ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଥାଲାସେମିଆ ବାଲ୍‍ ସେବା ଯୋଜନାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ଡକ୍ଟର ଭାରତୀ ପ୍ରବୀଣ ପାୱାର


ଥାଲାସେମିଆ ବାଲ୍‍ ସେବା ଯୋଜନା ପୋର୍ଟାଲର ଶୁଭାରମ୍ଭ ଏବଂ ସିକିଲ ସେଲ ରକ୍ତହୀନତା ରୋଗ ପାଇଁ ଷ୍ଟାଣ୍ଡାର୍ଡ ଚିକିତ୍ସା ଗାଇଡଲାଇନର ଉନ୍ମୋଚନ କରିଛନ୍ତି

ଏହା ରୋଗର ନିରୂପଣ, ଅଧିକ ସଚେତନତା ଏବଂ ପରାମର୍ଶ ସୁଯୋଗ ପ୍ରଦାନ କରିବ ଏବଂ ଥାଲାସେମିଆ ଏବଂ ସିକ୍‌ଲ ସେଲ୍ ରକ୍ତହୀନତା ରୋଗର ମୁକାବିଲା ପାଇଁ ଚିକିତ୍ସା ସୁବିଧା ବୃଦ୍ଧି କରିବ : ଡକ୍ଟର ଭାରତୀ ପ୍ରବୀଣ ପାୱାର

“ରକ୍ତ ସମ୍ବନ୍ଧୀୟ ରୋଗ ଲାଗି ସଚେତନତା ତଥା ଚିକିତ୍ସା ପାଇଁ ଦେଶବ୍ୟାପୀ ସମର୍ଥନ ସଂଗ୍ରହ କରିବାରେ ବହୁମୁଖୀ ହିତାଧିକାରୀ ଆଭିମୁଖ୍ୟରେ ସାହାଯ୍ୟ କରିବ”

ଥାଲାସେମିଆ ବାଲ ସେବା ଯୋଜନା ଅଧୀନରେ ୩୫୬ ଥାଲାସେମିଆ ରୋଗୀଙ୍କର ଅସ୍ଥି ମଜ୍ଜା ପ୍ରତିରୋପଣ ସଫଳତାର ସହିତ ସମାପ୍ତ ହୋଇଛି

Posted On: 08 MAY 2023 6:16PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ବିଶ୍ୱ ଥାଲାସେମିଆ ଦିବସ ଅବସରରେ ଆଜି ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଥାଲାସେମିଆ ବାଲ ସେବା ଯୋଜନା (ଟିବିଏସୱାଇ) ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ଯାହା କୋଲ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ସେମାନଙ୍କ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପଦକ୍ଷେପର ଏକ ଅଂଶ ଅଟେ । ସେ ମଧ୍ୟ ଥାଲାସେମିଆ ବାଲ ସେବା ଯୋଜନା ପୋର୍ଟାଲ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଅନିଲ କୁମାର ଝା ଏବଂ ସ୍ୱାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଡକ୍ଟର ରାଜୀବ ବାହଲ ମଧ୍ୟ ଉପସ୍ଥିତ ଥିଲେ ।

ଥାଲାସେମିଆ ହେଉଛି ଏକ ବଂଶଗତ ରକ୍ତ ସମ୍ବନ୍ଧୀୟ ରୋଗ ଯାହା ଦ୍ୱାରା ଶରୀରରେ ସାଧାରଣ ଅପେକ୍ଷାକୃତ କମ୍ ହେମୋଗ୍ଲୋବିନ୍ ଥାଏ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍‍) ଅଧୀନରେ ୨୦୧୭ ଠାରୁ ଟିବିଏସ୍‍ୱାଇ କାର୍ଯ୍ୟକାରୀ କରିଆସୁଛି ଏବଂ ମାର୍ଚ୍ଚ ୨୦୨୩ ରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଶେଷ କରିସାରିଛି । କୋଲ ଇଣ୍ଡିଆ ସିଏସ୍‌ଆର ଅନୁଦାନ ପ୍ରାପ୍ତ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟଣ୍ଟ (ଏଚଏଚସିଟି) କାର୍ଯ୍ୟକ୍ରମ ଏକ ନିଆରା ପଦକ୍ଷେପ ଯେଉଁଥିରେ ବଞ୍ଚିତ ଥାଲାସେମିଆ ରୋଗୀଙ୍କୁ ଥରକରେ ଉପଶମ କରିବାର ସୁଯୋଗ ପ୍ରଦାନ କରିଥାଏ, ଯେଉଁମାନଙ୍କର ଭାଇଭଉଣୀ ଦାତାଙ୍କ ସହିତ ମେଳ ଖାଉଥାଏ କିନ୍ତୁ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଆର୍ଥିକ ସମ୍ବଳ ନଥାଏ । ଏହି କାର୍ଯ୍ୟକ୍ରମ ଜରିଆରେ ଦୁଇଟି ପର୍ଯ୍ୟାୟରେ ଭାରତର ୧୦ ଟି ତାଲିକାଭୁକ୍ତ ହସ୍ପିଟାଲରେ ୩୫୬ ଜଣ ଥାଲାସେମିଆ ରୋଗୀଙ୍କର ଅସ୍ଥି ମଜ୍ଜା ପ୍ରତିରୋପଣ ସଫଳ ହୋଇଛି ।

ଡକ୍ଟର ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ ରୋଗର ନିରୀକ୍ଷଣକୁ ବୃଦ୍ଧି କରିବା, ଅଧିକ ସଚେତନତା ଏବଂ ପରାମର୍ଶ ସୁଯୋଗ ସୃଷ୍ଟି କରିବା, ଏବଂ ଥାଲାସେମିଆ ଏବଂ ସିକିଲ ସେଲ୍‍ ରୋଗ ଭଳି ରକ୍ତ ବ୍ୟାଧି ସହ ମୁକାବିଲା କରିବା ପାଇଁ ଚିକିତ୍ସା ସୁବିଧା ବୃଦ୍ଧି କରିବା ଜରୁରୀ ଅଟେ । ବିଭିନ୍ନ ହିତାଧିକାରୀଙ୍କୁ ଆଗକୁ ଆସି ରକ୍ତ ସମ୍ବନ୍ଧୀୟ ବ୍ୟାଧି ବିରୁଦ୍ଧରେ ସଂଗ୍ରାମକୁ ଦୃଢ କରିବା ପାଇଁ ସାହାଯ୍ୟ କରିବାକୁ ଅନୁରୋଧ କରି ସେ କହିଥିଲେ ଯେ ରକ୍ତ ସମ୍ବନ୍ଧୀୟ ରୋଗ ପାଇଁ ସଚେତନତା ତଥା ଚିକିତ୍ସା ପାଇଁ ଦେଶବ୍ୟାପୀ ସହାୟତା ସଂଗ୍ରହ କରିବାରେ ବହୁମୁଖୀ ହିତାଧିକାରୀଙ୍କ ଆଭିମୁଖ୍ୟ ସହାୟକ ହେବ । ସହଯୋଗୀ ମନ୍ତ୍ରଣାଳୟ ଏବଂ ସିଆଏଲ୍‍ ପରି ଅନ୍ୟ ହିତାଧିକାରୀଙ୍କ ଉଦ୍ୟମକୁ ପ୍ରଶଂସା କରି ସେ ସେମାନଙ୍କୁ ଏହି ବଂଶାନୁକ୍ରମିକ ରୋଗ ସହିତ ଜଡିତ କଳଙ୍କ ଏବଂ ଭୁଲ ଧାରଣାକୁ ହଟାଇବା ଦିଗରେ ଚେଷ୍ଟା ଜାରି ରଖିବାକୁ ଉତ୍ସାହିତ କରିଥିଲେ । ସେ କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍‌) ଏବଂ ଥାଲାସେମିକ୍ସ ଇଣ୍ଡିଆକୁ ଟିବିଏସ୍‍ୱାଇ ର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିବାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ହାତ ମିଳାଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ଡକ୍ଟର ପାୱାର ସିକ୍‌ଲ ସେଲ୍ ରୋଗ ପାଇଁ ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ୱାର୍କଫ୍ଲୋର ଉନ୍ମୋଚନ କରିଥିଲେ । ଏହା ଆଇସିଏମଆର ଦ୍ୱାରା ବିକଶିତ ହୋଇଛି । ରକ୍ତଦାନ ଆବଶ୍ୟକତା ପାଇଁ ଇ-ରକ୍ତକୋଶ ପୋର୍ଟାଲ ଏବଂ ୧.୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରର ନେଟୱାର୍କ ତଥା ସିକିଲ ସେଲ ରକ୍ତହୀନତାର ରୋଗର ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପଗୁଡ଼ିକର ଲାଭ ଉଠାଇବାକୁ କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଛନ୍ତି । 

ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ସଚିବ ଶ୍ରୀ ରାଜେଶ ଭୂଷଣ କହିଛନ୍ତି ଯେ ଟିବିଏସୱାଇ ଆକ୍ରାନ୍ତ ରୋଗର ଚିକିତ୍ସା ଦିଗ ପ୍ରତି ଦୃଷ୍ଟି ଦେଇଥାଏ । ଏହି ରୋଗକୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଣିବା ଏବଂ ପରାମର୍ଶ ଏବଂ ଅନ୍ୟାନ୍ୟ ଦିଗ ଉପରେ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସଚେତନତା ସୃଷ୍ଟି କରିବା ଏବଂ ପରାମର୍ଶ ଦେବା ପାଇଁ ଏହି ପଦକ୍ଷେପ ଅଧିନକୁ ଏକାଧିକ ହିତାଧିକାରୀଙ୍କୁ ଆଣିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ସମଗ୍ର ଦେଶରେ ସିକିଲ୍‍ ସେଲ୍ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି ।

ଏହି ରୋଗର ସଂପୂର୍ଣ୍ଣ ବିଲୋପ ଦିଗରେ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଅନୀଲ କୁମାର ଝା କହିଛନ୍ତି । ସେ ସମସ୍ତ ହିତାଧିକାରୀଙ୍କୁ ଏକତ୍ରିତ ହେବାକୁ ଏବଂ ଅନ୍ୟାନ୍ୟ ସାର୍ବଜନୀନ ଏବଂ ବେସରକାରୀ ସଂସ୍ଥାଗୁଡ଼ିକୁ ସିକିଲ୍‍ ସେଲ୍ ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ର୍ନିମାଣ ଦିଗରେ ସାମିଲ କରିବାକୁ ସେ ଅନୁରୋଧ କରିଥିଲେ ।

ଡକ୍ଟର ରାଜୀବ ବାହଲ, ସଚିବ (ଡିଏଚଆର) କହିଛନ୍ତି ଯେ ଶୀଘ୍ର ନିରୂପଣ କରାଯାଇ ଚିକିତ୍ସା କରାଗଲେ ଥାଲାସେମିଆକୁ ପ୍ରତିରୋଧ କରାଯାଇ ପାରିବ । ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରି କହିଛନ୍ତି ଯେ ସିଆଏଲ୍‍ ପରି ସଂସ୍ଥାଗୁଡ଼ିକର ସହଯୋଗରେ ଆଇସିଏମଆର ଏହି କ୍ଷମତା ପୂରଣ ଦିଗରେ କାର୍ଯ୍ୟ କରୁଛି ।

କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ପ୍ରତି ଏଚଏସସିଟି ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଜାରି ରହିବ, ସିଧାସଳଖ ସିଆଏଲ୍‍ ରୁ ଅସ୍ଥି ମଜ୍ଜା ପ୍ରତିରୋପଣ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ସ୍ଥାନାନ୍ତରିତ ହେବ । ଏହି କାର୍ଯ୍ୟକ୍ରମଟି ବଞ୍ଚିତ ଥାଲାସେମିଆ ରୋଗୀ ଏବଂ ଆପ୍ଲାଷ୍ଟିକ୍ ରକ୍ତହୀନତା ପାଇଁ ଉପକୃତ ହେବ, ଯାହା ଏକ ଅପୂରଣୀୟ ଅବସ୍ଥା ଯାହା ଚିକିତ୍ସା ବିନା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଏହି କାର୍ଯ୍ୟକ୍ରମଟି ଏମ୍‍ସ, ନୂଆଦିଲ୍ଲୀ ସମେତ ଭାରତର ୧୦ ଟି ଖ୍ୟାତିସମ୍ପନ୍ନ ଡାକ୍ତରଖାନାକୁ ତାଲିକାଭୁକ୍ତ କରିଛି । ସେଗୁଡିକ ହେଲା ସିଏମସି ଭେଲୋର; କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲ, ମୁମ୍ବାଇ; ଏମସିଜିଏମ୍‍ ହସ୍ପିଟାଲ, ମୁମ୍ବାଇ, ପିଜିଆଇଏମଇଆର ଚଣ୍ଡିଗଡ଼; ରାଜୀବ ଗାନ୍ଧୀ କର୍କଟ ପ୍ରତିଷ୍ଠାନ, ନୂଆଦିଲ୍ଲୀ; ଏସଜିପିଜିଆଇ, ଲକ୍ଷ୍ନୌ; ନାରାୟଣ ହୃଦାଳୟ, ବାଙ୍ଗାଲୋର; ସିଏମସି, ଲୁଧିଆନା ଏବଂ ଟାଟା ମେଡିକାଲ୍‌, କୋଲକାତା ଆଦି ରହିଛି । 

ସିଆଏଲ୍‍ ପକ୍ଷରୁ ଆବେଦନ ଲାଗି ଅନଲାଇନ୍ ପ୍ରୟୋଗକୁ ସଶକ୍ତ କରିବାକୁ ଏକ ୱେବ୍ ପୋର୍ଟାଲ୍ ସୃଷ୍ଟି କରାଯାଇଛି । ରୋଗୀମାନେ ନାମଲେଖା ଠାରୁ ଆରମ୍ଭ କରି ଠିକଣା-ସମୟରେ ପ୍ରବେଶ ପର୍ଯ୍ୟନ୍ତ ସେମାନଙ୍କ ଏହି ଆବେଦନର ଜରିଆରେ ସକ୍ଷମ ହେବେ । ଏହି ଯୋଜନାର ୩ୟ ପର୍ଯ୍ୟାୟ ସହିତ ଗତି କରୁଛି । ଏହି କାର୍ଯ୍ୟକ୍ରମ ହେଉଛି ଏକ ସଫଳ ସିଏସ୍‌ଆର୍ ପଦକ୍ଷେପର ଏକ ଉତ୍କୃଷ୍ଟ ଉଦାହରଣ ଯାହା ଥାଲାସେମିଆ ରୋଗୀ ଏବଂ ସେମାନଙ୍କ ପରିବାରର ଜୀବନରେ ପ୍ରକୃତ ପରିବର୍ତ୍ତନ ଆଣୁଛି । ଏହି ଯୋଜନାର ତୃତୀୟ ପର୍ଯ୍ୟାୟ ଥାଲାସେମିଆ ରୋଗୀ ଏବଂ ସେମାନଙ୍କ ପରିବାରକୁ ଆଶା ଏବଂ ଆଶ୍ୱାସନା ପ୍ରଦାନ କରିବ ଏବଂ ଏକ ସୁସ୍ଥ ଏବଂ ସମାନ ସମାଜ ଗଠନ ଦିଗରେ ସହଯୋଗ କରିବ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିଶାଲ ଚୌହାନ, ଡିଜିଏଚଏସ୍‍ର ଡକ୍ଟର ଅତୁଲ ଗୋଏଲ, ଏନବିଟିସିର ଅତିରିକ୍ତ ଡିଡିଜି ଡକ୍ଟର ଅନିଲ କୁମାର, କୋଲ୍‍ ଇଣ୍ଡିଆ ଲିମିଟେଡର ସିଏସଆର ମୁଖ୍ୟ ଶ୍ରୀମତୀ ରେଣୁ ଚର୍ତୁବେଦୀ, ଥାଲାସେମିକ ଇଣ୍ଡିଆର ସଭାପତି ଶ୍ରୀ ଦୀପକ ଚୋପ୍ରା, ଥାଲାସେମିକ ଇଣ୍ଡିଆର ଉପସଭାପତି ଶ୍ରୀ ଭି କେ ଖାନ୍ନା, ଥାଲାସେମିକ ଇଣ୍ଡିଆର ସଚିବ ଶ୍ରୀମତୀ ଶୋଭା ଟୁଲି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ମିଶନ୍ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

HS



(Release ID: 1922610) Visitor Counter : 127


Read this release in: English , Urdu , Hindi , Marathi