କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କୁ ଭେଟିଲେ ମିଜୋରାମ ମୁଖ୍ୟମନ୍ତ୍ରୀ

Posted On: 11 FEB 2024 5:49PM by PIB Bhubaneshwar

ଏବେ ଜାତୀୟ ରାଜଧାନୀ ଗସ୍ତରେ ଥିବା ମିଜୋରାମ ମୁଖ୍ୟମନ୍ତ୍ରୀ ଶ୍ରୀ ଲାଲଦୁହୋମା କେନ୍ଦ୍ର ବିଜ୍ଞାନ ଏବଂ ଟେକ୍ନୋଲୋଜି, ଏମ୍‌ଓଏସ୍ ପିଏମ୍‌ଓ, କାର୍ମିକ ଏବଂ ସାଧାରଣ ଅଭିଯୋଗ, ପେନ୍‌ସନ, ମହାକାଶ ଏବଂ ପରମାଣୁ ଶକ୍ତି  ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂଙ୍କୁ ଆଜି ନୂଆଦିଲ୍ଲୀରେ ଭେଟିଛନ୍ତି । ରାଜ୍ୟରେ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ନିଯୁକ୍ତି ସହ ରାଜ୍ୟ ସହ ସମ୍ବନ୍ଧିତ  ଅନେକ ପ୍ରସଙ୍ଗରେ ସେ ଆଲୋଚନା କରିଛନ୍ତି ।

 

ଡ. ଜିତେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋତ୍ତର କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ଏବଂ ସେ ଏହି କ୍ଷେତ୍ରରେ ଥିବା ସମସ୍ତ ୮ ରାଜ୍ୟରେ ସମାନ ବିକାଶ ସୁନିଶ୍ଚିତ କରିବା ପାଇଁ ଆଗ୍ରହୀ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ନରେନ୍ଦ୍ର ମୋଦୀ ୬୫ରୁ ଅଧିକ ଥର ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଗସ୍ତ କରିଛନ୍ତି, ଯାହା କି ସମ୍ଭବତଃ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ମୋଟ ଗସ୍ତଠାରୁ ଅଧିକ । ସେ କହିଥିଲେ, ମିଜୋରାମ ଏକ ଛୋଟ ରାଜ୍ୟ ହୋଇଥିଲେ ବି ପ୍ରଧାନମନ୍ତ୍ରୀ ମୋଦୀ ସମୟ-ସମୟରେ ଏହି ରାଜ୍ୟ ଗସ୍ତ କରୁଛନ୍ତି ଏବଂ ସେଠାରେ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରୁଛନ୍ତି ।

 

ଡ. ଜିତେନ୍ଦ୍ର ସିଂ ମନେ ପକାଇଥିଲେ ଯେ, ପୂରା ଉପମହାଦ୍ୱୀପରେ ଉତ୍କୃଷ୍ଟତାର କେନ୍ଦ୍ର ମଧ୍ୟରୁ ଗୋଟିଏ, ମିଜୋରାମରେ ଏକ ସ୍ୱତନ୍ତ୍ର ‘ସାଇଟ୍ରସ୍ ଫ୍ରୁଟ୍ ପାର୍କ’କୁ ମୋଦୀ ସରକାରଙ୍କ ଦ୍ୱାରା ଇସ୍ରାଏଲ ସହଯୋଗରେ ସ୍ଥାପନ ହୋଇଥିଲା । ସେ କହିଥିଲେ, ଏହାଦ୍ୱାରା ଏହି କ୍ଷେତ୍ରରେ  ଉଦ୍ୟାନ କୃଷି, ରାଜସ୍ୱ ଏବଂ ନିଯୁକ୍ତି ବୃଦ୍ଧି ପାଇବ ।

ରାଜ୍ୟରେ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ନିଯୁକ୍ତି ସମ୍ପର୍କରେ ଶ୍ରୀ ଲାଲଦୁହୋମା କାର୍ମିକ ଏବଂ ତାଲିମ ବିଭାଗ ଦାୟିତ୍ୱରେ ଥିବା ଡ. ଜିତେନ୍ଦ୍ର ସିଂଙ୍କୁ ଅନୁରୋଧ କରିଛନ୍ତି । ମନ୍ତ୍ରୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ, ଏ ବାବଦରେ ମିଜୋରାମ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଅଫିସିଆଲ କମ୍ୟୁନିକେସନ ବାର୍ତ୍ତା ପଠାନ୍ତୁ । ଏଥିସହ ଯାହା ବି ସମ୍ଭବ ଏବଂ ଉଚିତ ହେବ ସେ ଦିଗରେ କାର୍ଯ୍ୟ କରାଯିବାକୁ କେନ୍ଦ୍ର ମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତକୁ ମୁଖ୍ୟମନ୍ତ୍ରୀ ମନେ ପକାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ଏଥିରେ ରୁଚି ଦେଖାଇଥିôବାରୁ ଏବଂ ସମୟ ଦେଇଥିବାରୁ ସେ ଧନ୍ୟବାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କେବଳ ପ୍ରୋତ୍ସାହିତ କରିନାହାନ୍ତି ବରଂ ସମୟ-ସମୟରେ ମିଜୋରାମ ରାଜ୍ୟ ବାବଦରେ ଅପ୍‌ଡେଟ୍ ଦେବାକୁ ମଧ୍ୟ କହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

SR



(Release ID: 2005151) Visitor Counter : 46