ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହୀଶୂର ବ୍ୟାଘ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ଉଦଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 09 APR 2023 9:35PM by PIB Bhubaneshwar

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଭୂପେନ୍ଦ୍ର ଯାଦବ ମହାଶୟ, ଶ୍ରୀ ଅଶ୍ୱିନୀ କୁମାରେ ଚୌବେ ମହାଶୟ, ଅନ୍ୟଦେଶରୁ ଆସିଥିବା ମନ୍ତ୍ରୀଗଣ, ରାଜ୍ୟର ମନ୍ତ୍ରୀଗଣ, ଅନ୍ୟ ପ୍ରତିନିଧି, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି ଗଣ!

ସର୍ବ ପ୍ରଥମେ ମୁଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି ଯେ, ସକାଳ 6ଟାରୁ ଚାଲି ଯାଇଥିଲି ମୁଁ ଭାବିଥିଲି ଯେ ଠିକ ସମୟରେ ଜଙ୍ଗଲ ଭ୍ରମଣ କରି ଫେରିଆସିବି କିନ୍ତୁ ମୋତେ ଆସିବାରେ 1 ଘଣ୍ଟ। ବିଳମ୍ବ ହୋଇଗଲା । ଆପଣ ସମସ୍ତଙ୍କୁ ପ୍ରତୀକ୍ଷା କରିବାକୁ ପଡିଲା ଏଥିପାଇଁ ମୁଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି । ମୋ କଥା, ପ୍ରଥମେ ଆମେ ଏ ଯେଉଁ ବାଘ ସଂଖ୍ୟା ସଂଖ୍ୟାକୁ ଆମେ ଛୁଇଁଛେ, ଯାହା ଦେଖୁଛେ, ଆମର ଏହି ବାଘଙ୍କ ପରବାରର ଯେଉଁ ବିସ୍ତାର ହେଉଛି, ଏହା ହେଉଛି ଗୌରବମୟ ମୁହୂର୍ତ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ବାଘଙ୍କ ସମ୍ମାନରେ ନିଜ ସ୍ଥାନରେ ଠିଆ ହୋଇ ଆମେ ବାଘମାନଙ୍କୁ ଉତ୍ସାହପୂର୍ଣ୍ଣ ସ୍ୱାଗତ କରିବା । ଧନ୍ୟବାଦ!

ଆଜି ଆମେ ସମସ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟର ସାକ୍ଷୀ ହେବାକୁ ଯାଉଛେ । ବ୍ୟାଘ୍ର ପ୍ରକଳ୍ପକୁ 50 ବର୍ଷ ହୋଇ ଯାଇଛି । ବ୍ୟାଘ୍ର ପ୍ରକଳ୍ପର ସଫଳତା, କେବଳ ଭାରତ ପାଇଁ ନୁହେଁ, ବରଂ ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ଗୌରବର ବିଷୟ । ଭାରତ ନା କେବଳ ବାଘମାନଙ୍କୁ ବଂଚାଇଛି ବରଂ ସେମାନଙ୍କ ବଂଶ ବିସ୍ତାରରେ ଓ ପରିବ୍ୟାପ୍ତିର ଏକ ଉନ୍ନତ ଇକୋ ସିଷ୍ଟମ ଯୋଗାଇ ଦେଇଛି। ଏହା ଆମ ସମସ୍ତଙ୍କ ପାଇଁ ମଧ୍ୟ ଆଉ ଏକ ସୁଖଦ ଘଟଣା ଯେ ଯେଉଁ ସମୟରେ ଆମେ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରିଛେ, ସେହି ସମୟରେ ବିଶ୍ୱର ପାଖାପାଖି 75 ପ୍ରତିଶତ ବାଘ ସଂଖ୍ୟା ଭାରତରେ ହିଁ ରହିଛି । ଏହା ମଧ୍ୟ ସଂଯୋଗର ବିଷୟ ଯେ ଭାରତରେ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟ 75 ହଜାର ବର୍ଗ କିଲୋମିଟର ରହିଛି ଏବଂ ବିଗତ 10 ରୁ 12 ବର୍ଷ ମଧ୍ୟରେ ବାଘ ସଂଖ୍ୟା ମଧ୍ୟ 75 ପ୍ରତିଶତ ବୃଦ୍ଧି ପାଇଛି । ଏହା ସମସ୍ତଙ୍କ ପ୍ରୟାସ ଦ୍ୱାରା ସମ୍ଭବପର ହୋଇ ପାରିଛି ଆଉ ଏଥିପାଇଁ ମୁଁ ସମଗ୍ର ଦେଶକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଆଜି ସାରା ବିଶ୍ୱରେ ବନ୍ୟଜନ୍ତୁ ପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ଆସୁଛି ଯେ ଯେତେବେଳେ ଦେଶରେ ଅନେକ ବ୍ୟାଘ୍ର ରେଞ୍ଜରେ ସେମାନଙ୍କ ସଂଖ୍ୟା ସ୍ଥିର ରହିଛି ଅବା ସଂଖ୍ୟା ହ୍ରାସ ପାଉଛି, ସେତେବେଳେ ପୁଣି ଭାରତରେ ଦ୍ରୁତ ଗତିରେ କାହିଁକି ବୃଦ୍ଧି ପାଉଛି? ଏହାର ଉତର ହେଉଛି, ଭାରତର ପରମ୍ପରା, ଭାରତର ସଂସ୍କୃତି ଏବଂ ଭାରତର ସମାଜରେ ଜୈବ ବିବିଧତାକୁ ନେଇ ପର୍ଯ୍ୟାବରଣକୁ ନେଇ ଆମର ଯାହା ସ୍ୱାଭାବିକ ଆଗ୍ରହ ରହିଛି ଆଉ ତାହା ହିଁ ଏହି ସଫଳତା ମଧ୍ୟରେ ଲୁଚି ରହିଛି । ଆମେ ପରିବେଶ ଏବଂ ଅର୍ଥ ବ୍ୟବସ୍ଥା (ଇକୋଲୋଜି ଏବଂ ଇକୋନୋମି) ମଧ୍ୟରେ ବିବାଦକୁ ମାନୁ ନାହୁଁ, ବରଂ ଉଭୟ ମଧ୍ୟରେ ସମ ଭାବାପନ୍ନକୁ ଗୁରୁତ୍ୱ ଦେଉଛୁ । ଆମର ଏଠାରେ ବାଘମାନଙ୍କ ସହିତ ଜଡ଼ିତ ହଜାର- ହଜାର ବର୍ଷର ପୁରୁଣା ଇତିହାସ ରହିଛି । ମଧ୍ୟ ପ୍ରଦେଶରେ ମିଳିଥିବା 10 ହଜାର ବର୍ଷ ପୁରୁଣା ପ୍ରସ୍ତର କଳାରେ ବାଘଙ୍କ ଚିହ୍ନ ରହିଛି । ମଧ୍ୟ ଭାରତରେ ରହୁଥିବା ଭାରିୟା ଏବଂ ମହାରାଷ୍ଟ୍ରରେ ରହୁଥିବା ବର୍ଲି, ଭଳି ଦେଶର ଅନେକ ସମୁଦାୟ ବାଘଙ୍କୁ ପୂଜା କରନ୍ତି, ପୂଜାର୍ଚ୍ଚନା କରନ୍ତି । ଆମର ଏଠାରେ ଅନେକ ଜନଜାତି ମଧ୍ୟରେ ବାଘଙ୍କୁ ନିଜର ବନ୍ଧୁ ବୋଲି ବିବେଚନା କରାଯାଏ, ଭାଇ ଭାବେ ଗ୍ରହଣ କରାଯାଏ । ଆଉ, ବାଘ ହେଉଛି ମାଆ ଦୁର୍ଗା ଏବଂ ଭଗବାନ ଆୟପ୍ପାଙ୍କ ବାହନ ।

ବନ୍ଧୁଗଣ,

ଭାରତ ହେଉଛି ଏପରି ଏକ ଦେଶ ଯେଉଁଠାରେ ପ୍ରକୃତିର ସୁରକ୍ଷା ହେଉଛି ସଂସ୍କୃତିର ଏକ ଅଭିନ୍ନ ଅଂଶ । ଏହି କାରଣରୁ ବନ୍ୟଜନ୍ତୁ ସଂରକ୍ଷଣରେ ଆମର ଅନେକ ଅନନ୍ୟ ସଫଳତା ରହିଛି । ପୃଥିବୀର ମାତ୍ର 2.4 ପ୍ରତିଶତ ସ୍ଥଳଭାଗ ରହିଥିବା ସତ୍ୱେ ବିଶ୍ୱ ଜୈବ ବିବିଧତା କ୍ଷେତ୍ରରେ ଭାରତର ଯୋଗଦାନ 8 ପ୍ରତିଶତ ରହିଛି । ସାରା ବିଶ୍ୱରେ ଭାରତ ହେଉଛି ସବୁଠାରୁ ଅଧିକ ବ୍ୟାଘ୍ର ରେଞ୍ଜ ଥିବା ଦେଶ । ପ୍ରାୟ ତିରିଶ ହଜାର ହାତୀଙ୍କ ସହିତ ଆମେ ବିଶ୍ୱର ସର୍ବ ବୃହତ ଏସିୟ ପ୍ରଜାତିର ହାତୀ ଥିବା ଦେଶ । ଆମର ଏଠାରେ ଥିବା ଗଣ୍ଡାଙ୍କ ସଂଖ୍ୟା ତିନି ହଜାରରୁ ଅଧିକ, ସେହିପରି ଏକ ଶିଙ୍ଘିଆ ଗଣ୍ଡା କ୍ଷେତ୍ରରେ ଆମ ସଂଖ୍ୟା ସର୍ବାଧିକ । ସେହିଭଳି ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଏସିୟ ପ୍ରଜାତିର ସିଂହ ଅଛନ୍ତି । ଦେଶରେ ସିଂହ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 2015ରେ ଏହା 525 ଥିବା ବେଳେ 2020ରେ ଏହା ପାଖାପାଖି 675ରେ ପହଂଚିଛି । ଆମ ଦେଶରେ ଥିବା ଚିତାବାଘଙ୍କ ସଂଖ୍ୟା ମାତ୍ର 4 ବର୍ଷ ମଧ୍ୟରେ 60 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଗଙ୍ଗା ଭଳି ନଦୀର ପରିଷ୍କାର ପରିଚ୍ଛନ୍ନତା ଆମକୁ ଜୈବ ବିବିଧତା କ୍ଷେତ୍ରରେ ସହାୟତା କରୁଛି । ବିଲୁପ୍ତ ହେବାକୁ ବସିଥିବା ତଥା କେତେକ ଜଳଜୀବଙ୍କ ପ୍ରତି ଯେଉଁ ବିପଦ ଦେଖା ଯାଉଥିଲା, ସେଥିରେ ଉନ୍ନତି ପରିଲକ୍ଷିତ ହୋଇଛି । ଜନ ଭାଗିଦାରୀ ମାଧ୍ୟମରେ ସେମାନଙ୍କ ସଂରକ୍ଷଣ ନେଇ ଏକ ସଂସ୍କୃତି ବିକଶିତ ହୋଇଛି, ଏହା ହିଁ ତ’ ହେଉଛି ସମସ୍ତଙ୍କର ପ୍ରୟାସ ।

ବନ୍ୟଜନ୍ତୁଙ୍କ ପାଇଁ ଏକ ଉନ୍ନତ ଇକୋ ସିଷ୍ଟମ ବା ପରିବେଶ ଅନୁକୂଳ ଗୁରୁତ୍ୱପୂର୍ଣ୍ଣ ବାତାବରଣ ରହିବା ଆବଶ୍ୟକ । ଯାହା ଭାରତରେ ହିଁ ଘଟୁଛି । ଦେଶ ସ୍ୱାଧୀନତାର 75 ବର୍ଷ ପାଳନ କରୁଥିବା ବେଳେ ଭାରତରେ 11ଟି ଆର୍ଦ୍ରଭୂମିକୁ ଚିହ୍ନଟ କରାଯାଇ ରାମସାର ସାଇଟରେ ସ୍ଥାନିତ କରାଯାଇଛି । ଏବେ ଏହି ସଂଖ୍ୟା ମୋଟ ୭୫କୁ ବୃଦ୍ଧି ପାଇଛି । ଦେଶରେ ଜଙ୍ଗଲ ଏବଂ ବୃକ୍ଷରାଜିର ବ୍ୟାପକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । 2019 ତୁଳନାରେ 2021 ସୁଦ୍ଧା ଭାରତରେ ଦୁଇ ହଜାର ଦୁଇ ଶହ ବର୍ଗ କିଲୋମିଟର ଜଙ୍ଗଲ ଓ ବୃକ୍ଷର ବ୍ୟାପକତା ବୃଦ୍ଧି ପାଇଛି । ଗତ ଦଶନ୍ଧି ମଧ୍ୟରେ ଗୋଷ୍ଠୀ ବା ସାମୁଦାୟିକ ସଂରକ୍ଷଣ ସଂଖ୍ୟା ୪୩ରୁ ଏକ ଶହକୁ ବୃଦ୍ଧି ପାଇଛି। ଗୋଟିଏ ଦଶକ ମଧ୍ୟରେ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟରେ ସମ୍ବେଦନଶୀଳ ଜୋନ୍ ସଂଖ୍ୟା ମାତ୍ର 9ରୁ ଚାରି ଶହ ଅଠଷଠୀକୁ ବୃଦ୍ଧି ପାଇଛି ।

ସାଥୀଗଣ,

ବନ୍ୟଜନ୍ତୁ ସଂରକ୍ଷଣରେ ଏହି ସମସ୍ତ ପ୍ରୟାସ ଗୁଡ଼ିକ ମଧ୍ୟରେ ମୋତେ ଗୁଜରାଟରେ ଦୀର୍ଘ ସମୟର ଅନୁଭବର ମଧ୍ୟ ଲାଭ ମିଳିଛି । ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଆମେ ସିଂହମାନଙ୍କର ସଂରକ୍ଷଣକୁ ନେଇ କାର୍ଯ୍ୟ କରିଥିଲୁ । ସେହିଠାରୁ ମୁଁ ଶିଖିଥିଲି ଯେ କିଭଳି ବନ୍ୟଜନ୍ତୁଙ୍କୁ ବଂଚାଇବା ପାଇଁ ଆମକୁ କେବଳ ଏକ ଭୌଗୋଳିକ ପରିସୀମା ମଧ୍ୟରେ ରହିବାକୁ ପଡ଼ିବ ନାହିଁ । ଆମକୁ ଏଥିପାଇଁ

ସ୍ଥାନୀୟ ଲୋକ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି କରିବାକୁ ପଡିବ । ଏହି ସଂକଳ୍ପ ଭାବପ୍ରବଣତାର ମଧ୍ୟ ହେବା ଉଚିତ ଏବଂ ଅର୍ଥନୀତିର ମଧ୍ୟ ହେବା ଉଚିତ । ଏଥିପାଇଁ ଗୁଜରାଟରେ ଆମେ ବନ୍ୟପ୍ରାଣୀ ମିତ୍ର କାର୍ଯ୍ୟକ୍ରମ ଚଳାଇଥିଲୁ । ଶୀକାର ଭଳି ଗତିବିଧି ଉପରେ ଦୃଷ୍ଟି ରଖିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଗଲା । ଏଥିପାଇଁ ଅର୍ଥରାଶି ପୁରସ୍କାର ମଧ୍ୟ ରଖାଗଲା । ଆମେ ଗୀରରେ ବାଘମାନଙ୍କ ପାଇଁ ପୁନଃବସତି କେନ୍ଦ୍ର ମଧ୍ୟ ଖୋଲିଲୁ । ଗୀର ଅଂଚଳରେ ଆମେ ଜଙ୍ଗଲ ବିଭାଗରେ ମହିଳା ବିଟ୍ ଗାର୍ଡ ଏବଂ ବନକର୍ମଚାରୀ ଭାବେ ମଧ୍ୟ ମହିଳାଙ୍କୁ ନିଯୁକ୍ତି ଦେଲୁ । ଆମେ, ‘ସିଂହ ଅଛନ୍ତି ତ ଆମେ ଅଛୁ, ଆମେ ଅଛୁ ତ ସିଂହ ଅଛନ୍ତି’, ଏହି ଭାବନାକୁ ନିରନ୍ତର ସୁଦୃଢ଼ କଲୁ । ଆଜି ଆପଣମାନେ ମଧ୍ୟ ଦେଖୁଛନ୍ତି ଯେ ଗୀରରେ ପର୍ଯ୍ୟଟନର, ଇକୋ ଟୁରିଜିମର ବହୁତ ବଡ଼ ଇକୋ ସିଷ୍ଟମ ସୃଷ୍ଟି ହୋଇଛି ।

ସାଥୀଗଣ,

ଗୀରରେ ଯେଉଁ ପଦକ୍ଷେପ ନିଆ ଯାଇଥିଲା, ସେହିଭଳି ବ୍ୟାଘ୍ର ପ୍ରକଳ୍ପର ସଫଳତା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆ ଯାଇଛି । ଏଥିରେ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ପାଇଛି ଏବଂ ଆମେ ଯେଉଁ ସଚେତନତା କାର୍ଯ୍ୟକ୍ରମ ଚଲାଇଛୁ, ସେଥିରେ ବ୍ୟାଘ୍ର ସଂରକ୍ଷଣରେ ମଣିଷ- ପ୍ରାଣୀ ବିବାଦ ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଇଛି । ବିଗ୍ କ୍ୟାଟ୍ସଙ୍କ ଉପସ୍ଥିତି ଯୋଗୁଁ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ଏହାଦ୍ୱାରା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ଦୃଢତା ମିଳିଛି । ବିଗ୍ କ୍ୟାଟ୍ସଙ୍କ ଉପସ୍ଥିତି ଯୋଗୁଁ ପ୍ରତ୍ୟେକ ଅଂଚଳରେ ସ୍ଥାନୀୟ ଲୋକଙ୍କ ଜୀବନ ଏବଂ ସେଠାକାର ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପଡିଛି ।

ସାଥୀଗଣ,

କିଛି ମାସ ପୂର୍ବେ ଭାରତର ଜୈବ- ବିବିଧତାକୁ ସମୃଦ୍ଧ କରିବା ପାଇଁ ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛୁ । ଦଶକ ପୂର୍ବେ ଭାରତରେ ଚିତା ବାଘ ବିଲୁପ୍ତ ହୋଇ ଯାଇଥିଲେ । ଆମେ ଏହି  ପ୍ରସିଦ୍ଧ ବିଗ୍ କ୍ୟାଟଙ୍କୁ ନାମିମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାରୁ ଭାରତ ନେଇ ଆସିଛୁ । ଏହା ହେଉଛି ବିଗ କ୍ୟାଟଙ୍କ ପ୍ରଥମ ସଫଳ ଅନ୍ତଃ- ମହାଦେଶୀୟ ସ୍ଥାନାନ୍ତରଣ । କିଛି ଦିନ ପୂର୍ବେ ହିଁ କୁନୋ ଜାତୀୟ ଉଦ୍ୟାନରେ ଚାରୋଟି ସୁନ୍ଦର ଶାବକ ଜନ୍ମ ନେଇଛନ୍ତି । ଭାରତ ମାଟିରେ ଚିତା ପ୍ରାୟତଃ 75 ବର୍ଷ ପୂର୍ବେ ବିଲୁପ୍ତ ହୋଇ ଯାଇଥିଲେ । ଅର୍ଥାତ ପାଖାପାଖି 75 ବର୍ଷ ପରେ ଭାରତ ମାଟିରେ ପୁଣି ଚିତା ବାଘ ଜନ୍ମ ନେଇଛନ୍ତି । ଏହା ହେଉଛି ଏକ ବହୁତ ଶୁଭ ଶୁଭାରମ୍ଭ । ଏହା ହେଉଛି ଏହି କଥାର ପ୍ରମାଣ ଯେ ଜୈବ ବିବିଧତାର ରକ୍ଷା ଏବଂ ତାହାର ସମୃଦ୍ଧି ପାଇଁ ଅନ୍ତରାଷ୍ଟ୍ରୀୟ ସହଯୋଗ ହେଉଛି କେତେ ଗୁରୁତ୍ୱପୂର୍ଣ୍ଣ ।

ସାଥୀଗଣ,

ବନ୍ୟଜନ୍ତୁ ସଂରକ୍ଷଣ କୌଣସି ଏକ ଦେଶର ନୁହେଁ ବରଂ ହେଉଛି ଏକ ବୈଶ୍ୱିକ ପ୍ରସଙ୍ଗ । ଏଥିପାଇଁ ଅନ୍ତର୍ଜାତୀୟ ସହଯୋଗ ହେଉଛି ସମୟର ଆବଶ୍ୟକତା । ବର୍ଷ 2019ରେ ବିଶ୍ୱ ବ୍ୟାଘ୍ର ଦିବସରେ ମୁଁ ଏସିଆ ମହାଦେଶରେ ଶିକାର ଏବଂ ବେଆଇନ ବନ୍ୟଜନ୍ତୁ କାରବାର ବିରୋଧରେ ସହଯୋଗର ଆହ୍ୱାନ କରିଥିଲି । ଆନ୍ତର୍ଜାତୀୟ ବିଗ କ୍ୟାଟ ମେଂଟ ବା ସହଯୋଗ ହେଉଛି ଏହି ଭାବନାର ବିସ୍ତାର । ଏହାଦ୍ୱାରା ବିଗ କ୍ୟାଟ ସହିତ ଜଡ଼ିତ ସମଗ୍ର ଇକୋ ସିଷ୍ଟମ ପାଇଁ ଆର୍ଥିକ ଏବଂ ବୈଷୟିକ ସଂସାଧନ ଯୋଗାଡ଼ କରିବା ସହଜ ହେବ । ଏହାଦ୍ୱାରା ଭାରତ ସହିତ ସମସ୍ତ ଦେଶର ଅନୁଭବରୁ ବାହାରୁଥିବା ସଂରକ୍ଷଣ ଏବଂ ସୁରକ୍ଷା ଏଜେଣ୍ଡାକୁ ଲାଗୁ କରିବା ସହଜ ହେବ। ଆନ୍ତର୍ଜାତୀୟ ବିଗ କ୍ୟାଟ ମେଂଟ ବା ସହଯୋଗ ତାହାର ଦୃଷ୍ଟି ବିଶ୍ୱର 7ଟି ପ୍ରମୁଖ ବିଗ କ୍ୟାଟ ସଂରକ୍ଷଣ ଉପରେ ରହିବ । ଅର୍ଥାତ ଯେଉଁ ଦେଶରେ ବାଘ, ସିଂହ, ଚିତାବାଘ, ସ୍ନୋ ଚିତାବାଘ, ପୁମା, ଜାଗୁଆର ଏବଂ ଚିତା ରହିଛନ୍ତି, ଏଭଳି ଦେଶ ସହ ଆମେ ମେଂଟ ବା ସହଭାଗୀ ହେବା । ଏହି ମେଂଟ ଅଧୀନରେ ସଦସ୍ୟ ଦେଶ ନିଜ ନିଜର ଅନୁଭବକୁ ବାଂଟି ପାରିବେ, ନିଜ ସହଯୋଗୀ ଦେଶକୁ ଅଧିକ ଦ୍ରୁତ ଗତିରେ ସହାୟତା କରି ପାରିବେ । ଏହି ମେଂଟ ଗବେଷଣା ତାଲିମ ଏବଂ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେବ । ଆମେ ଏକାଠି ମିଳିମିଶି ଏହି ପ୍ରଜାତିକୁ ବିଲୁପ୍ତ ହେବାରୁ ବଂଚାଇବା, ଏକ ସୁରକ୍ଷିତ ଏବଂ ଉନ୍ନତ ଇକୋ ସିଷ୍ଟମର ନିର୍ମାଣ କରିବା ।

ସାଥୀଗଣ,

ମାନବତାର ଉନ୍ନତ ଭବିଷ୍ୟତ ସେତେବେଳେ ସମ୍ଭବ ହେବ, ଯେତେବେଳେ ଆମର ପର୍ଯ୍ୟାବରଣ ସୁରକ୍ଷିତ ରହିବ । ଆମର ଜୈବ ବିବିଧତା ସମ୍ପ୍ରସାରିତ ହୋଇ ଚାଲିବ । ଏହା ହେଉଛି ଆମ ସମସ୍ତଙ୍କର ଦାୟୀତ୍ୱ, ହେଉଛି ସମଗ୍ର ବିଶ୍ୱର । ଏହି ଭାବନାକୁ ଆମେ ନିଜର G-20 ଅଧ୍ୟକ୍ଷତା ସମୟରେ ମଧ୍ୟ ନିରନ୍ତର ପ୍ରୋତ୍ସାହିତ କରୁଛୁ । G-20ର ଲକ୍ଷ୍ୟ, ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ, ଏହି ସନ୍ଦେଶ ଦେଉଛି । ସିଓପି 26ରେ ମଧ୍ୟ ଆମେ ନିଜ ପାଇଁ ବଡ଼ ଏବଂ ମହତ୍ୱକାଂକ୍ଷୀ ଲକ୍ଷ୍ୟ ସ୍ଥିର କରିଛୁ । ମୋର ସଂମ୍ପୂର୍ଣ୍ଣ ବିଶ୍ୱାସ ଯେ ପାରସ୍ପରିକ ସହଯୋଗରେ ଆମେ ପର୍ଯ୍ୟାବରଣ ସଂରକ୍ଷଣର ପ୍ରତ୍ୟେକ ଲକ୍ଷ୍ୟକୁ ପ୍ରାପ୍ତ କରିବା ।

ସାଥୀଗଣ,

ଏହି କାର୍ଯ୍ୟକ୍ରମକୁ ଯେଉଁ ବିଦେଶୀ ଅତିଥି ଆସିଛନ୍ତି, ଯେଉଁମାନେ ଅନ୍ୟ ରାଜ୍ୟରୁ ଏଠାକୁ ଆମର ଅତିଥି ଭାବେ ଆସିଛନ୍ତି, ସେମାନଙ୍କୁ ମୁଁ ଆଉ ଏକ କଥା ମଧ୍ୟ କହିବାକୁ ଚାହୁଛି । ଆପଣ ସମସ୍ତଙ୍କୁ ଏଠାରୁ ଆଉ ଏକ ଲାଭ ଉଠାଇବା ଉଚିତ । ଏ ଯେଉଁ ସହୟାଦ୍ରି ଅଂଚଳ ରହିଛି, ପଶ୍ଚିମ ଘାଟ ଅଂଚଳ ରହିଛି, ଏଠାରେ ଅନେକ ଜନଜାତି ରହୁଛନ୍ତି । ସେମାନେ ଶତାବ୍ଦୀ- ଶତାବ୍ଦୀ ଧରି ବାଘମାନଙ୍କ ସହିତ ପ୍ରତ୍ୟେକ ଜୈବ ବିବିଧତାକୁ ସମୃଦ୍ଧ କରିବାରେ ଲାଗିଛନ୍ତି । ସେମାନଙ୍କ ଜୀବନ, ସେମାନଙ୍କ ସଂସ୍କୃତି, ସମଗ୍ର ବିଶ୍ୱ ପାଇଁ ହେଉଛି ବହୁତ ଉତମ ଉଦାହରଣ । ପ୍ରକୃତି ଠାରୁ ଯେତେ ନେଲେ, ସେତିକି ହିଁ ପ୍ରକୃତିକୁ ଫେରାଇଲେ, ଏହି ସନ୍ତୁଳନ କିଭଳି କାର୍ଯ୍ୟ କରିଥାଏ, ତାହା ଆମକୁ ଏଠାରୁ ଶିଖିବାକୁ ମିଳିଥାଏ, ଏହି ଆଦିବାସୀ ପରମ୍ପରାରେ ଦେଖିବାକୁ ମିଳିଥାଏ । ଏଠାକୁ ଆସିବା ପୂର୍ବରୁ ମୋର ଏଭଳି ଅନେକ ବନ୍ଧୁମାନଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି ଆଉ ଏଥିପାଇଁ ମୋତେ ଆସିବାରେ ଟିକେ ବିଳମ୍ବ ହୋଇଗଲା । ଯେଉଁଥିପାଇଁ ଦ ଏଲିଫ୍ୟାଂଟ ହୁଇସ୍ପର ବୃତଚିତ୍ରକୁ ଓସ୍କାର ମିଳିଛି, ତାହା ମଧ୍ୟ ପ୍ରକୃତି ଏବଂ ପ୍ରାଣୀଙ୍କ ମଧ୍ୟରେ ଅଦ୍ଭୁତ ସମ୍ବନ୍ଧର ପରମ୍ପରାକୁ ଦର୍ଶାଉଛି । ମିଶନ ଲାଇଫ ଅର୍ଥାତ ପର୍ଯ୍ୟାବରଣ ପାଇଁ ଜୀବନ ଶୈଳୀର ଦୃଷ୍ଟିକୋଣକୁ ବୁଝିବାରେ ମଧ୍ୟ ଆଦିବାସୀ ସମାଜର ଜୀବନ ଶୈଳୀରୁ ବହୁତ ସହାୟତା ମିଳିବ । ମୋର ଅନୁରୋଧ ଯେ ଆପଣ ଆମର ଆଦିବାସୀ ସମାଜର ଜୀବନ ଏବଂ ପରମ୍ପରାରୁ କିଛି ନା କିଛି ନିଶ୍ଚୟ ନିଜ ଦେଶ, ନିଜ ସମାଜ ପାଇଁ ନେଇକରି ଯାଆନ୍ତୁ । ପୁଣି ଥରେ ଆପଣ ସମସ୍ତଙ୍କୁ, ଏହି ଆୟୋଜନକୁ ଆସିବା ପାଇଁ ବହୁତ- ବହୁତ କୃତଜ୍ଞତା ଜଣାଉଛି ଏବଂ ଆଜି ବ୍ୟାଘ୍ରମାନଙ୍କର ଯେଉଁ ନୂତନ ସଂଖ୍ୟା ଆମ ସାମ୍ନାକୁ ଆସିଛି ଆଗାମୀ ଦିନରେ ଆମେ ଆହୁରି ନୂତନ ସଂଖ୍ୟା ଅତିକ୍ରମ କରିବା ଏବଂ ନୂତନ ଉପଲବ୍ôଧ ହାସଲ କରିବା ସମଗ୍ର ବିଶ୍ୱକୁ ମୁଁ ଏହି ବିଶ୍ୱାସ ଦେଉଛି ।

ବହୁତ- ବହୁତ ଧନ୍ୟବାଦ !        

*****

AH


(Release ID: 1915169) Visitor Counter : 154