ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ହାଟବଦ୍ରା ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି


ପାହାଡ଼ପୁର ଗ୍ରାମରେ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର ପାଇଁ କଲେ ଶିଳାନ୍ୟାସ

ପୋଷ୍ଟ କରାଯିବା ଦିନାଙ୍କ: 04 MAY 2023 6:02PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ମେ ୪, ୨୦୨୩)ରେ ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ଏକ ରୋଗ। ଏହା ଏକ ସାମାଜିକ, ଆର୍ଥିକ, ଶାରୀରିକ ଏବଂ ମାନସିକ ଅଭିଶାପ। ନିଶା ପରିବାର ଓ ସମାଜରେ ଉତ୍ତେଜନା ସୃଷ୍ଟି କରିଥାଏ। ତେଣୁ ନିଶାର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଲୋକମାନେ ନିଶାର କୁପ୍ରଭାବ ବିଷୟରେ ଜାଣିବା ପରେ ଏହାକୁ ନିଶ୍ଚିତ ଭାବେ ଛାଡ଼ିବା ଲାଗି ଚେଷ୍ଟା କରିବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ନିଶା ହେଉଛି ସମାଜର ସବୁଠୁ ବଡ଼ ଶତ୍ରୁ। ତେଣୁ ଲୋକମାନଙ୍କୁ ଏହା ବିଷୟରେ ସଚେତନ କରିବା ଏକ ମହତ କାର୍ଯ୍ୟ। ଆଧ୍ୟାତ୍ମିକତା ମାଧ୍ୟମରେ ଏକ ସୁସ୍ଥ ସମାଜ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ରହିଥିବାରୁ ସେ ବ୍ରହ୍ମ କୁମାରୀ କେନ୍ଦ୍ରକୁ ପ୍ରଶଂସା କରିଥିଲେ। ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ସଫଳତା ପାଇଁ ସେ କାମନା କରିଥିଲେ।

ପୂର୍ବରୁ, ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମରେ ପହଞ୍ଚି ସ୍ୱର୍ଗତ ଶ୍ରୀ ଶ୍ୟାମ ଚରଣ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ସେ ଗାଁରେ ଏକ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଏବଂ ଗୋଷ୍ଠୀ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବା ସହିତ ଗାଁ ଲୋକଙ୍କ ସହିତ ମତବିନିମୟ କରିଥିଲେ ।

 

*******

P.S.


(ରିଲିଜ ଆଡି: 1922062) ପରିଦର୍ଶକ କାଉଣ୍ଟର : 182
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Punjabi , Tamil