କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ମାଣ୍ଡିଆ ଦିବସ ସମାରୋହରେ ମିଲେଟ ପ୍ରୋତ୍ସାହନରେ ଓଡ଼ିଶାର ଅଗ୍ରଣୀ ଭୂମିକା ଉପରେ ଆଲୋକପାତ କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ

Posted On: 10 NOV 2025 5:41PM by PIB Bhubaneshwar
  • ଓଡ଼ିଶା ଶ୍ରୀ ଅନ୍ନର ସଂକଳ୍ପକୁ କାର୍ଯ୍ୟରେ ପରିଣତ କରିଛି, ସମଗ୍ର ଦେଶ ପାଇଁ ଏକ ପ୍ରେରଣାଦାୟକ ମଡେଲ ପ୍ରତିଷ୍ଠା କରିଛି: କେନ୍ଦ୍ର କୃଷି ମନ୍ତ୍ରୀ
  • ମଧ୍ୟାହ୍ନ ଭୋଜନରେ ମିଲେଟ୍‌ ବ୍ୟବହାର କରିବାକୁ ଆହ୍ୱାନ ଦେଲେ ଶ୍ରୀ ଚୌହାନ, ଓଡ଼ିଶାର ମହିଳା ଚାଷୀ ଏବଂ ମିଲେଟ୍‌ ମିଶନକୁ କଲେ ପ୍ରଶଂସା 
  • ମିଲେଟ୍‌ ଓଡ଼ିଶାର ଐତିହ୍ୟ ଏବଂ ଭବିଷ୍ୟତକୁ ପ୍ରତିଫଳିତ କରେ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର, 10 ନଭେମ୍ବର: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ଭୁବନେଶ୍ୱରର ଲୋକ ସେବା ଭବନସ୍ଥିତ ସମ୍ମିଳନୀ କକ୍ଷ ‘‘ମାଣ୍ଡିଆ ଦିବସ’’ ସମାରୋହକୁ ଉଦଘାଟନ କରିଛନ୍ତି । ଏହାସହିତ ସେ ଭାରତର ଶ୍ରୀଅନ୍ନ ବା ମିଲେଟ୍‌ ଆନ୍ଦୋଳନକୁ ଏକ ଜନ ଅଭିଯାନରେ ପରିଣତ କରିବାରେ ଓଡ଼ିଶାର ଅନୁକରଣୀୟ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି।


ତାଙ୍କ ଉଦଘାଟନୀ ଭାଷଣରେ ଶ୍ରୀ ଚୌହାନ କହିଥିଲେ, ମାଣ୍ଡିଆ ଦିବସ କେବଳ ଉତ୍ସବର ଦିନ ନୁହେଁ, ଏହା ଶ୍ରୀଅନ୍ନର ପ୍ରଚାର ପାଇଁ ଏକ ଅର୍ଥପୂର୍ଣ୍ଣ ଅଭିଯାନକୁ ପ୍ରତିନିଧିତ୍ୱ କରେ। ଅନେକ ଏହା ବିଷୟରେ କହିଛନ୍ତି, କିନ୍ତୁ ଓଡ଼ିଶା ପ୍ରକୃତରେ ଏହି ସଂକଳ୍ପକୁ ବାସ୍ତବରେ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିଛି। ଏହି ଉଲ୍ଲେଖନୀୟ ପ୍ରୟାସ ପାଇଁ ମୁଁ ଓଡ଼ିଶା ସରକାରଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି’’, ସେ କହିଥିଲେ।
ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଶ୍ରୀଅନ୍ନ କେବଳ ଏକ ଶସ୍ୟ ନୁହେଁ, ବରଂ ଭବିଷ୍ୟତ ପିଢ଼ି ପାଇଁ ପୁଷ୍ଟିସାର, ଜଳ ସଂରକ୍ଷଣ, ପରିବେଶଗତ ଯତ୍ନ ଏବଂ ଦୀର୍ଘସ୍ଥାୟିତ୍ୱର ପ୍ରତୀକ। ‘‘ଶ୍ରୀଅନ୍ନ ଶରୀର ଏବଂ ପୃଥିବୀ ଉଭୟକୁ ପୋଷଣ କରେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ, ମାଣ୍ଡିଆ ଏବେ ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରିଛି,’’ ସେ ଆହୁରି ମଧ୍ୟ କହିଥିଲେ।
ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଥିଲେ ଯେ ମିଲେଟର ପୁଷ୍ଟିକର ଏବଂ ପରିବେଶଗତ ମୂଲ୍ୟ ବିଷୟରେ ସଚେତନତା ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। "ଏହା କେବଳ ଭାଷଣ ମାଧ୍ୟମରେ ହାସଲ କରାଯାଇପାରିବ ନାହିଁ। ଆମକୁ ଚାଷୀ ଏବଂ ନାଗରିକଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବାକୁ ପଡିବ। ଶ୍ରୀଅନ୍ନ ବିଷୟରେ ସଚେତନତା ପ୍ରସାର କରିବାକୁ ପଡିବ ଏବଂ ମିଲେଟ୍‌-ଆଧାରିତ ଜୀବିକାକୁ ସୁଦୃଢ଼ କରିବାକୁ ପଡିବ," ସେ କହିଥିଲେ।
ସେ ବୈଜ୍ଞାନିକମାନଙ୍କୁ ଗବେଷଣା ଓ ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଅନ୍ୟ ଫସଲ ତୁଳନାରେ ଶ୍ରୀଅନ୍ନ ଚାଷ କମ ଖର୍ଚ୍ଚରେ ହୋଇଥାଏ। ସେ କହିଥିଲେ, ମିଲେଟ୍‌ ମୂଲ୍ୟ ଶୃଙ୍ଖଳରେ ପ୍ରକ୍ରିୟାକରଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂଯୋଗ। କେବଳ ମିଲେଟ୍‌ ପ୍ରୋତ୍ସାହନ ଦିଗରେ ନୁହେଁ ବରଂ ସର୍ବନିମ୍ନ ସହାୟକ ମୂଲ୍ୟରେ ଶ୍ରୀ ଅନ୍ନ କ୍ରୟ କରିବାରେ ମଧ୍ୟ ଦେଶକୁ ଦିଗଦର୍ଶନ ଦେଖାଇବା ପାଇଁ ଓଡ଼ିଶାକୁ କେନ୍ଦ୍ର କୃଷି ମନ୍ତ୍ରୀ ପ୍ରଶଂସା କରିଥିଲେ। ଓଡ଼ିଶା ଏକ ପ୍ରେରଣାଦାୟକ ଉଦାହରଣ ଭାବରେ ଠିଆ ହୋଇଛି ସେ କହିଥିଲେ।
ପୁଷ୍ଟିସାଧନ ଯୋଜନାରେ ମିଲେଟକୁ ସାମିଲ କରିବାକୁ ଉତ୍ସାହିତ କରି ସେ ପରାମର୍ଶ ଦେଇଥିଲେ ଯେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ମାଣ୍ଡିଆକୁ ସାମିଲ କରାଯିବା ଉଚିତ ଏବଂ ସମସ୍ତ ସରକାରୀ ବିଭାଗରେ ଶ୍ରୀଅନ୍ନ ଦୋକାନ ଖୋଲିବା ଉଚିତ, ଯାହା ଦ୍ଵାରା ଅନ୍ୟ ରାଜ୍ୟଗୁଡ଼ିକ ଓଡ଼ିଶାର ମଡେଲକୁ ଅନୁକରଣ କରିପାରିବେ। ସେ ଓଡ଼ିଶାରେ ମହିଳା ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି କହିଥିଲେ, ମହିଳାମାନଙ୍କ ବିନା କୃଷି ପ୍ରଗତି କରିପାରିବ ନାହିଁ। ଓଡ଼ିଶାର ମହିଳାମାନେ ଆଗକୁ ବଢ଼ିଛନ୍ତି ଏବଂ କୃଷି କ୍ଷେତ୍ରରେ ଆଗେଇ ଆସୁଛନ୍ତି।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଦେଶ ଲକ୍ଷ ଲକ୍ଷ ଚାଷୀଙ୍କୁ ଲାଭ ପହଞ୍ଚାଉଥିବା ଅନେକ କୃଷି ଯୋଜନାର ସଫଳ ରୂପାୟନ ଦେଖିଛି। ସେ ଆହୁରି ମଧ୍ୟ କହିଥିଲେ, କୃଷି ହେଉଛି ଓଡ଼ିଶା ଅର୍ଥବ୍ୟବସ୍ଥାର ସ୍ତମ୍ଭ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶନରେ ଆମର କୃଷକ ଭାଇ ଓ ଭଉଣୀମାନେ ବହୁତ ଆଗକୁ ବଢ଼ିଛନ୍ତି। ପୁଷ୍ଟିସାରରେ ଭରପୂର ଶ୍ରୀଅନ୍ନ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ଏବଂ ମିଲେଟ୍‌ ମିଶନ ମାଧ୍ୟମରେ ଓଡ଼ିଶାର କ୍ଷୁଦ୍ର ଏବଂ ମହିଳା ଚାଷୀମାନେ ଦ୍ରୁତ ଗତିରେ ଅଗ୍ରଗତି କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଡକ୍ଟର ୟୋଭନ୍ ପିଣ୍ଟୋ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଏବଂ ଏମଏସ ସ୍ୱାମୀନାଥନ ରିସୋର୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଡକ୍ଟର ସୌମ୍ୟା ସ୍ୱାମୀନାଥନ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଭାରତ ଦେଶ ନିର୍ଦ୍ଦେଶକ ମିସ୍ ଏଲିଜାବେଥ୍ ଫାଉର, ଓଡ଼ିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, କୃଷି ଏବଂ କୃଷକ ସଶକ୍ତିକରଣ ନିର୍ଦ୍ଦେଶକ ଶୁଭମ୍ ସକ୍ସେନାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଏବଂ ଗବେଷକମାନେ ଉପସ୍ଥିତ ଥିଲେ।
*******
PS


(Release ID: 2188589) Visitor Counter : 16