ରାଷ୍ଟ୍ରପତିଙ୍କ ସଚିବାଳୟ
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକୀ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
04 DEC 2024 7:19PM by PIB Bhubaneswar
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଡିସେମ୍ବର ୪, ୨୦୨୪) ପୁରୀଠାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ, ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସମୟ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ଥ୍ରୀ-ଡି ପ୍ରିଣ୍ଟିଂ ଭଳି ଟେକ୍ନୋଲୋଜି ଉଭୟ ଅଧ୍ୟୟନ ଓ ବିକାଶରେ ସହାୟକ ହେଉଛି। ଆମକୁ ବର୍ତ୍ତମାନର ଆବଶ୍ୟକତାକୁ ଚିହ୍ନିବାକୁ ହେବ ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ । କିନ୍ତୁ ଆମର ଅତୀତକୁ ନ ଜାଣି ଆମେ ବର୍ତ୍ତମାନକୁ ବୁଝିପାରିବା ନାହିଁ କି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିପାରିବା ନାହିଁ । ଆମର ଗୌରବମୟ ଅତୀତ ବିଷୟରେ ଆମେ ସଚେତନ ହେବା ଉଚିତ୍ । ଭାରତରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ଜ୍ୟୋତିଷ ଶାସ୍ତ୍ର, ଔଷଧ, ଗଣିତ ଓ ସ୍ଥାପତ୍ୟ କ୍ଷେତ୍ରରେ ସମୃଦ୍ଧ ପରମ୍ପରା ରହିଛି। ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତ, ବରାହମିହିର ଓ ଭାସ୍କରାଚାର୍ଯ୍ୟଙ୍କ ଭଳି ବୈଜ୍ଞାନିକମାନେ ଦେଶର ବିଜ୍ଞାନ କ୍ଷେତ୍ରକୁ ସମୃଦ୍ଧ କରିଛନ୍ତି। ସେହିପରି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚରକ ଓ ସୁଶ୍ରୁତଙ୍କ ଅବଦାନ ଉଲ୍ଲେଖନୀୟ।
ରାଷ୍ଟ୍ରପତି କହିଥିଲେ ଯେ ପାରମ୍ପରିକ ଭାରତୀୟ ଚିକିତ୍ସା ପଦ୍ଧତି ନିରାକରଣ ଏବଂ ଚିକିତ୍ସାକୁ ସମାନ ଗୁରୁତ୍ୱ ଦେଇଥାଏ । ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଡାକ୍ତର ଭାବେ କାର୍ଯ୍ୟ କରିବା ସହ ଆୟୁର୍ବେଦ କ୍ଷେତ୍ରରେ ଅସ୍ପର୍ଶ ହୋଇ ରହିଥିବା ଦିଗ ଉପରେ ଗବେଷଣା କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଗବେଷଣା ଏହି ପ୍ରାଚୀନ ଚିକିତ୍ସା ପଦ୍ଧତିର ପ୍ରାମାଣିକତାକୁ ଦୃଢ଼ ଭାବେ ପ୍ରତିଷ୍ଠା କରିବ ଏବଂ ସମଗ୍ର ବିଶ୍ୱରେ ଏହାର ସ୍ୱୀକୃତି ବୃଦ୍ଧି କରିବ ।
ରାଷ୍ଟ୍ରପତି କହିଥିଲେ ଯେ ଆଦିବାସୀ ଲୋକମାନେ ପ୍ରାଚୀନ କାଳରୁ ଚେରମୂଳି ଏବଂ ଏହାର ଔଷଧୀୟ ଉପକାରିତା ବିଷୟରେ ଜାଣିଛନ୍ତି । କିନ୍ତୁ ଏହି ପାରମ୍ପରିକ ଜ୍ଞାନ ଏବେ ଧିରେ ଧିରେ ଲୋପ ପାଇବାରେ ଲାଗିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଚିକିତ୍ସା ପଦ୍ଧତିର ବୈଜ୍ଞାନିକ ଭିତ୍ତିଭୂମି ଅନୁସନ୍ଧାନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଏପରି କରିବା ଦ୍ୱାରା ସେମାନେ ଏହି ପାରମ୍ପରିକ ବ୍ୟବସ୍ଥାକୁ ବିଲୁପ୍ତ ହେବାରୁ ରକ୍ଷା କରିବେ ବୋଲି ସେ କହିଛନ୍ତି।
********
P.S/Swadhin/Manoj
(ରିଲିଜ ଆଡି: 2080859)
ପରିଦର୍ଶକ କାଉଣ୍ଟର : 48