ଲୋକସଭା ସଚିବାଳୟ
ଲୋକ ସଭାର ବାଚସ୍ପତି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଦିଗରେ ସମର୍ପିତ ହେବାପାଇଁ ଯୁବପିଢିଙ୍କୁ ଅନୁରୋଧ କରିଥିଲେ
ବିକଶିତ ଦେଶ ଆଡକୁ ଦୃଷ୍ଟି ଦେବା ପରିବର୍ତ୍ତେ ଆମ ଯୁବପିଢ଼ି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଉଚିତ: ଲୋକସଭା ବାଚସ୍ପତି।
ଗରିବ, ଅବହେଳିତ ଏବଂ ସମାଜର ଅତ୍ୟନ୍ତ ନିମ୍ନସ୍ତରରେ ଥିବା ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଶିକ୍ଷାର ସଫଳତା ଜରୁରୀ: ଲୋକସଭା ବାଚସ୍ପତି ।
ଗଣତନ୍ତ୍ର ଭାବେ ଭାରତର ସଫଳ ଯାତ୍ରା ବିଶ୍ୱ ପାଇଁ ପ୍ରେରଣା: ଲୋକସଭା ବାଚସ୍ପତି।
ଲୋକସଭା ବାଚସ୍ପତି ଭାରତୀ ବିଦ୍ୟାପୀଠ, ପୁଣେର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି।
Posted On:
27 FEB 2025 7:29PM by PIB Bhubaneshwar
ଲୋକ ସଭାର ବାଚସ୍ପତି ଓମ୍ ବିର୍ଲା ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଦିଗରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦେଇଥିଲେ। ନୂତନ ଭାରତରେ ବିଭିନ୍ନ କ୍ଷେତ୍ରରେ ଅନେକ ସୁଯୋଗ ତଥା ବ୍ୟାପକ ସମ୍ଭାବନା ରହିଛି ବୋଲି ଗୁରୁତ୍ୱାରୋପ କରି ୨୦୪୭ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଲକ୍ଷ୍ୟ ହାସଲ କରିବା ପାଇଁ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ନେତୃତ୍ୱ ନେବାକୁ ସେ ଯୁବବର୍ଗଙ୍କୁ ଆହ୍ୱାନ କରିଥିଲେ।
ଭାରତୀ ବିଦ୍ୟାପୀଠର ୨୬ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବିର୍ଲା ଏହି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଭାରତୀୟ ଯୁବକମାନେ ପ୍ରଥମରୁ ହିଁ ନିଜର ଜ୍ଞାନ, କ୍ଷମତା ଓ ଦକ୍ଷତା ବଳରେ ବିଶ୍ୱର ନେତୃତ୍ୱ ନେଉଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ବିକଶିତ ଦେଶର ସମୃଦ୍ଧିରେ ଭାରତୀୟ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
ଶ୍ରୀ ବିର୍ଲା କହିଥିଲେ, ଆଜିର ଭାରତ ନୂତନ ସୁଯୋଗ ସହିତ ସମୃଦ୍ଧି ପଥରେ ଆଗେଇ ଚାଲିଛି। ସେ କହିଥିଲେ, ଭାରତୀୟ ଯୁବକମାନେ ନିଜର ଭବିଷ୍ୟତ ପାଇଁ ବିକଶିତ ଦେଶପ୍ରତି ଦୃଷ୍ଟି ଦେବା ପରିବର୍ତ୍ତେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ନିଜର ପ୍ରତିଭା ଓ ଶକ୍ତିକୁ ଧ୍ୟାନ ଦେବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତୀୟ ଯୁବକମାନଙ୍କର ବୈଶ୍ୱିକ ଆହ୍ୱାନର ସମାଧାନ କରିବାର ସାମର୍ଥ୍ୟ ରହିଛି, ଏବଂ ଜ୍ଞାନ, ବୁଦ୍ଧି ଏବଂ କ୍ଷମତାରେ ପରିଚାଳିତ ଭାରତ ବୈଶ୍ୱିକ ଆହ୍ୱାନର ନୂତନ ସମାଧାନ ପ୍ରଦାନ କରିବାରେ ନେତୃତ୍ୱ ନେବ। ସେ ଯୁବକମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା, କଠିନ ପରିଶ୍ରମ କରିବା ଏବଂ ଦେଶର ପ୍ରଗତିରେ ଭାଗୀଦାର ହେବାକୁ ଆହ୍ୱାନ ଦେଇଥିଲେ। ଶ୍ରୀ ବିର୍ଲା କହିଥିଲେ ଯେ, ଶିକ୍ଷା ସେତିକିବେଳେ ସଫଳ ହୋଇପାରିବ ଯେତେବେଳେ ସମାଜର ଗରିବ, ଅବହେଳିତ ଏବଂ ନିମ୍ନସ୍ତରରେ ଥିବା ଲୋକଙ୍କ ପାଖରେ ଏହାର ଲାଭ ପହଞ୍ଚିପାରିବ।
ବିଗତ ୭୫ ବର୍ଷର ଭାରତର ଯାତ୍ରା ବିଷୟରେ ଆଲୋକପାତ କରି ଶ୍ରୀ ବିର୍ଲା କହିଥିଲେ ଯେ ଗଣତନ୍ତ୍ର ଭାବରେ ଭାରତର ସଫଳ ଯାତ୍ରା ବିଶ୍ୱ ପାଇଁ ପ୍ରେରଣା ଏବଂ ଆଜି ଅନ୍ୟ ଦେଶ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଆଡକୁ ଚାହିଁ ରହିଛନ୍ତି ।
ମହାରାଷ୍ଟ୍ରର ଗୌରବମୟ ଇତିହାସ ଉପରେ ଆଲୋକପାତ କରି ଶ୍ରୀ ବିର୍ଲା କହିଥିଲେ ଯେ ମହାରାଷ୍ଟ୍ର ହେଉଛି ସଂଘର୍ଷ ତଥା ସାମାଜିକ ଓ ଆଧ୍ୟାତ୍ମିକତାର ଭୂମି। ଶିବାଜୀଙ୍କ ବୀରତ୍ୱ, ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ଅବଦାନ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହି ବ୍ୟକ୍ତିତ୍ୱମାନେ ଭାରତର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ।
ସମାବର୍ତ୍ତନ ଉତ୍ସବ ଅବସରରେ ଶ୍ରୀ ବିର୍ଲା ଭାରତୀ ବିଦ୍ୟାପୀଠର ସଫଳ ବିଦ୍ୟାର୍ଥୀମାନଙ୍କୁ ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରିଥିଲେ।
ଲୋକ ସଭାର ବାଚସ୍ପତି ଶ୍ରୀ ଓମ୍ ବିର୍ଲା ୨୭ ଫେବୃୟାରୀ ୨୦୨୬ରେ ଭାରତୀ ବିଦ୍ୟାପୀଠ, ପୁଣେର ୨୬ତମ ସମାବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ।
MT
(Release ID: 2107360)