ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
azadi ka amrit mahotsav

ଭୁବନେଶ୍ୱରରେ ଆରମ୍ଭ ହେଲା ଦିବ୍ୟ କଳା ମେଳା କାର୍ଯ୍ୟକ୍ରମ



କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ

ଦିବ୍ୟାଙ୍ଗଜନଙ୍କ ସୃଜନଶୀଳତା ଓ ପ୍ରତିଭାର ଏକ ଅଭିନବ ସଂଗମ

ଦକ୍ଷତା ଏବଂ ସୃଜନଶୀଳତାକୁ ପ୍ରଦର୍ଶିତ କରିବା ଲାଗି ଭାରତ ସରକାରଙ୍କ ଦିବ୍ୟାଙ୍ଗ ଜନ ସଶକ୍ତୀକରଣ ବିଭାଗ ଦ୍ୱାରା ଏକ ଭବ୍ୟ କାର୍ଯ୍ୟକ୍ରମ

ପୋଷ୍ଟ କରାଯିବା ଦିନାଙ୍କ: 05 JUL 2024 6:50PM by PIB Bhubaneswar
  •  

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବି.ଏଲ. ବର୍ମାଙ୍କ ଦ୍ୱାରା ଆଜି ଭୁବନେଶ୍ୱରର କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ ଠାରେ ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ଉନ୍ନୟନ ନିଗମ (ଏନ୍ଏଚ୍ଏଫଡିସି) ସହଯୋଗରେ ଭୁବନେଶ୍ୱରରେ ଦିବ୍ୟାଙ୍ଗ ଉଦ୍ୟୋଗୀ, କାରିଗର ଓ ଶିଳ୍ପୀଙ୍କ ପ୍ରତିଭା ଓ କାରିଗରୀ କୌଶଳକୁ ସମ୍ମାନ ଜଣାଇ ‘ଦିବ୍ୟ କଳା ମେଳା’ ଆୟୋଜନ କରାଯାଉଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)ରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁଲାଇ ୧୧ ପର୍ଯ୍ୟନ୍ତ ଚାଲିବ ।

କେନ୍ଦ୍ର ମନ୍ତ୍ରୀ ବି.ଏଲ୍ ବର୍ମା ତାଙ୍କ ଅଭିଭାଷଣରେ କହିଥିଲେ, ‘‘ଆଜି ଆମେ ‘ସାମର୍ଥ୍ୟ’ ପ୍ରଦର୍ଶନ କରୁଛୁ। ‘ଦିବ୍ୟ କଳା ମେଳା’ରେ ଅଂଶଗ୍ରହଣ କରୁଥିବା ଆମର ଦିବ୍ୟାଙ୍ଗ ଭାଇ ଭଉଣୀମାନେ ସେମାନଙ୍କର ଅନନ୍ୟ ଏବଂ ମୂଲ୍ୟବାନ ଦକ୍ଷତା, ପ୍ରତିଭା ଏବଂ ଉଦ୍ୟମିତା ଜରିଆରେ ସୀମାତୀତ ପ୍ରଦର୍ଶନ କରୁଛନ୍ତି। ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗୀତ, ନୃତ୍ୟ ଏବଂ ଅଭିବ୍ୟକ୍ତିରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କେବଳ ଆମର ମନୋରଞ୍ଜନ କରୁ ନାହିଁ ବରଂ ଆମକୁ ସେମାନଙ୍କର ଉତ୍ସାହ ଓ ସମର୍ପଣ ଦ୍ୱାରା ପ୍ରେରଣା ଦେଉଛି । ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟାଙ୍ଗ ଜନଙ୍କ ସହିତ ସର୍ବଦା ଭାବପ୍ରବଣପୂର୍ଣ୍ଣ ସମ୍ପର୍କ ରଖିଛନ୍ତି । ତାଙ୍କର ଲକ୍ଷ୍ୟ ହେଉଛି ଦେଶର ସାମଗ୍ରିକ ସଶକ୍ତୀକରଣ ପାଇଁ ସମାଜର ପ୍ରତ୍ୟେକ ବର୍ଗର ସଶକ୍ତୀକରଣ ଜରୁରୀ ବୋଲି ବିଶ୍ୱାସ କରି ସେମାନଙ୍କୁ ସଶକ୍ତ କରିବା । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅଧୀନରେ ଆମ ସରକାର ଦିବ୍ୟାଙ୍ଗଜନଙ୍କୁ ଉପକୃତ କରିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି’’, ସେ କହିଥିଲେ।

ଶ୍ରୀ ବର୍ମା କହିଥିଲେ, ‘‘ପ୍ରଥମ ଥର ଓଡ଼ିଶାରେ, ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ଆମେ ଏହି ଚମତ୍କାର ଦିବ୍ୟ କଳା ମେଳା ଓ ନିଯୁକ୍ତି ମେଳା ଆୟୋଜନ କରୁଛୁ। ସମାବେଶୀ ବିକାଶ ଓ ଏକ ସଶକ୍ତ ସମାଜ ଗଠନ କରିବା ଲାଗି ଏସବୁ ପ୍ରତିଭା ସମ୍ପନ୍ନ ଉଦ୍ୟୋଗୀଙ୍କୁ ସ୍ୱାଗତ କରିବା, ପ୍ରଶଂସା କରିବା ଓ ସମ୍ମାନିତ କରିବା ଆମର କର୍ତ୍ତବ୍ୟ।’’

ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଉପ ମହାନିର୍ଦ୍ଦେଶକ ଶ୍ରୀ କିଶୋର ବି. ସୁରୱଡ଼େ କହିଥିଲେ, ‘‘ଆମର ଉଦ୍ଦେଶ୍ୟ ହେଉଛି ଏକ ସମାବେଶୀ ସମାଜ ଗଠନ କରିବା ଯେଉଁଠାରେ ଆମ ଦେଶର ଦିବ୍ୟାଙ୍ଗ ବ୍ୟକ୍ତିମାନେ ସେମାନଙ୍କ ବିକାଶ ପାଇଁ ସମାନ ସୁଯୋଗ ପାଇବେ, ସେମାନଙ୍କର ଶାରୀରିକ, ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସଶକ୍ତୀକରଣ ହୋଇପାରିବ, ଯାହା ଦ୍ୱାରା ସେମାନେ ଉତ୍ପାଦକ, ନିରାପଦ ଏବଂ ସମ୍ମାନଜନକ ଜୀବନ ଯାପନ କରିପାରିବେ ।’’

ସୂଚନାଯୋଗ୍ୟ, ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ । ମେଳାରେ ପ୍ରାୟ ୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ଏହି ମେଳାରେ ପ୍ରଦର୍ଶିତ ହୋଇଛି । ଆଗନ୍ତୁକମାନେ ଏଠାରେ ବିଭିନ୍ନ ବର୍ଗର ବ୍ୟାପକ ଉତ୍ପାଦ ପାଇପାରିବେ ।

 

******

P.S/Swadhin/PIB Bhubaneswar


(ରିଲିଜ ଆଡି: 2031138) ପରିଦର୍ଶକ କାଉଣ୍ଟର : 115
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Hindi_MP , Tamil , Telugu