ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂଆ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍‌-୨୦୨୩ ପ୍ରକାଶିତ

Posted On: 17 JUN 2023 4:13PM by PIB Bhubaneshwar

ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂତନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍‌-୨୦୨୩ ପ୍ରକାଶ ପାଇଛି । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ଜାତୀୟ କାର୍ଯ୍ୟକାରୀ ଯୋଜନାକୁ ପ୍ରକାଶ କରାଯାଇଛି । 

ଆଜି ଜୁନ ୧୭ ତାରିଖଟି ମଧ୍ୟ ବିଶ୍ୱ ମରୁଭୂମି ବିସ୍ତାର ନିରୋଧ ଓ ମରୁଡି ପ୍ରତିରୋଧ ଦିବସ ଭାବେ ପାଳିତ ହୋଇଛି। ଏହି ଅବସରରେ ଡେରାଡୁନସ୍ଥିତ ଭାରତୀୟ ଜଙ୍ଗଲ ଗବେଷଣା ଓ ଶିକ୍ଷା ପରିଷଦ (ଆଇସିଏଫ୍‌ଆର୍‌ଇ) ସଦର କାର୍ଯ୍ୟାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ସମୂହର ମହାନିର୍ଦ୍ଦେଶକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଶ୍ରୀ ଚନ୍ଦ୍ରପ୍ରକାଶ ଗୋୟଲ (ଆଇଏଫ୍‌ଏସ୍‌) ଏହି ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍ ୨୦୨୩କୁ ଉନ୍ମୋଚନ କରିଥିଲେ । 

ବିଶ୍ୱର ଯେଉଁ ଅଳ୍ପ କେତେକ ଦେଶରେ ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ହେଉଛି ସେଥିମଧ୍ୟରୁ ଭାରତ ଅନ୍ୟତମ । ଏହି କାମ କରିବା ପାଇଁ କାର୍ଯ୍ୟକାରୀ ଯୋଜନାର ବିଶେଷ ଆବଶ୍ୟକତା ରହିଛି । ତାହାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ୨୦୦୪ରେ ଭାରତ ପ୍ରଥମେ ଏହି କୋଡ୍ ପ୍ରସ୍ତୁ୍‌ତ କରି ଜାତୀୟସ୍ତରରେ ଜଙ୍ଗଲ ପରିଚାଳନା ବ୍ୟବସ୍ଥା ବିଜ୍ଞାନଭିତ୍ତିକ ଉପାୟରେ ଆରମ୍ଭ କରିଥିଲା । ୨୦୧୪ରେ ଏହି ନୀତିରେ ସଂଶୋଧନ କରାଯାଇ ଏହାକୁ ଅଧିକ କ୍ରିୟାଶୀଳ କରିବାର ଉଦ୍ୟମ ହୋଇଥିଲା । ୨୦୧୪ର କୋଡ୍ ଜାତୀୟ କାର୍ଯ୍ୟକାରୀ ଯୋଜନାରେ ସମାନତା ଆଣିବା ସହ ଦେଶର ବିଭିନ୍ନ ଜଙ୍ଗଲ ଡିଭିଜନରେ ବିଜ୍ଞାନଭିତ୍ତିକ ଜଙ୍ଗଲ ପରିଚାଳନାକୁ ଉତ୍ତମ ରୂପେ କାର୍ଯ୍ୟକାରୀ କରାଇବାରେ ଏକ ଦିଗ୍‌ଦର୍ଶନକାରୀ ନିର୍ଦ୍ଦେଶାବଳୀ ଭାବେ କାମ କରିଥିଲା । 

 ବିଭିନ୍ନ କାରଣରୁ ଭାରତରେ ଜଙ୍ଗଲର ସୁପରିଚାଳନା ଦରକାର ହୋଇଥାଏ । ପ୍ରାକୃତିକ ଐତିହ୍ୟର ସଂରକ୍ଷଣ, ପରିବେଶଗତ ସ୍ଥିରତା ରକ୍ଷା, ମୃତ୍ତିକାକ୍ଷୟ ରୋକିବା, ଜଳାଗମ ଅଞ୍ଚଳରେ ବୃକ୍ଷରାଜିର ସୁରକ୍ଷା, ପାହାଡ ପର୍ବତ ଘେରା ସମତଳ ଅଞ୍ଚଳ ବା ଡୁନ୍‌ଗୁଡିକର ଆକାର ବୃଦ୍ଧିକୁ ରୋକିବା, ଲୋକଙ୍କ ସହଯୋଗରେ ଗଛ ଓ ଜଙ୍ଗଲ ଆଚ୍ଛାଦନ ବଢାଇବା ଏବଂ ଜଙ୍ଗଲର ଉତ୍ପାଦକତା ବୃଦ୍ଧି କରିବା ଏସବୁ କାରଣ ମଧ୍ୟରୁ ଅନ୍ୟତମ । ଏହାର ଉପଯୁକ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ ନ ହେଲେ ଜଙ୍ଗଲ କ୍ଷୟ ହେବାର ସମ୍ଭାବନା ଅଧିକ ରହିଛି । ଭାରତ ସହିତ ସମଗ୍ର ବିଶ୍ୱରେ ଯେଉଁ ବିଜ୍ଞାନ ଭିତ୍ତିକ ଜଙ୍ଗଲ ପରିଚାଳନା କାମ ଚାଲିଛି । ସେଥିରେ ନୂଆ ଉପାୟ, ଦୃଷ୍ଟିକୋଣ, ନୂତନ ଟେକ୍‌ନୋଲୋଜି ତଥା ନୂଆ ନୂଆ କଥା ସବୁ କରାଯାଇଛି । ତେଣୁ ଜଙ୍ଗଲର ସୁରକ୍ଷା ସହିତ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଆମକୁ ଜଙ୍ଗଲର ସୁପରିଚାଳନା କରିବାକୁ ପଡିବ । 

ଜାତୀୟ କାର୍ଯ୍ୟକାରୀ ଯୋଜନା (ନେଶନାଲ ୱାର୍କ ପ୍ଳାନ) କୋଡ୍‌-୨୦୨୩ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ପାଇଁ ଏକ ପ୍ରମୁଖ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ । ଏହି ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ସବୁ ବନଖଣ୍ଡ ବା ଫରେଷ୍ଟ ଡିଭିଜନରେ ଜଙ୍ଗଲ ପରିଚାଳନା କାମ କାର୍ଯ୍ୟକାରୀ ହେବ । ଏହି ବିଜ୍ଞାନଭିତ୍ତିକ ପରିଚାଳନା କାର୍ଯ୍ୟ କିପରି କରାଯିବ ତାହା କୋଡ୍ -୨୦୨୩ରେ ସବିଶେଷ ଉଲ୍ଲେଖ କରାଯାଇଛି । ଏଥିରେ ଜଙ୍ଗଲର ଆକାର ବୃଦ୍ଧି, ନୂଆ ଜଙ୍ଗଲ ସୃଷ୍ଟି ସହିତ ବୃକ୍ଷରୋପଣ, ଜଙ୍ଗଲର ରକ୍ଷଣାବେକ୍ଷଣ, ଏହାର ଜୈବ ବିବିଧତାର ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳ ସମ୍ପଦର ସୁରକ୍ଷା ଏବଂ ଜଙ୍ଗଲର ଉତ୍ପାଦକତା ବୃଦ୍ଧି ଆଦି ଅନ୍ତର୍ଭୁକ୍ତ । 

 

ଏହା ବ୍ୟତୀତ ଜଙ୍ଗଲ ପରିଚାଳନାରେ ବନ୍ୟ ସମ୍ପଦର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଲାଭକୁ ଅତୁଟ ରଖି ଏଥିପାଇଁ ଉପଯୁକ୍ତ ନୀତି, ଆଇନଗତ ଓ ଆନୁଷ୍ଠାନିକ ଢାଞ୍ଚା ପ୍ରସ୍ତୁତ କରିବାକୁ ମଧ୍ୟ ଏହି ବିଜ୍ଞାନଭିତ୍ତିକ ପରିଚାଳନାରେ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ଥର ପାଇଁ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍ -୨୦୨୩ ଆବଶ୍ୟକ ତଥ୍ୟାବଳୀ ବା ଡାଟା ନିରନ୍ତର ସଂଗ୍ରହ କରିବାକୁ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ସବୁକୁ ନିର୍ଦ୍ଦେଶ ଦେଇଛି । ଫଳରେ ପ୍ରାଦେଶିକ ଜଙ୍ଗଲ ବିଭାଗ ସବୁ ନିୟମିତ ଡାଟା ସଂଗ୍ରହ କରି ଏହାକୁ ଅଧୁନାତନ କରିବେ । ଏସବୁ ଡାଟାକୁ ଏକାଠି କରାଯାଇ ଏକ କେନ୍ଦ୍ରୀକୃତ ଡାଟାବେସ୍ ପ୍ରସ୍ତୁତ କରାଯିବ ।

 ଭାରତୀୟ ଜଙ୍ଗଲ ପରିଚାଳନାର ମାନ ବା ଇଣ୍ଡିଆନ ଫରେଷ୍ଟ ମ୍ୟାନେଜମେଣ୍ଟ ଷ୍ଟାଣ୍ଡାର୍ଡ ଏହି କୋଡ୍‌ର ଅଂଶ ବିଶେଷ । ଏଥିରେ ଆମ ଦେଶର ବିବିଧ ଜଙ୍ଗଲ ପରିବେଶ ଓ ପରିତନ୍ତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ବଡ କଥା ହେଲା ଜଙ୍ଗଲ ପରିଚାଳନାରେ ସମତା ଆଣିବାକୁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ନିରନ୍ତର ତଥା ପୋଷଣୀୟ ଜଙ୍ଗଲ ପରିଚାଳନା ପାଇଁ କି କି ପ୍ରକାର ପଦକ୍ଷେପର ଆବଶ୍ୟକତା ରହିଛି ତାହାଏହି କୋଡ୍‌ରେ ସ୍ଥାନିତ ହୋଇଛି । ସେହିଭଳି ବିଜ୍ଞାନଭିତ୍ତିକ ପରିଚାଳନା ମାନ କିପରି ହେବ ତାହା ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ଆନ୍ତର୍ଜାତିକ ଓ ଜାତୀୟ ଅଭିଜ୍ଞତାକୁ ଭିତ୍ତି କରି ଜଙ୍ଗଲର ବିଜ୍ଞାନଭିତ୍ତିକ ପରିବେଶ ନୀତି ଓ ମାନ ନିର୍ଦ୍ଧାରିତ ହୋଇଛି । ଏହି କାର୍ଯ୍ୟକାରୀ ଯୋଜନା ଓ ଜଙ୍ଗଲ ପରିଚାଳନା ମାନ ଭାରତୀୟ ଜଙ୍ଗଲ ସମୂହର ସୁପରିଚାଳନା ତଥା ରକ୍ଷଣା ବେକ୍ଷଣରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି ।

 

*****

TKM/SLP



(Release ID: 1933131) Visitor Counter : 148