ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କଲେ ରାଷ୍ଟ୍ରପତି

ପୋଷ୍ଟ କରାଯିବା ଦିନାଙ୍କ: 20 NOV 2023 4:19PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୦, ୨୦୨୩ରେ) ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ ପଢ଼ିବା ପାଇଁ ତାଙ୍କୁ ଘରୁ ଦୂରକୁ ଯିବାକୁ ପଡ଼ିଥିଲା। ସେ ଆହୁରି କହିଥିଲେ ଯେ, ଘର ପାଖରେ ବିଦ୍ୟାଳୟ ନଥିବାରୁ ସେହି ସମୟରେ ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଥିଲେ, ଏହି ସମସ୍ୟା ଆଜି ଦେଖିବାକୁ ମିଳୁନାହିଁ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ପିଲାମାନେ ଏବେ ଶିକ୍ଷାର ଅଧିକ ସୁଯୋଗ ପାଇବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଶିକ୍ଷା ହେଉଛି ଆର୍ଥିକ ଏବଂ ସାମାଜିକ କଲ୍ୟାଣର ଚାବିକାଠି । ସେ ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ।

ପିଲାମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ସେମାନଙ୍କ ଭଳି ସେ ମଧ୍ୟ ଏକ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ପାଠପଢ଼ା ଯୋଗୁଁ ସେ ନାଗରିକଙ୍କ ସେବା କରିବାର ସୁଯୋଗ ପାଇଥିଲେ। ଶିକ୍ଷା ସେମାନଙ୍କୁ ସଫଳ କରିପାରିବ ବୋଲି ରାଷ୍ଟ୍ରପତି କହିଥିଲେ। ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ସେମାନେ ନିଜ ବିକାଶ ସହିତ ଦେଶ ଓ ସମାଜର ପ୍ରଗତିରେ ଯୋଗଦାନ ଦେଇପାରିବେ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରେଳ, ଜାତୀୟ ରାଜପଥ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଭାରତ ସରକାର ବିଭିନ୍ନ ମନ୍ତ୍ରଣାଳୟ ଜରିଆରେ ବହୁମୁଖୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ସମଗ୍ର ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବାରୁ ସେ ଆନନ୍ଦିତ ହୋଇଥିଲେ। ସେ କହିଥିଲେ ଯେ ଏହି ବିଦ୍ୟାଳୟଗୁଡ଼ିକରେ ସମଗ୍ର ଭାରତରେ ୩.୫ ଲକ୍ଷରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ସହିତ ସମାଜ ଏବଂ ରାଷ୍ଟ୍ରର ବିକାଶରେ ଯୋଗଦାନ କରିବାକୁ ସକ୍ଷମ ହେବେ ।

*******

P.S.


(ରିଲିଜ ଆଡି: 1978233) ପରିଦର୍ଶକ କାଉଣ୍ଟର : 173
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Punjabi , Tamil