାର ଫ୍ରେମଓ୍ୱାର୍କ ଚୂଡ଼ାନ୍ତ କରିବା ପାଇଁ ଗୋଟିଏ କୋର୍ କମିଟି ବିଚାର ବିମର୍ଶ କରୁଛି।
ଶିଳ୍ପ ସଂପ୍ରସାରଣ କରୁଥିବା ନିବେଶ
ଆର୍ଥିକ ବର୍ଷ ୨୦୨୬ରେ ନିବେଶର ଗତିରୁ ଆର୍ଥିକ ବିକାଶକୁ ଲଗାତର ଭାବେ ସମର୍ଥନ ମିଳୁଛି। ସଫଳ ସ୍ଥିର ପୁଂଜି ନିର୍ମାଣ (ଜିଏଫସିଏଫ୍) ରେ ଏହାର ଭାଗିଦାରୀ ୩୦ ପ୍ରତିଶତ ରହିବାର ଅନୁମାନ କରାଯାଉଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ୬ ମାସରେ ଏଥିରେ ୭.୬ ପ୍ରତିଶତ ଅଭିବୃଦ୍ଧି ହୋଇଛି।
ନିବେଶରେ ଏହି ଦ୍ରୁତ ଗତି ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ରର ବ୍ୟୟରେ ଦେଖିବାକୁ ମିଳିଛି। ସରକାରୀ ପୁଂଜିଗତ ବ୍ୟୟ ୨୦୧୯ରେ ୩.୦୭ ଲକ୍ଷ କୋଟି ଥିବା ବେଳେ ଆର୍ଥିକ ବର୍ଷ ୨୦୨୬ରେ ଏହା ୧୧.୨୧ ଲକ୍ଷ କୋଟିରେ ପହଞ୍ଚିଛି। ଘରୋଇ କମ୍ପାନୀ ଦ୍ୱାରା ନିବେଶର ଘୋଷଣା ଆର୍ଥିକ ବର୍ଷ ୨୦୨୬ର ପ୍ରଥମ ୬ ମାସରେ ବୃଦ୍ଧି ହୋଇ ୧୪.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆର୍ଥିକ ବର୍ଷ ୨୦୨୫ ତୁଳନାରେ ଏହା ହେଉଛି ୭.୯ ଲକ୍ଷ କୋଟି ଟଙ୍କା ଅଧିକ।
ଭାରତର ନବସୃଜନ ପରିବେଶକୁ ମଜଭୁତ କରିବାକୁ ବିଭିନ୍ନ ଯୋଜନା
- ଭାରତର ଗବେଷଣା ଓ ବିକାଶ ବ୍ୟବସ୍ଥାକୁ ସହଯୋଗ କରିବା ପାଇଁ ଏଏନ୍ଆର୍ଏଫ୍ ଅଧିନିୟମ, ୨୦୨୩ ଅଧୀନରେ ଏକ ପ୍ରମୁଖ ସଂସ୍ଥାଗତ ସଂସ୍କାର ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ (ଏଏନ୍ଆର୍ଏଫ୍ ) ପ୍ରତିଷ୍ଠା କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ରଣନୀତିକ ଦିଶା ନିର୍ଦ୍ଦେଶ ପ୍ରଦାନ କରିବା, ପୁଂଜି ପ୍ରଦାନରେ ସହଯୋଗ କରିବା ଏବଂ ଉଦ୍ୟୋଗ, ଶିକ୍ଷା ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା।
- ନବସୃଜନ ଆର୍ଥିକ ସହଯୋଗକୁ ମଜଭୁତ କରିବା ପାଇଁ ସରକାର ଏକ ଗବେଷଣା, ବିକାଶ ଓ ନବସୃଜନ (ଆର୍ଡିଆଇ) ପାଣ୍ଠିର ଘୋଷଣା କରିଛନ୍ତି। ୬ ବର୍ଷରେ ଏହାର ବଜେଟ ହେଉଛି ୧ ଲକ୍ଷ କୋଟି ଟଙ୍କା। ଆର୍ଥିକ ବର୍ଷ ୨୦୨୬ରେ ଏହାକୁ ମିଳିବ ୨୦ ହଜାର କୋଟି ଟଙ୍କା। ଏହାର ଲକ୍ଷ୍ୟ ହେଉଛି ହାଇ ଟେକ୍ ଗବେଷଣା ଓ ବିକାଶରେ ଘରୋଇ ନିବେଶକୁ ପ୍ରୋତ୍ସାହନ ଦେବା, ଅତ୍ୟାଧୁନିକ ଟେକ୍ନୋଲଜି ପ୍ରକଳ୍ପକୁ ସହଯୋଗ କରିବା, ରଣନୀତିକ ଟେକ୍ନୋଲଜିର ଅଧିଗ୍ରହଣରେ ସହଯୋଗ କରିବା ଓ ଟିପ୍ ଟେକ୍ ଫଣ୍ଡର ଫଣ୍ଡ ପରିଚାଳନା କରିବା।
- ୨୦୧୬ ରେ ଷ୍ଟାର୍ଟଅପ୍ ଇଣ୍ଡିଆର ଶୁଭାରମ୍ଭ ପରଠୁ ଷ୍ଟାର୍ଟ ଅଫ୍ ବ୍ୟବସ୍ଥା ବଢ଼ି ଚାଲିଛି। ଏବେ ଦେଶରେ ୨ ଲକ୍ଷ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟ ଅଫ୍ ରହିଛି। ଏହା ସୂଚିତ କରୁଛି ଯେ, ଦେଶରେ ବୃଦ୍ଧି ପାଉଛି ଉଦ୍ୟମିତା ସଂସ୍କୃତି। ୬୪ଟି କ୍ରିଟିକାଲ ଟେକ୍ନୋଲଜିକୁ ବିଚାରକୁ ନେଲେ ୪୫ଟି ଦେଶ ମଧ୍ୟରୁ ଭାରତ ପ୍ରଥମ ୫ଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଏହା ଦ୍ୱାରା ଅତ୍ୟାଧୁନିକ ମ୍ୟାନୁଫ୍ୟାକଚରିଂ ଓ ଶିଳ୍ପ ପ୍ରତିସ୍ପର୍ଦ୍ଧାରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କ୍ଷମତାକୁ ଅଧିକ ଶକ୍ତି ମିଳୁଛି।
ନବସୃଜନ ଆଧାରିତ ମ୍ୟାନୁଫ୍ୟାକଚରିଂ ଅଭିବୃଦ୍ଧିର ପ୍ରଭାବ
ଭାରତର ନବସୃଜନ ବ୍ୟବସ୍ଥା ବହୁତ ମଜଭୁତ। ଏହା ଦ୍ୱାରା ଉଚ୍ଚମୂଲ୍ୟଯୁକ୍ତ ମ୍ୟାନୁଫ୍ୟାକଚରିଂ ଦିଗରେ ଏହାର ବିକାଶ ହୋଇଛି । ବିଶ୍ୱସ୍ତରୀୟ ନବସୃଜନ ସୂଚକାଙ୍କରେ ଭାରତ ୨୦୧୯ରେ ୬୬ତମ ସ୍ଥାନରେ ଥିବା ବେଳେ ୨୦୨୫ରେ ଏହା ଉପରକୁ ଉଠି ୩୮ତମ ସ୍ଥାନରେ ପହଞ୍ଚିଛି। ଏହା ହେଉଛି ନିମ୍ନ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକ ମଧ୍ୟର ସବୁଠୁ ଶୀର୍ଷ ସ୍ଥାନ।
ଭାରତ ୨୦୨୪ରେ ଟ୍ରେଡ୍ମାର୍କରେ ବିଶ୍ୱସ୍ତରରେ ଚତୁର୍ଥ ସ୍ଥାନରେ, ପେଟେଣ୍ଟରେ ୬ଷ୍ଠ ସ୍ଥାନରେ ଓ ଶିଳ୍ପ ଡିଜାଇନରେ ସପ୍ତମ ସ୍ଥାନରେ ଥିଲା। ବିଶ୍ୱ ବୌଦ୍ଧିକ ସଂପତ୍ତି ସଂଗଠନ (ଡବ୍ଲୁଆଇପିଓ) ରାଙ୍କରେ ଭାରତର ସ୍ଥାନ ହେଉଛି ଦ୍ୱାଦଶ। ଉଦ୍ୟୋଗିକୀ ନୀତି ଓ ଉଦ୍ୟମିତା ସଂସ୍କୃତି ପାଇଁ ଭାରତକୁ ଏହି ରାଙ୍କ ମିଳିଛି।
କ୍ରିଟିକାଲ ଟେକ୍ନୋଲଜି ଗବେଷଣା ପରିମାଣ ସହିତ ପ୍ରତିରକ୍ଷା, ମହାକାଶ, ରୋବୋଟିକ୍ସ, କ୍ୱାଣ୍ଟମ କମ୍ପ୍ୟୁଟିଂ, ଏଆଇ, ବାଓଟେକ୍, ଆଡଭାନ୍ସ ମଟେରିଆର୍ସ, ଶକ୍ତି ଓ ଯୋଗାଯୋଗରେ ବିଶ୍ୱରେ ଭାରତର ସ୍ଥାନ ଶୀର୍ଷ ୪ଟି ଦେଶ ମଧ୍ୟରେ ରହିଛି।
ଭିତ୍ତିଭୂମି କ୍ଷେତ୍ରର ସଂସ୍କାର ଯୋଗୁଁ ମ୍ୟାନୁଫ୍ୟାକଚରିଂର ବିସ୍ତାର
ସରକାର ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଯେଉଁ ସଂସ୍କାର ଆଣିଛନ୍ତି, ଯୋଗାଯୋଗ, ଶିଳ୍ପ ଭିତ୍ତିଭୂମି ଏବଂ କୌଶଳ ସହାୟତାରେ ଲଗାତର ନିବେଶ ମାଧ୍ୟମରେ ମ୍ୟାନୁଫ୍ୟାକଚରିଂର ବିସ୍ତାର ସମ୍ଭବ ହୋଇପାରୁଛି।
୫୭ଟି ମନ୍ତ୍ରଣାଳୟ ଓ ବିଭାଗର ୧୭୦୦ରୁ ଅଧିକ ଅଧିକ ଡାଟା ସ୍ତରକୁ ଏକାଠି କରି ପିଏମ୍ ଗତିଶକ୍ତି ଏକୀକୃତ ପ୍ଲାଟଫର୍ମ ମାଧ୍ୟମରେ ଭିତ୍ତିଭୂମି ଯୋଜନାକୁ ପରିବର୍ତ୍ତନ କରିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ଗତିଶକ୍ତି ସରକାରୀ ଏବଂ ୟୁନିଫାଏଡ୍ ଜିଓସ୍ପାଟିଆଲ୍ ଇଣ୍ଟରଫେସ୍ ବର୍ତ୍ତମାନ ନିବେଶ ଏବଂ ଲଜିଷ୍ଟିକ୍ସ ଯୋଜନା ପାଇଁ ୨୩୦ ଡାଟାସେଟ୍ ପ୍ରଦାନ କରୁଛନ୍ତି। ରାଜ୍ୟ ସ୍ତରରେ ୨୭ଟି ରାଜ୍ୟ ଲଜିଷ୍ଟିକ୍ସ ନୀତିକୁ ଅଧିସୂଚିତ କରିଛନ୍ତି ଏବଂ ୨୮ଟି ଆକାଂକ୍ଷୀ ଜିଲ୍ଲା ପୂର୍ବରୁ କ୍ଷେତ୍ର ଯୋଜନା ପାଇଁ ଗତିଶକ୍ତି ଜିଲ୍ଲା ମାଷ୍ଟର ପ୍ଲାନ୍ ମଡ୍ୟୁଲ୍ ବ୍ୟବହାର କରୁଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ସମସ୍ତ ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ କାର୍ଯ୍ୟକାରୀ ହେବ।
ଏହାର ପରିପୂରକ ସାଜିଛି ଜାତୀୟ ଲଜିଷ୍ଟିକ୍ସ ନୀତି (ଏନ୍ଏଲ୍ପି) ଯାହାର ଅଧୀନରେ ୟୁନିଫାଏଡ୍ ଲଜିଷ୍ଟିକ୍ସ ଇଣ୍ଟରଫେସ୍ ପ୍ଲାଟଫର୍ମ (ୟୁଏଲ୍ଆଇପି) ମାଧ୍ୟମରେ ଲଜିଷ୍ଟିକ୍ସ ସମନ୍ୱୟକୁ ସୁଦୃଢ଼ କରାଯାଇଛି। ଏହା ୧୧ଟି ମନ୍ତ୍ରଣାଳୟର ୪୪ଟି ବ୍ୟବସ୍ଥାକୁ ସଂଯୋଗ କରୁଛି, ୨୦୦୦ ଡାଟା କ୍ଷେତ୍ରକୁ କଭର କରୁଛି, ୧୭୦୦ରୁ ଅଧିକ କମ୍ପାନୀକୁ ସହଯୋଗ କରୁଛି ଓ ୨୦୦ କୋଟି ଏପିଆଇ କାରବାରକୁ ସକ୍ଷମ କରୁଛି।
ଶିଳ୍ପ କରିଡର ପ୍ରକଳ୍ପ ଧୋଲେରା ଏବଂ ଗ୍ରେଟର ନୋଏଡା ଭଳି ସହରକୁ କାର୍ଯ୍ୟକ୍ଷମ କରିଛି। ଏଥିରେ ୩୫୦ଟି ଶିଳ୍ପ ପ୍ଲଟ୍ ଆବଣ୍ଟିତ ହୋଇଛି ଏବଂ ୨.୦୨ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି। ଏହା ପ୍ରମୁଖ ମହାନଗର ବାହାରେ ନୂଆ ମ୍ୟାନୁଫ୍ୟାକଚରିଂ କେନ୍ଦ୍ରଗୁଡ଼ିକୁ ସହଯୋଗ କରୁଛି।
ଏହି ସବୁ ପଦକ୍ଷେପ ଦେଶରେ ମ୍ୟାନୁଫ୍ୟାକଚରିଂ ପ୍ରତିଯୋଗିତାକୁ ସୁଦୃଢ଼ କରିବା ପାଇଁ ଏକ ସମନ୍ୱିତ ପ୍ରୟାସକୁ ପ୍ରତିଫଳିତ କରୁଛି। କାର୍ଯ୍ୟାନ୍ୱୟନ ଅଗ୍ରଗତି ହେବା ସହିତ ଏହି ପଦକ୍ଷେପଗୁଡ଼ିକ ଶିଳ୍ପ କ୍ଷମତାକୁ ବୃଦ୍ଧି କରିବ, ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ବୃଦ୍ଧି କରିବ ଏବଂ ନିରନ୍ତର ମ୍ୟାନୁଫ୍ୟାକଚରିଂ ଆଧାରିତ ଆର୍ଥିକ ଅଭିବୃଦ୍ଧିରେ ସହଯୋଗ କରିବ ବୋଲି ଆଶା କରାଯାଉଛି।
ଶେଷକଥା
ଭାରତର ମ୍ୟାନୁଫ୍ୟାକଚରିଂ କ୍ଷେତ୍ରର ବିସ୍ତାର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ସରକାରଙ୍କ ଆତ୍ମନିର୍ଭରତା ଏବଂ ସଂକଳ୍ପର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ। କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଉଲ୍ଲେଖ କରାଯାଇଥିବା ୩ଟି ପ୍ରମୁଖ ପ୍ରମୁଖ କର୍ତ୍ତବ୍ୟରେ ଏହା ଆସୁଛି। ପ୍ରତିଯୋଗିତା ମନୋଭାବ, ଟେକ୍ନୋଲଜିର ପ୍ରୟୋଗ, ଯୋଗାଣ ଶୃଙ୍ଖଳା ସମନ୍ୱୟ ଏବଂ କୌଶଳ ବିକାଶ ଉପରେ ନିରନ୍ତର ଧ୍ୟାନ ଯୋଗୁଁ ମ୍ୟାନୁଫ୍ୟାକଚରିଂ ପାଲଟିଛି ଅଭିବୃଦ୍ଧିର ଏକ ସ୍ଥାୟୀ ଇଞ୍ଜିନ।
ମିଳିତ ଭାବେ ଏହି ସବୁ ପ୍ରୟାସ ଆଗାମୀ ଦିନରେ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ, ସ୍ଥିର ଏବଂ ଆତ୍ମନିର୍ଭରଶୀଳ ଅର୍ଥନୈତିକ ଶକ୍ତି ହେବା ଦିଗରେ ଭାରତର ଯାତ୍ରାର କେନ୍ଦ୍ର ବିନ୍ଦୁ ହେବ ମ୍ୟାନୁଫ୍ୟାକଚରିଂ ।
References
Ministry of Finance
https://www.indiabudget.gov.in/economicsurvey/doc/echapter.pdf
https://www.indiabudget.gov.in/doc/budget_speech.pdf
https://www.indiabudget.gov.in/doc/impbud2025-26.pdf
Ministry of Commerce & Industry
https://eaindustry.nic.in/eight_core_infra/eight_infra.pdf
https://www.pib.gov.in/PressNoteDetails.aspx?id=155242&NoteId=155242&ModuleId=3®=3&lang=2
Ministry of Statistics & Programme Implementation
https://www.pib.gov.in/PressReleasePage.aspx?PRID=2219602®=3&lang=2
Reserve Bank of India
https://rbidocs.rbi.org.in/rdocs/Publications/PDFs/IOSR111OCT0120257B0D827F5D6C4B9B9A625D35985D8649.PDF
Other Releases
https://www.pmi.spglobal.com/Public/Home/PressRelease/cf844f6598f24d3d97639f641b315fca
See in PDF
BSP
(ରିଲିଜ ଆଡି: 2228554)
ପରିଦର୍ଶକ କାଉଣ୍ଟର : 6