ରସାୟନ ଓ ସାର ମନ୍ତ୍ରଣାଳୟ

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ଜନ ଔଷଧୀ ରଥର ଶୁଭାରମ୍ଭ


ଜନ ଔଷଧୀ ଜନଚେତନା ଅଭିଯାନ ଆରମ୍ଭ କରିବାକୁ ଏହି ରଥ ଉଦ୍ଦିଷ୍ଟ

Posted On: 01 MAR 2023 5:04PM by PIB Bhubaneshwar

ଜନ ଔଷଧୀ ଜନ ଚେତନା ଅଭିଯାନ ଆରମ୍ଭ ପାଇଁ ଉଦ୍ଦିଷ୍ଟ ଜନ ଔଷଧୀ ରଥର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ । ଆଜି ନୂଆଦିଲ୍ଳୀଠାରେ ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ ଏହି ରଥର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସହିତ ଦେଶରେ ପଞ୍ଚମ ଜନ ଔଷଧୀ ଉତ୍ସବର ଆନୁଷ୍ଠାନିକ ଆରମ୍ଭ ମଧ୍ୟ ହୋଇଛି ।

 ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ଡକ୍ଟର ମାଣ୍ଡଭିୟ କହିଛନ୍ତି ଯେ ଜନ ଔଷଧୀ ସପ୍ତାହ ପାଳନ ପରେ ୨୦୨୩ ମାର୍ଚ୍ଚ ସାତ ତାରିଖରେ ଜନ ଔଷଧୀ ଦିବସ ପାଳିତ ହୋଇଥାଏ । ଏଥର ଜନ ଔଷଧୀ ସପ୍ତାହରେ ଲୋକଙ୍କ ମଧ୍ୟରେ ଜନ ଔଷଧୀର ଉପକାରିତା ଓ ସୁବିଧା ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଚାର କରାଯିବ । ଏହି ଔଷଧର ମୂଲ୍ୟ କମ୍ ଏବଂ ମାନଦୃଷ୍ଟିରୁ ଏହା ବେଶ୍ ଭଲ । ସମଗ୍ର ଦେଶରେ ଥିବା ସମସ୍ତ ଜନ ଔଷଧୀ କେନ୍ଦ୍ରରେ ଏହି ଔଷଧ ଉପଲବ୍ଧ । ଏସବୁ କେନ୍ଦ୍ରରେ ମଧ୍ୟ ମହିଳାଙ୍କ ପାଇଁ ସାନିଟାରୀ ପ୍ୟାଡ ଅତି ଶସ୍ତାରେ ବିକ୍ରି କରାଯାଉଛି । ଗୋଟିଏ ପ୍ୟାଡର ଦାମ ମାତ୍ର ଏକ ଟଙ୍କା । ତେଣୁ ମହିଳାମାନଙ୍କ ମଧ୍ୟରେ ଏଥିପାଇଁ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ସେମାନେ ଏହା ଜାଣିଲେ ଏବଂ ଶସ୍ତାରେ ଏସବୁ ସୁରକ୍ଷିତ ପ୍ୟାଡ ବ୍ୟବହାର କଲେ ବିଶେଷ ଉପକୃତ ହେବେ ବୋଲି ଡକ୍ଟର ମାଣ୍ଡବୀୟ କହିଛନ୍ତି ।

 ସେ ଆହୁରି କହିଥିଲେ ଯେ ମାର୍ଚ୍ଚ ସାତ ତାରିଖରେ ଏକ ବଡ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଜନ ଔଷଧୀର କିଛି ପ୍ରମୁଖ ଲାଭାର୍ଥୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯିବ । ଲାଭାର୍ଥୀମାନେ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବେ । ଏଥିରେ ଚିକିତ୍ସକମାନେ ମଧ୍ୟ ଜନ ଔଷଧୀ କେନ୍ଦ୍ର ସମ୍ପର୍କରେ ସେମାନଙ୍କ ଅନୁଭୂତି କରିବେ । ଏହା ଫଳରେ ସମ୍ପୃକ୍ତ କେନ୍ଦ୍ରଗୁଡିକର ପ୍ରଚାର ଅଧିକ ହେବ । ଜନ ଔଷଧୀ କେନ୍ଦ୍ର ଯେକୌଣସି ବ୍ୟକ୍ତି ଖୋଲିପାରିବେ । ଏଥିରେ ଦୋକାନୀଙ୍କୁ ୨୦% କମିଶନ ପ୍ରଦାନରେ ବ୍ୟବସ୍ଥା ରହିଛି । ଏହା ଫଳରେ ସମ୍ପୃକ୍ତ ଦୋକାନୀ ଉଭୟ ରୋଜଗାର ଓ ସେବାର ସୁଯୋଗ ପାଉଛନ୍ତି ।

ମାର୍ଚ୍ଚ ପହିଲାରୁ ୭ତାରିଖ ଯାଏ ଫର୍ମାସୀ ବିଭାଗ ପକ୍ଷରୁ ବିଭିନ୍ନ ସହରରେ ନାନାବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ମୂଳତଃ ଜନ ଔଷଧୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱ ଦିଆଯିବା ସହିତ ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ । ଏହି ଯୋଜନା ଉପରେ ସେମିନାର, ହେରି ଟେଜୱାକ, ସ୍ୱାସ୍ଥ୍ୟ ଶିବିର, ଶିଶୁ, ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆଦି ବ୍ୟବସ୍ଥା କରାଯାଇଛି । ଏଥିରେ ଡାକ୍ତର, ନର୍ସ, ଏନ୍‌ଜିଓର ସଦସ୍ୟ, ଲୋକ ପ୍ରତିନିଧି, ଫାର୍ମାସିଷ୍ଟ, ଜନ ଔଷଧୀ ମିତ୍ର ଆଦିଙ୍କୁ ନିମନ୍ତ୍ରଣ କରାଯିବ । 

ଲୋକଙ୍କୁ ଶସ୍ତାରେ ଉତ୍ତମ ମାନର ଜେନେରିକ ଔଷଧ ଯୋଗାଣ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା ଭାରତ ସରକାରଙ୍କ ଫର୍ମାସୀ ବିଭାଗ ପକ୍ଷରୁ ୨୦୦୮ ନଭେମ୍ବରରେ ଆରମ୍ଭ ହୋଇଥିଲା । ୨୦୨୩ ଜାନୁୟାରୀ ୩୧ ତାରିଖ ସୁଦ୍ଧା ସମଗ୍ର ଦେଶରେ ଜନ ଔଷଧୀ କେନ୍ଦ୍ର(ଷ୍ଟୋର) ସଂଖ୍ୟା ୯୦୮୨ରେ ପହଞ୍ôଚଛି । ଏହି ଯୋଜନା ଏଯାଏ ଦେଶର ମୋଟ ୭୬୪ଜିଲ୍ଲା ମଧ୍ୟରୁ ୭୪୩ରେ କାର୍ଯ୍ୟକାରୀ ହେଉଛି । ୨୦୨୩ ଡିସେମ୍ବର ସୁଦ୍ଧା ଏହି କେନ୍ଦ୍ର ସଂଖ୍ୟା ୧୦ହଜାର ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି । ଜନ ଔଷଧୀ କେନ୍ଦ୍ରରେ ମିଳୁଥିବା ଔଷଧର ସଂଖ୍ୟା ଓ ପ୍ରକାର ୧୭୬୯ । ଏହାଛଡା ଏଥିରେ ୨୮୦ ସର୍ଜିକାଲ ଉପକରଣ ମଧ୍ୟ ସୁଲଭ ମୂଲ୍ୟରେ ବିକ୍ରି ହେଉଛି । ଏହା ବ୍ୟତୀତ ପ୍ରୋଟିନ ପାଉଡର, ମାଲ୍ଟ ଭିତ୍ତିକ ଫୁଡ୍ ସପ୍ଲିମେଣ୍ଟ, ସାନିଟାଇଜର, ମାସ୍କ, ଗ୍ଲକୋମିଟର, ଓକ୍ସିମିଟର ସମେତ ବିଭିନ୍ନ ପ୍ରକାରର ନୂଆ ଔଷଧ ଏବଂ ଡାକ୍ତରୀ ସାମଗ୍ରୀ ଜନ ଔଷଧୀ କେନ୍ଦ୍ରରୁ ମିଳୁଛି ।

 ଜନ ଔଷଧୀ କେନ୍ଦ୍ରରେ ମିଳୁଥିବା ଔଷଧପତ୍ର ମୂଲ୍ୟ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀର ଔଷଧ ଠାରୁ ୫୦ରୁ ୯୦% କମ୍ । ୨୦୨୧-୨୨ରେ ଜନ ଔଷଧୀ କେନ୍ଦ୍ରଗୁଡିକ ଦ୍ୱାରା ୮୯୩.୫୬ କୋଟି ଟଙ୍କାର ଔଷଧ ବିକ୍ରି କରାଯାଇଥିଲା । ଏହାଫଳରେ ସାଧାରଣ ଜନତା ନିଜର ଔଷଧ ଖର୍ଚ୍ଚ ବାବଦରେ ମିଳିତ ଭାବେ ୫୩୬୦ କୋଟି ଟଙ୍କା ବଞ୍ଚାଇଛନ୍ତି । ୨୦୨୨-୨୦୨୩ ଆର୍ଥିକ ବର୍ଷରେ (୧୫.୨. ୨୩ପର୍ଯ୍ୟନ୍ତ ) ଜନ ଔଷଧୀକୁ କାର୍ଯ୍ୟକାରୀ କରୁଥିବା ଭାରତୀୟ ମେଡିକାଲ ଡିଭାଇସ୍ ବ୍ୟୁରୋ ୧୦୦୦କୋଟିରୁ ଅଧିକ ଟଙ୍କାର ଔଷଧ ବିକିଛି । ଏହା ଫଳରେ ସାଧାରଣ ଜନତାଙ୍କ ଔଷଧ ବାବଦ ଖର୍ଚ୍ଚ ୬୦୦୦ ଟଙ୍କା ବଂଚିଛି । ଜନ ଔଷଧୀର ଚାରିଟି ଆଇଟି ସୁବିଧା ଥିବା ଗୋଦାମ ଗୁରୁଗ୍ରାମ, ଚେନ୍ନାଇ, ଗୁଆହାଟି ଓ ସୁରତରେ ରହିଛିି । ଏହାଛଡା ୩୬ଜଣ ବିତରକଙ୍କ ଜରିଆରେ ସମଗ୍ର ଦେଶକୁ ଔଷଧ ଯୋଗାଇ ଦିଆଯାଉଛି ।

ବିଗତ ଆଠବର୍ଷ ମଧ୍ୟରେ ଜନ ଔଷଧୀ ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ସଫଳତାର ପ୍ରକୃତ ରହସ୍ୟ ହେଲା ଶସ୍ତାରେ ଉତ୍ତମ ମାନର ଔଷଧ ଯୋଗାଣ । ଏହା ଫଳରେ ଲୋକଙ୍କର ଔଷଧ/ଚିକିତ୍ସା ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି । ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ଏହା ଦ୍ୱାରା ବିଶେଷ ଉପକୃତ ହୋଇଛନ୍ତି । ଭାରତର ଲୋକେ ଏହା ଦ୍ୱାରା ଔଷଧ ଖର୍ଚ୍ଚ ବାବଦରେ ୨୦୦୦କୋଟିରୁ ଅଧିକ ଟଙ୍କା ବଂଚାଇ ପାରିଛନ୍ତି । ଏହି ଔଷଧ ଉପରେ ଲୋକଙ୍କ ବିଶ୍ୱାସ ଏବଂ ଏହାର ସୁଲଭ ମୂଲ୍ୟ ସମଗ୍ର ଜନ ଔଷଧୀ ଯୋଜନାକୁ ବିଶେଷ ଲୋକପ୍ରିୟ କରିଛି ଏବଂ ଏହାର କାରବାର ବୃଦ୍ଧି ପାଉଛି । କ୍ରମଶଃ ଏହା ଦେଶର କୋଣ ଅନୁକୋଣରେ ପହଞ୍ଚିବାରେ ଲାଗିଛି ।

 

*****

TKM/SLP



(Release ID: 1903512) Visitor Counter : 96


Read this release in: English , Urdu , Marathi , Hindi