ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଶିଶୁଙ୍କ ପାଇଁ “ଯାଦୁଇ ପିଟାରା”ର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ


ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢିବେ ଶିଶୁ – ଧର୍ମେନ୍ଦ୍ର ପ୍ରଧାନ


ପାଠପଢା ଦୃଶ୍ୟପଟ୍ଟକୁ ଅଧିକ ଜୀବନ୍ତ କରିବା ଦିଗରେ ଏକ ଐତିହାସିକ ଦିନ

ପାଠପଢା ଏବଂ ଶିକ୍ଷା ବାତାବରଣକୁ ସମୃଦ୍ଧ କରିବା ଦିଗରେ ଏକ ବୃହତ ପଦକ୍ଷେପ

ସବୁ ଭାରତୀୟ ଭାଷାରେ ଯାଦୁଇ ପିଟାରାର ଉପକରଣକୁ ଅନୁବାଦ କରିବା ପାଇଁ ଏନସିଇଆରଟିକୁ ପରାମର୍ଶ

ସବୁ ରାଜ୍ୟର ଏସସିଇଆରଟିରେ ଯାଦୁଇ ପିଟାରା ଉପଲବ୍ଧ କରିବା ପାଇଁ କହିଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଏବଂ ପଦ୍ମବିଭୂଷଣ ଡ଼ା. କେ କସ୍ତୁରି ରଙ୍ଗନଙ୍କୁ ଧନ୍ୟବାଦ ଜଣାଇଲେ

Posted On: 20 FEB 2023 6:43PM by PIB Bhubaneshwar

 

ଶିଶୁଙ୍କୁ ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢିବା ପାଇଁ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଖିବା ଓ ଶିଖାଇବାର ଉପକରଣ “ଦୁଇ ପିଟାରା”ର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ  କହିଛନ୍ତି ଯେ ପାଠପଢା ଦୃଶ୍ୟପଟ୍ଟକୁ ଅଧିକ ଜୀବନ୍ତ କରିବା ଦିଗରେ ଏକ ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ 3 ବର୍ଷରୁ 8 ବର୍ଷ ଶିଶୁଙ୍କ ପାଇଁ ଖେଳ ଆଧାରିତ ଶିକ୍ଷା ଶିଖିବା ଏବଂ ଶିଖାଇବାର ଉପକରଣ ଶୁଭାରମ୍ଭ ହୋଇଯାଇଛି । “ଯାଦୁଇ ପିାଟାରା” ଏଭଳି ଏକ ପଦକ୍ଷେପ, ଯେଉଁଥିରେ ପିଲାମାନେ ବିଭିନ୍ନ ଖେଳ, ଗୀତ, କାହାଣୀ ଏବଂ ବିଭିନ୍ନ  କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନେ ପାଠ ପଢିବେ । ଜାତୀୟ ଶିକ୍ଷା ନୀତି ଆଧାରରେ ଯାଦୁଇ ପିଟାରା ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ) ଅଧୀନରେ ବିକଶିତ ହୋଇଥିବା ବେଳେ ଏହା 13ଟି ଭାରତୀୟ ଭାଷାରେ ଉପଲବ୍ଧ ରହିଛି । ନୂଆ ଶିକ୍ଷା ନୀତିର କଳ୍ପନାରେ ପାଠପଢା ଏବଂ ଶିକ୍ଷା ବାତାବରଣକୁ ସମୃଦ୍ଧ କରିବା ଏବଂ ଉଲ୍ଲାସର ସହ ପାଠପଢାକୁ ଶିଶୁ କୈନ୍ଦ୍ରିକ କରିବା ଦିଗରେ ଏହା ଏକ ବୃହତ ପଦକ୍ଷେପ ।


ସେ କହିଛନ୍ତି ଯେ ଶିକ୍ଷା ପିଲାଙ୍କୁ  ଆଗକୁ ନେବାର ଚାବିକାଠି । ମାତ୍ର ଆମର ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଆମର ପିଢିକୁ ବୋଝ ଦେଇଥାଏ । ବର୍ତ୍ତମାନର ସମୟରେ ପିଲାଙ୍କୁ ଖେଳ ଓ କାହାଣୀ ଏବଂ ଅନ୍ୟାନ୍ୟ ଉପାୟରେ ଶିକ୍ଷା ଦେବା ଉଚିତ୍ । ଏହି ସବୁ କାହାଣୀ ପିଲା ମାନଙ୍କୁ କେବଳ ସଂଖ୍ୟା କିମ୍ବା ଅକ୍ଷର ପଢାଇବା ନୁହେଁ ବରଂ ସେମାନଙ୍କୁ ସାହସ ଏବଂ ନମ୍ରତାର ଶିକ୍ଷା ପ୍ରଦାନ କରିବ । ପିଲା ମାନଙ୍କର କ୍ରିଟିକାଲ ଥିଙ୍କିଂକୁ ବଢାଇବା ପାଇଁ ସରଳ ଉପାୟରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ।


ଆମକୁ ଭାରତୀୟ ଭାଷାକୁ ବି ଆମକୁ ମହତ୍ୱ ଦେବାକୁ ପଡିବ । ପିଲାଙ୍କୁ ବୁଝିବା ଭଳି ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବା ଦରକାର । ଏନସିଇଆରଟି ଟେକ୍ନୋଲୋଜିକୁ ଉପଯୋଗ କରି ସବୁ ଭାରତୀୟ ଭାଷାରେ ଯାଦୁଇ ପିଟାରାର ଉପକରଣକୁ ଅନୁବାଦ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହାସହ ସବୁ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ରେ ଉପଲବ୍ଧ କରିବା ପାଇଁ ସେ ଏନସିଇଆରଟିକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  


ଶ୍ରୀ ପ୍ରଧାନ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ ପଦ୍ମବିଭୂଷଣ ଡ଼ା. କେ କସ୍ତୁରି ରଙ୍ଗନଙ୍କୁ ଧନ୍ୟବାଦ ଦେଇଥିଲେ ।ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ଉପସ୍ଥିତ ଥିଲେ ।

RoM



(Release ID: 1900827) Visitor Counter : 176