ରାଷ୍ଟ୍ରପତିଙ୍କ ସଚିବାଳୟ
ମହିମା ସଂପ୍ରଦାୟର ସଭାକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
02 MAR 2024 7:52PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ମାର୍ଚ୍ଚ ୨, ୨୦୨୪) ସମ୍ବଲପୁରର ମିନି ଷ୍ଟାଡିୟମରେ ମହିମା ସଂପ୍ରଦାୟର ଏକ ସଭାକୁ ସମ୍ବୋଧିତ କରିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ସନ୍ଥ କବି ଭୀମ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଶିକ୍ଷା ଓ ଆଦର୍ଶ ତାଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ବୋଲି କହିଥିଲେ।
ବିନା ଆନୁଷ୍ଠାନିକ ଶିକ୍ଷାରେ ମଧ୍ୟ ଉନ୍ନତମାନର ସାହିତ୍ୟ ସୃଷ୍ଟି ହୋଇପାରିବ ତାହାର ଏକ ଅନନ୍ୟ ଉଦାହରଣ ହେଉଛନ୍ତି ସନ୍ଥ କବି ଭୀମ ଭୋଇ ବୋଲି ରାଷ୍ଟ୍ରପତି କହିଥିଲେ। ସନ୍ଥ କବି ଭୀମ ଭୋଇଙ୍କର ଅନନ୍ୟ ଜ୍ଞାନ ଉପରେ ସେ ଆଲୋକପାତ କରିଥିଲେ। ସେଥିପାଇଁ ସେ ଅନେକ କାଳଜୟୀ କବିତା ରଚନା କରିଛନ୍ତି, ଯାହା ଆଜି ବି ସବୁଠି ଗାନ କରାଯାଏ ।
ଭୀମ ଭୋଇଙ୍କ କାର୍ଯ୍ୟରେ ସାମାଜିକ ସମାନତା ଓ ସମସ୍ତଙ୍କ ହିତ ପ୍ରତିଫଳିତ ହୋଇଥାଏ ଏବଂ ତାହା ସର୍ବଦା ପ୍ରାସଙ୍ଗିକ ରହିବ ବୋଲି ରାଷ୍ଟ୍ରପତି କହିଥିଲେ। ଭୀମ ଭୋଇଙ୍କ ଆଦର୍ଶକୁ ଗ୍ରହଣ କରିବାକୁ ସେ ଯୁବପିଢ଼ିଙ୍କୁ ଅନୁରୋଧ କରିଥିଲେ।
ରାଷ୍ଟ୍ରପତି କହିଥିଲେ ଯେ ମହିମା ଗୋସାଇଁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମହିମା ସଂପ୍ରଦାୟ ଜାତି ଆଧାରରେ ଭେଦଭାବ କରେ ନାହିଁ। ତେଣୁ ସମାଜର ପ୍ରାୟ ସବୁ ବର୍ଗର ଲୋକ ଏହି ସମ୍ପ୍ରଦାୟ ପ୍ରତି ଆକର୍ଷିତ ହୋଇଥିଲେ। ଭୀମ ଭୋଇ ନିଜ ଭାଷଣ, ଗୀତ ଓ କବିତା ମାଧ୍ୟମରେ ସମାଜରେ ସମାନତା ଆଣିବା ଏବଂ ଏହି ସଂପ୍ରଦାୟର ଦର୍ଶନକୁ ପ୍ରସାରିତ କରିବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ।
ଭୀମ ଭୋଇଙ୍କ କାର୍ଯ୍ୟ କାଳଜୟୀ ଏବଂ ମାନବ କଲ୍ୟାଣ ପାଇଁ ସୃଷ୍ଟି ହୋଇଛି ବୋଲି ରାଷ୍ଟ୍ରପତି କହିଥିଲେ। ତାଙ୍କର ଶିକ୍ଷା ଓ ଆଦର୍ଶ କେବଳ ଓଡ଼ିଶାରେ ସୀମିତ ରହିବା ଉଚିତ ନୁହେଁ। ତାଙ୍କ ଜୀବନୀ ଓ ଲେଖାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ସମଗ୍ର ଭାରତ ଓ ବିଶ୍ୱରେ ପ୍ରସାରିତ କରାଯିବା ଆବଶ୍ୟକ।
ରାଷ୍ଟ୍ରପତି କହିଥିଲେ ଯେ ସାଧୁସନ୍ଥଙ୍କ ଆସନ ତୀର୍ଥସ୍ଥଳୀ ଭଳି ପବିତ୍ର । ସେମାନେ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ଆମେ ସେମାନଙ୍କ ଆଦର୍ଶକୁ ଅନୁସରଣ କରିବା ଉଚିତ ଏବଂ ଦେଶ ନିର୍ମାଣରେ ନିଜକୁ ଉତ୍ସର୍ଗ କରିବା ଉଚିତ୍ ।
ଏହା ପୂର୍ବରୁ ରାଷ୍ଟ୍ରପତି ସନ୍ଥ କବି ଭୀମ ଭୋଇଙ୍କୁ ତାଙ୍କ ଜନ୍ମସ୍ଥାନ ରେଢ଼ାଖୋଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କନ୍ଧରାସ୍ଥିତ ଦିବ୍ୟ ଜ୍ୟୋତି ଓ ଜ୍ଞାନ ପୀଠ ସହ କଙ୍କଣାପଡ଼ାସ୍ଥିତ ସନ୍ଥ କବି ଭୀମ ଭୋଇଙ୍କ ମନ୍ଦିର ଓ ଆଶ୍ରମ ପରିଦର୍ଶନ କରିଥିଲେ।
BS
(ରିଲିଜ ଆଡି: 2010996)
ପରିଦର୍ଶକ କାଉଣ୍ଟର : 141