ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ
କୁନୋ ଜାତୀୟ ଉଦ୍ୟାନରେ ‘ଚିତା” ମୃତ୍ୟୁ ପ୍ରାକୃତିକ କାରଣରୁ ଘଟିଥିବା ପ୍ରାଥମିକ ବିଶ୍ଳେଷଣରୁ ଜଣାପଡିଛି : ଏନ୍ଟିସିଏ
ଅନ୍ୟ କାରଣରୁ ‘ଚିତା’ଙ୍କର ମୃତ୍ୟୁ ଘଟିଥିବା ଘେନି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁମାନ ସର୍ବସ୍ୱ ଏବଂ ଗୁଜବ; ଏହା ପଛରେ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ନାହିଁ
ଭାରତ ସରକାର ଦେଶରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉପଯୁକ୍ତ ନୀତି ପ୍ରଣୟନ କରି ତାହାକୁ ନିଷ୍ଠାର ସହ ପାଳନ କରୁଛନ୍ତି
Posted On:
16 JUL 2023 3:10PM by PIB Bhubaneshwar
ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବିୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ସେମାନଙ୍କ ସ୍ୱଚ୍ଛ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି ଅଭୟାରଣ୍ୟରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ତେବେ ଏହି କୋଡିଏ ଚିତାଙ୍କ ମଧ୍ୟରୁ ଏ ଯାଏ ପୂର୍ଣ୍ଣବୟସ୍କ ୫ଟି ଚିତାଙ୍କର ଏହି ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଲାଣି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ପ୍ରାଥମିକ ବିଶ୍ଳେଷଣ ଅନୁସାରେ ଏହି ପାଂଚଟି ଯାକ ‘ଚିତା’ ପ୍ରାକୃତିକ କାରଣରୁ ମରିଛନ୍ତି । ଦେଶରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଏନ୍ଟିସିଏ ସର୍ବୋଚ୍ଚ ସଂସ୍ଥା । ଏହା ମଧ୍ୟ ଚିତା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି ।
ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କୁନୋରେ ଚିତାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି । ରେଡିଓ କୋଲାର ବେକରେ ବନ୍ଧାଯାଇଥିବା କାରଣଠାରୁ ଆରମ୍ଭ କରି ଆହୁରି ଅନେକ କଥାକୁ ଏହି ବାଘ ମୃତ୍ୟୁ ସହିତ ଯୋଡାଯାଇଛି । ଗଣମାଧ୍ୟମର ଏହି ରିପୋର୍ଟ ଅନୁମାନ ସର୍ବସ୍ୱ ଓ କପୋଳକଳ୍ପିତ । ଏହା ଗୁଜବ ଓ ଅସତ୍ୟ । ଏଭଳି ଖବର ପଛରେ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ନାହିଁ ବୋଲି ଏନ୍ଟିସିଏ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।
‘ପ୍ରୋଜେକ୍ଟ ଚିତା’ କାର୍ଯ୍ୟକ୍ରମକୁ ଏକ ବର୍ଷ ମଧ୍ୟ ହୋଇନାହିଁ । ଅତଏବ ଏତେ କମ୍ ସମୟରେ ଏହି ପ୍ରୋଜେକ୍ଟର ଫଳାଫଳକୁ ସଫଳତା ଓ ବିଫଳତା ଦୃଷ୍ଟିରୁ ବିିିଚାର କରି ଏକ ନିଷ୍ପତ୍ତିରେ ପହଂଚିବାର ସମୟ ଆସିନାହିଁ । ଚିତାକୁ ଭାରତ ଭଳି ଏକ ନୂଆ ପରିବେଶରେ ପୁନଃ ପ୍ରବେଶ କରାଇ ସେମାନଙ୍କୁ ବଂଚାଇ ରଖିବା ଓ ବଂଶବୃଦ୍ଧି କରାଇବା ଏକ ଦୀର୍ଘମିଆଦି କାମ । ବିଗତ ୧୦ମାସ ମଧ୍ୟରେ ଏହି ପ୍ରକଳ୍ପ ସହିତ ସମ୍ପୃକ୍ତ ସମସ୍ତ ପକ୍ଷ ଚିତା-ରକ୍ଷଣାବେକ୍ଷଣ ଓ ପରିଚାଳନାରେ ମୂଲ୍ୟବାନ ଅଭିଜ୍ଞତା ଅର୍ଜନ କରିଛନ୍ତି । ସେମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି କିପରି ଅଧିକ ହେବ ସେ ବାବଦରେ ଅନେକ ଅଭିଜ୍ଞତା ମିଳିଛି । ଏଥିରୁ ଜଣାପଡୁଛି ଯେ ଏହି ପ୍ରୋଜେକ୍ଟ ନିଶ୍ଚିତ ସଫଳ ହେବ । ଏଭଳି ସମୟରେ ଚିତା ମୃତ୍ୟୁକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କଳ୍ପନା ପ୍ରସୂତ କାହାଣୀ ପ୍ରକାଶ କରିବା ଠିକ୍ ନୁହେଁ ବୋଲି ସଂସ୍ଥାପକ୍ଷରୁ କୁହାଯାଇଛି ।
ପୁନଃ ସଂସ୍ଥାପିିତ ଚିତାମାନଙ୍କୁ ସୁରକ୍ଷିତଭାବେ ରଖି ସେମାନଙ୍କ ବଂଶ ବୃଦ୍ଧି ପାଇଁ ଉଦ୍ୟମ ଚାଲିଛି ବୋଲି ଏହି ସ୍ପଷ୍ଟୀକରଣରେ ଏନ୍ଟିସିଏ କହିଛି । ଚିତାମୃତ୍ୟୁର କାରଣ ଅନୁସନ୍ଧାନ କରିବାକୁ ଆନ୍ତର୍ଜାତିକ ଚିତା ବିଶେଷଜ୍ଞ, ଦକ୍ଷିଣ ଆଫ୍ରିକାର ଓ ନାମିବିୟାର ପ୍ରାଣୀ ଚିକିତ୍ସକଙ୍କ ସହିତ ନିୟମିତ ପରାମର୍ଶ କରାଯାଉଛି । ଏହାଛଡା ଆମ ଦେଶର ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱାଧୀନ ଭାବେ କୁନୋ ଜାତୀୟ ଉଦ୍ୟାନରେ ଚିତା ପ୍ରକଳ୍ପର ତଦାରଖ ବ୍ୟବସ୍ଥା, ସୁରକ୍ଷା ନୀତି, ପରିଚାଳନା ବ୍ୟବସ୍ଥା, ତାଲିମ, ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି । ଚିତା ପ୍ରକଳ୍ପ ଷ୍ଟିଅରିଂ କମିଟି ମଧ୍ୟ ଏହି ଘଟଣାକୁ ନିବିଡଭାବେ ପର୍ଯ୍ୟବେକ୍ଷଣ କରି ପରିଚାଳନା ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ କରିଛି ।
ଚିତାଙ୍କ ସଂରକ୍ଷଣ ଓ ସୁରକ୍ଷାକୁକୁ ଅଧିକ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାର ଆବଶ୍ୟକ ମୌଳିକ ସୁବିଧା ସୁଯୋଗ କୁନୋ ଜାତୀୟ ଉଦ୍ୟାନରେ ସୃଷ୍ଟି କରାଯାଇଛି । ଏହା ସହିତ କୁନୋ ଜାତୀୟ ଉଦ୍ୟାନରେ ପ୍ରାକୃତିକ ପରିବେଶକୁ ଆହୁରି ଏହି ବାଘଙ୍କ ଅନୁକୂଳ କରି ଅତିରିକ୍ତ ଜଙ୍ଗଲାଞ୍ଚଳକୁ ଏଥିରେ ମିଶାଯାଇଛି । ଏହାଛଡା ସମ୍ମୁଖ ଧାଡିର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି । ସେଥିମଧ୍ୟରେ ଏକ ସ୍ୱତନ୍ତ୍ର ଚିତା ସୁରକ୍ଷା ବାହିନୀ ଅନ୍ତର୍ଭୁକ୍ତ । ଏହାଛଡା ଚିତାଙ୍କ ପାଇଁ ମଧ୍ୟପ୍ରଦେଶର ଗାନ୍ଧିସାଗର ବନ୍ୟାପ୍ରାଣୀ ଅଭୟାରଣ୍ୟରେ ଏକ ଦ୍ୱିତୀୟ ଆବାସସ୍ଥଳ ସୃଷ୍ଟି କରିବାକୁ ଉଦ୍ୟମ ଚାଲିଛି ।
ପ୍ରାକୃତିକ ଆବାସରୁ ନୂଆ ଜାଗାକୁ ଚିତାଙ୍କୁ ନେଇ ଥଇଥାନ କରିବାରେ ବୈଶ୍ୱିକ ଅଭିଜ୍ଞତା
ଭାରତ ସରକାର ଦେଶରେ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉପଯୁକ୍ତ ନୀତି ପ୍ରଣୟନ କରି ତାହାକୁ ନିଷ୍ଠାର ସହ ପାଳନ କରୁଛନ୍ତି । ଭାରତକୁ ଚିତା ବଂଶ ଲୋପ ପାଇବାର ସାତ ଦଶନ୍ଧି ପରେ ଏକ ପ୍ରକଳ୍ପ ହାତକୁ ନିଆଯାଇ ଆଫ୍ରିକାରୁ ଚିତା ଆଣି ଥଇଥାନ କରିବାର ଉଦ୍ୟମ ହୋଇଛି । ତେଣୁ ଏହି ପ୍ରକଳ୍ପର ଉତ୍ଥାନ ପତନ ଓ ସମସ୍ୟା ନିଶ୍ଚିତ ରହିବ । ଏହି ଚିତା ଟ୍ରାନ୍ସଲୋକେସନ ବା ସ୍ଥାନାନ୍ତରଣ ପ୍ରୟାସର ବୈଶ୍ୱିକ ଅଭିଜ୍ଞତା ମଧ୍ୟ ଏଯାଏ ଶତ ପ୍ରତିଶତ ସଫଳ ହୋଇନାହିଁ । ଦକ୍ଷିଣ ଆଫ୍ରିକାର ତଥ୍ୟ କହୁଛି ଯେ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଚିତାଙ୍କ୍ୁ ଛାଡି ସେମାନଙ୍କ ବଂଶ ବୃଦ୍ଧି କରିବାରେ ଯେଉଁ ଉଦ୍ୟମ ହୋଇଥିଲା ସେଥିରେ ଚିତା ମୃତ୍ୟୁ ସଂଖ୍ୟା ୫୦ ଶତାଂଶରୁ ଅଧିକ ଥିଲା । ଏହି ମୃତ୍ୟୁର ଅନେକ କାରଣ ରହିଛି । ଆନ୍ତଃ ପ୍ରଜାତି ଲଢେଇ, ବିଭିନ୍ନ ପ୍ରକାର ରୋଗ, ଜଙ୍ଗଲରେ ସେମାନଙ୍କୁ ଛାଡିବା ପୂର୍ବ ଓ ପରବର୍ତ୍ତୀ ଦୁର୍ଘଟଣା ସେଥିମଧ୍ୟରୁ ଅନ୍ୟତମ । ଆହୁରି ମଧ୍ୟ ଶିକାରବେଳେ ଚିତା ଆହତ ହୋଇ ମୃତ୍ୟୁ ମୁଖରେ ପଡିଥାଆନ୍ତି ସେମାନଙ୍କୁମ ଦ୍ୟ ମଣିଷ ବେଳେବେଳେ ଶିକାର କରିଥାଏ । ତେଣୁ ସବିଶେଷ କାରଣ ଜଣା ନ ପଡିବା ପୂର୍ବରୁ ଚିତା ମୃତ୍ୟୁକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରିବା ଠିକ୍ ନୁହେଁ ।
ପୃଷ୍ଠଭୂମି
ଭାରତ ସରକାର ଦେଶରେ ଚିତା ବଂଶ ପୁନର୍ବାର ବଢାଇବା ସହ ଏହି ପ୍ରଜାତିକୁ ଆମ ଜଙ୍ଗଲରେ ପୁନର୍ବାସ କରାଇବାକୁ ଉଚ୍ଚାଭିଳାଷୀ ଯୋଜନା ହାତକୁ ନେଇଛନ୍ତି । ପ୍ରୋଜେକ୍ଟ ଚିତା ନାମକ ଏହି ପ୍ରକଳ୍ପ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଦ୍ୱାରା କାର୍ଯ୍ୟକାରୀ ହେଉଛି । ଏହି ପ୍ରାଧିକରଣ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଏକ ବୈଧାନିକ ସଂସ୍ଥା । ଏହା ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗର ସହଯୋଗ କାର୍ଯ୍ୟ କରୁଛି । ଏହି ପ୍ରକଳ୍ପକୁ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ, ନାମିବିୟା ଓ ଦକ୍ଷିଣ ଆଫ୍ରିକାର ଚିତା ବିଶେଷଜ୍ଞମାନେ ପରାମର୍ଶ ଓ ସହଯୋଗ ଯୋଗାଉଛନ୍ତି । ଚିତା ବିଶେଷଜ୍ଞ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏହି ଷ୍ଟିୟରିଂ କମିଟିର ସୁପାରିସ ଅନୁସାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପୂର୍ବରୁ ସରିସ୍କା ଓ ପାନ୍ନା ଅଭୟାରଣ୍ୟରେ ମହାବଳ ବାଘମାନଙ୍କୁ ପୁନଃ ଥଇଥାନ କରିବାବେଳେ ଏଭଳି କମିଟି କରାଯାଇ ତାହାର ପରାମର୍ଶରେ କାମ ହୋଇଥିଲା । ସେହି ଦୁଇଟିଯାକ ପ୍ରକଳ୍ପ ସଫଳ ହୋଇଛି ।
‘ପ୍ରୋଜେକ୍ଟ ଚିତା’ ଯୋଜନାରେ ନାମିବିୟା ଓ ଦକ୍ଷିଣ ଆଫ୍ରିକାରୁ ମୋଟ ୨୦ଟି ଚିତା ବାଘ ଅଣାଯାଇ ସେମାନଙ୍କ ବେକରେ ରେଡିଓ କୋଲାର ଲଗାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛଡାଯାଇଛି । ରେଡିଓ କୋଲାର ମାଧ୍ୟମରେ ସେମାନଙ୍କ ଗତିବିଧିକୁ ତଦାରଖ କରାଯାଉଛି । ନୂଆ ପରିବେଶ ସହିତ ସେମାନେ କିପରି ଖାପ ଖାଉଛନ୍ତି ତାହାକୁ କର୍ତ୍ତୃପକ୍ଷ ଅନୁଧ୍ୟାନ କରୁଛନ୍ତି । ଏହି ୨୦ ଚିତାଙ୍କ ମଧ୍ୟରୁ ୧୦ଟିକୁ ଏବେ ଜଙ୍ଗଲରେ ମୁକ୍ତ ଭାବେ ଛଡାଯାଇଥିବାବେଳେ ଅବଶିଷ୍ଟ ଛ’ ଟିକୁ (ଗୋଟିଏ ନବଜାତକ) କ୍ୱାରେନଟାଇନ୍ ଖୁଆଡରେ ରଖାଯାଇଛି ।
(Release ID: 1940041)
Visitor Counter : 153