ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଆଇଆଇଟି ଦିଲ୍ଲୀରେ ସ୍ୱଦେଶୀ ଏଆଇ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ରାଉଣ୍ଡଟେବୁଲ
ପୋଷ୍ଟ କରାଯିବା ଦିନାଙ୍କ:
11 FEB 2026 8:58PM by PIB Bhubaneshwar
- ‘ସ୍ୱଦେଶୀ ଏଆଇ’ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ – ଧର୍ମେନ୍ଦ୍ର ପ୍ରଧାନ
- ଭାରତୀୟ ସଂସ୍କୃତି, ଭାଷା ଏବଂ ପ୍ରସଙ୍ଗକୁ ଆଧାର କରି ନୂତନ ସମାଧାନ ତିଆରି କରିବା
- ଭାରତର ବୈଷୟିକ ସାର୍ବଭୌମତ୍ୱ ଏବଂ ଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର ଗଠନ ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ
- ଆଇଆଇଟି ଦିଲ୍ଲୀ ପରିସରରେ ନୂତନ ଏକାଡେମିକ୍ ବ୍ଲକ ଏବଂ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ
ନୂଆଦିଲ୍ଲୀ, ଫେବୃୟାରୀ ୧୧ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଇଆଇଟି ଦିଲ୍ଲୀ ଗସ୍ତ କରି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା ଭାରତୀୟ ଏଆଇ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି । ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବାରେ ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ।

‘ଭାରତରୁ ବିଶ୍ୱ ପାଇଁ’ ଆଭିମୁଖ୍ୟ ରଖି କାର୍ଯ୍ୟ କରୁଥିବା ଏହି ଷ୍ଟାର୍ଟ-ଅପ୍ ଗୁଡ଼ିକ ବିଶେଷ କରି ଶିକ୍ଷା ବ୍ୟବସ୍ଥାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ର ପ୍ରୟୋଗ ଉପରେ ଦୃଷ୍ଟି ଦେଉଛନ୍ତି । ଏହି ଷ୍ଟାର୍ଟ-ଅପ୍ ପ୍ରତିଷ୍ଠାତାମାନେ ମଧ୍ୟବିତ୍ତ ପରିବାର ଏବଂ ଟିୟର-୩ ସହରରୁ ଆସିଥିବାରୁ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି । ଭାରତର ବାସ୍ତବ ଶିକ୍ଷାଗତ ସମସ୍ୟା ସମାଧାନ କରିବାରେ ସେମାନଙ୍କର ବୁଝାମଣାକୁ ସେ ପ୍ରଶଂସା କରିଛନ୍ତି । ଭାରତୀୟ ସଂସ୍କୃତି, ଭାଷା ଏବଂ ପ୍ରସଙ୍ଗକୁ ଆଧାର କରି ନୂତନ ସମାଧାନ ପ୍ରସ୍ତୁତ କରିବାକୁ ସେ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି । ଭାରତର ବୈଷୟିକ ସାର୍ବଭୌମତ୍ୱ ଏବଂ ଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର (ଡିପିଆଇ) ଗଠନ ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ‘ସ୍ୱଦେଶୀ ଏଆଇ’ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ସେ କହିଛନ୍ତି ।
ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଆଇଆଇଟି ଦିଲ୍ଲୀ ପରିସରରେ ଏକ ନୂତନ ଏକାଡେମିକ୍ ବ୍ଲକ ଏବଂ ଏକ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ନୂତନ ସୁବିଧା ଶିକ୍ଷାର୍ଥୀମାନଙ୍କୁ ଗବେଷଣା ଏବଂ ଏକାଡେମିକ୍ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ ଏବଂ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସୁକାନ୍ତ ମଜୁମଦାର ମଧ୍ୟ ଉପସ୍ଥିତ ଥିଲେ ।
***
(ରିଲିଜ ଆଡି: 2226781)
ପରିଦର୍ଶକ କାଉଣ୍ଟର : 8