ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ତିନିଦିନିଆ ୟୁଏଇ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ


ଭାରତ ଏବଂ ୟୁଏଇ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ହେବ ସୁଦୃଢ଼- ଧର୍ମେନ୍ଦ୍ର ପ୍ରଧାନ

ନଭେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ୟୁଏଇର ଶିକ୍ଷା ମନ୍ତ୍ରୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ କ୍ୟାବିନେଟ୍ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିବେ

ଆଇଆଇଟି ଦିଲ୍ଲୀ-ଆବୁଧାବୀର କ୍ୟାମ୍ପସ ପରିଦର୍ଶନ କରିବା ସହ ମ୍ୟାନେଜମେଣ୍ଟ କମ୍ପାନୀ ଓ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବେ

ପ୍ରବାସୀ ଓଡ଼ିଆଙ୍କ ସମେତ ଭାରତୀୟ ଲୋକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି

Posted On: 31 OCT 2023 4:29PM by PIB Bhubaneshwar

ଭାରତ ଏବଂ ୟୁଏଇ ମଧ୍ୟରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ୟୁଏଇର ଅନେକ ପ୍ରମୁଖ ମନ୍ତ୍ରୀ, ଅଧିକାରୀ, ଶିକ୍ଷାବିତଙ୍କ ସମେତ ପ୍ରବାସୀ ଭାରତୀୟଙ୍କ ବିଶିଷ୍ଟ ପ୍ରତିନିଧି ଏବଂ ବ୍ୟବସାୟୀ ମୁଖ୍ୟମାନଙ୍କୁ ଭେଟିବା ସହ ଉଭୟ ଦେଶର ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ନଭେମ୍ବର ୧ରେ ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ୟୁଏଇର ଶିକ୍ଷା ମନ୍ତ୍ରୀ ଡ. ଅହମ୍ମଦ ବେଲହୋଲ ଅଲ୍ ଫଲାସୀ, ପ୍ରାଥମିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ଆବୁଧାବି ଶିକ୍ଷା ଓ ଜ୍ଞାନ ବିଭାଗ (ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମ ଏବଂ ୟୁଏଇର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନ ଆଇଆଇଟି ଦିଲ୍ଲୀ-ଆବୁଧାବୀର କ୍ୟାମ୍ପସ ପରିଦର୍ଶନ କରିବା ସହ ୪୨ ଆବୁଧାବୀ, ସ୍କୁଲ ଫର୍ ପ୍ରୋଗ୍ରେସିଭ୍ ଲର୍ଣ୍ଣିଂ ଅନୁଷ୍ଠାନକୁ ପରିଦର୍ଶନ କରିବେ ଶ୍ରୀ ପ୍ରଧାନ । ଏହାବ୍ୟତିତ ଭାରତୀୟ ଦୂତାବାସ ଅଡିଟୋରିୟମରେ ୟୁଏଇର ଓଡ଼ିଆ ସମୁଦାୟଙ୍କୁ ଭେଟିବାର କାର୍ଯ୍ୟସୂଚି ରହିଛି ।

ନଭେମ୍ବର ୨ ରେ ଶ୍ରୀ ପ୍ରଧାନ ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ପରିଦର୍ଶନ କରିବା ପରେ ବିଏପିଏସ୍ ମନ୍ଦିର ଦର୍ଶନ କରିବେ । ଦୁବାଇରେ ମ୍ୟାନେଜମେଣ୍ଟ କମ୍ପାନୀ ଇଏଫଏସ ପରିଦର୍ଶନ ସହ କମ୍ପାନୀର ପ୍ରଶିକ୍ଷଣ କେନ୍ଦ୍ର ବୁଲି ଦେଖିବେ । ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍ ସଦସ୍ୟ ତଥା କ୍ୟାବିନେଟ୍ ବ୍ୟାପାର ମନ୍ତ୍ରୀ ମହମ୍ମଦ ଅବଦୁଲ୍ଲା ଅଲ୍ ଗେର୍ଗାଓ୍ୱିଙ୍କୁ ସାକ୍ଷାତ୍ କରିବେ । କେନ୍ଦ୍ରମନ୍ତ୍ରୀ ସିବିଏସଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହ ଆଇଆଇଟି/ଆଇଆଇଏମ୍ ଆଲୁମିନି ଏବଂ ଦୁବାଇରେ ଥିବା ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଶେଷ ଦିନରେ ଶ୍ରୀ ପ୍ରଧାନ ଡିପି ଓ୍ୱାର୍ଲଡର ଅଧ୍ୟକ୍ଷ ଏବଂ ସିଇଓ ଏବଂ ଭିଏଫଏସର ପ୍ରତିନିଧି ମଣ୍ଡଳୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।


(Release ID: 1973504) Visitor Counter : 115


Read this release in: English , Urdu , Hindi , Tamil , Telugu